Unknown

 

 

 

 

 

 

 

 

 

୬୩ତମ ସଂଖ୍ୟା କୋଣାର୍କ -୧୯୮୭

ଓଡ଼ିଶା ସାହିତ୍ୟ ଏକାଡେମୀ

 

କୋଣାର୍କ

 

 

 

(ଓଡ଼ିଶା ସାହିତ୍ୟ ଏକାଡେମୀର ତ୍ରୈମାସିକ ମୁଖପତ୍ର)

୬୩ ତମ ସଂଖ୍ୟା କୋଣାର୍କ -୧୯୮୭

 

 

 

ସମ୍ପାଦକ :

ରାଧାମୋହନ ଗଡ଼ନାୟକ

 

ପରିଚାଳନା ସମ୍ପାଦକ :

ସୁରେନ୍ଦ୍ରନାଥ ଶତପଥୀ

 

 

ଓଡ଼ିଶା ସାହିତ୍ୟ ଏକାଡେମୀ

ଭୁବନେଶ୍ୱର

 

ପ୍ରକାଶକ :

ଓଡ଼ିଶା ସାହିତ୍ୟ ଏକାଡେମୀ

ଭୁବନେଶ୍ୱର-୭୫୧୦୧୪

 

ଏ ସଂଖ୍ୟାର ଲେଖା ଓ ଲେଖକ

୧.

ଏଜରା ପାଉଣ୍ଡ୍‌ : ଅନ୍ତିମ ପର୍ବ

ଶ୍ରୀ ରବିନ୍ଦ୍ରପ୍ରସାଦ ପଣ୍ଡା

୨.

ଝାଡ଼ଖଣ୍ଡ ଓ ‘କିଶୋର ଚନ୍ଦ୍ରାନନ୍ଦ ଚମ୍ପୂ’ର ଝାଡ଼ଖଣ୍ଡ

ଶ୍ରୀ ଉଦୟ ନାରାୟଣ ପାଢ଼ୀ

ନୀଳକଣ୍ଠଙ୍କ ଚାହାଣୀରେ ଚମକ

ଶ୍ରୀ ସଚ୍ଚିଦାନନ୍ଦ ମିଶ୍ର

୪.

କାଳିନ୍ଦୀଚରଣଙ୍କ ଉପନ୍ୟାସରେ ସମାଜତତ୍ତ୍ୱ

ଡକ୍ଟର କୈଳାଶ ପଟ୍ଟନାୟକ

ସାଂପ୍ରତିକ ମରାଠୀ ସାହିତ୍ୟର କେତୋଟି ଧାରା

ଶ୍ରୀ ଗୌରହରି ଦାସ

୬.

ଦାଣ୍ଡି ରାମାୟଣ ଏବଂ ତୁଳସୀ ରାମାୟଣରେ

ଅର୍ଥନୀତିର ରୂପରେଖ : ଏକ ତୁଳନାତ୍ମକ ଦୃଷ୍ଟିପାତ

ଡକ୍ଟର ହରିଶ୍ଚନ୍ଦ୍ର ବାରିକ

୭.

ସନ୍ଥ କବୀରଙ୍କ କବିତ୍ୱର ସ୍ୱରୂପ

ଶ୍ରୀ ଗଣନାଥ ଦାସ ୬୦

୮.

ସମକାଳୀନ ପୂର୍ବ ଭାରତୀୟ ସାହିତ୍ୟରେ

ସ୍ୱାଧୀନତା ଆନ୍ଦୋଳନର ପଦଧ୍ୱନି

ଡକ୍ଟର ଗୋପାଳଚନ୍ଦ୍ର ମିଶ୍ର

୯.

‘ବାବାଜୀ’ଠାରୁ ‘କ୍ଳାନ୍ତ ପ୍ରଜାପତି’–ଏକ ଅନୁଧ୍ୟାନ

ଶ୍ରୀ ଇନ୍ଦୁଭୂଷଣ କର

୧୦.

ଓଡ଼ିଆ ଲୋକ-ସାହିତ୍ୟରେ ଲୋକଜୀବନ :

ଏକ ନୃତାତ୍ତ୍ୱିକ ଅଧ୍ୟୟନ

ଡକ୍ଟର ଆଦିକନ୍ଦ ସାହୁ

୧୧.

ଜୟ ଜଗଦୀଶ ହରେ.........

ଶ୍ରୀ ରାଧାମୋହନ ଗଡ଼ନାୟକ

୧୨.

ଏକାଡେମୀ ସମାଚାର

 

୧୩.

ସମ୍ପାଦକୀୟ

 

 

‘କୋଣାର୍କ’ ପ୍ରକାଶନର ନିୟମାବଳୀ

 

୧.

ପ୍ରତିବର୍ଷ ‘କୋଣାର୍କ’ର ୪ ଗୋଟି ସଂଖ୍ୟା ନିୟମିତ ଭାବେ ମାର୍ଚ୍ଚ, ଜୁନ, ସେପ୍‌ଟେମ୍ବର ଓ ଡିସେମ୍ବର ମାସର ପ୍ରଥମ ସପ୍ତାହରେ ପ୍ରକାଶିତ ହେବ । ପ୍ରତି ସଂଖ୍ୟାର ମୂଲ୍ୟ ଟ ୫/- ରହିବ । ବାର୍ଷିକ ଗ୍ରାହକ ଦେୟ ଟ ୧୬/- ରହିବ । ବିଶେଷ ସଂଖ୍ୟାଗୁଡ଼ିକର ମୂଲ୍ୟ ସ୍ୱତନ୍ତ୍ରଭାବେ ନିରୂପିତ ହେବ ଏବଂ ଏଗୁଡ଼ିକ ବାର୍ଷିକ ଗ୍ରାହକମାନଙ୍କୁ ଯୋଗାଇବାକୁ ଥିବା ୪ଗୋଟି ସଂଖ୍ୟାର ଅନ୍ତର୍ଭୁକ୍ତ ହେବ ନାହିଁ । ବିଷୟବସ୍ତୁ ବା ଥିମ୍‌ ଦୃଷ୍ଟିରୁ ଅତୀତରେ ଯେପରି ବିଭିନ୍ନ ବିଶେଷ ସଂଖ୍ୟା ପାଇଁ ଅତିଥି-ସମ୍ପାଦକ ମନୋନୀତ ହୋଇଛନ୍ତି, ସେହିପରି ପ୍ରୟୋଜନ ସର୍ତ୍ତରେ ମନୋନୀତ ହେବେ ।

୨.

‘କୋଣାର୍କ’ରେ ସାହିତ୍ୟ ଓ ସଂସ୍କୃତି ସମ୍ପର୍କରେ ସାଧାରଣତଃ ଗବେଷଣାଧର୍ମୀ ପ୍ରବନ୍ଧମାନ ସ୍ଥାନ ପାଇବ । ଓଡ଼ିଆ ସାହିତ୍ୟ ଛଡ଼ା ଅନ୍ୟ ଭାରତୀୟ ବା ବିଶ୍ୱର ତୁଳନାତ୍ମକ ସାହିତ୍ୟ ସମ୍ପର୍କିତ ନିବନ୍ଧମାନ ମଧ୍ୟ ଏଥିରେ ସ୍ଥାନ ପାଇବ । ସୃଜନଶୀଳ ସାହିତ୍ୟକୁ ଉତ୍ସାହ ଦେବାଲାଗି ଅନ୍ତତଃ ଦୁଇଟି ଉତ୍କୃଷ୍ଟ ମାନର କବିତା ଓ ଗୋଟିଏ କ୍ଷୁଦ୍ରଗଳ୍ପ ପ୍ରତି ସଂଖ୍ୟାରେ ସ୍ଥାନ ପାଇବ । ଏହାଛଡ଼ା ଗ୍ରନ୍ଥସମୀକ୍ଷା ମଧ୍ୟ ଏଥିରେ ସ୍ଥାନ ପାଇବ । ଗ୍ରନ୍ଥସମୀକ୍ଷାଟି ସଂକ୍ଷିପ୍ତ ହେବା ସଙ୍ଗେ ସଙ୍ଗେ ଆଲୋଚ୍ୟ ଗ୍ରନ୍ଥଟି ମଧ୍ୟ ସାହିତ୍ୟିକ ଦୃଷ୍ଟିକୋଣରୁ ମର୍ଯ୍ୟାଦାବନ୍ତ ହୋଇଥିବା ବାଞ୍ଛନୀୟ ।

୩.

ନିବନ୍ଧଗୁଡ଼ିକ ନାତିଦୀର୍ଘ ହେବା ଆବଶ୍ୟକ, ଯଦ୍ଦ୍ୱାରା କି ଏହା ରୟାଲ୧/୮ ଆକାର ବିଶିଷ୍ଟ ‘କୋଣାର୍କ’ର ୧୦ପୃଷ୍ଠା ମଧ୍ୟରେ ସୀମିତ ରଖାଯାଇ ପାରିବ ।

୪.

ପୂର୍ବରୁ ପ୍ରକାଶିତ କୌଣସି ରଚନା ‘କୋଣାର୍କ’ରେ ପ୍ରକାଶନ ପାଇଁ ଯୋଗ୍ୟ ବିବେଚିତ ହେବ ନାହିଁ ।

୫.

‘କୋଣାର୍କ’ରେ ପ୍ରକାଶନ ପାଇଁ ପ୍ରେରିତ ଲେଖାଗୁଡ଼ିକର ନକଲ ଲେଖକ/ଲେଖିକାମାନେ ନିଜ ପାଖରେ ରଖିବା ପାଇଁ ଅନୁରୋଧ । କାରଣ, ଅମନୋନୀତ ଲେଖାଗୁଡ଼ିକ ଫେରସ୍ତ ଦେବାର ବ୍ୟବସ୍ଥା ନାହିଁ । ଲେଖାଗୁଡ଼ିକ କାଗଜର ଗୋଟିଏ ପାର୍ଶ୍ୱରେ ପରିଷ୍କାର ହସ୍ତାକ୍ଷରରେ ଲିଖିତ ହେବା ଆବଶ୍ୟକ ।

୬.

‘କୋଣାର୍କ’ରେ ପ୍ରକାଶିତ ଲେଖକ ଓ ସମାଲୋଚକମାନଙ୍କ ମତାମତ ଓଡ଼ିଶା ସାହିତ୍ୟ ଏକାଡେମୀର ଆନୁଷ୍ଠାନିକ ମତାମତ ରୂପେ ଗୃହୀତ ନ ହୋଇ ତାହା କେବଳ ସେମାନଙ୍କର ବ୍ୟକ୍ତିଗତ ମତାମତ ରୂପେ ବିବେଚିତ ହେବ ଓ ଏହା ‘କୋଣାର୍କ’ର ପ୍ରତି ସଂଖ୍ୟାର ସୂଚୀପତ୍ର ତଳେ ମୁଦ୍ରିତ ହେବ ।

୭.

‘କୋଣାର୍କ’ରେ ପ୍ରକାଶିତ ପ୍ରତ୍ୟେକ ଲେଖା ପାଇଁ ଲେଖକଙ୍କୁ ଟ ୧୦୦/- (ଏକଶତ ଟଙ୍କା) ପାରିତୋଷିକ ପ୍ରଦାନ କରାଯିବ ।

୮.

‘କୋଣାର୍କ’ ସମ୍ପର୍କୀୟ ସମସ୍ତ ଯୋଗାଯୋଗ ପରିଚାଳନା ସମ୍ପାଦକଙ୍କ ସହିତ କରାଯିବ ।

 

ଏଜରା ପାଉଣ୍ଡ୍‌ ଅନ୍ତିମ ପର୍ବ

ରବୀନ୍ଦ୍ର ପ୍ରସାଦ ପଣ୍ଡା

 

ବଞ୍ଚିଥିଲେ, ଗତବର୍ଷ (୧୯୮୫) ଅକ୍ଟୋବର ତିରିଶ ତାରିଖ ଦିନ ପୂରିଥାନ୍ତା ଶହେ ବର୍ଷ-। କିନ୍ତୁ, ଜୀବନର ଶେଷ କେତେବର୍ଷ କଥା କହିବାର ଆଗ୍ରହ ଆଉ ନ ଥିଲା, ପ୍ରାୟ ନୀରବ ହୋଇ ଯାଇଥିଲେ ଏଇ ଶତାଦ୍ଦୀର ପୃଥିବୀର ଶ୍ରେଷ୍ଠ ତିନିଜଣ କବିଙ୍କ ଭିତରୁ ଜଣେ, ଏଜରା ପାଉଣ୍ଡ୍ । ୟେଟ୍‌ସ ଓ ଏଲିୟଟ୍ ବି ଅପସୃତ । ମନେ ହୋଇପାରେ ଏଇ ଲୋକର ଜୀବନ ବିଶୃଙ୍ଖଳ, ଯେଉଁ ବିଶୃଙ୍ଖଳାକୁ ଉଇଣ୍ଡ୍ୟାମ୍‌ ଲ୍ୟୁଇସ୍‌ ବୁଝନ୍ତି ମନୀଷାର ଇହଲୀଳା । କାରଣ ପାଉଣ୍ଡ୍‌ ଦିନକ ପାଇଁ ତ ବା ଭୁଲରେ, ସେଇ ରାସ୍ତାରେ ଗୋଡ଼ ଦେଇନାହାନ୍ତି, ଯା’ର ଶେଷରେ ଅଛି ସ୍ତୁତି ଅଥବା ପୁରସ୍କାର-। ଅଥଚ ଏଲିୟଟ୍ ବା ଜୟେସ୍‌ଙ୍କ ପରି ଅପରିଣତ ଶିଳ୍ପୀ ଖାଲି ନୁହନ୍ତି, ୟେଟ୍‌ସଙ୍କ ପରି ଆତ୍ମସ୍ଥ କବି ବି ଏଇ ଲୋକର ପରାମର୍ଶକ୍ରମେ ଲେଖିଛନ୍ତି ଆହୁରି ବେଶୀ ରସୋତ୍ତୀର୍ଣ୍ଣ କବିତା । ମାତ୍ର, କବିତା ଯେଉଁଠି ବିଷୟବିବିକ୍ତ, ଅର୍ଥାତ୍ ଏବ୍‌ଷ୍ଟ୍ର୍ୟାକ୍ଟ, ପାଉଣ୍ଡ୍‌ ସେଠି ଶିଳ୍ପୀ ଉପରେ ଆସ୍ଥାହୀନ । ହୁଏତ ପୌତ୍ତଳିକତା ବିରୁଦ୍ଧରେ ନ ଥିଲା ଧାର୍ମିକ ଅନୁଯୋଗ, କିନ୍ତୁ ବିଗ୍ରହ ଭିତରେ ଖୋଜିଚନ୍ତି ବିଗ୍ରହାତୀତର ଆବିର୍ଭାବ; ଏବଂ କାବ୍ୟର ଅଭିଧାକୁ ରସାତ୍ମକ ବାକ୍ୟରେ ବନ୍ଦୀ କରିବାର କ୍ରିୟାଟି ତାଙ୍କର ସମୟ-ଚେତନାର ପରପନ୍ଥୀ ନିଶ୍ଚୟ, ତଥାପି କବିତା ଯେ ଆବେଗପ୍ରବଣ ସେ କଥାଟା ତାଙ୍କର ନିଃସଙ୍କୋଚ ଅଙ୍ଗୀକାର । ଏବଂ ସେଥିଯୋଗୁଁ ଅନୁକମ୍ପା ଯା’ର ବିଶ୍ୱମ୍ଭର, ତା’ର ଆଗ୍ରହର ଅଯୋଗ୍ୟ ମନେ ହୋଇଚନ୍ତି ମାଲାର୍ମେ, ପୁଣି ଭାଲେରୀଙ୍କର ପ୍ରତୀକସର୍ବସ୍ୱତା । ଅର୍ଥାତ୍‌ ପାଉଣ୍ଡ୍‌ ଅର୍ଜିତ ବିଦ୍ୟାରେ ଯେପରି ଆଧୁନିକ ଲେଖକକୁଳର ନେତୃସ୍ଥାନୀୟ, ସ୍ୱଭାବରେ ସେଇପରି ୱର୍ଡ଼୍‍ସଓର୍ଥପନ୍ଥୀ, ଏବଂ ତାଙ୍କର ରଚନାରେ ଅଭିବ୍ୟକ୍ତି ଯଦିଓ ସମାଦୃତ, ତଥାପି କବିତାର ମୁଖ୍ୟ ଉପଜୀବ୍ୟ ତାଙ୍କପାଇଁ ଅଭିଜ୍ଞତା, କିନ୍ତୁ ବଞ୍ଚି ରହିବାର ବୈଚିତ୍ର୍ୟ ଆଜି ଏତେ ଅପାର ଯେ, ଆତ୍ମପ୍ରକାଶ ପାଇଁ ଅବଶ୍ୟମ୍ଭାବୀ ପରିଭାଷା, ଅର୍ଥାତ୍‌ ସାଙ୍କେତିକ ଭିନ୍ନ ଅଭିଜ୍ଞତାର ସମୟୋଚିତ ଶିଳ୍ପ-ପ୍ରକାଶ ପ୍ରାୟ ଅସାଧ୍ୟ । ସଂକ୍ଷେପର ଅନୁଶାସନ ସେଥିପାଇଁ ଲେଖାଇଚି ପାଉଣ୍ଡ୍‌କୁ ଆଲେଖ୍ୟ-ପ୍ରଧାନ କିଛି କବିତା; କିନ୍ତୁ ଶଦ୍ଦଚିତ୍ର ସେଠି ନିରାଲମ୍ବ ନୁହେଁ, ଜୀବନ୍ତ ଉପଲବ୍ଧିର ଅଭିଜ୍ଞାନ, ମାନେ ଅଳଙ୍କାର ମାତ୍ରକେ ସେଠି ରୂପକ । କାରଣ, ପାଉଣ୍ଡ୍‌ ବିଶ୍ୱାସ କରନ୍ତି ନାହିଁ ଯେ ଶିଳ୍ପ ହୋଇପାରେ ବିଶୁଦ୍ଧ, ପଦାର୍ଥବିଜ୍ଞାନୀ ଯେପରି ଅଭୂତପୂର୍ବ ଘଟଣାର ବ୍ୟାଖ୍ୟା ପାଇଁ ବ୍ୟବହାର କରନ୍ତି କ୍ୱାଣ୍ଟିଫିକେସନ୍‌, ପାଉଣ୍ଡ୍‌ ବି ସେମିତି ଅଭିଜ୍ଞତାର ବିବରଣ ପାଇଁ ପ୍ରଶ୍ରୟ ଦିଅନ୍ତି ଉପମା-ଉତ୍‌ପ୍ରେକ୍ଷା, କାହିଁକି ନା, ଅଚେତନ-ଅବଚେତନରେ ଘଟେ ଯେଉଁ ଅନୁଭୂତି ସଂମିଶ୍ରଣ, ତା’ର ଭାବଛବିର ଆଭାସ ଦେଇପାରେ ଏଇ ଅଳଙ୍କାରଣ ବା ଚିତ୍ରକଳ୍ପ, ଇଂରେଜୀରେ ଇମେଜ୍ । ଅବଶ୍ୟ, ମାଥ୍ୟୁ ଆର୍ନଲ୍‌ଡ୍‌ଙ୍କର ଯେପରି ଥିଲା ଫିଲିଷ୍ଟାଇନ୍‌ ଭୀତି, ପାଉଣ୍ଡ୍‌ ବି ସେପରି ଶିଳ୍ପକୁ ଭଲ୍‌ଗାରାଇଜେସନ୍‌ରୁ ରକ୍ଷାକରିବା ପାଇଁ ହୋଇଚନ୍ତି ଉଦ୍ଧତ ଓ କର୍କଶ-ଭାଷୀ; କିନ୍ତୁ ମହତ୍‌ କବିର ବିନୟ ଓ ସମର୍ପଣ ଦେଖିବା କଷ୍ଟକର ନୁହେଁ । ‘କ୍ୟାଣ୍ଟୋଜ୍‌’ କବିତାବଳରେ ଯା’ର ନାୟକ ମଣିଷ ଜାତିର ଜୀବନେତିହାସ, ଯେଉଁଠି ଦେଶ ଓ କାଳର ସୀମା ବି ନିଶ୍ଚିହ୍ନ । ଯେପରି ସ୍ପେଙ୍ଗ୍‌ଲର୍‌ ପ୍ରଗତି ନାମକ ବସ୍ତୁରେ ହୃତ-ବିଶ୍ୱାସ; ପାଉଣ୍ଡ୍‌ଙ୍କ ଦୃଷ୍ଟିରେ ବି ସଭ୍ୟତା ଯେପରି ଘୂର୍ଣ୍ଣାବର୍ତ୍ତ ଯା’ର ବୁଦ୍‌ବୁଦ୍‌ ବ୍ୟକ୍ତି-ମନୁଷ୍ୟ । ଅର୍ଥାତ୍‌, ବିଷୟ ଓ ବ୍ୟଞ୍ଜନା ଉଭୟ କ୍ଷେତ୍ରରେ ପାଉଣ୍ଡ୍‌ ନୈର୍ବ୍ୟକ୍ତିକ । ଅବଧାରିତ ଭାବେ ସେଥିପାଇଁ ୧୯୩୦ରେ ରେନେ ତୋପେଁ ଲେଖନ୍ତି : Toute e’ tude de la poesie americaine moderne doit commencer par une e’ tude des oeuvres critiques et poetiques d’ Ezra pound. ଏବଂବିଧ ଯେଉଁ ଲୋକର ପ୍ରତିଭା, ଯା କାଭାଲ୍‌କାନ୍ତିଠାରୁ ଫେନେଲୋସା ଡେଇଁ ଅବତୀର୍ଣ୍ଣ ହୋଇଥିଲା ୟେଟ୍‌ସ୍, ଏଲିୟଟ୍‌ ଜୟେସ୍‌ ପର୍ଯ୍ୟନ୍ତ, ୱେଷ୍ଟଲ୍ୟାଣ୍ଡ୍‌ କାବ୍ୟ ଉତ୍‌ସର୍ଗ କରି ଏଲିୟଟ୍‌ ଯାହାଙ୍କୁ ମାନନ୍ତି ଦକ୍ଷତର ପଦ୍ୟକାର ବୋଲି, ଶୁଣାଯାଉ ସାହିତ୍ୟ ସମ୍ବନ୍ଧରେ ସେ ଲୋକର କିଛି ଆପ୍ତବାକ୍ୟ–

 

(କ)

Literature is language charged with meaning. Great literature is simply language charged with meaning to the utmost possible degree.

(ଖ)

The critic who does not make a personal statement, in remeasurements he himself has made, is merely an unreliable critic. He is not a measurer but a repeater of other men’s results.

(ଗ)

Good writers are those who keep the language efficient. That is to say, keep it accurate, keep it clear.

(ଘ)

An ‘Image’ is that which presents an intellectual and emotional complex in an instant of time.

(ଙ)

It is better to present one Image in a lifetime than to produce voluminous works.

(ଚ)

Use no superfluous word, no adjective which does not reveal something.

 

‘କ୍ୟାଣ୍ଟୋଜ୍’ କବିତାବଳିରେ ‘ସମୟ’ର ଧାରଣା ସମ୍ପର୍କରେ :

 

Eternity is all at once. Elsewhere I have said, It will never be one hour more than it is at present. Confucius knew that you cannot reduce or formulate Time.

 

ଅର୍ଥାତ୍‌, ପ୍ରଥମ ପଚାଶଟି କ୍ୟାଣ୍ଟୋଜ୍‌ରେ ସମୟ ଯେଉଁ ଅର୍ଥରେ ‘ମହାକାଳ’; ତା’ପରେ ଚୀନ୍‌ ସଭ୍ୟତାର ଅଭ୍ୟୁଦୟଠାରୁ ଐତିହାସିକ ସମୟ—ଯେପରି ଭାରତୀୟ ସଙ୍ଗୀତରେ ରାଗିଣୀର ଆଳାପ ପରେ ସ୍ପଷ୍ଟ ସମୟ ଦେଖାଦିଏ ଛନ୍ଦ ଓ ତାଳର ବିନ୍ୟାସରେ ।

ନିଜ କବିତାରେ ସଂଲଗ୍ନତା ବା ସଂସର୍ଗତା ଯେ ଅନେକ ପାଠକଙ୍କ ପକ୍ଷରେ ଦୁର୍ଗମ, ସେ ଅନୁଯୋଗର ଜବାବ : Heraclitus said, All is fluid. But, of course, the leaf flows into form. There is a pattern. ଯାହା ଅଛି (being) ଓ ଯାହା ଘଟୁଚି (becoming) ସେସବୁର ଯୋଗାଯୋଗ ନିର୍ଣ୍ଣୟ ପାଇଁ ବୁଦ୍ଧିର ଚର୍ଚ୍ଚା ତ ଦରକାର; ଶିଳ୍ପ ବିଚାର କ୍ଷେତ୍ରରେ ସେସବୁର ସମ୍ବନ୍ଧ ଅନ୍ତତଃ ଅନୁଭୂତି ସାହାଯ୍ୟରେ ଉପଲବ୍‌ଧ ହେବା ଉଚିତ- ଏଇ ଆପତ୍ତିର ଉତ୍ତର :

 

No connection between the Lion and the Rose. Links are not provided. Both exist. But unless you know them both there is some lacuna in your knowledge. There is very little that man can ignore without being ignorant. ଅର୍ଥାତ୍‌, ଅଭିଜ୍ଞତା ତା’ର ନିଜସ୍ୱ ଅଭିବ୍ୟକ୍ତିର ଅଭିଧା ଧରି ଆପେ ଆପେ ଆସେ, ବା ଅନ୍ୟ ଭାଷାରେ, ଅଭିଜ୍ଞତା ଓ ଅଭିବ୍ୟକ୍ତି ଯେହେତୁ ଅଭିନ୍ନ, ଅଭିଜ୍ଞତା ଭିତରେ ହିଁ ଅଭିବ୍ୟକ୍ତିର ସ୍ୱରୂପ ନିହିତ ।

 

କିନ୍ତୁ ବିଜ୍ଞାନ ତ ଏସବୁର ଯୋଗାଯୋଗ ସ୍ପଷ୍ଟ କରିପାରେ । ପାଉଣ୍ଡଙ୍କର ଉତ୍ତର ବିଜ୍ଞାନ ଯେଉଁ ଯୋଗ ଦେଖାଏ ସେଟା କାଳାତ୍ମକ :

 

Any child can take an alarm clock into pieces. Beasts can make atom bombs. But an Indian yogi does not force the pace of a rose. He sees Connections. Healing. Growth.

 

‘କ୍ୟାଣ୍ଟୋଜ୍‌’ର କବିତା ଫ୍ରିଭର୍ସ (ଯାହା ଆଧୁନିକ ଓଡ଼ିଆ କବିତାର ପୋଷାକ) ନା ଅନ୍ୟ କିଛି ପ୍ରଶ୍ନର ପ୍ରତିକ୍ରିୟା :

 

Eliot has said, no verse is free for a man who wants to do a good job. Theory of counterpoint is not musical composition. Ploughing has nothing to do with the quality of the seed. You cannot organise form by theory. Barometer follows nobody’s direction. The cherry cannot grow peaches. In the brain of the cherry there is only one idea- the cherry. ସେଇ ଏକାକଥା, ଅଭିଜ୍ଞତା ଓ ଅଭିଧା ଅଭିନ୍ନ ।

 

ଉଦ୍ଧୃତିର କଳେବର ହ୍ରସ୍ୱ ନ ହେଲେ, ସେଟା ପାଉଣ୍ଡ୍‌ଙ୍କ ସ୍ମୃତି ପ୍ରତି ହେବ ଅବହେଳା । ତେବେ ଏଇ ହେଲା ଯା’ର ଉଚ୍ଚାରଣର ସ୍ୱଭାବ, ସେ ଲୋକର ଜୀବନ ଓ ଚରିତ୍ର ସମ୍ପର୍କରେ ସଂକ୍ଷିପ୍ତ ଆଲୋଚନା ହୁଏତ ପ୍ରାସଙ୍ଗିକ ; କବି-କୃତିର ପରିଚୟ, ଅବଶ୍ୟ, ଏଇ ରଚନାର ହେବ ଉପସଂହାର ।

 

ଏକଦା ଭେନିସ୍‌ ନଗରୀର ବାସିନ୍ଦା ଜଣେ ପିଆନୋବାଦିକାର ଘରେ ସନ୍ଧ୍ୟାରେ ଉପସ୍ଥିତ ହେଲା ଅଦ୍‌ଭୂତ-ଦର୍ଶନ ଏକ ଆମେରିକାନ୍‌ ଯୁବକ । ନିର୍ଧନ ଏବଂ ପ୍ରାୟ ବେକାର । ତା’ର ଗୋଟେ ପଟ କଲି ବ୍ଳେଡ୍‌ରେ ଚାଞ୍ଛି ପରିଷ୍କାର, ଆତ୍ମମ୍ଭରିତାର ପରିଚାୟକ ଅନ୍ୟ କଲିଟି ବି ସେ କାଟିଦେଇ ପାରେ, ଯଦି ଗାନ୍ଧର୍ବୀର ସଖ୍ୟ ନ ହୁଏ ଅଲଭ୍ୟ । ଦିନେ କାଟି ବି ଦେଲା ସେଇ ଅବଶିଷ୍ଟ କଲି । ନିଜର କବିତାଲେଖା ଛାଡ଼ି ସେ ଲାଗିପଡ଼ିଲା କେମିତି ରୁଥ୍‌ ହେଇମାନ୍‌ର କନସର୍ଟ ଆୟୋଜନ ହେବ ପ୍ୟାରିସ୍‌ରେ । ଆତିଶଯ୍ୟ ଯେତେବେଳେ ଅସହ୍ୟ ହେଲା, ରମଣୀ, ଭେନିସ୍‌ରୁ ପଳାଇଗଲେ ଅନ୍ୟ ସହରକୁ । ଯୁବକ ଆସିଲା ଲଣ୍ଡନ । ଏଠି ସଙ୍ଗୀତ, ଶିଳ୍ପ ନେଇ ଲୋକ ଚିନ୍ତା କରେ, କବିତା ପଢ଼େ ଆଉ ଲେଖେ । ଯୁବକ ରାସ୍ତା ଘାଟ ହାଟ ବଜାର ଘୂରିବୁଲେ, ତା’ର ବିଚିତ୍ର ପୋଷାକ ପରିଚ୍ଛଦ ଆଉ ପ୍ରଗଳ୍‌ଭତା ଲକ୍ଷ୍ୟକରି ଲୋକ ଭାବନ୍ତି ଖାମ୍‌ଖେୟାଲ୍‌ । ଅଥଚ ସେଇ ଅନୁର୍ଦ୍ଧ୍ଵ ତିରିଶ ବୟସରେ ଯୁବକର କବିତାର ବହି ବାହାରିଯାଇଚି ଅନ୍ୟୂନ ଚାରିଖଣ୍ଡ । ସେଇ କବିତାର ଶଦ୍ଦ ଘଣ୍ଟାପରି ବାଜେ । ସେ ଘଣ୍ଟାର ଧ୍ୱନି ଶୁଣିଥିଲେ ଡରୋଥୀ ଆଉ ତା’ର ମା’ ଅଲିଭିଆ । ସେମାନେ କିନ୍ତୁ ଭାବନ୍ତି ଏ ଆଚରଣ ଅସ୍ୱାଭାବିକ ନୁହେଁ, ଯୁବକଟି ଯେତେବେଳେ ଆର୍ଟିଷ୍ଟ । ଡରୋଥୀ ଯଶସ୍ୱୀ କବି ୟେଟ୍‌ସଙ୍କର ଆତ୍ମୀୟା । ତ’ ସେଇ ସୂତ୍ରରେ ଦିନେ ଧରିନେଇଯାଏ ଯୁବକଟିକୁ; ୟେଟ୍‌ସ ଶୁଣାନ୍ତି ସଦ୍ୟ ରଚିତ କିଛି କବିତା । ଯୁବକଟି ତତ୍‌କ୍ଷଣାତ୍‌ କିଛି ସଂଶୋଧନର ପ୍ରସ୍ତାବ ଆଣେ, ଯାହା ବୟସ୍କ କବିର ଅସନ୍ତୋଷ । ଯୁବକଟି ବାହୁଲ୍ୟ ସହ୍ୟ କରିପାରେନା ବିନ୍ଦୁ ମାତ୍ର, ଆଉ କ୍ଷିପ୍ତ ହୋଇଉଠେ ଯେତେବେଳେ ଦେଖେ କବିତାରେ ନବରଙ୍ଗ । ତ’ ଯୁବକଟିକୁ ଶାନ୍ତ କରିବା ପାଇଁ ଦିନେ ଡରୋଥୀ ତାକୁ ବାହା ହୋଇପଡ଼େ । କିନ୍ତୁ ଲଣ୍ଡନର ଶିଷ୍ଟ ସମାଜ ପ୍ରତ୍ୟାଖ୍ୟାନ କରେ ଯୁବକଟିକୁ । ବ୍ରିଟିଶ ସାଂଭ୍ରାନ୍ତ୍ୟ ସହ୍ୟକରି ପାରେନା ଆଚରଣରେ ଖିଲାପ । ଯୌବନର ଶେଷ ପ୍ରାନ୍ତରେ ଲୋକଟି ଲଣ୍ଡନ ଛାଡ଼ି ଚାଲିଯାଏ, କପର୍ଦ୍ଦକଶୂନ୍ୟ; ତା’ପରେ ଇଟାଲୀର ଏକ ସହରରେ ଏଇ ଲୋକଟିର ଦେଖା ମିଳେ । ପ୍ରଣୟ ଚାଲିଚି ଅଲଗା ରଜ୍ ନାମ୍ନୀ ବେହେଲାବାଦିକା ସହିତ ଯେ ଅଚିରେ ପ୍ରସବ କରିବ ଏକ କନ୍ୟାସନ୍ତାନ । ଏଣେ ପ୍ୟାରିସ୍‌ ତାକୁ ଭଲ ଲାଗେନା ଆଦୌ ଯେଉଁଠି ଡରୋଥୀ ବି ଜନ୍ମ କରିବ ପୁଅଟିଏ । ପିଲାଙ୍କୁ ଅନ୍ୟଲୋକଙ୍କ ହେପାଜତରେ ଛାଡ଼ି ଚାଲିଆସିବେ ଭୂମଧ୍ୟସାଗର କୂଳର ଏକ ଜନବିରଳ ପଲ୍ଲୀକୁ, ଯାହାର ନାଁ ରାପାଲୋ, ଦୁଇ ନାରୀ ଆଉ ଜଣେ ବେପରୁଆ କବି । ନାନା ଦେଶର କବିବନ୍ଧୁ ସେଠିକି ଆସନ୍ତି ଅତିଥି, ଆଉ ଅତିଥି ଯଦି ପ୍ରମାଣ କରିପାରେ ପ୍ରତିଭା, ତା’ର ସମାଦର ବଢ଼େ ବହୁଗୁଣ; ଆଉ ଯଦି ବୁଝାଯାଏ ଶିଳ୍ପ ବିଷୟରେ ମୌଳିକ ଚିନ୍ତା ତା’ର ଅସାଧ୍ୟ, ତେବେ ଗୃହସ୍ୱାମୀର ଔଦାସୀନ୍ୟ ପ୍ରକଟ ହୁଏ ତତୋଽଧିକ । ନିଜର ଲେଖାଲେଖିରେ ଯେତିକି ସମୟ କଟେ ଏଇ କବିର, ତା’ର ବହୁଗୁଣ ସମୟ ସେ ଖର୍ଚ୍ଚ କରେ ପ୍ରତିଭାଧର ଅଥଚ ଅପରିଚିତ କବିର ରଚନା ପ୍ରକାଶ ପାଇଁ ପ୍ରକାଶକ ପାଖକୁ ଦଉଡ଼ାଦଉଡ଼ି କରିବାରେ, ଅପ୍ରତିଷ୍ଠିତ ଶିଳ୍ପୀର ଚିତ୍ର ବିକ୍ରୀର ଯୋଗାଡ଼ରେ, ଦରିଦ୍ର କେହି କବି ଅସୁସ୍ଥ ହେଲେ ତା’ର ଚିକିତ୍ସାର ଆୟୋଜନରେ, ମାତାଲ୍‌ କେଉଁ ଶିଳ୍ପୀକୁ ପୁଲିସ ଧରିନେଲେ ତା’ ପାଇଁ ଜାମିନ୍‌ ଯୋଗାଡ଼ରେ । କବିକୁ ଯଦି ରକ୍ଷା ନ କରିବ କବି, କିଏ ବଞ୍ଚେଇବ ଶିଳ୍ପକୁ ? ପରେ ଯଦି ଛୁରୀ ମାରିବ ପିଠିରେ ତ ମାରୁ ! ତା’ର ଘରର ବାରଣ୍ଡାରେ ସମୁଦ୍ର ଦିଶେ ପରିଷ୍କାର, ଲେଖୁଁ ଲେଖୁଁ ସେ ସମୁଦ୍ରକୁ ଦେଖେ । ତାର ମନ ଚଞ୍ଚଳ ହୋଇଉଠେ ଆସିବକି କେହି ଅତିଥି ଅଭ୍ୟାଗତ ? ମାର୍ଚ୍ଚମାସ ତେଇଶି ତାରିଖ, ପ୍ରତିବର୍ଷ ଉଷୁମ୍‌-ସନ୍ଧାନୀ ଚଢ଼େଇଙ୍କ ଦଳ ଉଡ଼ିଯାନ୍ତି ସେଇ ଘର ଉପରଦେଇ ପାଖର ନଈକୂଳକୁ । ଇଂରେଜୀ କଥା ଶୁଣିବା ପାଇଁ କାନ ଉଚ୍ଛନ୍ନ ହୁଏ । ମନ କହେ କ’ଣ କରୁଥିବଟି ଏକ୍ଷଣି ଟମ୍‌ ! ବା କେମିତି ଅଛି ବିଲ୍‌ ? ଟମ୍‌ମାନେ ଏଲିୟଟ୍‌ ଆଉ ବିଲ୍‌ ହେଲେ ଉଇଲିଅମ୍‌ କାର୍ଲସ୍‌ ଉଇଲିୟମ୍‌ସ । ତ’ ଏଇମିତି ବିତିଯାଏ ସତରଟି ବର୍ଷ । ତା’ପରେ ହଠାତ୍‌ ଏକ ଡିସେମ୍ବର ଅପରାହ୍ନରେ ଲୋକଟି ଟ୍ରେନ୍‌ରେ ଉଠିବସେ ଏବଂ ସିଧା ଯାଇ ପହଞ୍ଚେ ଇଟାଲୀର ରାଜଧାନୀ ରୋମ୍‌ ନଗରୀରେ, ଯେତେବେଳେ ଆରମ୍ଭ ହୋଇଯାଇଚି ଦ୍ୱିତୀୟ ମହାଯୁଦ୍ଧ । ରେଡ଼ିଓରୁ ଭାସିଆସେ ପ୍ରତି ସନ୍ଧ୍ୟାରେ ସପ୍ତାହରେ ଦୁଇଥର ତା’ର କଣ୍ଠସ୍ୱର : ମୁଁ ଏଜରା ପାଉଣ୍ଡ୍‌ କହୁଚି । ଇଂଲଣ୍ଡ ଓ ଆମେରିକାର ଶ୍ରୋତା ଶୁଣିରଖନ୍ତୁ । କଥାରେ କହନ୍ତି ଇଂରେଜଙ୍କ ମୁଣ୍ଡ ତିଆରି କାଠରେ ଥାଇ [ଆଉ] ଆମେରିକାନଙ୍କ ମୁଣ୍ଡ ସାକ୍ଷାତ୍‌ ତରଭୁଜ ଫଳ । ଗୋଟାଏ ଭିତରେ କୌଣସି କଥା ପଶେନା, ଆଉ ଗୋଟାକରେ ଯା’ ପଶେ, ଦଶ ମିନିଟ୍‌ ଭିତରେ ବାହାରି ଆସେ । ବନ୍ଧୁଗଣ, ଇଟାଲୀ ବିରୁଦ୍ଧରେ ଯୁଦ୍ଧ କରିବା ନିପଟ ବୋକାମୀ । ପୃଥିବୀର ଯାବତୀୟ ମଣିଷର ମୁକ୍ତି ମୁସୋଲିନୀ ହାତରେ, ହିଟଲର୍‌ ହାତରେ । ଆପଣମାନେ ସମର୍ଥନ କରନ୍ତୁ ମହାନ୍‌ ଏଇ ନେତା‌ଙ୍କୁ, ଇଂଲଣ୍ଡ ଓ ଆମେରିକା ହାରିବେ ହିଁ ହାରିବେ । ବି.ବି.ସି. ଅନବରତ କହିଚାଲିଚି ମିଛ । ନିଉୟର୍କ, ବଷ୍ଟନ୍‌ ବି ମିଛ କହି ଓଲୁ ବନାଉଚି ଆପଣମାନଙ୍କୁ ।’’ ଯୁଦ୍ଧ ଦିନେ ସରିଗଲା, ବିପର୍ଯ୍ୟସ୍ତ ହିଟ୍‌ଲର ଓ ମୁସୋଲିନ୍‌ଙ୍କର ଅଦୃଷ୍ଟ । ଏବଂ ହଠାତ୍‌ ଦିନେ ସନ୍ଧ୍ୟାରେ ଲୋକଟିର ସାମ୍ନା ଦରଜାର ବେଲ୍‌ ବାଜିଉଠେ । ଦୁଇଜଣ ସୈନିକ, ଦରଜା ଖୋଲିବା ସଙ୍ଗେ ସଙ୍ଗେ ଚିତ୍କାର କରି ଡାକନ୍ତି , “ବାହାରିଆ ବିଶ୍ୱାସଘାତକ !” ଲୋକଟି କନ୍‌ଫୁସିଅସଙ୍କର ଆନାଲେକ୍‌ଟ୍‌ସ ବହିଖଣ୍ଡକ ପକେଟରେ ଲୁଚାଇ ବାହାରି ଆସେ । ତିନି ସପ୍ତାହ ପରେ ଖୋଲା ଜିପ୍‌ରେ ଚଢ଼ାଇ ତାକୁ ପଠାହୁଏ ପିସା ସହରକୁ ନିଗ୍ରୋ ଖୁନୀ ଆସାମୀ ସହିତ ହାତକଡ଼ା ବନ୍ଧାହୋଇ । ଛ’ମାସ ଧରି ସେ କଟାଏ ତା’ର ବନ୍ଦୀଜୀବନ ଗୋଟିଏ ଛ’ଫିଟ୍‌ ବାଇ ଛ’ଫିଟ୍‌ ଲୁହା ପଞ୍ଜୁରୀରେ । ତା’ ଭିତରୁ ସେ ଦେଖେ ଅନ୍ୟ ପଞ୍ଜୁରୀର ଅନ୍ତେବାସୀ ଖୁନୀ, ପଳାତକ, କେହିବା ନାରୀଧର୍ଷକ । ପବନରେ ଧୂଳିଆସି ଜମାହୁଏ । ଆକାଶରୁ ବର୍ଷାପଡ଼େ । ବାହାରକୁ ଯିବା ନିଷେଧ-। ତ’ ସେ କାଳ୍ପନିକ ପ୍ରତିପକ୍ଷ ସହିତ ଟେନିସ୍‌ ଖେଳେ । କେତେବେଳେ ବକ୍‌ସିଂ କରେ । ମଝିରେ ମଝିରେ ଚିତ୍‌କାର କରିଉଠେ । ତ’ ଛ’ମାସ ପରେ ତାକୁ ଆମେରିକାର ଜେଲ୍‌ଖାନାକୁ ସ୍ଥାନାନ୍ତରିତ କରାହୁଏ; ସେଠି ବିଚାର ହେବ, ଅପରାଧ ଦେଶଦ୍ରୋହ । ହାଜତ୍‌ ଭିତରେ ତା’ର ଅନେକ ଲାଞ୍ଛନା, ଶାରୀରିକ କଷ୍ଟ, ଅସମ୍ମାନ । ସାହିତ୍ୟ ଶିଳ୍ପର ଏତେବଡ଼ ଯୋଦ୍ଧା, ଆଧୁନିକତାର ପ୍ରବର୍ତ୍ତକ, ସୌନ୍ଦର୍ଯ୍ୟସନ୍ଧାନୀ କବି, ସେ ଯେ ଗାରଦ ଭିତରେ ସାଧାରଣ କୟେଦୀଙ୍କ ମଝିରେ ପଚି ମରୁଚି, ହୁଏତ ଶେଷପର୍ଯ୍ୟନ୍ତ ପ୍ରାଣଦଣ୍ଡ ବା ତା’ ଆଗରୁ ମରିଯିବ ନିଉମୋନିଆରେ । ସେ କ’ଣ ତା’ହେଲେ ପୃଥିବୀକୁ ଏଇକଥା କହିବାକୁ ଚାହିଁଥିଲା ଯେ ଗଣତନ୍ତ୍ର ମାନେ ଦଳେ ନିକୃଷ୍ଟ ଲୋକଙ୍କର ପ୍ରାଧାନ୍ୟ, ଯା’ କାମ୍ୟ ନୁହେଁ ଶିଳ୍ପୀ ପଦବାଚ୍ୟ କୌଣସି ସୃଷ୍ଟିଶୀଳ ମଣିଷର ? ବା ସାମ୍ୟବାଦ ବି ଧ୍ୱଂସ କରିବ ଶିଳ୍ପଚେତନାକୁ ଗୋଷ୍ଠୀର ଅଧସ୍ତନ ଯେଉଁଠି ବ୍ୟକ୍ତି-ସ୍ୱାତନ୍ତ୍ର୍ୟ ? ରାଜତନ୍ତ୍ର ଶିଳ୍ପୀକୁ ଦେଇଛି ସମ୍ମାନ, ଏକଛତ୍ରବାଦ ବି ଦେବ – ଏଇ କ’ଣ ଥିଲା ତା’ର ବେତାର ପ୍ରଚାରର ମୂଳତତ୍ତ୍ୱ ? ସେଟା କ’ଣ ତା’ର ଭୁଲ ? । ଏଇ ରଚନାରେ ଏ ପ୍ରଶ୍ନର ଉତ୍ତର ଖୋଜିବା ଅସଙ୍ଗତ; କାରଣ, ୟା’ ପାଇଁ ରହିଲା ବିପୁଳା ପୃଥ୍ୱୀ, ପୁଣି ନିରବଧି କାଳ ।

 

ତେବେ ଲୋକଟିର ବନ୍ଧୁବାନ୍ଧବ ପୃଥିବୀମୟ ପ୍ରଚଣ୍ଡ ଖ୍ୟାତିମାନ ସବୁ କବି ଆାଉ ଶିଳ୍ପୀ, ଯେଉଁମାନଙ୍କର ଚେଷ୍ଟାରେ ତା’ର ସ୍ୱାସ୍ଥ୍ୟ ପରୀକ୍ଷା କରାହୁଏ ଏବଂ ମେଡିକାଲ ବୋର୍ଡ଼ ରାୟ ଦିଏ ଯେ ସେ ମାନସିକ ଭାରସାମ୍ୟ ହରାଇ ଏବେ ପ୍ୟାରାନଇୟା ରୋଗରେ ଆକ୍ରାନ୍ତ; ଅତଏବ ଆତ୍ମପକ୍ଷ ସମର୍ଥନ କରିବାକୁ ଅସମର୍ଥ ଓ ସେଥିଯୋଗୁଁ ବିଚାର ପାଇଁ ଆଯୋଗ୍ୟ । ତ’ ଲୋକଟି ଖଲାସ ହେଲା, ଅର୍ଥାତ୍‌ ହାଜତରୁ ଆସିଲା ପାଗଳ ଗାରଦ, କିନ୍ତୁ ଜୀବନହାନିରୁ ମୁକ୍ତି । ତା’ପରେ ସେଠି ତେରବର୍ଷ, ଯାହା ଭିତରେ ସେ ଲେଖିପକାଏ ପୃଥିବୀର ଅଳ୍ପ କିଛି ଚିନ୍ମୟ କବିତାର କିୟଦଂଶ ‘ପିସାନ୍‌ କ୍ୟାଣ୍ଟୋଜ୍‌’ର ଶେଷପର୍ବ । ତା’ପରେ ସତକୁ ସତ ତାକୁ ଦିନେ ଛାଡ଼ିଦିଆଗଲା ସେଠୁ । ଭେନିସ୍‌ରେ ଅଛି ଅଲଗା ରଜ୍‌ଙ୍କର ଛୋଟ ଗୋଟିଏ ଘର, ମୁକ୍ତ କବି ଫେରିଆସେ ଇଟାଲୀ । ଭେନିସ୍‌ରେ କଟେ ଶୀତଦିନ, ଗରମ ପଡ଼ିଲେ ଚାଲିଆସେ ତା’ର ସେଇ ପୁରୁଣା ରାପାଲୋ । ସେଠି ପାହାଡ଼ ଉପରେ ଆଉ ଗୋଟିଏ କୁଟୀର, ଯେଉଁଠି ଥାଏ ଝିଅ ମାରିଆ; ଆଉ ପାହାଡ଼ର ଅଳ୍ପତଳେ ସ୍ତ୍ରୀ ଡରୋଥୀ । ଲୋକଟି ବିଖ୍ୟାତ । ତ’ ନାନାଦେଶରୁ ଲୋକ ଆସନ୍ତି ସାକ୍ଷାତପ୍ରାର୍ଥୀ । ଆମେରିକା, ବ୍ରିଟେନରୁ ଆସନ୍ତି ଦଳେ ଦଳେ ସାହିତ୍ୟର ଛାତ୍ର ଉନ୍ନିଦ୍ର ତରୁଣ କବି-। ବୃଦ୍ଧ ଜବାବ ଦିଏ “ମୁଁ ଯେତେବେଳେ ଥିଲି ଯୁବକ, ଭାବାଦେଶ ଥିଲା କବିତାର ବ୍ୟାଧି, ମୁଁ ତାକୁ ଟାଣିଥିଲି ବିଷୟ ଆଡ଼କୁ । ଆଜି କବିତା ବିଷୟ ଭାରରେ ମରଣାପନ୍ନ । ସବୁ ଯୁଗରେ କିଛି ନା କିଛି ଉପସର୍ଗ କବିତାକୁ କରିଚି ଆକ୍ରାନ୍ତ । କବିତା ସେଇ ପ୍ରେରଣାଜାତ ଅଙ୍କ ଯଦ୍ଦ୍ୱାରା ସମୀକରଣ ସମ୍ଭବ, ସଂଖ୍ୟା, ତ୍ରିଭୁଜ ବର୍ଗକ୍ଷେତ୍ର ନୁହଁ, ମଣିଷର ଭାବାବେଗର ସମୀକରଣ ।’’ ଲୋକଟି ଯାହା ବି କହୁ, ଆଜି ସେସବୁ ବାଣୀ, ଲାଷ୍ଟୱାର୍ଡ଼ । ପରଦିନ ଛପା ଅକ୍ଷରରେ ସେକଥା ପହଞ୍ଚିଯାଏ ପୃଥିବୀର ପ୍ରତ୍ୟେକ କୋଣରେ । ତା’ପରେ ଦିନେ ହଠାତ୍‌ ଲୋକଟି କଥା ବନ୍ଦ କରେ, ଆଗନ୍ତୁକ ସାମ୍ନାରେ ବସିଥାଏ ଘଣ୍ଟାପରେ ଘଣ୍ଟା । ଲୋକଟି କଥା କହେନା , ସ୍ତ୍ରୀ, ପ୍ରେମିକା ଓ କନ୍ୟା- ଏଇ ତିନି ନାରୀର ସେବା ବଞ୍ଚେଇ ରଖେ ଆହୁରି ତେର ଚୌଦ ବର୍ଷ ।

 

‘ପିସାନ୍‌ କ୍ୟାଣ୍ଟୋଜ’ର କିୟଦଂୟ ସେଇ ଲୁହାପିଞ୍ଜର ଭିତରେ, ଘରେ ନୁହେଁ , କବିଚିତ୍ତର ଜଟିଳ ଆଭାସ । ଜୀବନ ଯା’ର ପ୍ରବଳ ପ୍ରଭଞ୍ଜନ, ତା’ର ସମଗ୍ର ସାହିତ୍ୟକୀର୍ତ୍ତିର ପୂର୍ଣ୍ଣାଙ୍ଗ ବିବରଣ ମୋ’ପରି ପଲ୍ଲବଗ୍ରାହୀର ସାଧ୍ୟାତୀତ ଏବଂ ଏଇ ସ୍ୱଳ୍ପ ପରିସର ପ୍ରତିବେଦନରେ ଅସମୀଚୀନ । କେବଳ ଅବସାନ ପୂର୍ବରୁ କିଛି ଦୃଷ୍ଟାନ୍ତ ରହିଲା । ବସନ୍ତର ଅରଣ୍ୟରୁ ଉଡ଼ିଆସିଥିବା ରାଶି ରାଶି ରଙ୍ଗୀନ୍ ରହସ୍ୟମୟ ଝରାପତ୍ର । ଦୈବକ୍ରମେ ପିଞ୍ଜରର ଚତୁର୍ପାଶ୍ୱ ମାଟି, ସେଠି ପିପିଲିକାର ଧାଡ଼ି ଧାଡ଼ି ଅଭିଯାତ୍ରୀ; ଉପରେ ଉଡ଼ିବୁଲୁଚି କେତେ ବିଚିତ୍ର ମେଘ; ରାତିରେ ନୀଳାଭ ଆକାଶ । ଚତୁର୍ପାଶ୍ୱରେ ଲୁହାଚକର ଘର୍ଘର, ଅସ୍ତ୍ରଶସ୍ତ୍ରର ଝନତ୍‌କାର, ଶିକୁଳି ଆଉ ଜୋତାର ଶଦ୍ଦ । ତଥାପି କାନରେ ପଡ଼େ ଗୋଟେ ଦୁଇଟା ଶଦ୍ଦ, ଯାହା ପୃଥିବୀର ପ୍ରତୀକ-ଫଳ ବା ରୁଟି ବିକିବାକୁ ଯାଉଥିବା ସାଧାରଣ ବର୍ମହୀନ ମଣିଷର କଥା । ବେଦନା ଅନ୍ଧକାର କରି ଆସେ, ପ୍ରତିକାରହୀନ ଦିଗନ୍ତରେ ଅସ୍ତିତ୍ୱ କ୍ରମଶଃ ବିଲୀୟମାନ । ତର୍ଜମା କରିବାକୁ ଯାଇ ନିଷ୍ପ୍ରଭ କରିଦେବି ନାଇଁ–

 

...The phantom mountain above the cloud

But in the caged panther’s eyes :

“Nothing, nothing that you can do…”

green pool, under green of the jungle,

caged : “Nothing, nothing that you can do.”

x x x your eyes are like clouds

Nor can who has passed a month in the death-cells

believe in capital punishment

No man who has passed a month in the death cells

believes in cages for beasts

x x x your eyes are like the clouds over Taisham

when some of the rain has fallen

and half remains yet to fall. ପୃ.୧୦୮

 

ଅବିରାମ ବୃଷ୍ଟିଧାରା ଝରିପଡ଼େ । କିନ୍ତୁ ସ୍ୱଚ୍ଛଦୃଷ୍ଟି କବି ଅସମାପ୍ତ ବେଦନାର ସୀମାତିକ୍ରମ କରି ଦେଖନ୍ତି-

 

The roots go down to the river’s edge

and the hidden city moves upward

white ivory under the bark. ପୃ. ୧୦୮

 

ଦେଖନ୍ତି, ଦୃଶ୍ୟର ପରପାର ପ୍ରକାଣ୍ଡ ସହର, ତାକୁ ଡେଇଁ ରାତିର ପାହାଡ଼-

 

and now the new moon faces Taisham

one must count by the dawn star

Dryad, thy peace is like water. ପୃ. ୧୦୮

 

ରାତି ଶେଷରେ ସକାଳ, ପୁଣି ସୂର୍ଯ୍ୟକରୋଜ୍ଜ୍ୱଳ ପୃଥିବୀର ପ୍ରାଣଚାଞ୍ଚଲ୍ୟ-

 

And now the ants seem to stagger

as the dawn sun has trapped their shadows,

this breath wholly covers the mountains

it shines and divides

it nourishes by its rectitude

does no injury

overstanding the earth it fills the nine fields

to heaven ପୃ. ୧୦୯

 

ମାଟିର ଏଇ ପୃଥିବୀ ଉପରେ ଆଲୋକଦାନରେ ନାହିଁ ପକ୍ଷପାତ, କାହିଁକି ନା ସମତାର ନିୟମରେ ଚଳେ ଏଇ ସୃଷ୍ଟିଲୋକ ଯେଉଁଠି ଅମୋଘ ନିୟନ୍ତ୍ରଣର ପ୍ରତୀକ ସୂର୍ଯ୍ୟ

 

Boon, Companion to equity

it joins with the process

lacking it, there is inanition

---------

If deeds be not ensheaved and garnered in the heart there is inanition

---------

the sun as a golden eye

between dark cloud and the mountain ପୃ. ୧୦୯

 

ଏଇଭଳି ଦେଖୁଁ ଦେଖୁଁ ବନ୍ଦୀ କବିର ସତ୍ତା ବହିର୍ଜଗତ ସ୍ଥାବର-ଜଙ୍ଗମ ସବୁକିଛି ଭିତରେ ଲୀନ ହୋଇ, ହୁଏ ଏକାତ୍ମ । ସେଇ ଏକାତ୍ମତା ତା’ର ମୁକ୍ତି ।

 

When the mind swings by a grass-blade

an ant’s forefoot shall save you

the clover leaf smells and tastes as its flower ପୃ. ୧୧୧

Shall save you - ତା’ ନ ହେଲେ ବଞ୍ଚି ନ ଥାନ୍ତେ କବି ବା ଧ୍ୱଂସ ହୋଇ ବଞ୍ଚି ରହିଥାନ୍ତେ । କିନ୍ତୁ କ୍ରୂର ଶାସନ ପରି ଦିନ ପରେ ଦିନ ଆସେ

 

With drawn sword as at Nemi

day comes after day

 

ତେବେ ବି ପୃଥିବୀର ଭଣ୍ଡାର ରିକ୍ତ ହୁଏନା; ହଠାତ୍‌ ପ୍ରଜାପତି ଘରେ ପଶି ବାହାରିଯାଏ (That butterfly has gone out thru my smoke hole/as a corona of angels), ଅନେକ ଅନ୍ୟାୟର ପ୍ରତିକାର ମନେହୁଏ ତା’ର ଡେଣାର ରଙ୍ଗ, ଡେଣାର ଛନ୍ଦ; ସୂର୍ଯ୍ୟାସ୍ତରେ ମେଘ, ପାହାଡ଼ ମନେହୁଏ ସ୍ୱର୍ଗଲୋକ (one day were clouds banked on Taisham/or in glory of sunset); ଯା’ ପାଇଁ a day as a thousand years, ତା’ର ଚକ୍ଷୁ ସମକ୍ଷରେ ଇଟାଲୀର ବସୁନ୍ଧରା ପ୍ରାଣର ପୂର୍ଣ୍ଣତା ଖୋଲିଧରେ (and there was a smell of mint under the tent flaps/especially after the rain/and a white ox on the road toward Pisa/as if facing the tower,/dark sheep in the drill field and on wet days were clouds/in the mountain as if under the guard roosts./A lizard upheld me……) । ମନ ଯେତେବେଳେ ଭାଙ୍ଗିପଡ଼ିଚି, ଜୀବନ ଯେତେବେଳେ ବିସ୍ୱାଦ ସେତେବେଳେ a lizard upheld me - ତାଙ୍କୁ ଚୈତନ୍ୟ ଫେରାଇ ଦିଏ ବିଶ୍ଵମ୍ଭର ପ୍ରାଣ; ଶାମୁକା ଭିତରେ ସବୁଜ ଆଭା, ଶସ୍ୟକ୍ଷେତ୍ରରେ ଲଙ୍ଗଳର ଦାଗ, ରେଶମ କୀଟର କାରିଗରୀ ମନେହୁଏ ଚରମ ସତ୍ୟ (whose prayers,/the great scarab is bowed at the altar/the green light gleams in his shell/plowed in the sacred field and unwound the silk worms early/in tensile….) ।

 

ଏଜରା ପାଉଣ୍ଡ, କବିତାରେ ସ୍ପଷ୍ଟ ଏବଂ ଏକତ୍ର, ନିଜର ବକ୍ତବ୍ୟକୁ ପ୍ରକଟ ନ କରି, ଚିତ୍ରିତ ଉପଳ ପରି ବିଛେଇ ଦେଇଛନ୍ତି ଯତ୍ରତତ୍ର; କିନ୍ତୁ ମାଧବୀଲତା ପରି ଅଡ଼ୁଆଖିଆ ଓ ମନୋରମ ଛନ୍ଦ, ତା’ରି ତଳେ ତଳେ ସେଇ ଗୋପନ ରହସ୍ୟ ପ୍ରାୟ ପ୍ରତ୍ୟକ୍ଷ । ଛବିର ବର୍ଣ୍ଣ ସାମଞ୍ଜସ୍ୟ ଭିତର ଦେଇ ସେଇ ଅବ୍ୟବହିତ ଧାରଣା ପ୍ରକଟ ହୁଏ, ପ୍ରକାଶ୍ୟ ଧାର୍ମିକତା କବିତାରେ ଅବାନ୍ତର ।

 

Without a painted paradise at the end of it

the dwarf morning-glory twines round the grass-blade

I don’t know how humanity stands it

with a painted paradise at the end of it ପୃ. ୧୪

 

ଅର୍ଥାତ୍‌ ମାନଚିତ୍ର-ନିର୍ଭର ନିର୍ଦ୍ଧାରିତ ସ୍ୱର୍ଗ ବାସ୍ତବିକ ହାସ୍ୟକର । ତଥାପି ପିସାନ୍‌ କ୍ୟାଣ୍ଟୋଜ୍‌ର କବି ଜାଣନ୍ତି ଯେ, ଯେଉଁମାନେ ବନ୍ଦୀ, ଯେଉଁମାନେ ଦାସତ୍ୱର ଭାରବାହୀ ବର୍ବର, ସେମାନେ ବି ଚିରନ୍ତନ ସତ୍ୟ ପ୍ରକୃତିର ସଙ୍ଗସୁଧାରୁ ବଞ୍ଚିତ ନୁହନ୍ତି, ନିଃସଙ୍ଗ ନୁହନ୍ତି । ସେମାନେ ମୁହୂର୍ତ୍ତକ ପାଇଁ ବି (a man on whom the sun has gone down/and the wind came as hamadryas under the sun-beat/Vai soli/are never alone/amid the slaves learning slavery/and the dull driven back toward the jungle….) । ସେଇସବୁ ନିରୁଦ୍ଧ ଅନ୍ତର, ସେଠି ବି ନିର୍ବାଧ ମୁକ୍ତିର ଆକାଙ୍‌କ୍ଷା । କାହିଁକି ନା, ନିଜର ମନର ବନ୍ଦୀ ଦଶା ହିଁ ଏଇ ବନ୍ଧନ, ସେଠି ଯେତେବେଳେ ଦୀପଟିଏ ଜଳିଉଠେ, ଦେଖାଯାଏ ।

 

Sunt Lumina

that the drama is wholly subjective

stone knowing the form which the carver imparts it

the stone knows the form ପୃ. ୮

 

ନିଜର ସୃଷ୍ଟିରୁ (ହିନ୍ଦୁ ଦର୍ଶନର କର୍ମଫଳ) ରହସ୍ୟ ଅଜ୍ଞାତ ନୁହେଁ କବିର, ଅଜ୍ଞାତ ନୁହେଁ ନିଜ ଭିତରେ ଲୁକ୍‌କାୟିତ ଧ୍ୱଂସର ରହସ୍ୟ (a man on whom the sun has gone down/nor shall diamond die in the avalanche/be it torn from its setting/first must destroy himself ere others destroy him.) । ଆପାତଃ ଉଦ୍‌ଭ୍ରାନ୍ତ ଏଇ କବିର ଏବଂବିଧ ଯେ ଉଚ୍ଚାରଣ, ସହଜରେ ଧରାପଡ଼େନା; କାହିଁକି ନା କବିତାରେ ଗୋଲକଧନ୍ଦା ପାଉଣ୍ଡ୍‌ଙ୍କର ଆତ୍ମବିନୟର ଅନ୍ୟମୁଖ । ୟୁରୋପ ବା ଆମେରିକାର ପାଠକ ଯେ ଏଇ କଥାଟା ବୁଝିବାକୁ ଚାହେଁନା, ତା’ର କାରଣ ବୋଧହୁଏ ନିହିତ ସଭ୍ୟତାର ସେଇ ପାପବୋଧରେ, ଏଜରା ପାଉଣ୍ଡ୍‌ ଅର୍ଦ୍ଧପାଗଳର ମୁଖା ପିନ୍ଧି, ଯାହାର ପୈଶାଚିକତାକୁ କରିପାରିଛନ୍ତି ବେଆବ୍ରୁ । ଯେପରି–We have not yet calculated the sum gorilla + bayonet ପୃ. ୨୩

-------

woe to them that conquer with armies

and whose only right is their power ପୃ. ୪୧

----------

In the spring and autumn

In “The spring and Autumn”

There

are

no

righteous

wars ପୃ. ୬୧

 

ଏବଂ ଯୁଦ୍ଧ ଶେଷରେ ପଶ୍ଚିମ ଗୋଲାର୍ଦ୍ଧର ଯେଉଁ ମଣିଷ ଆଜି ପିସାନ୍‌ କ୍ୟାଣ୍ଟୋଜ୍‌ର ପାଠକ , ତା’ର ସ୍ୱରୂପ

 

As a lone ant from a broken ant-hill

from the wreckage of Europe, ego scripter. ପୃ. ୩୬

 

ପ୍ରଶ୍ନ ଉଠିପାରେ ପିସାନ୍‌ କ୍ୟାଣ୍ଟୋଜ୍‌ର ବକ୍ତବ୍ୟ କ’ଣ ? କହିବା ଛଡ଼ା କବିତାର ବକ୍ତବ୍ୟ ନାହିଁ, ଏଟା ତ ସ୍ୱତଃସିଦ୍ଧ । କିନ୍ତୁ ବିଶେଷ କିଛି ଭାବନା ଯାହା ଶିଳ୍ପର ଉପକରଣ ଓ ଅଙ୍ଗୀକୃତ, ତାକୁ ପୃଥକ୍‌ କରି ବି ଦେଖିବା ସମ୍ଭବ, କନ୍‌ଫୁସିଆନ୍‌ ନୀତି ଅନୁଯାୟୀ ସଭ୍ୟତାର ପୁନର୍ଗଠନ ଏଜରା ପାଉଣ୍ଡ୍‌ଙ୍କ ପାଇଁ ବହୁକାଳର ଇପ୍‌ସିତ ବିଶ୍ୱାସ । ପକ୍ଷାନ୍ତରେ, ଯୁଦ୍ଧ ଓ ଧନତାନ୍ତ୍ରିକ ଅର୍ଥନୀତି ବା ରାଷ୍ଟ୍ର ବ୍ୟବସ୍ଥା ଉପରେ ତାଙ୍କର ଅନାସ୍ଥା । ଏଇ ପ୍ରତ୍ୟୟର ପୁଙ୍ଖାନୁପୁଙ୍ଖ ବିଚାର ବି ପ୍ରୟୋଜନ-। କିନ୍ତୁ ଏଜରା ପାଉଣ୍ଡ୍‌ ଯେହେତୁ ଶିଳ୍ପୀ, ଆମର ବିଚାର୍ଯ୍ୟ ଏଇ ବିଶ୍ୱାସ କବିତା ହିସାବରେ କେତେଦୂର ସାର୍ଥକ, ଏବଂ କବିର ଦୃଷ୍ଟି ଯଦି ହୁଏ ସ୍ୱଚ୍ଛ, ସେଇ ସ୍ୱଚ୍ଛତାର ଆଲୁଅରେ ସତ୍ୟ ହେବ ସ୍ୱପ୍ରକାଶ ଏବଂ ବିଚାରିତ; କାହିଁକି ନା ସେଇ ସତ୍ୟ ଖାଲି ସାହିତ୍ୟ ନୁହେଁ, ସମଗ୍ର ସଭ୍ୟତାର ଉତ୍କର୍ଷରେ କ୍ରିୟାଶୀଳ । ସେଇଠି ତା’ର ସନ୍ଧାନ ।

 

under white clouds, cielo di pisa

out of all this beauty something must Come, ପୃ. ୧୧୭

 

ଆଉ ଅନୁଭୂତି ବି ଉତ୍ତର; ସମଧର୍ମିତାର ହାତ ବଢ଼ାଇ ରହିଛି ଶୁଭ୍ର ମେଘମାଳା, ଶାନ୍ତ ଗଛର ମୌନ ଯାହା କବିତାର ଆଭାରେ ଏଠି ସଞ୍ଚାରିତ,

 

for those trees are Elysium

for serenity

under Abilard’s bridges

for those trees are serenity ପୃ. ୯୦

in the stillness outlasting all wars ପୃ. ୫

-----------

“OMNIA”,

all things that are lights ପୃ. ୭

---------

To study with the white wings of time passing is not that our delight ପୃ. ୧୫

 

ଯେଉଁ ମଣିଷର ମୃତ୍ୟୁଧୌତ ଦୃଷ୍ଟି ଚରମ ମୁହୂର୍ତ୍ତ ସ୍ପର୍ଶ କରିଛି ବାରମ୍ବାର ଏବଂ ସେଇ ସ୍ପର୍ଶ କରିଛି ଯେଉଁ ଦୃଷ୍ଟିକୁ ସ୍ୱଚ୍ଛ ଆଉ ସତ୍ୟ ।

 

…..sinceritas

from the death cells in sight of Mt. Taishana @ Pisa as Fujiyama at Gradone ପୃ. ୫

------

what whiteness will you add to this whiteness, what candor ? ପୃ. ୩

--------

Hast’ou seen the rose in the steel dust

(or swansdown ever ?)

so light in the urging, so ordered the dark petals of iron

We who have passed over Lethe. ପୃ.୨୭

----------

what you depart from is not the way

and olive tree blown white in the wind ପୃ. ୩

----------

till the shrine be again whit with marble

till the stone eyes look again seaward

(ଗ୍ରୀକ୍‌ ଦେବମୂର୍ତ୍ତୀର ଉଲ୍ଲେଖ)

The wind is part of the process

The rain is part of the process

and the Pleiades set in her mirror

Kuanon, this stone bringeth sleep… ପୃ. ୧୩

 

ପିସାଇ କାରାଗୃହର ଶିଳାଚତ୍ୱର, ଯେଉଁ ଶିଳା ସ୍ପର୍ଶରେ ବନ୍ଦୀର ଶାନ୍ତି, ନାନା ସ୍ଥାନରେ ସେଇ ପଥରର ଉଲ୍ଲେଖ, ପୁଣି କେତେବେଳେ ଶୁଣାଯାଏ ଗଛର ପତ୍ରମର୍ମର । ଅଥଚ କହିବାର ଭଙ୍ଗୀ ଅବାନ୍ତର, ଯେପରି

 

for this stone giveth sleep

staria senza piu scossa

and eucalyptus that is for memory ପୃ. ୧୩

---------

Her bed-posts are of sapphire

for this stone giveth sleep. ପୃ. ୩୭

 

ସେଇ ଦୃଷ୍ଟିରେ ଦର୍ଶନ ଯେଉଁଠି ସମୟ ବି ପହଞ୍ଚି ପାରେନା–

no vestige save in the air

in stone is no imprint and the grey walls of no era under the olives ପୃ. ୧୬

--------

as grape flesh and sea wave

undying luminous and translucent ପୃ. ୧୦

-------

autumnal heavens sha-o (ଚୀନ୍‌ ଉଲ୍ଲେଖ)

with the sum under its melody

to the oompassionate heavens ପୃ. ୧୮

---------

…in the soft air (ଗ୍ରୀକ୍‌ ଉଲ୍ଲେଖ)

with the mast held by the left hand

in this air as of kuanon

enigma forgetting the times and seasons

but this air brought her ashore a la marina

with the great shell borne on the sea waves ପୃ. ୨୧

 

ପୁଣି,

 

…Primavera

in the timeless air ପୃ. ୩୦

 

ତ’ ପିସାନ୍‌ କ୍ୟାଣ୍ଟୋଜ୍‌ ପଢ଼ିବାକୁ ଯାଇ ଦେଖାଯାଏ ନାନା ଭାବ ଓ ବିଷୟର ବିସ୍ତାର । ଆର୍ଟ, ଶିଳ୍ପ, ବାଣିଜ୍ୟ, ବହୁ ଦେଶର ଛିନ୍ନ ଇତିହାସ, ଅସଂଲଗ୍ନ ସ୍ମୃତି ପୁଣି ବ୍ୟକ୍ତିଗତ ଯାତାୟତର ଚିହ୍ନ । କିନ୍ତୁ ଅନେକ ଜାଗାରେ କବିତା ଅତି ଗଭୀର ଏବଂ ପଢ଼ିବାକୁ ଯାଇ ମନ ହଠାତ୍‌ ଚମକି ଉଠେ, ଯେପରି ଝଲକାଏ ସୁଗନ୍ଧ ନା ଭୋର୍‌ ସକାଳେ ଅମିର ଖାଁ କଣ୍ଠରେ ଟୋଡ଼ିର ଆଳାପ, ସେଇ ଛବିର ମାଧୁରୀ କହେ ସ୍ଥିର ହୋଇ ଅଟକି ଯିବାକୁ । ଶିଳ୍ପ ଦୃଷ୍ଟିରୁ ଯଥାର୍ଥ୍ୟ, ଯାହା ସର୍ବମେବାବିଶକ୍ତି, ତା’ର କିଛି ଉଦାହରଣ ତ’ ଉପରେ ରହିଲା; କିନ୍ତୁ ସେଇ ଧ୍ୟାନଚକ୍ଷୁର ଉତ୍ସ, କେଉଁଠି ସେଇ ଉତ୍ସମୁଖ ? ସେଟା ବି ଏଠି, ତର୍ଥାତ୍‌ କ୍ୟାଣ୍ଟୋଜ୍‌ର କବିତାରେ ଗୋପନ ନୁହେଁ, ଯଦିଓ ଉପସର୍ଗ ଓ ଚିହ୍ନ ଦୃଷ୍ଟିରୁ ଏ କବିତା ଘୋର ଆଧୁନିକ । ମୂଳକଥା କହିବାର ଲଜ୍ଜା, ଉତ୍ସମୁଖ ଦେଖାଇବାର ସଙ୍କୋଚ ଘୁଞ୍ଚିଚି; ବୋଧହୁଏ ଏଇଟା ହେଉଚି ଶେଷତମ ଆଧୁନିକତାର ଲକ୍ଷଣ । ବନ୍ଦୀ କବି ଜୀବଜନ୍ତୁ, କୀଟପତଙ୍ଗ, ଧାରଣୀ ଧରିତ୍ରୀର ବୃକ୍ଷଲୋପ ଆଲୋକ ଓ ଅନ୍ଧକାର ମଣ୍ଡଳର ଅତିବାସ୍ତବ ସଂସର୍ଗରୁ ହଠାତ୍‌ ଆବିଷ୍କାର କରିଛନ୍ତି ଏଇ ଜୀବନ ଉର୍ଦ୍ଧ୍ୱମୂଳ ଅବାକ୍‌-ଶାଖ, ୟା’ର ଚେର ଖୋଜିବାକୁ ଯାଇ ଅଭିଜ୍ଞତାର ଭିଡ଼ରେ ପଶିଲେ ଚଳେନା; ଯେଉଁଠି ଚିନ୍ମୟତା, ଶିଳ୍ପର ଭାଷାରେ ଲଭ୍‌, ସେଇଠି କରାଘାତ କଲେ ଦୁଆର ଖୋଲିଯାଏ, ଶୁଣନ୍ତୁ ଏଜରା ପାଉଣ୍ଡ୍‌ଙ୍କର ସେଇ ଆବିଷ୍କାରର ସୁର ।

 

filial, fraternal affection is the root of humaneness

The root of the process

nor are elaborate speches and slick alacrity. ପୃ. ୧୫

--------

to have friends come from far countries

is not that pleasure

nor to care that we are untrumpted ? ପୃ. ୧୫

----------

This fruit has a fire within it,

Pomona, Pomona,

No glass is cleaner than are globes of this flame

what sea is clearer than the pomegranate body

holding the flame ?

Pomona, Pomona ପୃ. ୬

 

ଅତିମାତ୍ରାରେ ଯୁଦ୍ଧଂ-ଦେହି ଆଧୁନିକ, ଯିଏ ଶିଳ୍ପର ଭାବଭଙ୍ଗୀର ଗାମ୍ଭୀର୍ଯ୍ୟ ଓ କଳାବିଦ୍ୟାର ଦସ୍ତୁର ରୀତି ଭାଙ୍ଗିବାରେ ସିଦ୍ଧହସ୍ତ, ଯାହାଙ୍କୁ ସହ୍ୟ କରିବାକୁ ପଡ଼ିଚି ଚତୁର୍ଦ୍ଦିଗରୁ ସଂଘବଦ୍ଧ ଆକ୍ରମଣ, ଅଥଚ ପ୍ରତୀଚିର ସାହିତ୍ୟରଥୀମାନେ ଯାହାଙ୍କର ଅନୁକରଣରେ ଅସଙ୍କୋଚ ସେଇ ଲୋକର କଲମରୁ ଏବଂବିଧ ସ୍ନିଗ୍‌ଧତା ହୁଏତ ଆଶ୍ଚର୍ଯ୍ୟ କରିବ ବହୁ ପ୍ରାଜ୍ଞମନ୍ୟ ପାଠକଙ୍କୁ । କିନ୍ତୁ ପାଉଣ୍ଡ୍‌ଙ୍କ କବିତାର ଯେଉଁମାନେ ଯଥାର୍ଥ ପାଠକ ସେମାନେ ଅନବଗତ ନୁହନ୍ତି ଯେ, ମୂଳରୁ ଏଇ କବିଙ୍କ ଚରିତ୍ରରେ ନିହିତ ଏପରି ଏକ ମୃଦୁ ସଲ୍ଲଜତା ଯା’ ୟେଟ୍‌ସ୍‌ ବା ରବିନ୍ଦ୍ରନାଥଙ୍କର ସମଧର୍ମୀ, ଲୁଇ ଏଲ୍‌ ମାର୍ତସ୍‌ଙ୍କର ସେଇ ସ୍ମରଣୀୟ ଉକ୍ତି, ଏଇ ପ୍ରେକ୍ଷାପଟରେ ଆଜି ସ୍ମର୍ତ୍ତବ୍ୟ : “He has always been, as Eliot has recently said, quite unassuming about his own poetry; his arrogance has sprung mainly form his zeal for artistic creation, wherever it is found. That almost impersonal zeal…” ୟେଟ୍‌ସ୍‌ ତାଙ୍କର A packet for Ezra pound ରେ ଯାହା ଲେଖନ୍ତି, ସେଟା ମାର୍ତସ୍‌ଙ୍କ ଉକ୍ତିର ସମର୍ଥନ କରେ । ୟେଟ୍‌ସ୍‌ ଜନାଥନ୍‌ ସୁଇଫ୍‌ଟ୍‌ଙ୍କର fanatic heart ର କଥା କହିଛନ୍ତି ସ୍ୱରଚିତ ଏକ କବିତାରେ, ଯେ ହୃଦୟ କାହାପ୍ରତି କିଛି ଅନ୍ୟାୟ, ସେ ଯଥାର୍ଥ ହେଉ ବା କଳ୍ପିତ, ସହ୍ୟ କରି ନ ପାରି ତୀକ୍ଷ୍‌ଣ ହୋଇଉଠେ-। ପାଉଣ୍ଡ୍‌ ସେଇ ବିଶେଷ ସ୍ୱଭାବର ଦରଦୀ, ପିସାନ୍‌ କ୍ୟାଣ୍ଟୋଜ୍‌ କବିତାରେ ତାଙ୍କର ସଦ୍ୟତମ ଅଭିଜ୍ଞତା, ଯାହା ମୃତ୍ୟୁର ସମଗୋତ୍ରୀ, କବିଙ୍କର ହୃଦ୍ୟତାରେ ଆଣିଚି ଅଧିକ ଏକମାତ୍ରା, ବିଶ୍ୱମ୍ଭର ଅନୁକମ୍ପା, ବୌଦ୍ଧ ଦର୍ଶନରେ ଯାହାର ପରିଭାଷା ମହାକରୁଣା ।

 

nothing matters but the quality

of affection-

in the end-that has carved the trace in the mind

dove sta memoria

 

ଏଇ ଭାଷା, ପୂର୍ବେ ପ୍ରକାଶିତ ‘କ୍ୟାଣ୍ଟୋଜ୍‌’ର ଭାଷାଠାରୁ ଅନେକ ବେଶୀ ଗଭୀର ଏବଂ ଲକ୍ଷ୍ୟଭେଦୀ; କାହିଁକିନା ଲକ୍ଷ୍ୟ ଏଠି ଫେରିଆସିଚି ପ୍ରକ୍ଷିପ୍ତ ଅନୁସଙ୍ଗକୁ ଅଗ୍ରାହ୍ୟ କରି ନିଜ ଉପରକୁ, missing the bull’s eye seeks the cause in himself (ପୃ. ୪୬)-

 

what thou lovest well remains,

the rest is dross

what thou lov’st well shall not be reft from the

what thou lov’st well is thy true heritage

whose world, or mine or theirs

or is it of none ? (ପୃ. ୯୯)

 

ଖାଲି ମଣିଷର ପୃଥିବୀରେ ଅଟକି ଗଲେ ସିଦ୍ଧି ରହେ ଅପୂର୍ଣ୍ଣ । ଶିଳ୍ପୀକୁ ସେଥିପାଇଁ ପ୍ରାଣର ସମସ୍ତ ସ୍ତରରେ ନିଜକୁ ଅନୁଭବ କରିବାକୁ ପଡ଼ିବ । ଅଚେତନ ବି ପ୍ରାଣର ଆଲେଖ୍ୟରୁ ବଞ୍ଚିତ ନୁହେଁ-ଅନୁଭବ ଔଦାର୍ଯ୍ୟ ଯାହା ଆବିଷ୍କାର କରିପାରେ ।

 

what thou lovest well is thy true heritage

The ant’s a centaur in his dragon world.

Pull down the vanity, it is not man

Made courage, or made order, or made grace,

pull down thy vanity, I say pull down.

Learn of the green world what can be thy place… (ପୃ. ୯୯)

 

ଯାହାକୁ କୁହାଯାଏ ଅନ୍ୟ ପରିଭାଷାରେ ଆଧ୍ୟାତ୍ମିକତା; ଶିଳ୍ପର ନିଜସ୍ୱ ଶବ୍ଦାବଳୀ ଅବଶ୍ୟ ଅଲଗା । ଦୁହିଁଙ୍କୁ ମିଶାଇ ଲାଭ ନାଇଁ । ଏଇଥିରୁ ବୁଝିନେବାକୁ ପଡ଼ିବ–ୟା’ର ଇଂଗୀତ ନୁହେଁ ସ୍ପଷ୍ଟ ଦୃଷ୍ଟି ପାଇ ଚୁପ୍‌କରି ରହିଯିବା, କାହିଁକିନା ସ୍ପଷ୍ଟ ଯେତେବେଳେ ଦେଖିହୁଏ ଆଗକୁ ଚାଲିବା କି ହୁଏ ସହଜ । ତେବେ ଚାଲିବା କର୍ମଟି ସବୁ ମଣିଷଙ୍କ ପାଇଁ ସମାନ ନ ହୋଇପାରେ, ବିଶେଷକରି ସେ ମଣିଷଟି ଯଦି ହୁଏ କବି ବା ସୃଷ୍ଟିଶୀଳ ଅନ୍ୟ କେହି ।

 

But to have done instead of not doing

This is not vanity

To have, with decency, knocked

To have gathered from the air a live tradition

or from a fine old eye the unconquered flame

This is not vanity ପୃ. ୯୯ ୧୦୦

 

ତା’ ହେଲେ ଶିଳ୍ପର ସଂଜ୍ଞା କି ବଦଳିଯାଏ, କାରଣ ତା’ର ଉତ୍ସ ଯେ ଚିତ୍ତବୃତ୍ତି ସେଠି ଆସେ ଦୁଃଖଶୋଧିତ ଶୁଚି, ଖାଲି ପ୍ରକରଣଗତ ନୁହେଁ (ଯଦିଓ ପାଉଣ୍ଡ୍‌ଙ୍କର ଏଇ ଅର୍ଦ୍ଧ-ଉନ୍ମାଦ ଅବସ୍ଥାର ରଚନାରେ ବି ପରିଲକ୍ଷ୍ୟ ଅନ୍ୟ ଲେଖକ ସମ୍ପର୍କରେ ତାଙ୍କର ମନ୍ତବ୍ୟ : The old hand as stylist still holding its cunning. (ପୃ. ୫୬)

 

ଉପଲବ୍ଧିର ଗଭୀରତମ ସେ ସ୍ତର, ମନେରଖିବା ଉଚିତ୍‌, ଜୀବନ-ମୃତ୍ୟୁର ମହାନତା ନୁହେଁ, ଜୀବନ ମୃତ୍ୟୁର ହୀନତା ଯେଉଁଠି ତଳେ ପିମ୍ପୁଡ଼ି ଓ ପଥର, ଉପରେ ବର୍ଷାଝରା ଆକାଶ, ଚାରିପଟରେ ବନ୍ଧୁକର ସଙ୍ଗୀନ, ଜଗୁଆଳିର ରୁକ୍ଷ ରସିକତା; ତା’ରି ଭିତରେ ରଚିତ ହୁଏ ଏଇସବୁ କବିତା, ବୁଝାଯାଏ ପିଞ୍ଜରାରୁ ଜାଗା ବଦଳିଛି ତମ୍ବୁକୁ (The shadow of the tent’s peak treads on its corner pag/marking the hour. The moon split, no cloud nearer than lucca./ “The spring & Autumn”/ there / are / no / righteous / wars (ପୃ. ୬୧)

 

କିନ୍ତୁ ସ୍ୱକୃତ ଓ ସର୍ବଜନକୃତ ସଙ୍କଟଠାରୁ ତ୍ରାଣ ନାଇଁ ତମ୍ବୁରେ । ପରିବେଶର ଉନ୍ନତି ଶେଷକଥା ନୁହେଁ, ହୁଏତ ଏପରି କିଛି ଉପାୟ ଯାହାର ଛବି ଅଛି ଶିଳ୍ପରେ ଏବଂ ସେ ଖାଲି ପଳାୟନ ବିଦ୍ୟାର ଚାବି ନୁହେଁ, ଯଥାର୍ଥ ମୁକ୍ତି, ଶିଳ୍ପିତ ତ୍ରାଣ

 

…of the wave receding

but that a man should live in that further terror, and live

the loneliness of death came upon me

(at 3 P. M. for an instant)

three solemn half notes

their white downy chests black-rimmed

on the middle wire

periplum (ପୃ. ୧୦୪-୫)

 

ଏଇଟି ପହଞ୍ଚି ମନେପଡ଼େ ପୂର୍ବ-ଉଦ୍ଧୃତି ସେଇ ତିନୋଟି ବିଖ୍ୟାତ ଲାଇନ୍‌-

 

When the mind swings by a grass-blade

an ant’s forefoot shall save you

the clover leaf smells and tastes as its flower (ପୃ. ୧୧୧)

 

ଏବଂ ବର୍ତ୍ତମାନ, ପରବର୍ତ୍ତୀ ଲାଇନଗୁଡ଼ିକର ବୋଧଗମ୍ୟତା ଆଉ ଗୋଲକଧନ୍ଦା ନୁହେଁ-

 

A fat moon rises lop-sided over the mountain

The eyes, this time my world, (ଅଣ୍ଡରଲାଇନ୍‌ ମତ୍‌କୃତ)

But pass and look from mine

between my lids

sea, sky and poll

alternate

pull, sky, sea (ପୃ ୧୧୩)

 

ସମସ୍ତ ଅସ୍ତିତ୍ୱ ବର୍ତ୍ତମାନ ଅନ୍ତଃସ୍ଥ, କବିତାର ଅଲ୍‌କେମି ଦୃଷ୍ଟ ବସ୍ତୁ ଓ ଦର୍ଶକକୁ କରିଲା ଅଭିନ୍ନ । ଅନ୍ତର ବାହାରେ ଅନ୍ୟ ନିର୍ଭର ନିଷ୍ପ୍ରୟୟୋଜନ ବର୍ତ୍ତମାନ । ସମୁଦ୍ର, ଆକାଶ, ସରୋବର ଅନ୍ତରର ଚକ୍ଷୁକୁ ପୂର୍ଣ୍ଣ କରେ । ପୂର୍ଣ୍ଣକରି କରେ ଶୁଦ୍ଧ ଓ ସଜୀବ । ସେଇ ଚକ୍ଷୁ ଶୈଳଶୀର୍ଷରେ ତନ୍ମୟ ଚନ୍ଦ୍ରୋଦୟଠାରୁ କମ୍‌ ନୁହେଁ ଅଭ୍ୟୁଦୟର ଇଙ୍ଗୀତମୟତାରେ । ଏଇସବୁ କଥା କହୁଁ କହୁଁ ହଠାତ୍‌ ଯବନିକା ପଡ଼ିଯାଏ ଏବଂ ସେ ପତନ ମନେହୁଏ ଯେପରି ସେକ୍‌ସପିୟରଙ୍କର କେଉଁ ମହାଶକ୍ତି ସନେଟ୍‌ର ହାତୁଡ଼ିସଦୃଶ ଉପସଂହାର । ଅଭିକ୍ଷତା ଓ ଅଭିବ୍ୟକ୍ତିର ବୈଚିତ୍ର୍ୟ ଉପରେ ଦୁଇ ମିଳନାନ୍ତକ ଲାଇନ୍‌ ଟାଣି କାବ୍ୟର ସମଗ୍ରତାକୁ କରେ ଦୀପ୍ୟମାନ । ତମ୍ବୁ ଚାରିପଟରେ ଜମା ହୋଇଚି ବରଫ ଆଉ ଅନ୍ଧକାର । ରାତ୍ରି ଗଭୀର

 

If the hoar frost grip thy tent

Thou wilt give thanks when night is spent. ପୃ. ୧୧୮

 

ଉପଶାସନସଚିବ

ଯୋଜନା ଓ ସମନ୍ଵୟ ବିଭାଗ

ସେକ୍ରେଟେରିଆଟ, ଭୁବନେଶ୍ଵର

 

***

 

ଝାଡ଼ଖଣ୍ଡ ଓ ‘କିଶୋରଚନ୍ଦ୍ରାନନ୍ଦ ଚମ୍ପୂ’ର ଝାଡ଼ଖଣ୍ଡ

ଶ୍ରୀ ଉଦୟନାରାୟଣ ପାଢ଼ୀ

 

ଗଞ୍ଜାମ ଜିଲ୍ଲା ଅନ୍ତର୍ଗତ ‘କୋଦଳା ଆଠଗଡ଼’ର ରାଜା ବାଲୁକେଶ୍ୱର ହରିଚନ୍ଦନ ଜଗଦ୍ଦେବ ଥିଲେ କବିସୂର୍ଯ୍ୟ ରାୟଗୁରୁ ବଳଦେବ ରଥଙ୍କର ଅନ୍ୟତମ ପୃଷ୍ଠପୋଷକ । କବିସୂର୍ଯ୍ୟ ତତ୍‌ପ୍ରଣୀତ ସୁପ୍ରସିଦ୍ଧ ‘କିଶୋରଚନ୍ଦ୍ରାନନ୍ଦ ଚମ୍ପୂ’ରେ ସୁଗୁମ୍ଫିତ ଚଉତିରିଶିଟି ଚୌପଦୀ ସମେତ ଅନ୍ୟାନ୍ୟ ଅନେକ ଚୌପଦୀ, ଚୌତିଶା, ଛାନ୍ଦ ଓ ଢୁମ୍ପା ବାଲୁକେଶ୍ୱରଙ୍କ ନାମରେ ଭଣତି କରିଯାଇଛନ୍ତି । ଭଣିତାଗୁଡ଼ିକରେ ସେ ସ୍ୱୀୟ ପୃଷ୍ଠପୋଷକ ବାଲୁକେଶ୍ୱରଙ୍କୁ ଅଷ୍ଟଦୁର୍ଗ/ବସୁଦୁର୍ଗର ନାଥ/ଇନ୍ଦ୍ର (୧), ସାମନ୍ତସୁଧାଂଶୁ (୨), ଶରଣଧରଣୀ-ଈଶ/ଶରଣନରେଶ (୩), ମାନୋଦ୍ଧାରଣ ଶରଣପଞ୍ଜର (୪) ପ୍ରଭୃତି ଆଖ୍ୟାରେ ଭୂଷିତ କରିଛନ୍ତି । ଅଷ୍ଟଦୁର୍ଗ ଓ ବସୁଦୁର୍ଗ (୫) ଆଠଗଡ଼ର ସଂସ୍କୃତ ରୂପାନ୍ତର । ମଦାନ୍ଧ ମୁସଲମାନମାନଙ୍କ ଆକ୍ରମଣ ସମୟରେ ଓଡ଼ିଶାର ରାଷ୍ଟ୍ରଦେବତା ଜଗନ୍ନାଥଙ୍କୁ ଓ ବିପଦବେଳେ ପୁରୀର ଗଜପତି ରାଜାମାନଙ୍କୁ ଆଶ୍ରୟ ଦେଇଥିବାରୁ ଆଠଗଡ଼ ଶରଣଧରଣୀ ବା ଶରଣରାଜ୍ୟ ନାମରେ ପୂର୍ବେ ଅଭିହିତ ହେଉଥିଲା ଏବଂ ଆଠଗଡ଼ର ରାଜାମାନେ ପୁରୁଷାନୁକ୍ରମେ ‘ମାନୋଦ୍ଧାରଣ ଶରଣପଞ୍ଜର ବୀରାଧିବୀରବର ଭାଇ ଶ୍ରୀହରିଚନ୍ଦନ ଜଗଦ୍ଦେବ ରାଜା ବାହାଦୂର’ ଉପାଧିରେ ମଣ୍ଡିତ ହୋଇ ଆସୁଥିଲେ (୬) । କିନ୍ତୁ ‘ଚମ୍ପୂ’ର ଝ-ଗୀତର ଭଣତିରେ କବିସୂର୍ଯ୍ୟ ବାଲୁକେଶ୍ୱର ଜଗଦ୍ଦେବଙ୍କୁ ‘ଝାଡ଼ଖଣ୍ଡ-ରସା-ବାଦସା’ ବୋଲି ଅଭିହିତ କରିଥିବାର ଦେଖାଯାଏ । ଯଥା :-

 

“ଝଲସି ଗଲ କୃଷ୍ଣ ଅକାରଣେ

ଝାଡ଼ଖଣ୍ଡ ରସା ବାଦସା ଭଣେ ।।’’

 

କବିସୂର୍ଯ୍ୟ ଆଠଗଡ଼କୁ ଝାଡ଼ଖଣ୍ଡ କହିବା ପଶ୍ଚାତ୍‌ରେ ଐତିହାସିକ ସମର୍ଥନ ଅଛି କି ନା, ଏ ବିଷୟରେ କୌଣସି ଆଲୋଚକ ଆଜିସୁଦ୍ଧା ଆଲୋକପାତ କରି ନାହାନ୍ତି । ଅଧୁନାତନ ଓଡ଼ିଶାର ଭିତରେ ଓ ବାହାରେ ଅନେକ ଅଞ୍ଚଳ ଝାଡ଼ଖଣ୍ଡ ନାମରେ ଅଭିହିତ ହେଉଥିବାର ପ୍ରମାଣ ମିଳୁଅଛି । ଚୌପଦୀଟିର ପ୍ରତି ଚରଣର ଆଦ୍ୟରେ ଝ-ବର୍ଣ୍ଣର ପ୍ରୟୋଗାନୁରୋଧରେ ଓ ବନାକୀର୍ଣ୍ଣ ଅଞ୍ଚଳ ଅର୍ଥରେ କବିସୂର୍ଯ୍ୟ ଆଠଗଡ଼ର ଏପରି ନାମକରଣ କରିଛନ୍ତି ବୋଲି ମନ୍ତବ୍ୟ ପ୍ରକାଶ କରିବା ଧୃଷ୍ଟତା ମାତ୍ର । କୌଣସି ଐତିହାସିକ ପରମ୍ପରା ବା ହେତୁ ନ ଥିଲେ କବିସୂର୍ଯ୍ୟଙ୍କ ପରି ଜଣେ ବହୁଶାସ୍ତ୍ରଦର୍ଶୀ ବିଦ୍ୱାନ୍‌ ମନମୁତାବକ ଏଭଳି ନାମକରଣ କରି ନ ଥାନ୍ତେ । ଏଣୁ କେଉଁ କେଉଁ ଅଞ୍ଚଳକୁ ଝାଡ଼ଖଣ୍ଡ କୁହାଯାଉଥିଲା , ସେହି ବିଷୟରେ ସବିଶେଷ ଆଲୋଚନା କରି ଆଠଗଡ଼ର ଝାଡ଼ଖଣ୍ଡ ନାମ କିପରି ଆଭିଲେଖିକ- ସମର୍ଥନ-ପୁଷ୍ଟ, ତାହା ପ୍ରତିପାଦନ କରିବା ହିଁ ପ୍ରସ୍ତୁତ ପ୍ରବନ୍ଧର ଉଦ୍ଦେଶ୍ୟ ।

 

ପୂର୍ଣ୍ଣଚନ୍ଦ୍ର ଓଡ଼ିଆ ଭାଷାକୋଷରେ ଝାଡ଼ଖଣ୍ଡ ପ୍ରସଙ୍ଗରେ ଦିଆଯାଇଥିବା ଟିପ୍‌ପଣୀରେ ଲେଖାଅଛି, “ବୈଦ୍ୟନାଥ ଧାମଠାରୁ ଗଞ୍ଜାମ ପର୍ଯ୍ୟନ୍ତ ଯେଉଁ ପାହାଡ଼ ଓ ଜଙ୍ଗଲଶ୍ରେଣୀ ଲାଗିଛି, ତହିଁର ଭିନ୍ନ ଭିନ୍ନ ଅଂଶ ଝାଡ଼ଖଣ୍ଡ ନାମରେ ଅଭିହିତ ହେବାର ପ୍ରାଚୀନ ଓଡ଼ିଆ ଗ୍ରନ୍ଥମାନଙ୍କରେ ଦେଖାଯାଏ । ମୁସଲମାନମାନଙ୍କ ରଚିତ ଭାରତ ଇତିହାସମାନଙ୍କରେ ଛତିଶଗଡ଼ ଓ ଗଣ୍ଡବାନା ଅଞ୍ଚଳର ଉତ୍ତରାଂଶ ଝାଡ଼ଖଣ୍ଡ ନାମରେ ଅଭିହିତ (ହି. ଶଦ୍ଦସାଗର) । ବଙ୍ଗୀୟ ବୈଷ୍ଣବ ସାହିତ୍ୟରେ ବୈଦ୍ୟନାଥଧାମ ଓ ସ୍ଥଳବିଶେଷରେ ଓଡ଼ିଶାର ଗଡ଼ଜାତ ଓ ଛତିଶଗଡ଼ ଓ ମଧ୍ୟପ୍ରଦେଶର ଅରଣ୍ୟମୟ ଅଞ୍ଚଳକୁ ଝାଡ଼ଖଣ୍ଡ ନାମରେ ଅଭିହିତ କରାଯାଇଅଛି ।” (୭)

 

ସଂସ୍କୃତ ‘ଭବିଷ୍ୟ ପୁରାଣ’ର କେତେକ ପାଣ୍ଡୁଲିପି ଅନୁସାରେ ଗୌଡ଼, ବରେନ୍ଦ୍ର (ମାଲ୍‌ଦା-ରାଜସାହି-ବୋଗ୍ରା ଅଞ୍ଚଳ), ନିବୃତ୍ତି, ସୁହ୍ମଦେଶ (ରାଢ଼), ଜାଙ୍ଗଲ ଝାରିଖଣ୍ଡ, ବରାହଭୂମି (ମାନଭୂମ ଜିଲ୍ଲାର ବରାଭୂମ) ଓ ବର୍ଦ୍ଧମାନ (ବରଦ୍ୱାନ)-ଏଇ ସାତଗୋଟି ରାଜ୍ୟକୁ ନେଇ ପୁଣ୍ଡ୍ରଦେଶ ଗଠିତ । ଯଥା :-

 

“ପୁଣ୍ଡ୍ରଦେଶେ ସପ୍ତଦେଶାସ୍ତେଷାଂ ନାମାନି ବୈଶୃଣୁ ।

ଗୌଡ଼ୋ ବରେନ୍ଦ୍ରୋ ନିବୃତ୍ତିଃ ସୁହ୍ମଦେଶଃ ପ୍ରକୀର୍ତ୍ତିତଃ ।।

ଜାଙ୍ଗଲୋ ଝାରିଖଣ୍ଡଶ୍ଚ ବରାହଭୂମିରେବଚ ।

ବର୍ଦ୍ଧମାନୋ ବିନ୍ଧ୍ୟପାର୍ଶ୍ଵେ ସପ୍ତୈତେ ପରିକୀର୍ତ୍ତିତାଃ ।।”

 

ଏହି ପୁରାଣର ଆଉ ଏକ ଅଂଶରେ ବର୍ଣ୍ଣିତ ଅଛି ଯେ, ବୈଦ୍ୟନାଥ ମହାଦେବ ଝାରିଖଣ୍ଡରେ ଅବସ୍ଥିତ ଓ ଜାଙ୍ଗଲ ଝାରିଖଣ୍ଡ ଦାରୁକେଶ୍ୱର ନଦୀର ଉତ୍ତର ଓ ଭାଗୀରଥୀର ପଶ୍ଚିମ ଦିଗରେ ପଂଚକୂଟ (ମାନଭୂମି ଜିଲ୍ଲାର ପୂର୍ବତନ ପଞ୍ଚକୋଟ ଷ୍ଟେଟ୍‌) ଓ କୀକଟ (ଦକ୍ଷିଣ ବିହାରର ଗୟା ଅଞ୍ଚଳ) ମଧ୍ୟରେ ସୀମିତ । ଡଃ ଡି.ସି. ସରକାର ଏହି ଜାଙ୍ଗଲ ଝାରିଖଣ୍ଡକୁ ଆଧୁନିକ ସାନ୍ତାଳ ପରଗଣା ଜିଲ୍ଲା ସହିତ ଚିହ୍ନିତ କରିଛନ୍ତି । (୮)

 

ଏନ.ଏଲ.ଜେ’ ଙ୍କର ‘ପ୍ରାଚୀନ ଓ ମଧ୍ୟଯୁଗୀୟ ଭାରତର ଭୌଗୋଳିକ ଅଭିଧାନ’ ଶୀର୍ଷକ ଗ୍ରନ୍ଥରେ ଝାଡ଼ଖଣ୍ଡ ବିଷୟରେ ନିମ୍ନୋଦ୍ଧୃତ ଉଲ୍ଲେଖ ଦେଖିବାକୁ ମିଳେ–

 

“ଝାଡ଼ଖଣ୍ଡ-ଛୋଟ ଓ ଛୁଟିଆ ନାଗପୁର; x x x । ଡଃ ବୁଚାନନଙ୍କ ଅନୁସାରେ ବୀରଭୂମ (ପ୍ରାଚୀନ ‘ବୀରଦେଶ’, ଯାହାର ରାଜଧାନୀ ଥିଲା ନଗର) ଓ ବାରାଣସୀ ମଧ୍ୟବର୍ତ୍ତୀ ପାର୍ବତୀୟ ଅଞ୍ଚଳକୁ ଝାଡ଼ଖଣ୍ଡ କୁହାଯାଉଥିଲା (Martin’s Eastern India, I, P. 32) । ସାନ୍ତାଳ ପରଗଣା ମଧ୍ୟ ଏହାର ଅନ୍ତର୍ଭୁକ୍ତ ଥିଲା (ମହାଲିଙ୍ଗେଶ୍ୱର ତନ୍ତ୍ର) । ରାଞ୍ଚିର ଦୁଇ ମାଇଲ ପୂର୍ବରେ ଅବସ୍ଥିତ ଆଜିକାର ଅନାମଧେୟ ‘ଛୁଟିଆ’ ଗ୍ରାମ ଛୋଟନାଗପୁରର ନାଗବଂଶୀ ରାଜାମାନଙ୍କର ପ୍ରାଚୀନତମ ରାଜଧାନୀ ଥିଲା ଓ ଏହି ରାଜାମାନେ ପୁଣ୍ଡରୀକ ନାଗଙ୍କର ବଂଶଧର ଥିଲେ ବୋଲି କିମ୍ବଦନ୍ତୀ ଅଛି (Bradely-Birt’s Chotanagpur, Chs. I, III) ।” (୯)

 

ଶ୍ରୀ ବିଜୟେନ୍ଦ୍ର କୁମାର ମାଥୁର ଝାଡ଼ଖଣ୍ଡ ସମ୍ପର୍କରେ ଲେଖିଛନ୍ତି “ଉଡ଼ିସା କା ଏକ୍‌ ଭାଗ୍‌ ଜିସ୍‌କା ଉଲ୍ଲେଖ ମଧ୍ୟୟୁଗୀନ୍‌ ସାହିତ୍ୟ ମେ ମିଲ୍‌ତା ହୈ- ମେୱାର, ଢୁଁଡାର, ମାରଓ୍ଵାଡ଼୍‌ ଔ ବୁଂଦେଲ୍‌ଖଣ୍ଡ୍‌ ଝାର୍‌ଖଣ୍ଡ ବାଂଧୌ ଧନୀ ଚାକରୀ ଇଲାଜ୍‌ କୀ’ ଶିବରାଜଭୂଷଣ !!! ୟହ୍‌ ନାମ୍‌ ଅବ୍‌ ଭୀ ପ୍ରଚଲିତ୍‌ ହୈ । ସମ୍ଭବତଃ ଘନେ ଜଙ୍ଗଲୋଁ କା ଇଲାକା ହୋନେ ସେ ହୀ ୟହ୍‌ ଝାର୍‌ଖଣ୍ଡ (ଝାଡ଼୍‌ = ବୃକ୍ଷ+ଖଣ୍ଡ୍‌=ପ୍ରଦେଶ) କହଲାତା ହୈ ।” (୧୦)

 

ଷୋଡ଼ଶ ଶତାଦ୍ଦୀରେ ରଚିତ ‘ପଦ୍ମାବତ୍‌’ କାବ୍ୟରେ ହିନ୍ଦୀର ସୁପ୍ରସିଦ୍ଧ ସୁଫୀ କବି ଜାୟସୀ ରାଜସ୍ଥାନର ମେବାର ଓ ସିଂହଳ ଦ୍ୱୀପ ମଧ୍ୟରେ ପଡ଼ୁଥିବା ସ୍ଥାନମାନଙ୍କର ପରିଚୟ ଦେଇ ‘ହୀରାମନ୍‌’ ନାମକ ଶୁଆର ମୁଖରେ କୁହାଇଛନ୍ତି–

 

“ସୁନୁ ମତ କାଜ ହେସି ଜୌଂ ସାଜା

ବୀଜାନଗର ବିଜୟଗିରି ରାଜା

।।

ପହୁଁଚୌ ଜହାଁ ଗୋଂଡ଼ ଔ କୋଲା

ତଜି ବାଏଁ ଅଁଧିୟାର ଖଟୋଲା

।।

ଦକ୍‌ଖିନ ଦହିନେ ରହହି ତିଲଙ୍ଗା

ଉତ୍ତର ବାଏଁ ଗଢ଼ କାଟଙ୍ଗା

।।

ମାଁଝ ରତନପୁର ସିଂଘ ଦୁଆରା

ଝାରଖଣ୍ଡ ଦେଇ ବାଁବ ପହାରା

।।

 

ଆଗେ ପାୱ ଉଡ଼ୈଶା, ବାଏଁ ଦିଏ ସୋ ବାଟ ।

ଦହିନାବରତ ଦେଇ କୈ, ଉତରୁ ସମୁଦ କେ ଘାଟ ।।” (୧୧)

 

ଏହାର ଅର୍ଥ ହେଲା–ବିଜୟାନଗରମ୍‌ ଓ ବୀଜାଗଢ଼ ରାଜ୍ୟ ପାର ହୋଇ ଗଣ୍ଡ ଓ କୋହ୍ଲ ଜାତିର ଲୋକମାନଙ୍କ ଦ୍ୱାରା ଅଧ୍ୟୁଷିତ ସ୍ଥାନରେ ପହଞ୍ଚିଯାଅ ଏବଂ ଅଁଜାରୀ (ବୀଜାପୁରର ଏକ ପୁରୁଣା ପ୍ରଗଣା) ଓ ଖଟୋଲା (ଗଡ଼ମଣ୍ଡଳର ପଶ୍ଚିମ ଭାଗ)କୁ ବାମ ଦିଗରେ ପରିତ୍ୟାଗ କରି ଅଗ୍ରସର ହୁଅ । ଦକ୍ଷିଣ ଦିଗରେ ତୁମ୍ଭର ଡାହାଣ ଆଡ଼େ ତେଲେଙ୍ଗାନା ଓ ଉତ୍ତରରେ ବାମ ଆଡ଼କୁ ଗଡ଼କାଟଙ୍ଗା (ଜବଲପୁରର ଆଖପାଖ ଅଞ୍ଚଳ) ରହିଯିବ । ମଧ୍ୟରେ ରତନପୁର (ବିଳାସପୁର ଜିଲ୍ଲାର ଏକ ନଗର) ଓ ସିଂଘଦୁଆରା (ଛିନ୍ଦୱାଡ଼ା) ପଡ଼ିବ । ଝାଡ଼ଖଣ୍ଡର ପର୍ବତମାଳା ତୁମ୍ଭର ବାମ ତରଫରେ ରହିଯିବ । ଏହାର ଆଗକୁ ବାମ ଦିଗର ମାର୍ଗରେ ଚଳିଲେ ତୁମେ ଓଡ଼ିଶାରେ ଯାଇ ପହଞ୍ଚିବ । ତା’ ପରେ ଡାହାଣ ଦିଗକୁ ଅଗ୍ରସର ହେଲେ ସମୁଦ୍ର ତଟରେ ହାଜର ହେବ ।

 

ଉପର୍ଯ୍ୟୁକ୍ତ ପଥ-ବର୍ଣ୍ଣନାରୁ ଜଣାଯାଏ ଯେ, ଛତିଶଗଡ଼ ଓ ଗଣ୍ଡବାନାର ଉତ୍ତର ଭାଗକୁ ଷୋଡ଼ଶ ଶତକରେ ଝାଡ଼ଖଣ୍ଡ କୁହାଯାଉଥିଲା ।

 

ଷୋଡ଼ଶ ଶତକର ମଧ୍ୟଭାଗର କବି ବୃନ୍ଦାବନ ଦାସଙ୍କ ‘ଚୈତନ୍ୟ ଭାଗବତ’ରେ ଝାରିଖଣ୍ଡ ଅର୍ଥାତ୍‌ ଝାଡ଼ଖଣ୍ଡର ଉଲ୍ଲେଖ ଦୁଇଥର ଦେଖିବାକୁ ମିଳେ । ଯଥା :–

 

“ଶେଷଖଣ୍ଡେ ସେତୁବନ୍ଧେ ଗେଲା ଗୌର ରାୟ ।

ଝାରିଖଣ୍ଡ ଦିୟା ପୁନ ଗେଲା ମଥୁରାୟ ।।” (୧୨)

ଏବଂ “ପଞ୍ଚଦିନ ରାମେଶ୍ୱର ଦେଖିୟା ରହିଲା ।

ଶିବେର ଆଦର କରି ତଥାଇ ଆଛିଲା ।।

ତବେ ପ୍ରଭୁ ଝାରିଖଣ୍ଡ ପ୍ରବେଶ କରିଲା ।

ବୌଦ୍ଧେର ଆଲୟେ ଆସି ଦରଶନ ଦିଲା ।।” (୧୩)

 

ସମ୍ପାଦକ ଶ୍ରୀ ସତ୍ୟେନ୍ଦ୍ରନାଥ ବସୁ ‘ଚୈତନ୍ୟ ଭାଗବତ’ରେ ଉଲ୍ଲିଖିତ ଝାରିଖଣ୍ଡର ଭୌଗୋଳିକ ବିବରଣ ଦେବାକୁ ଯାଇ ଲେଖିଛନ୍ତି ଯେ, “ରାମଗଡ଼ଠାରୁ ବୈଦ୍ୟନାଥ ଅଞ୍ଚଳ ଏବଂ ବୀରଭୂମର ବକ୍ରେଶ୍ୱର ପର୍ଯ୍ୟନ୍ତ ‘ଝାରିଖଣ୍ଡ’ ନାମରେ ପ୍ରସିଦ୍ଧ । ‘ପୀଠମାଳା’ ଦ୍ରଷ୍ଟବ୍ୟ । ବର୍ତ୍ତମାନ ଆଠଗଡ଼, ଢେଙ୍କାନାଳ, ଅନୁଗୁଳ, ପାଲଲହରା, କେନ୍ଦୁଝର, ବାମଣ୍ଡା, ବଣାଇ, ଗାଙ୍ଗପୁର, ଛୋଟନାଗପୁର, ଯଶପୁର, ସରଗୁଜା ପ୍ରଭୃତି ପାର୍ବତ୍ୟ ରାଜ୍ୟ ଝାରିଖଣ୍ଡର ଅନ୍ତର୍ଗତ ।’’ (୧୪)

 

ସପ୍ତଦଶ ଶତାଦ୍ଦୀର ଆଦ୍ୟ ଭାଗରେ ରଚିତ କୃଷ୍ଣଦାସ କବିରାଜ ଗୋସ୍ୱାମୀଙ୍କ ‘ଶ୍ରୀଚୈତନ୍ୟ ଚରିତାମୃତ’ରେ ମଧ୍ୟ ଶ୍ରୀଚୈତନ୍ୟଙ୍କ ଯାତ୍ରା ବର୍ଣ୍ଣନା ଅବସରରେ ଝାରିଖଣ୍ଡ ବା ଝରିଖଣ୍ଡର ଉଲ୍ଲେଖ ପରିଦୃଷ୍ଟ ହୁଏ । ଶଂସିତ ଉଦ୍ଧୃତି ଗୁଡ଼ିକ ନିମ୍ନରେ ପ୍ରଦତ୍ତ ହେଲା–

 

କ)

“ବଳଭଦ୍ର ଭଟ୍ଟାଚାର୍ଯ୍ୟ ପଣ୍ଡିତ ଦାମୋଦର ।

 

ଦୁଇ ଜନ ସଙ୍ଗେ ପ୍ରଭୁ ଆଇଲା ନୀଲାଚଳ ।।

ଦିନ କଥୋ ତାହା ରହି ଚଲିଲା ବୃନ୍ଦାବନ ।

ଲୁକାଇୟ ଚଲିଲା ରାତ୍ରେ ନା ଜାନେ କୋନ ଜନ ।।

ବଲଭଦ୍ର ଭଟ୍ଟାଚାର୍ଯ୍ୟ ରହେ ମାତ୍ର ସଙ୍ଗେ ।

ଝାରିଖଣ୍ଡ ପଥେ କାଶୀ ଆଇଲା ନାନା ରଙ୍ଗେ ।।” (୧୫)

ଖ)

“ପ୍ରସିଦ୍ଧ ପଥ ଛାଡ଼ି ପ୍ରଭୁ ଉପପଥେ ଚଲିଲା ।

 

କଟକ ଡାହିନେ କରି ବନେ ପ୍ରବେଶିଲା ।।

X X X

ହରିବୋଲ ବଲି ପ୍ରଭୁ କରେ ଉଚ୍ଚ ଧ୍ୱନି ।

ବୃକ୍ଷଲତା ପ୍ରଫୁଲ୍ଲିତ ସେଇ ଧ୍ଵନି ଶୁନି ।।

ଝରିଖଣ୍ଡେ ସ୍ଥାବର ଜଙ୍ଗମ ଆଛି ଯତ ।

କୃଷ୍ଣ ନାମ ଦିୟା କୈଲ ପ୍ରେମେତେ ଉନ୍ମତ୍ତ ।” (୧୬)

ଗ)

“ମଥୁରା ଯିବାର ଛଲେ ଆସି ଝରିଖଣ୍ଡ ।

 

ଭିନ୍ନ-ପ୍ରାୟ ଲୋକ ତାହା ପରମ ପାଷଣ୍ଡ ।।

ନାମ ପ୍ରେମ ଦିୟା କୈଲ ସବାର ନିସ୍ତାର ।

ଚୈତନ୍ୟର ଗୂଢ଼ ଲୀଲା ବୁଝିତେ ଶକ୍ତି କାର ।।” (୧୭)

 

 

 

 

 

 

 

 

 

 

 

 

ଉପରିଲିଖିତ ଦ୍ୱିତୀୟ ଉଦ୍ଧୃତାଂଶରୁ ଅବଗତ ହୁଏ ଯେ, ଚୈତନ୍ୟଦେବ ପ୍ରସିଦ୍ଧ ପଥ ତ୍ୟାଗ କରି ଉପପଥ ଦେଇ କଟକକୁ ଡାହାଣ ଦିଗରେ ରଖି ବନ ମଧ୍ୟରେ ପ୍ରବେଶ କରିବା ପରେ ଝାଡ଼ଖଣ୍ଡରେ ଉପସ୍ଥିତ ହୋଇଥିଲେ ।

 

ଷୋଡ଼ଶ ଶତାଦ୍ଦୀର ଜନୈକ ବୌଦ୍ଧ ସନ୍ନ୍ୟାସୀ ଅନୁଦାନ ସଂଗ୍ରହଣ କରିବା ପାଇଁ ଜଳ ଓ ସ୍ଥଳ ଭାଗରେ ଯେଉଁ ଯାତ୍ରା ସମ୍ପାଦନ କରିଥିଲେ, ତାହାର ଇଂରାଜୀ ଅନୁବାଦର କିଛି ଅଂଶ ନିମ୍ନରେ ଉପସ୍ଥାପିତ କରାଗଲା–

 

“ xxx he undertook a collecting tour in Trilinga, Trimull and Karnataka, gathering a good amount of donations.

 

Then he started again with the purpose of visiting the small islands of the east; so through gharikhanda and Jagannatha he went to Khasarpana in Buntavarta (sic) where he spent in prayer about days…Then he went to Tipura and to the highland of Tripura where there is Kasaranga or Devikota.”-(୧୮)

 

ପ୍ରାବନ୍ଧିକ Guiseppe Tucci ‘ବୁନ୍ତାବର୍ତ୍ତ’ ଓ ‘ଖସରପାନ’ ସହିତ ଯଥାକ୍ରମେ ପୁଣ୍ଡ୍ରବର୍ଦ୍ଧନ (ବୋଗ୍ରା ଓ ରାଜସାହି ଜିଲ୍ଲା) ଓ ଉତ୍ତରବଙ୍ଗର ସୀମାନ୍ତବର୍ତ୍ତୀ ପର୍ବତମାଳାକୁ ସନାକ୍ତ କରି ଟିପ୍‌ପଣୀ ବାଢ଼ି ଲେଖିଛନ୍ତି, “We can quite easily follow the itineary of the Indian Sadhu from South India to Orissa where Jharikhanda and Jagannatha are located.” (୧୯) ବସ୍ତୁତଃ ଏହି ମନ୍ତବ୍ୟ ଅତ୍ୟନ୍ତ ତାତ୍ପର୍ଯ୍ୟପୂର୍ଣ୍ଣ ଓ ପ୍ରଣିଧାନଯୋଗ୍ୟ ।

 

‘ମାଦଳା ପାଞ୍ଜି’ରେ ଝାଡ଼ଖଣ୍ଡର ଉଲ୍ଲେଖ ଅଛି । “ସୋଭନ ଦେବ ଭୋଗ କଲେ ବ ୯୬-। ଏହି ମହାରାଜାଙ୍କ ଅ ୨ ଙ୍କେ ଡିଲିରୁ ରକ୍ତବାହୁ ଆସିବା ବାରତାକୁ ପରମେସରଙ୍କୁ ସୁନୁପୁର ଗୋପଲୀ ଘେନିଗଲେ । ସେଠାରେ ମଣ୍ଡପ ଗୋଟିଏ କରି ବିଜେ କରାଇଲେ ବ ୪୫ । ଏଥିଉତ୍ତାରେ ମୁଗଲେ ପ୍ରବଳ ହୋଇଲାକୁ ସେବକେ ସେଠାରେ ପରମେସରଙ୍କୁ ପାତାଳି କରି ଉପରେ ଗଛ ଲଗାଇ ରାଜ୍ୟ ଅନ୍ତର ହୋଇଗଲେ । ପାତିସାଙ୍କ ଅମୁରା ରକତବାହୁ ଓ ଶ୍ରୀ ପୁରୁଷୋତ୍ତମ ବୁଲି ଅଇଲା । ସମୁଦ୍ର ଥୋକାଏ ଧୁର ମାଜି ଅଇଲା । ଏ ରାଜା ଅନେକ ଯୁଝ କଲେ । ରହି ନ ପାରି ଝାଡ଼ଖଣ୍ଡ ଭିତରେ ରହିଲେ । ଏ ଭୋଗ କଲେ ବ ୯୬ ।” (୨୦) ବୀରଭାନୁଦେବ ଝାଡ଼ଖଣ୍ଡ ଜୟ କରିଥିଲେ ବୋଲି ‘ମାଦଳା ପାଞ୍ଜି’ରେ ଲିଖିତ ହୋଇଅଛି । (୨୧) ‘ମାଦଳା ପାଞ୍ଜି’ରେ ଛାମୁ ଚିଟାଉର ଯେଉଁ ନମୁନା ପ୍ରଦତ୍ତ ହୋଇଅଛି, ତହିଁରେ ମଧ୍ୟ ଝାଡ଼ଖଣ୍ଡର ଉଲ୍ଲେଖ ଦେଖିବାକୁ ମିଳେ । (୨୨) ଆଧୁନିକ ସୋନପୁର ଓ ତତ୍ସନ୍ନିହିତ ଅଞ୍ଚଳର ନାମ ଝାଡ଼ଖଣ୍ଡ ଥିଲା ବୋଲି ଏଥିରୁ ଆଭାସ ମିଳେ । ସ୍ୱର୍ଗତ ଗବେଷକ ଅନିରୁଦ୍ଧ ଦାଶ, ଆଇ. ଏ. ଏସ୍‌. ଏହି ବିଷୟରେ ଟୀକା କରି ଲେଖିଛନ୍ତି, “ଏଠାରେ ମୋଗଲ କହିଲେ ବିଦେଶୀ ଆକ୍ରମଣକାରୀଙ୍କୁ ବୁଝାଇବ, ଝାଡ଼ଖଣ୍ଡ ମାନେ କୋଶଳ ଅଞ୍ଚଳକୁ ବୁଝାଇବ ।” (୨୩)

 

ନନ୍ଦପୁର ବା ଜୟପୁର ରାଜ୍ୟ ପୂର୍ବେ ଝାଡ଼ଖଣ୍ଡ ନାମରେ ପରିଚିତ ଥିଲା । ରାଜସ୍ଥାନର ଜୟପୁରଠାରୁ ଏହା ଭିନ୍ନ ବୋଲି ଦର୍ଶାଇବା ପାଇଁ ଏହି ରାଜ୍ୟକୁ ‘ଝାଡ଼ଜୟପୁର’ ମଧ୍ୟ କୁହାଯାଉଥିଲା (୨୪) । ବିପ୍ର ଭାଗୀରଥି ସାମନ୍ତରାୟ ସଂସ୍କୃତ ‘ଶୈବୋତ୍ତର ପୁରାଣ’ର ଓଡ଼ିଆ ପଦ୍ୟାନୁବାଦ କରିଥିଲେ ଖ୍ରୀଷ୍ଟାଦ୍ଦ ୧୭୯୬ରେ । କବିଙ୍କ ଗ୍ରନ୍ଥ ରଚନା ସମୟରେ ‘ଝାଡ଼ଖଣ୍ଡ ପାତିଶା’, ‘ନ୍ୟୂନ ଗଜପତି’, ‘ଲକ୍ଷେ ରାଜାଙ୍କ ମୁକୁଟମଣି’, ‘ଚଉରାଶି ଦୁର୍ଗର ଅଧୀଶ୍ୱର’ ରାମଚନ୍ଦ୍ରଦେବ (ଦ୍ୱିତୀୟ) ନନ୍ଦପୁର ବା ଜୟପୁର ରାଜ୍ୟର ଅଧିପତି ଥିଲେ (୨୫) । ଏହି ରାଜାଙ୍କ ଅମଳରେ କବି ଦୀନବନ୍ଧୁ ତେଲୁଗୁ ସାହିତ୍ୟରୁ ସଂଗୃହୀତ କଥାବସ୍ତୁ ଉପରେ ଆଧାରିତ ‘ପତିଭକ୍ତା ପୁରାଣ’ ରଚନା କରିଥିଲେ । ସେ ମଧ୍ୟ ଦ୍ୱିତୀୟ ରାମଚନ୍ଦ୍ର ଦେବଙ୍କୁ ଝାଡ଼ଖଣ୍ଡର ଚକ୍ରବର୍ତ୍ତୀ ରୂପେ ଅଭିହିତ କରିଛନ୍ତି ।

 

“ଶ୍ରୀନନ୍ଦପୁର ଦେଶ ପତି

ବିକ୍ରମଦେବଙ୍କ ସନ୍ତତି

।।

ଶ୍ରୀରାମଚନ୍ଦ୍ର ଦେବ ନାମ

ନୃପ ସମୂହରେ ବିଷମ

।।

ତିରିଶ ଯୁଣେ ଅଧିପତି

ଝାଡ଼ଖଣ୍ଡକୁ ଚକ୍ରବର୍ତ୍ତୀ (୨୬)

।।

 

ପାରଳାଖେମୁଣ୍ଡି ତାଲୁକା ଗୋପଲିମୁଠା ମାରିପାଡ଼ୁ ଶାସନ ନିବାସୀ ଚନ୍ଦ୍ରଶେଖର ରଥଙ୍କ ପୁତ୍ର ରାମକୃଷ୍ଣ ରଥଙ୍କ ହସ୍ତଲିଖିତ ‘ଚଣ୍ଡୀଚରିତାମୃତ’ ପୋଥିରେ ପ୍ରଦତ୍ତ ପୁଷ୍ପିକାରୁ ଜୟପୁର ରାଜ୍ୟର ରାଜାମାନେ ‘ମହାମଣ୍ଡଳେଶ୍ୱର ପ୍ରତାପ ବିଷମସମର ଶ୍ରୀ ନ୍ୟୂନ ଗଜପତି ଝାଡ଼ଖଣ୍ଡ-ପାଇଛା ଲକ୍ଷେ ରାଜା ମୁକୁଟମଣୀ ଶ୍ରୀ ଶ୍ରୀ ଶ୍ରୀ କନକଦୁର୍ଗାନୁଭାବନ ଚଉରାଶି ଦୁର୍ଗମ ନନ୍ଦପୁର କ୍ଷିତି ସିଂହାସନ ମଣ୍ଡନ ମୂର୍ଦ୍ଧାଭିଷିକ୍ତ ନୃପତିକୁଳଚକ୍ରବର୍ତ୍ତୀ ବୀର ଶ୍ରୀ ଶ୍ରୀ ଶ୍ରୀ ବୀରାଧିବୀରବର ପ୍ରତାପ ଶ୍ରୀ ଶ୍ରୀ ଶ୍ରୀ.....’ ଭଳି ମହାଡ଼ମ୍ବରପୂର୍ଣ୍ଣ ଉପାଧି ଗ୍ରହଣ କରିଥିବାର ପ୍ରମାଣ ମିଳେ (୨୭) । ଏହି ପୁଷ୍ପିକା ଖୁବ୍‌ ସମ୍ଭବତଃ ଖ୍ରୀଷ୍ଟୀୟ ଅଷ୍ଟାଦଶ ଶତାଦ୍ଦୀର ଶେଷ ଦଶକରେ ଲିଖିତ ହୋଇଥିଲା ।

 

କୁମାର ବିଦ୍ୟାଧର ସିଂହଦେଓ କହନ୍ତି ଯେ, ଜୟପୁରର ରାଜାମାନଙ୍କର ଜନ୍ମପତ୍ରିକା ଲେଖିଲା ବେଳେ ରାଜଜ୍ୟୋତିଷୀମାନେ ଆଜିସୁଦ୍ଧା “ଶ୍ରୀମାନ୍‌ ମହା ମଣ୍ଡଳେଶ୍ୱର ମହୋଗ୍ରପ୍ରତାପ ବିଷମ ସମର ଶ୍ରୀବିଜୟବୀରାଧିବୀର ଶ୍ରୀନିଊନ ଗଜପତି ଝାଡ଼ଖଣ୍ଡ ପାଦୁସା ଲକ୍ଷେରାଜ ମଉଡ଼ମଣି ଶ୍ରୀ ରାଜାଧିରାଜ ମହାରାଜା ଶ୍ରୀ ବୀରାଧିବୀର ଶ୍ରୀ ଶ୍ରୀ ଶ୍ରୀ .....” ଉପାଧି ସେମାନଙ୍କ ନାମ ପୂର୍ବରେ ବସାଇଥା’ନ୍ତି (୨୮) । ତାଙ୍କ ମତରେ ଜୟପୁର ରାଜବଂଶର ‘ଝାଡ଼ଖଣ୍ଡ ପାଦସା’ ଉପାଧି ମହାମୋଗଲମାନଙ୍କ ଅମଳରୁ ଚଳିଆସୁଅଛି (୨୯) । କିନ୍ତୁ କବିବର ଚିନ୍ତାମଣି ମହାନ୍ତି ଭିନ୍ନ ମତ ପୋଷଣପୂର୍ବକ ସ୍ୱୀୟ ‘ଜୟପୁର’ ପୁସ୍ତକରେ ଲେଖିଛନ୍ତି ଯେ, ହାଇଦ୍ରାବାଦର ନିଜାମ ଆସଫଜାହ ଜୟପୁରର ରାଜା ଦ୍ୱିତୀୟ ବିଶ୍ୱମ୍ଭର ଦେବଙ୍କ ସହାୟତାରେ ମରହଟ୍ଟା ଆକ୍ରମଣ ବିଫଳ କରିଥିଲେ ଏବଂ ସେହି ସାହାଯ୍ୟର ପ୍ରତିଦାନ ସ୍ୱରୂପ ତାଙ୍କୁ ‘ଝାଡ଼ଖଣ୍ଡ ବାଦସାହ’ ଉପାଧି ପ୍ରଦାନ କରିଥିଲେ । ସେହି ହେତୁରୁ ଜୟପୁରକୁ ‘ଝାଡ଼ଖଣ୍ଡ ବାଦସାହି ମୁଲକ’ କୁହାଯାଏ । (୩୦)

 

ଶାନ୍ତିଦେବଙ୍କ ଜନ୍ମସ୍ଥାନ ତିବ୍ଦତ୍‌-ବର୍ଣ୍ଣିତ ଜାହର (zahor)କୁ କେନ୍ଦୁଝର ସହିତ ସନାକ୍ତ କରି ଡଃ କରୁଣାକର କର ଲେଖିଛନ୍ତି, “ପ୍ରକୃତରେ କେନ୍ଦୁଝର ରାଜ୍ୟ ପ୍ରଥମରେ ଝର ନାମରେ ପରିଚିତ ଥିଲା । ଏହି ଝର ଶବ୍ଦରେ ପରେ କେନ୍ଦୁ ଶବ୍ଦର ଯୋଗ ହୋଇ କେନ୍ଦୁଝର ହୋଇଅଛି । ଆହୁରି ମଧ୍ୟ ଏହିସବୁ ଅଞ୍ଚଳକୁ ଝାଡ଼ଖଣ୍ଡ କୁହାଯାଉଥିଲା” (୩୧) । ଏଥିରୁ ଜଣାଯାଏ ଯେ, କେନ୍ଦୁଝର ରାଜ୍ୟ ବି ଝାଡ଼ଖଣ୍ଡ ନାମରେ ନାମିତ ହେଉଥିଲା ।

 

ମୟୂରଭଞ୍ଜ ରାଜ୍ୟର ନାମ ମଧ୍ୟ ଝାଡ଼ଖଣ୍ଡ ଥିଲା ବୋଲି ନଗେନ୍ଦ୍ରନାଥ ବସୁଙ୍କ ଲେଖାରୁ ଜଣାପଡ଼େ (୩୧) ।

 

ଅତୀତରେ ବୌଦ ରାଜ୍ୟର ନାମ ବି ଥିଲା ଝାଡ଼ଖଣ୍ଡ । ସେଠାକାର ରାଜାମାନେ ମଧ୍ୟ ‘ଝାଡ଼ଖଣ୍ଡ ମଣ୍ଡଳେଶ୍ୱର’ ଓ ‘ଝାଡ଼ଖଣ୍ଡ ବାଦସାହ’ ଉପାଧି ଗ୍ରହଣ କରୁଥିଲେ । ରାଜା ପ୍ରତାପଦେବଙ୍କ ଶାସନ କାଳରେ କେତେକ ମୁସଲିମ୍‌ କର୍ମଚାରୀ ସେମାନଙ୍କ ସୈନ୍ୟ ସହ ବୌଦ ରାଜ୍ୟ ଦେଇ ପୁରୀ ଅଭିମୁଖେ ଯାତ୍ରା କରୁଥିଲେ । ସେମାନଙ୍କ ମଧ୍ୟରୁ କେତେଜଣ ଜ୍ଵରାକ୍ରାନ୍ତ ହେଲେ । ଫଳରେ ସେହି ଦଳଟିକୁ ପ୍ରାୟ ଏକମାସ ଯାଏଁ ସେଠାରେ ଅବସ୍ଥାନ କରିବା ପାଇଁ ବାଧ୍ୟ ହେଲେ । ବୌଦର ରାଜା ଆତିଥେୟତା ପ୍ରଦାନ ପୂର୍ବକ ସେମାନଙ୍କର ଚିକିତ୍ସାରେ ସାହାଯ୍ୟ କରିଥିଲେ । ରାଜାଙ୍କର ସୌହାର୍ଦ୍ଦପୂର୍ଣ୍ଣ ବ୍ୟବହାରରେ ମୁଗ୍‌ଧ ହୋଇ ମୁସଲମାନ ଶାସକ ତାଙ୍କୁ “ସ୍ଵସ୍ତି ଶ୍ରୀ ଦେଢ଼ଲକ୍ଷ ଡୁମ୍ବାଧିପତି ଝାଡ଼ଖଣ୍ଡ ମଣ୍ଡଳେଶ୍ୱର” ଉପାଧି ପ୍ରଦାନ କରିଥିଲେ । ସେହିପରି ଓଡ଼ିଶାରେ ମରହଟ୍ଟା ଶାସନ ସମୟରେ କେତେକ ମରାଠା କର୍ମଚାରୀ ପେସ୍‌କସ୍‌ ଆଦାୟ କରିବା ପାଇଁ ସୋନପୁର ଯାଇଥିଲେ । କିନ୍ତୁ ସୋନପୁରଠାରେ କେତେଜଣ ଲୋକ ସେମାନଙ୍କୁ ହତ୍ୟା କରିବା ନିମନ୍ତେ ଏକ ଷଡ଼ଯନ୍ତ୍ରର କର୍ଣ୍ଣଧାର ହେଲେ । ଲୋକମାନଙ୍କର ଅପ୍ରତ୍ୟାଶିତ ବିଦ୍ରୋହ ପ୍ରଦର୍ଶନରେ ଭୀତ ହୋଇ ମରହଟ୍ଟାମାନେ ଆଶ୍ରୟ ପାଇଁ ବୌଦରାଜ୍ୟ ଭିତରକୁ ପଳାଇ ଆସିଲେ । ସୋନପୁରର ଷଡ଼ଯନ୍ତ୍ରକାରୀମାନେ ସେମାନଙ୍କର ଅନୁଧାବନ କରି ବୌଦରାଜ୍ୟ ଭିତରକୁ ପଶିଆସିଥିଲେ । ମରହଟ୍ଟା ଶାସନ ପ୍ରତି ବନ୍ଧୁତାର ନିଦର୍ଶନ ସ୍ୱରୂପ ବୌଦର ରାଜା ବିଦ୍ରୋହୀମାନଙ୍କୁ ବନ୍ଦୀ କରି ନାଗପୁର ପଠାଇ ଦେଇଥିଲେ । କୁହାଯାଏ, ଏଥିରେ ପ୍ରୀତ ହୋଇ ନାଗପୁରର ରାଜା ବୌଦରାଜାଙ୍କୁ “ସ୍ଵସ୍ତି ଶ୍ରୀ ପ୍ରତ୍ୟପାଦିତ୍ୟ xxx ଝାଡ଼ଖଣ୍ଡ ବାଦଶାହ” ଉପାଧି ପ୍ରଦାନ କରିଥିଲେ (୩୩) । ବୌଦର ରାଜା ବନମାଳୀଦେବ ନିଜକୁ ‘ଝାଡ଼ଖଣ୍ଡ ବାଦସାହ’ ବୋଲାଉଥିବା କଥା ଐତିହାସିକ ଶିବପ୍ରସାଦ ଦାଶ ଉଲ୍ଲେଖ କରିଛନ୍ତି (୩୪) ।

 

ଇଂରେଜମାନଙ୍କର ଓଡ଼ିଶାକୁ ଆଗମନ ସମୟରେ ଜୀବିତ ଥିବା ରାମଦାସ ନାମକ ଜନୈକ କବିଙ୍କ ଦ୍ୱାରା ଢେଙ୍କାନାଳର ପ୍ରସିଦ୍ଧ ଠାକୁର ବଳଭଦ୍ରଙ୍କର ପୂଜାପାର୍ବଣ ସଙ୍ଗେ ଢେଙ୍କାନାଳର ଇତିକଥାକୁ ନେଇ ରଚିତ ‘ବଳଭଦ୍ର ମହିମା ବୋଲି’ ପୁସ୍ତକରେ ଲେଖାଅଛି–

 

“ଏ ପ୍ରଭୁ ସିଦ୍ଧ ବଳଭଦ୍ର ମୂରତି ଝାଡ଼ଖଣ୍ଡେ ଥିଲେ ।

ତଳମୂଳ ବୋଲି ଅନୁଗୋଳ ସୀମା ଖଣ୍ଡଖମ୍ବ ମଣ୍ଡପରେ । ।

ଝାଡ଼ୁଆ ଲୋକ ସ୍ୱଭାବେ ଜ୍ଞାନ ଥୋକ ପ୍ରଭୁଙ୍କୁ ଚିହ୍ନିବେ ନାହିଁ ।

ଦେବତା ବୋଲି ଭୟ କରି ଭଜନ୍ତି ଭାବଭକତି ତ ନାହିଁ ।।” (୩୫)

 

ଅନୁଗୁଳର ଶେଷ ରାଜା ସୋମନାଥ ସିଂହ ଜଗଦ୍ଦେବଙ୍କ ଗୁପ୍ତଗଡ଼ କୃଷ୍ଣଚକ୍ର ଗଡ଼କୁ ସମ୍ବୋଧନ କରି କବି ରାଧାମୋହନ ଗଡ଼ନାୟକ ଉଚ୍ଛ୍ୱସିତ କଣ୍ଠରେ ଗାଇଛନ୍ତି–

 

“ଶହେ ବର୍ଷର ତଳେ

ଝାଡ଼ଖଣ୍ଡର            ବିପ୍ଳବ-ନିଆଁ

ଜାଳି ଦେଇଥିଲୁ ଥରେ ।” (୩୬)

“ଝାଡ଼ଖଣ୍ଡର            ଗୁପ୍ତ ଗଡ଼ ତୁ

ଅନୁଗୁଳ-ଗୌରବ,

ଦିଗ୍‌ବିଦିଗରେ            ବାଜି ଉଠୁଅଛି

ଜୀବନର କଳରବ ।” (୩୭)

 

ଉପର୍ଯ୍ୟୁଦ୍ଧୃତ କବିତାଂଶମାନଙ୍କରୁ ଜଣାପଡ଼େ ଯେ, ଢେଙ୍କାନାଳ ଜିଲ୍ଲାର ଅନୁଗୁଳ ଅଞ୍ଚଳ ବି ଝାଡ଼ଖଣ୍ଡ ନାମରେ ପରିଚିତ ଥିଲା ।

 

୧୮୨୦ ଖ୍ରୀଷ୍ଟାବ୍ଦରେ ୱାଲଟର ହେମିଲଟନ ନାମକ ଜଣେ ପ୍ରଖ୍ୟାତ ଇଂରେଜୀ ଐତିହାସିକ ‘Hindustan and the Adjacent Countries ନାମକ ଏକ ବିରାଟ ଗ୍ରନ୍ଥ ଲଣ୍ଡନରୁ ପ୍ରକାଶ କରିଥିଲେ । ଏହା ଦୁଇ ଖଣ୍ଡରେ ବିଭକ୍ତ । ଏହି ଗ୍ରନ୍ଥର ଦ୍ୱିତୀୟ ଖଣ୍ଡର ୩୧ ପୃଷ୍ଠାରେ ‘The Province of Orissa’ ଶୀର୍ଷକ ଭୌଗୋଳିକ ଓ ଐତିହାସିକ ତଥ୍ୟ ସମ୍ବଳିତ ବିବରଣୀରେ ‘ଆଇନ-ଆକବରୀ’ର ଉକ୍ତି ଉଦ୍ଧାର ପୂର୍ବକ ଲେଖାଯାଇଛି ଯେ, “୧୫୮୨ ଖ୍ରୀଷ୍ଟାବ୍ଦରେ ଓଡ଼ିଶା ୫ଟି ଜିଲ୍ଲାରେ ବିଭକ୍ତ ହୋଇଥିଲା; ଯଥା-(୧) ଜଳେଶ୍ୱର (gellasar), ଏହା ମେଦିନୀପୁର ଏବଂ ସୁବର୍ଣ୍ଣରେଖା ନଦୀର ଉତ୍ତର ଓ ପୂର୍ବ ଅଞ୍ଚଳୀୟ ସମସ୍ତ ଇଂରେଜ ଅଧିକୃତ ସ୍ଥାନକୁ ନେଇ ଗଠିତ ଜିଲ୍ଲା; (୨) ଭଦ୍ରକ (Buddruck); (୩) କଟକ (Cuttack); (୪) କଳିଙ୍ଗ ବା ସିକାକୋଲ (Culling or Cicacole); (୫) ରାଜମହେନ୍ଦ୍ରୀ (Rajamundry) । ଏହି ଅଞ୍ଚଳ ଛଡ଼ା ସମୁଦ୍ର ଉପକୂଳର ପର୍ବତମାଳା ପଶ୍ଚିମ ସୀମାନ୍ତ ପର୍ଯ୍ୟନ୍ତ ବ୍ୟାପି ରହିଥିଲା । ଏହା ଓଡ଼ିଶାର ଅନ୍ତର୍ଭୁକ୍ତ । ଏହାକୁ ଝାଡ଼ଖଣ୍ଡ (geharcund) ବୋଲି କୁହାଯାଏ । ଏ ଅଞ୍ଚଳ ମଧ୍ୟରେ ରତନପୁର ଓ ସମ୍ବଲପୁର ଜିଲ୍ଲା ଗୁଡ଼ିକ ଅନ୍ତର୍ଭୁକ୍ତ ।”

 

ବଣ ଅର୍ଥରେ ଝାଡ଼ ଶବ୍ଦର ଭୂରି ପ୍ରୟୋଗ ଓଡ଼ିଆ ସାହିତ୍ୟରେ ଦେଖାଯାଏ । ଏଣୁ ବୃନ୍ଦାବନଚାରୀ ଶ୍ରୀକୃଷ୍ଣଙ୍କୁ ଝାଡ଼ବିନୋଦିଆ ଓ ବଣର ରାଜା ସିଂହକୁ ଝାଡ଼ପତି କୁହାଯାଏ । ଓଡ଼ିଶାର ଏକାଧିକ ସ୍ଥାନରେ ଝାଡ଼େଶ୍ୱର ଓ ଝାଡ଼େଶ୍ୱରୀ ନାମରେ ଯଥାକ୍ରମେ ମହାଦେବ ଓ ଦୁର୍ଗାଙ୍କ ଦେବାଳୟ ଦେଖିବାକୁ ମିଳେ । ଆମ ଓଡ଼ିଶାରେ ଏପରି ଗୁଡ଼ିଏ ଗ୍ରାମ ଅବସ୍ଥିତ, ଯେଉଁଗୁଡ଼ିକର ନାମ ‘ଝାଡ଼’ରେ ଆରମ୍ଭ, ଯଥା:- ଝାଡ଼ଗାଁ, ଝାଡ଼ପଡ଼ା ଇତ୍ୟାଦି । ପଶ୍ଚିମ ଓଡ଼ିଶାରେ, ବିଶେଷତଃ ସମ୍ବଲପୁର ଅଞ୍ଚଳରେ, ତିନି ଶ୍ରେଣୀର ବ୍ରାହ୍ମଣ ଦେଖାଯାନ୍ତି । ଝାଡ଼ୁଆ ବା ଆରଣ୍ୟକ, ଓଡ଼ିଆ ବା ଉତ୍କଳୀୟ ଓ ରଘୁନାଥିଆ ବା ଭୀମଗିରିଆ । ଝାଡ଼ୁଆ ବ୍ରାହ୍ମଣମାନେ ହେଉଛନ୍ତି ସେହି ଅଞ୍ଚଳର ମୂଳସ୍ଥାନୀୟ ଉଚ୍ଚବର୍ଣ୍ଣର ଅଧିବାସୀ । ସେହିପରି ସମ୍ବଲପୁର ଅଞ୍ଚଳରେ ବାସ କରୁଥିବା ଗଉଡ଼ ଓ କରଣମାନଙ୍କ ଶ୍ରେଣୀବିଶେଷ ଝାଡ଼ୁଆ ବିଶେଷଣରେ ବିଶେଷିତ । ମୟୂରଭଞ୍ଜ ଜିଲ୍ଲାରେ ମୂଳସ୍ଥାନୀୟ ଆଦିମ କୁମ୍ଭାରମାନଙ୍କୁ ଝାଡ଼ୁଆ କୁମ୍ଭାର କୁହାଯାଇଥାଏ ।

 

ପୂର୍ବାନୁଚ୍ଛେଦମାନଙ୍କରେ ଝାଡ଼ଖଣ୍ଡ ସମ୍ବନ୍ଧୀୟ ସାହିତ୍ୟିକ, ଗ୍ରନ୍ଥୀୟ ତଥା ସାମାଜିକ ଆଲୋଚନା କରାଗଲା । ବର୍ତ୍ତମାନ ଅଭିଲେଖ ପ୍ରତି ଦୃଷ୍ଟିପାତ କରାଯାଉ । ଖ୍ରୀ: ପୂ: ତୃତୀୟ ଶତାବ୍ଦୀରେ ଭାରତୀୟ ଭୂଖଣ୍ଡବିଶେଷର ନାମ ଥିଲା ଆଟବିକ ରାଜ୍ୟ । ସେହି ଆଟବିକ ରାଜ୍ୟର ଅଧିବାସୀମାନେ ଥିଲେ ସାହସୀ ଯୋଦ୍ଧା । ଖ୍ରୀ: ପୂ: ୨୬୧ରେ କଳିଙ୍ଗ ଆକ୍ରମଣ କରିଥିବା ଅଶୋକଙ୍କ ବିପୁଳ ସେନା ବିପକ୍ଷରେ ଓ କଳିଙ୍ଗର ସପକ୍ଷରେ ସେହି ଆଟବିକ ରାଜ୍ୟର ଲୋକମାନେ ଯୁଦ୍ଧ କରିଥିଲେ । ମୌର୍ଯ୍ୟ ସମ୍ରାଟ ଅଶୋକ କଳିଙ୍ଗ ଜୟ କରିବାରେ କୃତକାର୍ଯ୍ୟ ହୋଇଥିଲେ; କିନ୍ତୁ ଆଟବିକ ରାଜ୍ୟକୁ ଦଖଲ କରି ପାରି ନ ଥିଲେ । ସେ ଆଟବିକମାନଙ୍କ ସହିତ ବନ୍ଧୁତା ସ୍ଥାପନ କରି ସେମାନଙ୍କ ପ୍ରତି ଉଦାର ନୀତି ଗ୍ରହଣ କରିଥିଲେ । ଏହି କଥା ଅଶୋକଙ୍କ ବିଶେଷ ଶିଳାନୁଶାସନ (୨)ରେ ଘୋଷିତ ହୋଇଅଛି ।

 

ସମୁଦ୍ରଗୁପ୍ତଙ୍କ ଆହ୍ଲାବାଦ-ପ୍ରଶସ୍ତିରୁ ଜଣାଯାଏ ଯେ ଖ୍ରୀଷ୍ଟୀୟ ଚତୁର୍ଥ ଶତାବ୍ଦୀର ମଧ୍ୟଭାଗରେ ‘ମହାକାନ୍ତାର’ର ଶାସନ ଥିଲେ ବ୍ୟାଘ୍ରରାଜ । ବ୍ୟାଘ୍ରରାଜ ସମୁଦ୍ର ଗୁପ୍ତଙ୍କ ଦ୍ୱାରା ପରାଜିତ ହୋଇଥିଲେ । ଐତିହାସିକ ନବୀନକୁମାର ସାହୁଙ୍କ ମତରେ ଆଧୁନିକ କୋରାପୁଟ ଓ କଳାହାଣ୍ଡି ଅଞ୍ଚଳ ଦ୍ୱୟକୁ ନେଇ ମହାକାନ୍ତାର ଗଠିତ ହୋଇଥିଲା (୩୮) ।

 

ନାଗାର୍ଜ୍ଜୁନିକୋଣ୍ଡାର ଏକ ଶିଳାଭିଲେଖରୁ ‘ମହାବନ’ ନାମକ ଅଞ୍ଚଳର ସୂଚନା ମିଳେ । ଡଃ ନବୀନ କୁମାର ସାହୁ ଆଟବିକ ରାଜ୍ୟ ଓ ମହାକାନ୍ତାର ସହିତ ‘ମହାବନ’ର ଏକୀକରଣ କରିଛନ୍ତି । ଏହି ସମ୍ପର୍କରେ “ଜର୍ନଲ୍‌ ଅଫ୍‌ ଆନ୍ଧ୍ରା ହିଷ୍ଟୋରିକାଲ୍‌ ରିସର୍ଚ୍ଚ ସୋସାଇଟି”ର ୧୯୨୭ ଅପ୍ରେଲ ସଂଖ୍ୟା, ପୃ. ୨୩୨ରେ ପ୍ରଦତ୍ତ ନିମ୍ନୋକ୍ତ ମନ୍ତବ୍ୟଟି ଏକାନ୍ତ ପ୍ରଣିଧାନଯୋଗ୍ୟ : “ସମଗ୍ର ଜୟପୁର ଜମିଦାରୀ ଅରଣ୍ୟପୂର୍ଣ୍ଣ ଏବଂ ଅଦ୍ୟାବଧି ସୋଗରୁ ଚତୁର୍ଦ୍ଦିଗରେ ଆଦିମ ଅରଣ୍ୟ ପରିଦୃଷ୍ଟ ହୁଏ । ଏହି ଅରଣ୍ୟସଙ୍କୁଳ ଅଞ୍ଚଳ ଉତ୍ତରରେ ଗଞ୍ଜାମ ଏଜେନ୍‌ସି ଓ ପଶ୍ଚିମରେ ମଧ୍ୟପ୍ରଦେଶର ଛତିଶଗଡ଼ ମଧ୍ୟକୁ ପଶିଯାଇଛି । ଯେଉଁ ଅଞ୍ଚଳରେ ଅଦ୍ୟାପି ଆଦିମ ଜଙ୍ଗଲ ଅବସ୍ଥିତ, ସେହି ଅଞ୍ଚଳକୁ ଯଦି ପୂର୍ବେ ‘ମହାବନ’ କୁହାଯାଉଥିଲା, ତାହାହେଲେ ସେଥିରେ ଆଶ୍ଚର୍ଯ୍ୟାନ୍ୱିତ ହେବାର କିଛି ନାହିଁ ।”

 

ଗଙ୍ଗବଂଶୀୟ ଦ୍ୱିତୀୟ ନରସିଂହଦେବଙ୍କ କେନ୍ଦୁପାଟଣା ତାମ୍ର ଶାସନରେ ଦକ୍ଷିଣ ‘ଝାଡ଼ଖଣ୍ଡ’ର ଉଲ୍ଲେଖ ଦେଖିବାକୁ ମିଳେ : “ଦକ୍ଷିଣ ଝାଡ଼ଖଣ୍ଡ ମଧ୍ୟ ତୁଚଡ଼ାଗ୍ରାମୀୟ କୋମଟି ମା’ଙ୍କୁ ଶ୍ରେଷ୍ଠୀଙ୍କ ପୁତ୍ର ପୁରାଇ ସ୍ରେଷ୍ଟି ସୁତେ ନୋରି ସ୍ରେଷ୍ଠି ନାମା x x x ।” (୩୯) ବି.ସି.ଲ’ଙ୍କ ଅନୁଯାୟୀ, ଦ୍ୱିତୀୟ ନରସିଂହଦେବଙ୍କ ଏହି ତାମ୍ରଦାନ ପତ୍ରରେ ସୂଚିତ ଦକ୍ଷିଣ ଝାଡ଼ଖଣ୍ଡର ଉତ୍ତରାଂଶରେ ଅନ୍ତର୍ଗତ ଥିଲା ଗଞ୍ଜାମ-ମାଳଭୂମି ଓ ଏହି ଦକ୍ଷିଣ ଝାଡ଼ଖଣ୍ଡ ସମୁଦ୍ରଗୁପ୍ତଙ୍କ ଆହ୍ଲାବାଦ ପ୍ରଶସ୍ତିରେ ମଧ୍ୟ ମହାକାନ୍ତାର ନାମରେ ବର୍ଣ୍ଣିତ (୪୦) । ଏଥିରେ ସ୍ପଷ୍ଟ ଜଣାପଡ଼େ ଯେ, ଗଞ୍ଜାମର ମାଳଭୂମି ଦକ୍ଷିଣ ଝାଡ଼ଖଣ୍ଡର ଉତ୍ତରାଂଶରେ ସାମିଲ ଥିଲା ।

 

‘ଜର୍ନଲ୍‌ ଅଫ୍‌ ଆନ୍ଧ୍ରା ହିସ୍‌ଟୋରିକଲ୍‌ ସୋସାଇଟି’ରେ ପ୍ରଦତ୍ତ ପୂର୍ବୋକ୍ତ ମନ୍ତବ୍ୟ ସହିତ ବି. ସି. ଲ’ଙ୍କର ପୂର୍ବବର୍ତ୍ତୀ ଏକୀକରଣକୁ ମିଳାଇ ଦେଖିଲେ ଜଣାପଡ଼େ ଯେ, ଦକ୍ଷିଣରେ ଜୟପୁରମାଳ, ପଶ୍ଚିମରେ ଛତିଶଗଡ଼ ଓ ଉତ୍ତରରେ ଗଞ୍ଜାମ-ଏଜେନ୍‌ସି ସମେତ ସମସ୍ତ ଅରଣ୍ୟ ଅଞ୍ଚଳକୁ ଦକ୍ଷିଣ ଝାଡ଼ଖଣ୍ଡ କୁହାଯାଉଥିଲା । ଦକ୍ଷିଣ ଝାଡ଼ଖଣ୍ଡ ଉତ୍ତର ଝାଡ଼ଖଣ୍ଡର ଅସ୍ତିତ୍ଵ ବିଷୟରେ ପରୋକ୍ଷ ସୂଚନା ଦିଏ । କିନ୍ତୁ ଉତ୍ତର ଝାଡ଼ଖଣ୍ଡର ଉଲ୍ଲେଖ କୁତ୍ରାପି ଦୃଷ୍ଟ ନ ହେଲେ ହେଁ ଗଞ୍ଜାମ-ମାଳଭୂମିର ଶେଷଠାରୁ ଓଡ଼ିଶାର ପଶ୍ଚିମ ଓ ଉତ୍ତର ଦିଗରେ ଅବସ୍ଥିତ ଗଡ଼ଜାତସମୂହ ସମେତ ଛୋଟନାଗପୁର ଓ ସାନ୍ତାଳ ପ୍ରଗଣା ପର୍ଯ୍ୟନ୍ତ ବିସ୍ତୃତ ପାହାଡ଼ ଓ ଜଙ୍ଗଲ ପରିପୂର୍ଣ୍ଣ ଅଞ୍ଚଳକୁ ଉତ୍ତର ଝାଡ଼ଖଣ୍ଡ ରୂପେ ଅନୁମାନ କରାଯାଇପାରେ ।

 

ଉପରୋକ୍ତ ଆଲୋଚନାରୁ ଜଣାଗଲା ଯେ, ଗଞ୍ଜାମ ଜିଲ୍ଲାର ମାଳାଞ୍ଚଳ ଦକ୍ଷିଣ ଝାଡ଼ଖଣ୍ଡର ଅନ୍ତର୍ଭୁକ୍ତ ଥିଲା । ବର୍ତ୍ତମାନ ଖ୍ରୀ: ୧୧୪୭ରେ ଅର୍କେଶ୍ୱର ଦେବଙ୍କ ଦ୍ୱାରା ପ୍ରଦତ୍ତ ପୋଲସରା ତାମ୍ରଦାନପତ୍ର ପ୍ରତି ଦୃଷ୍ଟି ନିକ୍ଷେପ କରାଯାଉ । ସହୃଦୟ ପାଠକମାନଙ୍କ ଅବଗତି ନିମନ୍ତେ ଉକ୍ତ ଦାନପତ୍ରର କେତେକାଂଶରେ ପାଠ ନିମ୍ନରେ ଉଦ୍ଧାର କରାଗଲା–

 

“ଶ୍ରିୟାଦେବୀ ଚରିତପରିଶୀଳନ ଶ୍ରୀ ଶ୍ରିୟାଦେବୀ ନୟନ ମଧୁକର ପେପୀୟମାନ ବଦନପଙ୍କଜଃ ଶ୍ରୀମଦ୍‌ ଅର୍କେଶ୍ୱର ଦେବଃ କୁଶଳୀ [ଚତୁର୍ବିଂଶତି [ତ] ମେ ରାଜ୍ୟ ସମ୍ବତ୍ସରେ ପ୍ରବର୍ଦ୍ଧମାନ ବିଜୟରାଜ୍ୟେ ହିଙ୍ଗୁଳା କଟକାଜାଗତ୍ୟ ଋଷିକୁଲ୍ୟା ତୀରେ ମାଘ ପୂର୍ଣ୍ଣମାସ୍ୟାଂ ଭୃଗୁବାରେ ସୋମଗ୍ରହଣ ସମୟେ ଶ୍ରିୟାଦେବୀ ପ୍ରିୟ ପଟ୍ଟମହାଦେବୀ ସହିତଃ (ତୋ) ମଧ୍ୟଦେଶ ବିନିର୍ଗତାୟ ପରାଶରସେ (ସ) ଗୋତ୍ରାୟ ଜୀବକର ଶର୍ମଣଃ ପୁତ୍ରାୟ ମଧୁକର ଶର୍ମଣଃ ପୁତ୍ରାୟ ବୃଦ୍ଧିକର ଶର୍ମଣେ [ବ୍ରା]ହ୍ମଣାୟ ଯଜୁର୍ବେଦ କାଣ୍ଵଶାଖାଧ୍ୟାୟିନେ ଝାଡ଼ଖଣ୍ଡ ଦେଶାନ୍ତର୍ବ୍ବର୍ତ୍ତୀ ବର୍ତ୍ତନିବିଷୟେ ବଳିଗ୍ରାମୋ ନାମ୍ନୋ ଗ୍ରାମସ୍ୟାର୍ଦ୍ଧ ପୂର୍ବ (ର୍ବ) ସିଦ୍ଧ ଚତୁଃ ଶୀ(ସୀ) ମା ବଚ୍ଛିନ୍ନ ଭୂଖଣ୍ଡଂ ସଜଳସ୍ଥଳ [୦]ସମତ୍ସ୍ୟ କଚ୍ଛପଂ ସବୃକ୍ଷ ଗୁଳ୍ମଲତାକଂ ସନିଧି ସୋପନି (ଧି)ଙ୍କ ......”(୪୧) ।

 

ଅର୍କେଶ୍ୱରଦେବ ଥିଲେ ଗଙ୍ଗକୁଳତିଳକ ପରମମାହେଶ୍ୱର ପରମଭଟ୍ଟାରକ ଶ୍ରୀ ଗୁଣାର୍ଣ୍ଣବ ଦେବଙ୍କ ପୌତ୍ର ଓ ଶ୍ରୀ ପ୍ରମାଦିଦେବଙ୍କ ପୁତ୍ର । ସେ ସମ୍ଭବତଃ ଚୋଡ଼ଗଙ୍ଗଦେବଙ୍କ ଜଣେ ସାମନ୍ତରାଜା ଥିଲେ । ଦାନପତ୍ର ବର୍ଣ୍ଣିତ ହିଙ୍ଗୁଳାକଟକ ଓ ବର୍ତ୍ତନିବିଷୟକୁ ଡ: ସତ୍ୟନାରାୟଣ ରାଜଗୁରୁ ଯଥାକ୍ରମେ ଆଜିକାର ହିଞ୍ଜିଳିକାଟୁ ଓ ବୋଇରାଣି (କବିସୂର୍ଯ୍ୟନଗର) ସହିତ ଚିହ୍ନିତ କରିଅଛନ୍ତି (୪୨) । ବର୍ତ୍ତନିବିଷୟ ଥିଲା ଝାଡ଼ଖଣ୍ଡ ଦେଶର ଅନ୍ତର୍ଭୁକ୍ତ । ଏ ବିଷୟରେ ଡ: ରାଜଗୁରୁ ମନ୍ତବ୍ୟ ପ୍ରକାଶ କରି କହିଛନ୍ତି : ‘But the mention of Jharakhanda Comprising of Varttani Visay is very significant, as it is perhaps found for the first time in the Epigraphic records of Orissa. This clearly proves that a portion of Ganjam began to be known as Jharakhanda even by the middle of twelvth century A. D..(୪୩)

 

ବୋଇରାଣି ଆଠଗଡ଼ ଜମିଦାରୀର ଅନ୍ତର୍ଗତ ଥିଲା । ଏଣୁ ଆଠଗଡ଼ ଯେ ଅର୍କେଶ୍ୱର ଦେବଙ୍କ ଦାନପତ୍ରରେ ବର୍ଣ୍ଣିତ ଝାଡ଼ଖଣ୍ଡ ବା ଝାଡ଼ଖଣ୍ଡର ଅଂଶବିଶେଷ, ତାହା ସ୍ପଷ୍ଟ ହୋଇଯାଉଛି । ସୁତରାଂ ଆଠଗଡ଼କୁ ଝାଡ଼ଖଣ୍ଡ ବୋଲି ନାମିତ କଲାବେଳେ କବିସୂର୍ଯ୍ୟ ଯେ ଏହି ଐତିହାସିକ ସତ୍ୟତା ପ୍ରତି ସଂପୂର୍ଣ୍ଣତଃ ଅବହିତ ଥିଲେ, ତାହା ନିଃସନ୍ଦେହ ଭାବରେ କୁହାଯାଇପାରେ ।

 

-ପାଦଟୀକା-

 

୧.

‘ଚମ୍ପୂ’ର ଖ, ଗ, ଘ, ଚ, ଛ, ଞ, ଟ, ଣ, ଥ, ଦ, ବ, ଭ, ଯ, ର, ଲ, ବ, ସ, ହ-ଗୀତଗୁଡ଼ିକର ଭଣତି; ‘      ସଙ୍ଗୀତ କଳ୍ପଲତା’ର ୧, ୭, ୧୪, ୧୫, ୧୯, ୨୦, ୨୩, ୨୯, ୩୨-୩୪, ୩୬, ୪୨, ୪୩, ୪୭, ୫୧, ୫୩-୫୬, ୫୮, ୬୦, ୬୩, ୬୫, ୬୭, ୬୭, ୬୮, ୭୭-୮୦, ୮୩, ୮୫, ୮୭, ୮୯, ୯୦, ୯୪, ୯୬, ୯୭, ୧୦୭, ୧୦୮, ୧୧୧-୧୧୪, ୧୧୮, ୧୨୩, ୧୨୬, ୧୨୭, ୧୩୦, ୧୩୫, ୧୩୯, ୧୪୫, ୧୪୬, ୧୪୭ ଓ ୧୪୯ ନମ୍ବର ବିଶିଷ୍ଟ ଚୌପଦୀଗୁଡ଼ିକର ଭଣତି; ‘କବିତାକଲ୍ଲୋଲିନୀ’ର ୩ୟ ଓ ୬ଷ୍ଠ କବିତାର ଭଣତି ଦ୍ରଷ୍ଟବ୍ୟ ।

୨.

‘ଚମ୍ପୂ’ର ଷ-ଗୀତର ଭଣତି ।

୩.

‘ଚମ୍ପୂ’ର କ-ଗୀତ ଓ ‘ସଙ୍ଗୀତ କଳ୍ପଲତା’ର ୩୮ତମ ଚୌପଦୀର ଭଣତି ।

୪.

“ମାନୋଦ୍ଧାରଣ ଶରଣପଞ୍ଜର, ବାଘେଲ ବାଦଶା ନୂପକୁଞ୍ଜର । ରାଜା ଜଗଦ୍ଦେବ ହରିଚନ୍ଦନ, ଲଘିଂଲେ ତାକୁ ନ କରି ବନ୍ଦନ । ୨୦ ।-“ଜଗତେ କେବଳ” ।

୫.

ପୁରାଣମାନଙ୍କରେ ଅଷ୍ଟବସୁଙ୍କର ଉଲ୍ଲେଖ ଥିବାରୁ ଶବ୍ଦାଙ୍କ-ପଦ୍ଧତିରେ ‘ବସୁ’ ଆଠ ଅଙ୍କର ପ୍ରତିନିଧିତ୍ୱ କରେ ।

୬.

ମାଦଳାପାଞ୍ଜି, ପୃ. ୭୫, ୭୬, ୭୮, ୮୦ ଓ ୮୨; ପୂର୍ଣ୍ଣଚନ୍ଦ୍ର ଓଡ଼ିଆ ଭାଷାକୋଷ, ୬ଷ୍ଠ ଖଣ୍ଡ, ପୃ. ୭୫୮୦; କବିସୂର୍ଯ୍ୟ ଗ୍ରନ୍ଥାବଳୀ (୧୯୭୭), ୧ମ ଭାଗ, ଜୀବନ ବୃତ୍ତାନ୍ତ, ପୃ. ୪୨-୩, ଅଧ୍ୟାପକ ଦାଶରଥି ଦାସ ଲିଖିତ ‘କବିସୂର୍ଯ୍ୟ କାବ୍ୟବିଭା’ ପୃ. ୨୨ ।

୭.

ପୂର୍ଣ୍ଣଚନ୍ଦ୍ର ଓଡ଼ିଆ ଭାଷାକୋଷ, ୩ୟ ଖଣ୍ଡ, ପୃ. ୩୦୯୦ ।

୮.

Studies in the Geography of Ancient and Mediaeval India (1960) P. 98, 83-84, 114.

୯.

The Geographical Dictionary of Ancient and Mediaeval India, 2nd. Edition (1927), PP. 81-2

୧୦.

‘ଐତିହାସିକ ସ୍ଥାନାବଳୀ’ ୧ମ ସଂସ୍କରଣ (୧୯୭୯), ପୃ. ୩୭୮ ।

୧୧.

‘ପଦମାବତ୍‌’, ଜୋଗୀ ଖଣ୍ଡ, ୧୪୧ ଛାନ୍ଦ ।

୧୨.

‘ଚୈତନ୍ୟ ଭାଗବତ’ (ଦେବ ସାହିତ୍ୟ କୁଟୀର ପ୍ରକାଶନ), ଆଦିଖଣ୍ଡ, ୧ମ ଅଧ୍ୟାୟ, ପୃ. ୧୦

୧୩.

ତତ୍ରୈବ, ୧୩ଶ ଅଧ୍ୟାୟ, ପରିଶିଷ୍ଟ ।

୧୪.

ତତ୍ରୈବ, ଭୌଗୋଳିକ ବିବରଣ, ପୃ. ୫୬୨ ।

୧୫.

‘ଶ୍ରୀ ଚୈତନ୍ୟ ଚରିତାମୃତ’, ଶ୍ରୀ ଶ୍ୟାମସୁନ୍ଦର ନାୟକଙ୍କ ଦ୍ୱାରା ସଂଶୋଧିତ ଓ ଶ୍ରୀ ରଣଜିତ୍‌ ସିଂହଙ୍କ ରା ସଂକଳିତ (୧୯୭୭), ଧର୍ମଗ୍ରନ୍ଥ ଷ୍ଟୋର, ମଧ୍ୟଲୀଳା, ପୃ. ୨୨୧ ।

୧୬.

ତତ୍ରୈବ, ପୃ. ୪୯୭ ଓ ୪୯୯ । (୧୭)

୧୭.

ତତ୍ରୈବ, ପୃ. ୫୦୦ ।

୧୮.

The Indian Historical Quarterly, vol. vii, Dec., 1931, No. 4, P. 697.

୧୯.

Ibid P. 699.

୨୦.

ରାୟସାହେବ ଡଃ ଆର୍ତ୍ତବଲ୍ଲଭ ମହାନ୍ତିଙ୍କ ଦ୍ୱାରା ସଂପାଦିତ ‘ମାଦଳାପାଞ୍ଜି’, ପୃ. ୪ ।

୨୧.

ଏଜନ, ପୃ. ୪୦ ।

୨୨.

ଏଜନ, ପୃ. ୯୪ ।

୨୩.

‘ଶବର’, (ସାଥୀମହଲ ପ୍ରକାଶନ) ପୃ. ୪୫ ।

୨୪.

ପୂ. ଚ. ଓ ଭାଷାକୋଷ, ୩ୟ ଖଣ୍ଡ, ପୃ. ୩୦୯୦ ।

୨୫.

କେଦାରନାଥ ମହାପାତ୍ରଙ୍କ ‘ଖୁରୁଧା ଇତିହାସ’, ୧ମ ସଂସ୍କରଣ (୧୯୬୯), ପୃ. ୨୨୯ ।

୨୬.

ଡ: ସୁଦର୍ଶନ ଆଚାର୍ଯ୍ୟଙ୍କ ‘ସାହିତ୍ୟ ଓ ସାହିତ୍ୟିକ’ , ପୃ. ୨୦୬ ।

୨୭.

‘ଆଲୋଚନା’, ପଣ୍ଡିତ ଶ୍ରୀ ନୀଳମଣି ମିଶ୍ର, ପୃ. ୧୬୧ ।

୨୮.

Nandapur (A Forsaken Kingdom), Part-I, P. ୧୫

୨୯.

Ibid, P. 58 ।

୩୦.

ଶ୍ରୀ ବିକ୍ରମଦେବ ବର୍ମା ରଚନାବଳୀ (୨ୟ ଖଣ୍ଡ), ପ୍ରକାଶକ ଶ୍ରୀ ଗୋପୀନାଥ ମହାନ୍ତି, ପୃ. ୩୦୬, ୩୭୭, ୩୮୪ ।

୩୧.

‘ଆଶ୍ଚର୍ଯ୍ୟ ଚର୍ଯ୍ୟାଚୟ’, ଓଡ଼ିଶା ସାହିତ୍ୟ ଏକାଡେମୀ ପ୍ରକାଶନ (୧୯୬୯), ପୃ. ୧୨ ।

୩୨.

‘Archaeological Survey of Mayurabhanja’, P. xvii ।

୩୩.

Completion Report of the Boudh Settlement of 1907, P. ୪

୩୪.

ସମ୍ବଲପୁର ଇତିହାସ (୨ୟ ମୁଦ୍ରଣ), ପୃ. ୧୮ ଓ ୪୬୦ ।

୩୫.

ଅଧ୍ୟାପକ ଶରତଚନ୍ଦ୍ର ପ୍ରଧାନଙ୍କ ‘ଓଡ଼ିଆ ସାହିତ୍ୟକୁ ଢେଙ୍କାନାଳର ଦାନ’ ପ୍ରବନ୍ଧ, “ବଡ଼ଜେନା ପରିକ୍ରମା”, ପୃ. ୧୫ ।

୩୬.

‘ମୌସୁମୀ’, “ଗଡ଼ନାୟକ ଗ୍ରନ୍ଥାବଳୀ”, ୧ମ ଖଣ୍ଡ, (ଗ୍ରନ୍ଥମନ୍ଦିର ପ୍ରକାଶନ, ୧୯୬୮), ପୃ. ୪୧୮ ।

୩୭.

ତତ୍ରୈବ, ପୃ. ୪୨୦ ।

୩୮.

Koraput District Gazetteer, P. 45

୩୯.

ପଣ୍ଡିତ ସୂର୍ଯ୍ୟନାରାୟଣ ଦାଶ:‘ଓଡ଼ିଆ ସାହିତ୍ୟର ଇତିହାସ’, ୧ମ ଭାଗ, ପୃ. ୨୦୭ରେ ପ୍ରଦତ୍ତ ଉଦ୍ଧୃତି ।

୪୦.

‘Historical Geography of Ancient India’, P. 149.

୪୧.

Inscriptions of Orissa, Vol-III, Part-II, P. 355.

୪୨.

Ibid, P. 357. (୪୩) Ibid.

 

ସହକାରୀ ନିର୍ଦ୍ଦେଶକ,

ରାଜ୍ୟ ପରିସଂଖ୍ୟାନ ଓ ଅର୍ଥନୀତି ବିଭାଗ,

ଭୁବନେଶ୍ଵର

***

 

ନୀଳକଣ୍ଠଙ୍କ ଚାହାଣିରେ ଚମକ

ଶ୍ରୀ ସଚ୍ଚିଦାନନ୍ଦ ମିଶ୍ର

 

ଖାଲି ଓଡ଼ିଆ ସାହିତ୍ୟର ନୁହେଁ, ଯେକୌଣସି ଭାଷା-ସାହିତ୍ୟର ସମାଲୋଚନା ଗୁଣରେ ପଣ୍ଡିତ ନୀଳକଣ୍ଠ ଦାସଙ୍କ ପ୍ରଣୀତ ‘ଓଡ଼ିଆ ସାହିତ୍ୟର କ୍ରମପରିଣାମ’ ଗୋଟିଏ ବ୍ୟତିକ୍ରମ ବୋଲିବାକୁ ହେବ । ଏଇ କଥାଟି ସେଇ ଗ୍ରନ୍ଥର ଆରମ୍ଭରୁ ହିଁ ପ୍ରାଞ୍ଜଳ ଜଣାପଡ଼େ ।

 

ସାହିତ୍ୟର ପରିସୀମା

କ୍ରମପରିଣାମର ଆରମ୍ଭରେ ନୀଳକଣ୍ଠ ସ୍ୱୀକୀୟ ବିଚାର ଅନୁସାରେ ସାହିତ୍ୟର ପରିସୀମା ନିର୍ଣ୍ଣୟ କରିଛନ୍ତି । ଏଇ ନିର୍ଣ୍ଣୟକୁ ଧରିଲେ ହିଁ କ୍ରମପରିଣାମରେ ଆଲୋଚିତ ବିଷୟଗୁଡ଼ିକ ଓଡ଼ିଆ ସାହିତ୍ୟ ପ୍ରସଙ୍ଗକୁ ଆସିବ । ଏଇଠି ନୀଳକଣ୍ଠ ସାହିତ୍ୟକୁ ଭାଷାର ନିଗଡ଼ରେ ବାନ୍ଧି ନ ରଖି ମଣିଷର ଆତ୍ମପ୍ରକାଶର ଯାବତୀୟ ମାଧ୍ୟମ-ଯଥା : କଳା, ବିଜ୍ଞାନ, ଶିଳ୍ପ, ବ୍ୟବହାର-କ୍ଷେତ୍ରକୁ ମଧ୍ୟ ପ୍ରସାରିତ କରିଛନ୍ତି । ତାଙ୍କରି ଭାଷାରେ-

 

“ବ୍ୟାପକ ଭାବରେ ବୁଝିଲେ, ସମାଜବିକାଶର ପ୍ରକାଶ ହେଉଚି ସାହିତ୍ୟ । ଏଇ ବିକାଶର ଚଳଣି ସଂସ୍କୃତିରେ ଧରାହୁଏ । ସାହିତ୍ୟରେ ଏଇ ସଂସ୍କୃତି ମପାହୁଏ । ତେଣୁ ସମାଜର ଚଳଣିଠାରୁ କଳା, କବିତା, ଆଲୋଚନା, ବିଜ୍ଞାନ, ବ୍ୟବହାର ଚିତ୍ର, ସ୍ଥାପତ୍ୟ ପ୍ରଭୃତି ସବୁ ସାହିତ୍ୟର ଅନ୍ତର୍ଗତ ।”

(କ୍ରମପରିଣାମ ପୃ. ୧)

 

ସାହିତ୍ୟରେ ସଂସ୍କୃତି ମପା ହେବା କଥାଟିର ନିଦର୍ଶନ ରୂପେ ଅନ୍ୟାନ୍ୟ ମାପ ବିଷୟ ଆଲୋଚନା କରାଯାଇପାରେ । ସମୟର ଆରମ୍ଭ ନାହିଁ କି ଶେଷ ନାହିଁ । ବର୍ଷ, ମାସ ଆଦି ସସୀମ ଅବଧି ଦ୍ୱାରା ସମୟ ମପା ହୁଏ । ସେହିପରି ଦିକ୍‌ ବା Space ଅନାଦି ଓ ଅନନ୍ତ, ତେଣୁ ଅସୀମ-। କୋଶ, ମାଇଲ ଆଦି ସସୀମ ଦୈର୍ଘ୍ୟ ଦ୍ୱାରା ତାହା ମପା ହୁଏ । ବୁଝିବାକୁ ଗଲେ, ପରିମାଣ (ବର୍ଷ, କୋଶ ଆଦି) ଓ ପରିମେୟ (ସମୟ, ଦିକ୍‌ ଆଦି) ଏକା କଥା ନୁହନ୍ତି–ଯେପରିକି ଗଉଣି ଓ ଧାନ ଏକା ନୁହନ୍ତି–କିନ୍ତୁ ପରିମେୟ ଅମୂର୍ତ୍ତ ବିଷୟ ହେଲେ ପରିମାଣକୁ ଛାଡ଼ିଲେ ତାହାର ଧାରଣା କରିହେବ ନାହିଁ । ଅମୂର୍ତ୍ତ ସଂସ୍କୃତିର ମାପ ସାହିତ୍ୟ ବୋଲି ନୀଳକଣ୍ଠ ଧରିଛନ୍ତି । ସାଧାରଣ ଲୋକେ ବର୍ଷକୁ ସମୟ ବୋଲି ବୁଝନ୍ତି । ବର୍ଷ ଓ ସମୟ ମଧ୍ୟର ଭେଦକୁ ବାରିବା ପାଇଁ ନିବିଡ଼ ବିମର୍ଶ ଆବଶ୍ୟକ । ନୀଳକଣ୍ଠ ସାହିତ୍ୟକୁ ସଂସ୍କୃତିର ପରିମାପକ ବୋଲି ଚିହ୍ନାଇ ସଂସ୍କୃତିର ଅଭିବ୍ୟକ୍ତିଗୁଡ଼ିକ ସାହିତ୍ୟର ଅନ୍ତର୍ଗତ ବୋଲି ବୁଝାଇବା ଭିତରେ ଏପରି ବିମର୍ଶ ରହିଛି ।

 

ସଂସ୍କୃତିକୁ ସାହିତ୍ୟ ଦ୍ୱାରା ମାପିବାର ପ୍ରୟାସ ଆଧୁନିକ । ପରମ୍ପରାରେ ସାହିତ୍ୟ ଥିଲା କିଛି ଶ୍ରାବ୍ୟ (ଯଥା : ବେଦ), କିଛି ପାଠ୍ୟ (ଯଥା : କାବ୍ୟ, ପୁରାଣ) ଓ କିଛି ଦୃଶ୍ୟ (ଯଥା : ନାଟକାଦି ରୂପକ) । ଦୃଶ୍ୟ-ସାହିତ୍ୟ ସହିତ କେତେକ କଳା (ଯଥା : ଅଭିନୟ, ବାଦନ, ବେଶରଚନା) ଅଙ୍ଗାଙ୍ଗୀ ଭାବରେ ରହିଥିଲା; କିନ୍ତୁ ଅନ୍ୟଥା ସାହିତ୍ୟ ଥିଲା ବିଦ୍ୟା, କଳା ନୁହେଁ । ପ୍ରାଚୀନ ଦୃଷ୍ଟିରେ ଯାହା ଭାଷାର ଆଶ୍ରିତ, ତାହା ବିଦ୍ୟା ଓ ଯାହା କର୍ମ ଦ୍ୱାରା ସାଧ୍ୟ ତାହା କଳା । ଏପରି ଭେଦବିଚାର ପାଶ୍ଚାତ୍ୟ ପରମ୍ପରାରେ ନଥିଲେ ହେଁ ସେଠାରେ ମଧ୍ୟ କଳା ଓ ସାହିତ୍ୟର ପାର୍ଥକ୍ୟ ସ୍ୱୀକୃତ ହେଉଥିଲା । ଚଳିତ ଶତାବ୍ଦୀର ଆରମ୍ଭରେ ଇତାଲୀୟ ପଣ୍ଡିତ ବେନେଡ଼େଟୋ କ୍ରୋଶେ (୧୮୬୨-୧୯୫୨) ‘ଏସ୍‌ଥେଟିକ୍‌’ ପୁସ୍ତକରେ ମଣିଷର ଭାଷା ଓ କଳା ଏକାତ୍ମ ବୋଲି ପ୍ରତିପାଦନ କରି ଭାଷାଦର୍ଶନର ସୂତ୍ରପାତ କରିଥିଲେ । କ୍ରୋଶେଙ୍କ ଅନୁଗାମୀ ଇଂରେଜୀ ସମାଲୋଚକ ଜର୍ଜ କୋଲିଂଉଡ଼୍‌ କହିଥିଲେ “କଳା ଓ ଭାଷାର ଅନନ୍ୟତା ହିଁ ମୋ ଆଲୋଚନାର ଲକ୍ଷ୍ୟ” । ସାହିତ୍ୟ ଓ ସଂସ୍କୃତି ମଧ୍ୟର ସାମଞ୍ଜସ୍ୟ କଥାଟି ଏହା ସହିତ ସଂପୃକ୍ତ ହୋଇପାରେ, କାରଣ ଭାଷା ସାହିତ୍ୟର ବାହକ ଓ ଭାଷା ସାଙ୍ଗକୁ କଳା ଓ ସଂସ୍କୃତିର ବାହକ; ଯଦିଚ ନୀଳକଣ୍ଠ କ୍ରୋଶେ ଆଦିଙ୍କୁ ଅଧ୍ୟୟନ କରିଥିବା କଥା ଜଣାନାହିଁ । ନୀଳକଣ୍ଠଙ୍କ ଦୃଷ୍ଟି ଅନନ୍ୟସାଧାରଣ, ସାଧାରଣ ଲୋକେ ସାହିତ୍ୟକୁ କଳା ଭିତରେ ଦେଖନ୍ତି ନାହିଁ । ନିଜର ଦୃଷ୍ଟିର ଅନନ୍ୟସାଧାରଣତା ବିଷୟରେ ସେ ସଚେତନ ମଧ୍ୟ । ସେ କହିଛନ୍ତି :

 

“ସ୍ପଷ୍ଟ ଲେଖାରେ ପ୍ରକାଶ ପାଇଲେ, ସାହିତ୍ୟ ଦେଖିବା ଓ ବୁଝିବା ସୁଗମ ହୁଏ ।

ତେଣୁ ସାଧାରଣତଃ ଲେଖା-ସାହିତ୍ୟକୁ ଇ ସାହିତ୍ୟ କହନ୍ତି”

(କ୍ରମପରିଣାମ—ପୃ. ୩)

 

ଚାହାଣି, ଚଳଣି, ଚମକ

ସାହିତ୍ୟ ବିଷୟରେ ନୀଳକଣ୍ଠଙ୍କର ଏ ପ୍ରକାର ବିଚାର ନିଶ୍ଚୟ ଅଭିନବ । ଅଭିନବତା ନୀଳକଣ୍ଠଙ୍କର ସ୍ୱଭାବର ଗୋଟିଏ ବିଶିଷ୍ଟ ଲକ୍ଷଣ, ତାଙ୍କର ସବୁ ଆଲୋଚନାରେ ଅଭିନବତା ଫୁଟି ଦିଶେ, ଯାହାକୁ ନିଜେ ନୀଳକଣ୍ଠ ‘ଚମକ’ ଆଖ୍ୟା ଦେଇଛନ୍ତି । ସାହିତ୍ୟର ଅବଧାରଣା ପ୍ରସଙ୍ଗରେ ସେ ଚାହାଣି ଓ ଚଳଣି ସାଙ୍ଗକୁ ଚମକ-ତତ୍ତ୍ୱର ଅବତାରଣା କରିଛନ୍ତି ଓ ତାହା ନୀଳକଣ୍ଠଙ୍କର ସାହିତ୍ୟ-ସମାଲୋଚନାର ମୂଲ୍ୟବୋଧ ପାଇଁ ଖୁବ୍‌ ସହାୟକ । କ୍ରମପରିଣାମରେ ଚାହାଣି ବା ଚିତ୍ତବୃତ୍ତିର ଭାବ ବା Theory ଓ ଚଳଣି ବା ଆଚରିତ ଭାବ ବା practice ଉପରେ ‘ଚମକ’ର ପ୍ରାଧାନ୍ୟ ଦର୍ଶାଇ ସେ କହିଛନ୍ତି :

 

“କଞ୍ଚା ଓଡ଼ିଆରେ କହିଲେ ଚାହାଣି, ଚଳଣି, ଓ ଚମକ, ଏଇ ତିନୋଟିରେ ସମାଜର ସଂସ୍କୃତି ଦେଖାପଡ଼େ । ଚାହାଣି ବୋଇଲେ ‘ଦର୍ଶନ’ ଓ ଦୃଷ୍ଟିଭଙ୍ଗୀ, ଏଥିରେ ତତ୍ତ୍ୱକଥା, ଆଲୋଚନା ଓ ଆବିଷ୍କ୍ରିୟା ସବୁ ରହିଲା । ଚଳଣି ବୋଇଲେ ସମାଜର ଆଦାନପ୍ରଦାନ ଘଟିତ ସମସ୍ତ ବ୍ୟବହାର ସମେତ ପ୍ରୟୋଜନର ସୃଷ୍ଟି ତଥା କଳାର ସୃଷ୍ଟିସବୁ ବୁଝାଯିବ । ଚମକ ବୋଇଲେ ସଙ୍କେତର ଆକସ୍ମିକତା ଓ ଭାବର ଆମାପ ସ୍ଫୁରଣ । ଚାହାଣି ଓ ଚଳଣି ଭିତରେ ଏଇ ଚମକ ସର୍ବତ୍ର ପ୍ରକାଶ ପାଏ । ଏହା ହିଁ କଳା, କବିତା, ସୌଷ୍ଠବ ଓ ସୌନ୍ଦର୍ଯ୍ୟ ଭିତରେ ମନୁଷ୍ୟକୁ ଆନନ୍ଦ ଆଡ଼କୁ ଆକର୍ଷଣ କରେ । ଚାହାଣି ଓ ଚଳଣି ସାହିତ୍ୟର ଶରୀର । ଏଇ ଚମକ ହେଉଛି ତା’ ପ୍ରାଣ । (କ୍ରମପରିଣାମ ପୃ.୨)
 

ଚାହାଣି ଓ ଚଳଣି ମଧ୍ୟର ପାର୍ଥକ୍ୟ ବିଷୟରେ ସଚେତନତା ଦୂର ଅତୀତରେ ମଧ୍ୟ ଥିଲା-। ଚାହାଣି-ଚଳଣି ଭେଦ ପରି ଜ୍ଞାନକାଣ୍ଡ କର୍ମକାଣ୍ଡ, ମନନ-କର୍ତ୍ତବ୍ୟ, ତତ୍ତ୍ୱ-ବ୍ୟବହାର, ପାଣ୍ଡିତ୍ୟ-ଆଚାର, ଧ୍ୟାନ ସେବା, Theory-Practice ଭେଦ । ଏହା ସହିତ ଚମକକୁ ଯୋଡ଼ିବା କଥାଟି ନୀଳକଣ୍ଠଙ୍କ ବିଶେଷତ୍ୱ । ଲକ୍ଷ୍ୟ କରିବାର କଥା, ନୀଳକଣ୍ଠ ଚାହାଣି ଓ ଚଳଣି ଉଭୟକୁ ସାହିତ୍ୟର ଶରୀର ବୋଲି କହିଥିବା ବେଳେ ଚମକକୁ ତାହାର ପ୍ରାଣ ବୋଲି କହିଛନ୍ତି । ସାହିତ୍ୟର ପ୍ରାଣ ଚମକ, ଏ କଥାଟିକୁ ସେ ଅତି ମାମୁଲି ଭାବରେ କହିପକାଇଛନ୍ତି ସତ୍ୟ; କିନ୍ତୁ ଭାବିଲେ କଥାଟି ଖୁବ୍‌ ମହତ୍ତ୍ୱପୂର୍ଣ୍ଣ । ସାହିତ୍ୟର ଆତ୍ମା ବା ପ୍ରାଣ ଖୋଜିବା ବ୍ୟାପାରଟି ଭାରତରେ ବହୁ ଯୁଗରୁ ଚାଲିଛି । ଆଳଙ୍କାରିକମାନେ ନାନା ଯୁକ୍ତିତର୍କ ମଧ୍ୟରେ ଆପଣା ମତଟିକୁ ସାବ୍ୟସ୍ତ କରିବାକୁ ଖୁବ୍‌ ପ୍ରୟାସ କରିଛନ୍ତି । କିନ୍ତୁ ସମସ୍ତେ ଯେଝା ହାତରେ ଚଉଦ ପାଆ । ଧ୍ୱନି, ବକ୍ରୋକ୍ତି, ଔଚିତ୍ୟ, ରସ, ରମଣୀୟର୍ଥ ପ୍ରତିପାଦନ ଆଦି ସାହିତ୍ୟର ବିଭିନ୍ନ ଗୁଣକୁ ଆଳଙ୍କାରିକ ସାହିତ୍ୟର ଆତ୍ମା ବୋଲି ଚିହ୍ନାଇଛନ୍ତି । ନୀଳକଣ୍ଠ ‘ସାହିତ୍ୟର ପ୍ରାଣ ଚମକ’ କଥାଟିକୁ ପ୍ରମାଣିତ କରିବାକୁ ପ୍ରୟାସୀ ହୋଇ ନ ଥିଲେ ହେଁ ଏଇ ପରଂପରାକୁ ପୃଷ୍ଠଭୂମି କରି ତାହାର ତାତ୍ପର୍ଯ୍ୟ ବୁଝିବା ଠିକ୍‌ ହେବ ।

 

ସାହିତ୍ୟରେ ଚମକ କ’ଣ ?

ଚାହାଣି ଓ ଚଳଣିର ଆଦ୍ୟ ଚକାର ସାଙ୍ଗକୁ ଚମକ ଠିକ୍‌ ଖାପୁଛି । ନୀଳକଣ୍ଠଙ୍କ ସ୍ୱୀକୃତି ଅନୁସାରେ ଏ ସବୁ କଞ୍ଚା ଓଡ଼ିଆ ଶବ୍ଦ । ଏପରି ଘରୁଆ ଓଡ଼ିଆ ଶବ୍ଦସବୁକୁ ବାଛି ଆଣି ଉଚ୍ଚାଙ୍ଗ ଆଲୋଚନା ଭିତରେ ଖଟାଇ ପାକଳ କରାଇବାର ଆଦତ୍‌ ତାଙ୍କର ଥିଲା । ବ୍ୟବହାରରେ ଚମକର ତିନି ପ୍ରକାର ଅର୍ଥ ଦେଖାପଡ଼େ : – (୧) ଛନକା ବା ଭୟ; (୨) ଝଟକ ଓ (୩) ବିସ୍ମୟ । ସଂସ୍କୃତର ଚମତ୍କାର ଶବ୍ଦଜ ହୋଇଥିବାରୁ ତାହାର ବିସ୍ମୟ ଅର୍ଥଟି ହିଁ ମୌଳିକ । ନୀଳକଣ୍ଠ ବିସ୍ମୟ ଅର୍ଥରେ ଚମକ ଶବ୍ଦ ପ୍ରୟୋଗ କରିଥିବା ବିଷୟରେ ସନ୍ଦେହ ରହୁନାହିଁ କାରଣ ସେ ସ୍ପଷ୍ଟ କରି ପକାଇଛନ୍ତି ଯେ ଚମକରେ ସଙ୍କେତର ଆକସ୍ମିକତା ଓ ଭାବର ଅମାପ ସ୍ଫୁରଣ ଥାଏ । ବିସ୍ମୟ କଥାଟି ସବୁବେଳେ ଆକସ୍ମିକ ଓ ଅପ୍ରତ୍ୟାଶିତ । ପାଣିନି ଅଷ୍ଟାଧ୍ୟାୟୀରେ କହିଛନ୍ତି ‘ଆଶ୍ଚର୍ଯ୍ୟମନିତ୍ୟେ’, ଯାହା ଅନିତ୍ୟ ଅର୍ଥାତ୍‌ ବିରଳ ଭାବରେ ଘଟେ ତାହା ଆଶ୍ଚର୍ଯ୍ୟ । ଏହା ଉପରେ ବାର୍ତ୍ତିକରେ କାତ୍ୟାୟନ କହିଲେ ‘ଆଶ୍ଚର୍ଯ୍ୟମଦ୍‌ଭୁତମିତି ବକ୍ତବ୍ୟମ୍‌’ । ଏଠି ଅଦ୍‌ଭୁତ ଶବ୍ଦର ନିର୍ବାଚନ ଅତି ଉପଯୁକ୍ତ । ନିରୁକ୍ତ ଅନୁସାରେ ଅଦ୍‌ଭୁତର ଅର୍ଥ ନ ଭୂତ ଅର୍ଥାତ୍‌ ଯାହା ପରି କିଛି ଅତୀତରେ ଘଟି ନ ଥିଲା । ଅଳଙ୍କାର ଗ୍ରନ୍ଥଗୁଡ଼ିକରେ ମଧ୍ୟ ଅଦ୍‌ଭୁତ ରସର ଆଲୋଚନା ପ୍ରସଙ୍ଗରେ ଅପୂର୍ବତାକୁ ଅଦ୍‌ଭୂତର ଉତ୍ସ ବୋଲି ଧରାଯାଇଛି । ଏଣୁ ଚମକରେ କ୍ରମାନୁସାରିତା ନ ଥାଏ, ଅନୁକରଣ ନ ଥାଏ, ପୁନରାବୃତ୍ତି ନ ଥାଏ, ଧାରାବାହିକତା ନ ଥାଏ କି ପ୍ରତ୍ୟାଶିତତା ନ ଥାଏ; ଥାଏ ବ୍ୟତିକ୍ରମ, ମୌଳିକତା, ଅଭିନବତା, ଅପୂର୍ବତା, ଅପ୍ରତ୍ୟାଶିତତା । ଏଣୁ ନୀଳକଣ୍ଠ ଚମକରେ ଆକସ୍ମିକତା ଓ ଅମାପ ସ୍ଫୁରଣ ଥିବା କଥା କହିବାର ତାତ୍ପର୍ଯ୍ୟ ବୁଝିହେଉଛି ।

 

ଜଣେ ସଂସ୍କାରବାଦୀ ଜନନାୟକ ଭାବରେ ନୀଳକଣ୍ଠ ପରିବର୍ତ୍ତନକୁ ପସନ୍ଦ କରିବା ସ୍ୱାଭାବିକ । ଆକସ୍ମିକତା ନ ଥିଲେ, ଅପ୍ରତ୍ୟାଶିତତା ନ ଥିଲେ ଗତାନୁଗତିକତା ଭିତରେ ମଣିଷ ଗୁଳାରେ ପଡ଼ିଥିବା ଶଗଡ଼ ପରି ସ୍ୱାଚ୍ଛନ୍ଦ୍ୟ ହରାଇ ବସେ । ଗତି ନୀରସ ଓ ଆକର୍ଷଣହୀନ ହୋଇପଡ଼େ । ଜଣାପଡ଼ୁଛି, ଚମକ ସାହିତ୍ୟର ପ୍ରାଣ ବୋଲି କହିବା ଭିତରେ ସେ ନିଜ ଜୀବନଦର୍ଶନର ସଂସ୍କାରପ୍ରବଣ ଦିଗଟିକୁ ପ୍ରକାଶ କରିଛନ୍ତି । ଏହାରି ଜରିଆରେ ସେ ସାହିତ୍ୟ ରାଜ୍ୟର ଭାବ, ଭାଷା ଓ ପ୍ରକାଶଭଙ୍ଗୀରେ ଅଭିନବତାକୁ ସ୍ୱାଗତ କରିଛନ୍ତି ମଧ୍ୟ ।

 

ନିବନ୍ଧର ଶୈଳୀ

ସାହିତ୍ୟର ପ୍ରାଣକଳ୍ପ ଚମକକୁ ନୀଳକଣ୍ଠ କ୍ରମପରିଣାମରେ କେତେଦୂର ସଞ୍ଚାର କରିଛନ୍ତି, ତା’ ଦେଖିବାର କଥା । ଏହି ପ୍ରସଙ୍ଗରେ କ୍ରମପରିଣାମର ରଚନାଶୈଳୀ ବିଷୟଟି ଆଲୋଚ୍ୟ, କାରଣ ସବୁ ପ୍ରକାରର ରଚନାଶୈଳୀ ପାଇଁ ଚମକର ଉପଯୋଗିତା ସମାନ ନୁହେଁ ।

 

ମୋଟାମୋଟି ଭାବରେ କହିବାକୁ ଗଲେ, ନିବନ୍ଧ ରଚନାରେ ତିନି ପ୍ରକାରର ଶୈଳୀର ଉପଯୋଗ ହୁଏ । ପ୍ରଥମତଃ, ପ୍ରତିପାଦକ ଶୈଳୀ, ଯାହାକୁ ପାଶ୍ଚାତ୍ୟ ପରମ୍ପରାରେ Dialectical style କୁହାଯାଏ । ଏହି ଶୈଳୀର ଆଧାର ଯୁକ୍ତି ଓ ପ୍ରମାଣ । ସିଦ୍ଧାନ୍ତରେ ଉପନୀତ ହେବା ପାଇଁ ଖଣ୍ଡନ-ମଣ୍ଡନର ଧାରା ଏହି ଶୈଳୀର ବିଶେଷତ୍ୱ । ପ୍ରତିକୂଳ ସିଦ୍ଧାନ୍ତକୁ କାଟି ଯୁକ୍ତିପ୍ରମାଣ ବାଢ଼ି ଆପଣା ସିଦ୍ଧାନ୍ତକୁ ଠିଆ କରାଇବା ମଧ୍ୟରେ ପାଠକକୁ ଲେଖକ ସପକ୍ଷ ରାୟ ଦେବା ଭଳି ବୁଝାଇଦେବା ପ୍ରତିପାଦକ ଶୈଳୀର ଲକ୍ଷଣ । ଦ୍ୱିତୀୟତଃ, ଆମୋଦକ ଶୈଳୀ, ଯାହା Middle Styleର ସଜାତୀୟ । ପାଠକ ପାଇଁ ରୋଚକ ଭାବପ୍ରକାଶ ହେଉଛି ଏହି ଶୈଳୀର ଆଧାର । କ’ଣ କିପରି ଲେଖିଲେ ପାଠକ ସନ୍ତୁଷ୍ଟ ହୋଇ ଲେଖକର ପ୍ରଶଂସା କରିବ, ଏହି ପ୍ରଶ୍ନଟି ଲେଖକକୁ ଘାରିଥାଏ । ଏଠି ଲେଖକ ପାଠକକୁ ନିଜ ଆଡ଼କୁ ଟାଣି ଆଣିବା ପରିବର୍ତ୍ତେ ନିଜେ ତା’ର ପ୍ରତ୍ୟାଶିତ ପାଠକଙ୍କ ଆଡ଼କୁ ଟାଣି ହୋଇଯାଏ । ତୃତୀୟତଃ, ଉଦ୍‌ବୋଧକ ଶୈଳୀ ବା Eristical Style । ଭାବାବେଗ ଓ ଆଦର୍ଶ ଏହି ଶୈଳୀର ଆଧାର । ଆଲୋଚ୍ୟ ବିଷୟରେ ଲେଖକର ସ୍ୱତନ୍ତ୍ର ମତ ଥାଏ ଓ ନାନାବିଧ ଭାବାବେଗ ଓ ଆଦର୍ଶବାଦର ଦ୍ୱାହି ଦେଇ ସେ ପାଠକକୁ ଉଦ୍‌ବୁଦ୍ଧ କରିଥାଏ । ଜାତୀୟ ଗୌରବବୋଧ , ଆଞ୍ଚଳିକ ପ୍ରୀତି, ଦେଶପ୍ରେମ, ଐତିହ୍ୟ, ଶିଷ୍ଟପରଂମ୍ପରା, ଭାଷାଚେତନା, ଧର୍ମ, ଆଦର୍ଶବାଦ ଆଦି ବିଭିନ୍ନ ଆବେଗ ଓ ବିଶ୍ୱାସର ପ୍ରଚୋଦନା ଦ୍ୱାରା ଲେଖକ ପାଠକକୁ ଦୀକ୍ଷିତ କରାଇନିଏ । ସବୁ ଖ୍ୟାତିବନ୍ତ ବକ୍ତା ଏହି ଶୈଳୀର ଉପଯୋଗ କରିଥା’ନ୍ତି ।

 

ଅନ୍ୟଦିଗରୁ ଦେଖିଲେ ପାଠକକୁ ସମଝାଇବା, ଖୁସି କରାଇବା ଓ ମୁଗ୍‌ଧ କରାଇବା ଏଇ ତିନି ଶୈଳୀର କାର୍ଯ୍ୟ । ସମଝାଇବା ଲୋକଟିକୁ ପାଠକର ସ୍ତରକୁ ଖସି ଆସିବାକୁ ହୁଏ, ଖୁସି କରାଇବା ଲୋକଟି ପାଠକ ତୁଳନାରେ ଗୌଣ ଓ ମୁଗ୍‌ଧ କରାଇବା ଲୋକଟି ସବୁବେଳେ ଉପର ସ୍ତରରେ ରହି ପାଠକକୁ ଉଦ୍‌ବୋଧନ ଦେଇଥାଏ । ଏହି ତ୍ରିବିଧ ଶୈଳୀର ଆଭିମୁଖ୍ୟରେ ମଧ୍ୟ ତାରତମ୍ୟ ରହିଛି । ପ୍ରତିପାଦକ ଶୈଳୀର ଆଭିମୁଖ୍ୟ ସତ୍‌ ଉପରେ ଆଶ୍ରିତ ସତ୍ୟ, ଅବଶ୍ୟ ତା’ ଲେଖକ ଯେତେଦୂର ବୁଝିଛି । ଉଦ୍‌ବୋଧକ ଶୈଳୀର ଆଭିମୁଖ୍ୟ ଚିତ୍‌ ଉପରେ ଆଶ୍ରିତ ଜୀବନାଦର୍ଶ, ଏହା ମଧ୍ୟ ଲେଖକର ବ୍ୟକ୍ତିଗତ ଚେତନାପ୍ରସୂତ । ଆମୋଦକ ଶୈଳୀର ଆଭିମୁଖ୍ୟ ଆନନ୍ଦ ଉପରେ ଆଶ୍ରିତ ସନ୍ତୋଷ, ଏହା ଲେଖକ ଦ୍ୱାରା ପ୍ରତ୍ୟାଶିତ ପାଠକର ସନ୍ତୋଷ ।

 

ମନେ ରଖିବାକୁ ହେବ, ନିରୁତା ଗୋଟିଏ ଶୈଳୀର ରଚନା କ୍ୱଚିତ୍‌ ମିଳେ । ନିବନ୍ଧରେ ଶୈଳୀଗୁଡ଼ିକ ସାଧାରଣତଃ ଊଣା ଅଧିକ ମାତ୍ରାରେ ମିଶିମାଶି ଥାଆନ୍ତି ଓ ଯେଉଁ ଶୈଳୀର ପ୍ରାଧାନ୍ୟ ତନ୍ମଧ୍ୟରେ ଅଧିକ, ନିବନ୍ଧଟି ସେହି ଶୈଳୀର ରଚନା ବୋଲି ଧରିବାକୁ ହୁଏ ।

 

ଏଇ ତିନି ଶୈଳୀ ପାଇଁ ଚମକର ଉପଯୋଗିତା କମ୍‌ ବେଶି ରହିଛି । ପ୍ରତିପାଦକ ଶୈଳୀ ଯୁକ୍ତି-ପ୍ରମାଣାଶ୍ରିତ ହେବା ଯୋଗୁଁ ସଙ୍କେତର ଆକସ୍ମିକତା ଓ ଭାବର ଅମାପ ସ୍ଫୁରଣର ସମ୍ଭାବନା ସେଥିରେ ସୀମାବଦ୍ଧ । ଆମୋଦକ ଶୈଳୀ ପାଠକର ରୁଚିନିର୍ଭର ହେବା ଯୋଗୁଁ ଅପ୍ରତ୍ୟାଶିତତା ଓ ଅଭିନବତା ଏଥିରେ ଅଧିକ ହୋଇପାରେ ନାହିଁ । କିନ୍ତୁ ଉଦ୍‌ବୋଧକ ଶୈଳୀ ପାଇଁ ଚମକ ଖୁବ୍‌ ଉପଯୋଗୀ । ପାଠକର ମନକୁ ହଠାତ୍‌ ଆକର୍ଷଣ କରିବାରେ ଓ ତାହାର ଗତାନୁଗତିକ ଚିନ୍ତାଧାରାକୁ ଅଟକାଇ ଭିନ୍ନ ଆଡ଼କୁ ମୁହାଁଇବାରେ ଚମକ ବିଶେଷ କାମ ଦିଏ ।

 

କ୍ରମପରିଣାମର ଶୈଳୀ

କ୍ରମପରିଣାମର ଦୁଇଟିଯାକ ଭାଗ ପ୍ରଧାନତଃ ଉଦ୍‌ବୋଧକ ଶୈଳୀରେ ଲେଖା ହୋଇଛି-। ଅବଶ୍ୟ ନୀଳକଣ୍ଠ ମଧ୍ୟେ ମଧ୍ୟେ ସ୍ୱମତକୁ ପୁଷ୍ଟ କରିବା ପାଇଁ କିଛି ଯୁକ୍ତି ବାଢ଼ିଛନ୍ତି; କିନ୍ତୁ କ୍ୱଚିତ୍‌ ସେ ସମସ୍ତ ବିରୁଦ୍ଧ ମତକୁ ନିରସିତ କରି ନିଜ ମତକୁ ପ୍ରତିଷ୍ଠା କରିବାକୁ ଚାହିଁଛନ୍ତି । ତାଙ୍କର ବିଷୟଚର୍ଚ୍ଚାର ଢଙ୍ଗ ଏପରି ଯେ ଯୁକ୍ତିସର୍ବସ୍ଵ ପ୍ରମାଣନିର୍ଭର ପଦ୍ଧତିରେ ଉପଲବ୍ଧ ଯାବତୀୟ ଉପାଦାନର ବିଶ୍ଳେଷଣ, ବ୍ୟାଖ୍ୟା ଓ ଆଲୋଚନା ତାହାର ଉଦ୍ଦେଶ୍ୟ ହିଁ ନୁହେଁ । ଠାଏ ଠାଏ ଯୁକ୍ତିପ୍ରମାଣସର୍ବସ୍ୱ ଶୈଳୀ ପ୍ରତି ସେ କଟାକ୍ଷ ମଧ୍ୟ କରି କହିଛନ୍ତି:– “ଅନେକ ମଧ୍ୟ ମାର୍ଜିତ ଓଡ଼ିଆର ପ୍ରାଚୀନତାଟାକୁ ସତେଯେପରି କଚେରୀରେ ପ୍ରମାଣ କରୁଛନ୍ତି, ଏଇ ବୁଦ୍ଧିରେ ସାହିତ୍ୟ ଆଲୋଚନା କରନ୍ତି” (ପୃ: ୪୯୧) । କ୍ରମପରିଣାମର ଛତ୍ରେ ଛତ୍ରେ ତୁଙ୍ଗ ଉଦ୍‌ବୋଧକ ଶୈଳୀର ପ୍ରାଧାନ୍ୟ ବାରି ହେବ । ଭାତହାଣ୍ଡିରୁ ଗୋଟିଏ :-

 

“ବୁଝିରଖିବାର ଅଛି, ଆମ ସଭ୍ୟତାର ତୁଙ୍ଗ ଓ ବିଶାଳ ଇତିହାସ ଅଛି । ସାହିତ୍ୟରେ ତା ପ୍ରକାଶ ପାଇଛି । କାଳେକାଳେ ଇତିହାସର ସେଇ ସାଧନାରେ ଆମ ସାହିତ୍ୟ ପରମ୍ପରା ପ୍ରତିଷ୍ଠାରେ ଆତ୍ମବାନ । ବେଷ୍ଟନୀର ପ୍ରେରଣା ଘେନି, ପୁଣି ସେଇ ବେଷ୍ଟନୀକୁ ପ୍ରଭାବିତ କରି ଜୀବନ୍ତ ଓ ଜାଗ୍ରତ ମାନବ-ସମାଜ ତଥା ଭାରତ ସମାଜରେ ଓଡ଼ିଆର ବଳିଷ୍ଠ ଓ ପ୍ରତିଷ୍ଠିତ ବ୍ୟକ୍ତିତ୍ଵ ପ୍ରକାଶ ପାଇ ଆସିଛି । ଏ ବ୍ୟକ୍ତିତ୍ଵର ପ୍ରତିଷ୍ଠା ଓ ପରମ୍ପରା ଯେତେ ସ୍ପଷ୍ଟ ହେବ, ପୁଣି ଯେତେ ବଢ଼ିବ,ଭାରତ ତଥା ମହାମାନବ ସମାଜର ବ୍ୟକ୍ତିତ୍ୱ, ସଂହତିର ଆଦାନପ୍ରଦାନରେ ସେତେ ପରିପୁଷ୍ଟ ହେବ । ବିଶ୍ୱାସ କରିବାକୁ ହେବ, ଆମ ନିଜର ସାହିତ୍ୟ ତଥା ସମାଜକୁ ସୁଦୃଢ଼ ଓ ସୁପୁଷ୍ଟ କରିବା ହିଁ ଆମର ଭାରତସେବା ଓ ସେଇ ସୂତ୍ରରେ ବିଶ୍ୱସେବା । ବିଶ୍ୱଶୃଙ୍ଖଳାରେ ଓଡ଼ିଆର ନବାର ଯେପରି ଅଛି, ଦବାର ମଧ୍ୟ ସେହିପରି ଅଛି । ସେ ନେଇ ଆସିଛି , ଦେଇ ଆସିଛି” ।

(କ୍ରମପରିଣାମ ପୃ. ୨୨)

 

ଚିରକାଳ ବନ୍ୟା ଓ ଦୁର୍ଭିକ୍ଷର ତାଡ଼ନା ସହି ସହି ଶିଳ୍ପ,ବିଜ୍ଞାନ, କାରିଗରୀ,ବାଣିଜ୍ୟ ବ୍ୟବସାୟ, ଶିକ୍ଷା,ସ୍ୱାସ୍ଥ୍ୟ, ପରିବହନ, କଳା, କ୍ରିଡ଼ା, କୃଷି, ରାଜନୀତି ଆଦି ସକଳ କ୍ଷେତ୍ରରେ ଭାରତରେ ସବା ପଛରେ ପଡ଼ିଥିବା ନିର୍ବୋଧ ଓ ଦୁର୍ବଳ ଓଡ଼ିଆମାନଙ୍କ ପାଇଁ ନୀଳକଣ୍ଠଙ୍କ ମାନବ-ସମାଜ ତଥା ଭାରତ ସମାଜରେ ଓଡ଼ିଆର ବଳିଷ୍ଠ ଓ ପ୍ରତିଷ୍ଠିତ ବ୍ୟକ୍ତିତ୍ୱ ପ୍ରକାଶ ପାଇ ଆସିଛି’ ବାଣୀର ମହତ୍ୱ ନ କହିଲେ ବି ବୁଝାପଡ଼ୁଛି । ଏଥିରେ କେତେ ପଣ ସଭ୍ୟତା ଅଛି,ଦେଶଭକ୍ତି କେତେ ପଣ ଅଛି, ଆପଣାର ଲୋକମାନଙ୍କୁ ସ୍ୱାଭିମାନ ଦେଇ ଉନ୍ନତିର ସିଡ଼ିରେ ଚଢ଼ାଇବା ଲାଗି ଆକାଂକ୍ଷା କେତେ ପଣ ଅଛି, ତା’ କଳନା କରିବା ପାଇଁ ଅବକାଶ ନାହିଁ; ଉଦ୍‌ବୋଧନ ଶୈଳୀରେ ତଥ୍ୟ ଅପେକ୍ଷା ଭାବାବେଗ ଓ ବିଶ୍ୱାସ ସବୁବେଳେ ଜୋର୍‌ଦାର୍‌ । ଜଣେ ବିଦେଶୀ ଐତିହାସିକ ହଣ୍ଟର୍‌ ଓଡ଼ିଆଙ୍କ ବିଷୟରେ କରିଥିବା କଟୂକ୍ତିର ପୃଷ୍ଠଭୂମିରେ ଓଡ଼ିଆ ଜନନାୟକ ନୀଳକଣ୍ଠଙ୍କ ‘ଆମ ସଭ୍ୟତାର ତୁଙ୍ଗ ଓ ବିଶାଳ ଇତିହାସ ଅଛି’ ଅଭିମତକୁ ଥୋଇଲେ ଉଦ୍‌ବୋଧନରେ ଚମକର ଭୂମିକାକୁ ମାନିବାକୁ ପଡ଼ିବ । ହଣ୍ଟର ତାଙ୍କ ‘ଓଡ଼ିଶା’ ପୁସ୍ତକର ସମ୍ଭାବନା କଥା କହିବାକୁ ଯାଇ ଓଡ଼ିଆଙ୍କୁ ତୁଚ୍ଛ ଜ୍ଞାନ କରି କହିଛନ୍ତି :-

 

“To the world’s call-roll of heroes it will add not one name. The people of whom it treats have fought no great battle for human liberty, nor have they succeeded even in the more primary task of subduing the forces of nature to the control of man. To them the world stands indebted for not a single discovery which augments the comforts or mitigates the calamities of life. Even in literature-the peculiar glory of the Indian race-they have won no conspicuous triumph”.

(ORISSA Vol. I, P. 3)

 

କ୍ରମପରିଣାମର ଆଭିମୁଖ୍ୟ

କ୍ରମପରିଣାମ କ୍ରମାଗତ ଭାବରେ ଲେଖା ହୋଇ ନାହିଁ । ପ୍ରଥମ ଭାଗ ଲେଖା ସରିଲା ୧୯୪୮ରେ । ଏହାର ଦୁଇବର୍ଷ ପରେ ୧୯୫୦ରେ ଦ୍ୱିତୀୟ ଭାଗ ଲେଖା ଆରମ୍ଭ ହେଲା । ଶହେ ପୃଷ୍ଠା ଖଣ୍ଡେ ଲେଖାହୋଇ ଛାପା ସରିବା ପରେ ଲେଖା ଅଟକି ରହିଲା । ନୀଳକଣ୍ଠ ଏହି ସମୟରେ ରାଜନୀତିରେ ବ୍ୟସ୍ତ ରହିଲେ । ପୁଣି ଦୁଇବର୍ଷ ବାଦ୍‌ ୧୯୫୨ର ସାଧାରଣ ନିର୍ବାଚନ ସରିବା ପରେ ଦ୍ୱିତୀୟ ଭାଗର ଅବଶିଷ୍ଟ ଅଂଶ ଲେଖାହେଲା । ନୀଳକଣ୍ଠ ଜଣାଇଛନ୍ତି, “ପରବର୍ତ୍ତୀ ଅଂଶମାନ ଲେଖିଲା ବେଳକୁ ପୂର୍ବବର୍ତ୍ତୀ ଅଂଶମାନ ଛାପା ହୋଇଯାଉଥିଲା । ଏଥିରେ ଯାହା ଅସୁବିଧା ହୋଇଥିବ, ତା’ ପାଠକମାନେ ବୁଝିପାରିବେ ଓ ବୁଝି ସହିଯିବେ ବୋଲି ଅନୁରୋଧ କରୁଛି” (ପୃ. ୨୪୧) । ରଚୟିତା ଆପଣା ଲେଖାକୁ ଆଉଡ଼ାଇ ସୁଧାରି ପାରି ନ ଥିବାରୁ ଗ୍ରନ୍ଥରେ କିଛି ପୁନରୁକ୍ତି, ଅସମତୁଲତା ଆଦି ସାଙ୍ଗଠନିକ ଦୁର୍ବଳତା ରହିଯାଇଛି । ଦ୍ୱିତୀୟ ଭାଗ ଲେଖା ସରିଲା ବେଳକୁ ନୀଳକଣ୍ଠଙ୍କ ପରିକଳ୍ପନାରେ ଏହାର ଆହୁରି ଦୁଇଟି ଭାଗ ଥିଲା । ତୃତୀୟ ଭାଗରେ ଜଗନ୍ନାଥ ଧର୍ମର ଗତି ଓ ପରିଣତି ବିଷୟ ଓ ଚତୁର୍ଥ ଭାଗରେ ସାହିତ୍ୟ ଓ ଶିଳ୍ପର ଧାରା ବିଷୟ ଆଲୋଚନା କରିବା ଇଚ୍ଛା ତାଙ୍କର ଥିଲା । ଏହି ଶେଷ ଦୁଇଭାଗ ‌ପ୍ରକାଶ ପାଇନାହିଁ, କିନ୍ତୁ ତୃତୀୟଭାଗ ପାଣ୍ଡୁଲିପିର କିୟଦଂଶ ଶ୍ରୀ ମଧୁସୂଦନ ଦାଶ ଉଦ୍ଧାର କରିଛନ୍ତି ବୋଲି ଶୁଣିଛି । ନିଉ ଷ୍ଟୁଡେଣ୍ଟସ୍‌ ଷ୍ଟୋର କ୍ରମପରିଣାମର ତୃତୀୟ ଭାଗ ରୂପେ ନୀଳକଣ୍ଠଙ୍କର ଅନ୍ୟ ଏକ ଲେଖାକୁ ଦୁର୍ବିଚାରରେ ଛାପିଛନ୍ତି * । ଏହି ଦୃଷ୍ଟିରେ କ୍ରମପରିଣାମ ଏକ ଅସମ୍ପୂର୍ଣ୍ଣ ରଚନା ହେଲେହେଁ ଏହାର ଦ୍ୱିତୀୟ ଭାଗର ଶେଷଯାଏ ଏକ ସୁନିର୍ଦ୍ଦିଷ୍ଟ ଆଭିମୁଖ୍ୟ ରହିଛି ଓ ସ୍ୱୀକାର କରିବାକୁ ହେବ ଏ ପ୍ରକାର ଉଦ୍‌ବୋଧକ ଗ୍ରନ୍ଥରେ ଭାବ ଅପେକ୍ଷା ଭାବପ୍ରତି ଆଭିମୁଖ୍ୟଟି ବଡ଼କଥା ।

 

କ୍ରମପରିଣାମ ଲେଖା ଆରମ୍ଭ ହେବା ସମୟଟି ଜାତିର ଘଡ଼ିସନ୍ଧି ବେଳ । ଭାରତ ସ୍ୱାଧୀନ ହେବା ପରେ ପରେ ଗଡ଼ଜାତ ମିଶ୍ରଣ ହେଲା । ଓଡ଼ିଶା ଗୋଟିଏ ଆଖିଦୃଶିଆ ପ୍ରଦେଶ ହେଲା । ଏଣିକି ଓଡ଼ିଶାକୁ ଅନ୍ୟାନ୍ୟ ପ୍ରଦେଶ ସଙ୍ଗେ ଟକ୍‌କର ଦେବାକୁ ପଡ଼ିବ । ଏଣୁ ବଙ୍ଗାଳି ଓ ତେଣୁ ତେଲଙ୍ଗାଙ୍କ ଚାପାରେ ପୁରୁଷ ପୁରୁଷ ଧରି ପଡ଼ି ଓଡ଼ିଆମାନେ ନିଜକୁ ଛୋଟ ମନେ କରୁଥିଲେ । ହୀନମନ୍ୟତା ଦୂର ନ ହେଲେ ଓଡ଼ିଆମାନେ ପ୍ରତିଯୋଗିତାରେ ପଛରେ ପଡ଼ିଯିବେ । ଜନନାୟକ ନୀଳକଣ୍ଠ ଏ କଥା ଅନୁଭବ କରି ଓଡ଼ିଆଙ୍କ ମନରୁ ହୀନମନ୍ୟତାକୁ ପୋଛି ସ୍ୱାଭିମାନ ଦେବା ଉଦ୍ଦେଶ୍ୟରେ କ୍ରମପରିଣାମ ଲେଖା ଆରମ୍ଭ କରିଥିବା ଜଣାପଡ଼ୁଛି । ଏଇ ଆଭିମୁଖ୍ୟଟି କ୍ରମପରିଣାମରେ ବରାବର ରହିଛି ।

 

ସେଥିରେ ଚାହାଣି ଓ ଚମକ

ନୀଳକଣ୍ଠ ଯୌବନାବଧି ‘ଜ୍ଞାନେରତ’, ଜ୍ଞାନନିଷ୍ଠ । ନିରତ ଅଧ୍ୟୟନ, ନିମଗ୍ନ ମନନ ଓ ନିବିଷ୍ଟ ବିମର୍ଶ ଫଳରେ ଓଡ଼ିଆର ଜାତୀୟ ଜୀବନର ବହୁ ଦୁର୍ବଳତା ସେ ଠଉରାଇ ପାରିଛନ୍ତି । ଏ ସବୁ ଦୁର୍ବଳତା ଓଡ଼ିଆ ସଂସ୍କୃତିର ମୂଳ ସ୍ରୋତରେ ନ ଥିଲା, ଏ ସବୁ ଏକେ ତ ଉତ୍ତରରୁ ବଙ୍ଗଳାଆଡ଼ୁ ଅଥବା ଦକ୍ଷିଣରୁ ଆନ୍ଧ୍ର ଆଡ଼ୁ ମାଡ଼ି ଆସିଛି ବୋଲି ସେ କ୍ରମପରିଣାମରେ ଦେଖାଇଛନ୍ତି । ନୀଳକଣ୍ଠଙ୍କର ଏହି ଚାହାଣୀ ତାହାଙ୍କର ଏକାନ୍ତ ନିଜସ୍ୱ ଓ ମୌଳିକ ।

 

ଆଦର୍ଶ ଧ୍ରୁବତାରା, ଯାହାକୁ ଦେଖି ମଣିଷ ନିଜ ଗତିର ଦିଗ ବାରିପାରେ । ଆଦର୍ଶ, ବ୍ୟକ୍ତି ପାଇଁ ଯେପରି ଆବଶ୍ୟକ, ଜାତି ପାଇଁ ସେହିପରି । ନୀଳକଣ୍ଠ କ୍ରମପରିଣାମରେ ଜାତୀୟ ଆଦର୍ଶର ଭୂମି ରୂପେ ସଂଯମ, ସତ୍ୟନିଷ୍ଠା ଓ ମୈତ୍ରୀ ଉପରେ ଖୁବ୍‌ ଜୋର ଦେଇଛନ୍ତି ଓ ତାହା ଓଡ଼ିଆ ସଂସ୍କୃତିର ବିଶେଷତ୍ୱ ବୋଲି ଚିହ୍ନାଇ ଦେଇଛନ୍ତି । ସଂଯମ ପରିପ୍ରେକ୍ଷୀରେ ଯୌନ ବ୍ୟଭିଚାର, ପରକୀୟା ପ୍ରେମ ଓ ଭୋଗଲାଳସା ସମ୍ପର୍କରେ ଓ ସତ୍ୟନିଷ୍ଠା ପରିପ୍ରେକ୍ଷୀରେ ଭାକ୍ତିକମିଥ୍ୟା ସମ୍ପର୍କରେ ସାଙ୍ଗୋପାଙ୍ଗ ଆଲୋଚନା କରି ଏସବୁ ଚଳଣି ଉପରେ ଉପର୍ଯ୍ୟୁପରି କଷାଘାତ କରିଛନ୍ତି । ମୈତ୍ରୀ ପ୍ରସଙ୍ଗରେ ‘ମାନବ ସମାଜର ନିରାଲମ୍ବ ସେବା ଓଡ଼ିଆର ଯଥାର୍ଥ ମୈତ୍ରୀ ଧର୍ମ, ଏହା ହିଁ ଓଡ଼ିଆ ସାହିତ୍ୟର ଅନ୍ତରାତ୍ମା’ ବୋଲି ସୂଚାଇ ନୀଳକଣ୍ଠ କରୁଣା ମୈତ୍ରୀର ପରିପନ୍ଥକ ବୋଲି ଦର୍ଶାଇଛନ୍ତି । ଜାତିର ଆଦର୍ଶର ନିର୍ଣ୍ଣାୟକ ନୀଳକଣ୍ଠଙ୍କର ଏହି ଚାହାଣୀରେ ମୌଳିକତା ଅଛି ଓ ଯେପରି ଭଙ୍ଗୀରେ ସେ ପର୍ଯ୍ୟବେଷଣ କରିଛନ୍ତି, ସେଥିରେ ଛତ୍ରେ ଛତ୍ରେ ଚମକ ଭରି ରହିଛି-

 

ଜାତୀୟ ଜୀବନ ଉଧେଇବା ପାଇଁ ଶୃଙ୍ଖଳା ଯେପରି ଆବଶ୍ୟକ, ମୂଲ୍ୟବୋଧ ସେହିପରି-। ଏ ବିଷୟରେ ନୀଳକଣ୍ଠ ସଚେତନ । କ୍ରମପରିଣାମ ଲେଖାହେବା ପୂର୍ବରୁ ଓଡ଼ିଆ ତାହାର ଅତୀତକୁ ବଖାଣି ବଡ଼େଇ କରିବା ସାଧାରଣ କଥା ଥିଲା । ଏଇ ଭୂଖଣ୍ଡରେ ଉପଲବ୍ଧ ଯାହା କିଛି ପ୍ରାଚୀନ ତାକୁ ନେଇ ଜମାକରି ବସିଲେ ଭଲ ମନ୍ଦ ବାଛିବାର ବିବେକ ଜାତିର ରହିବ ନାହିଁ । ସବୁ ପୁରୁଣାକୁ ଆଦରି ସାଇତି ରଖିଲେ ନୂଆ ପାଇଁ ଜାଗା ରହିବ ନାହିଁ ମଧ୍ୟ । “ପୁରାଣମିତ୍ୟେବ ନ ସାଧୁସର୍ବମ୍‌” । କିଛି ପୁରୁଣାକୁ ଅଳିଆଗଦାକୁ ଫିଙ୍ଗିବାକୁ ହେବ । ଏଥିପାଇଁ ମୂଲ୍ୟାଙ୍କନ ଆବଶ୍ୟକ, ବାଛବିଚାର କରିବାକୁ ପଡ଼ିବ । ନୀଳକଣ୍ଠ କ୍ରମପରିଣାମରେ ଏ ବାଟଟିକୁ ଫିଟାଇଲେ । ସେଥିପାଇଁ ସେ ଆମର ନମସ୍ୟ ।

 

କ୍ରମପରିଣାମରେ ଓଡ଼ିଆ ଚଳଣିର ମେରୁ ଓ ଚାହାଣିର କେନ୍ଦ୍ର ରୂପେ ନୀଳକଣ୍ଠ ଜଗନ୍ନାଥଙ୍କୁ ଉପସ୍ଥାପିତ କରିଛନ୍ତି । ସେ କହିଛନ୍ତି:-

 

“ଓଡ଼ିଆର ସଭ୍ୟତା ତଥା ସମାଜର ଗତି ନିୟାମକ, ସାହିତ୍ୟର ପରମ ଆଦର୍ଶ, ମାନବ ପ୍ରେରଣାର ପରମ ସଂକେତ, ସେଇ । ସେଇ ଏକା ଓଡ଼ିଆର ନିତ୍ୟ ଦେବତା, ସେଇ ଜଗନ୍ନାଥ । ସମସ୍ତ ଇତିହାସରେ ଓଡ଼ିଆର ସେଇ, ବ୍ୟବହାରରେ ସେଇ, ସମାଜରେ ସେଇ, ଦର୍ଶନରେ ସେଇ, ସାଧନାରେ ସେଇ, ସିଦ୍ଧିରେ ସେଇ ଜଗନ୍ନାଥ ଏକା ଆମର ମୂର୍ତ୍ତିମନ୍ତ ସଭ୍ୟତା ଓ ସାହିତ୍ୟ”।

 

ନୀଳକଣ୍ଠ ଜ୍ଞାନମାର୍ଗୀ, ବହୁଭାବରେ ସ୍ମାର୍ତ । ସେ ଭକ୍ତିଧର୍ମର ଘୋର ନିନ୍ଦୁକ ହେଲେ ହେଁ ଜଗନ୍ନାଥ ସଂପର୍କରେ ତାଙ୍କର ଏତାଦୃଶ ଦୃଷ୍ଟିଭଙ୍ଗୀ ବାସ୍ତବରେ ଏକ ବ୍ୟତିକ୍ରମ ଓ ସେହି ଭାବରେ ଏକ ଚମକ ।

 

ଉପସଚିବ, ବିଧିବିଭାଗ,

ସଚିବାଳୟ, ଭୁବନେଶ୍ଵର-୧

***

 

Unknown

କାଳିନ୍ଦୀଚରଣଙ୍କ ଉପନ୍ୟାସରେ ସମାଜତତ୍ତ୍ୱ

ଡକ୍ଟର କୈଳାଶ ପଟ୍ଟନାୟକ

 

କାଳିନ୍ଦୀଚରଣଙ୍କ ଉପନ୍ୟାସମାନ ମୂଳତଃ ତିନୋଟି ବିଶିଷ୍ଟ ସମୟର ରୂପକାର । ଏକ ଏକ ବିଶେଷ ସାମାଜିକ ପରିବର୍ତ୍ତନର ସୂତ୍ରଧର ଉକ୍ତ ତ୍ରିବିଧ ସମୟ । ଅଠର ଶହ ପଇଁଷଠୀ ଛ’ଷଠୀ ମସିହାର ଦୁଃଖଦ ଦୁର୍ଭିକ୍ଷ, ଊଣେଇଶ ଶହ କୋଡ଼ିଏ ଏକୋଇଶ ମସିହାର ମହାଭାରତୀୟ ଅସହଯୋଗ ଜାଗୃତି ଏବଂ ଊଣେଇଶ ଶହ ଚଉରାଳିଶ ଠାରୁ ଅଠଚାଳିଶ ମସିହା ପର୍ଯ୍ୟନ୍ତ ଦ୍ୱିତୀୟ ବିଶ୍ୱଯୁଦ୍ଧ, ଭାରତର ସ୍ୱାଧୀନତା ସଂଗ୍ରାମ, ଭାରତର ବିଭାଜନକାଳୀନ ସାଂପ୍ରଦାୟିକ ଦଙ୍ଗା ତଥା ଗାନ୍ଧିଜୀଙ୍କ ମୃତ୍ୟୁ ଆଦି କାଳିନ୍ଦୀଚରଣଙ୍କ ଉପନ୍ୟାସର ପୃଷ୍ଠଭୂମି । ଏହି ୮୩ ବର୍ଷର ଘଟଣାବହୁଳ ଭାରତୀୟ ତଥା ଉତ୍କଳୀୟ ସାମାଜିକ ଜୀବନ ଉପନ୍ୟାସ ପାଇଁ ଯୋଗାଇଛି ରାଶି ରାଶି ଉପାଦାନ । କାଳିନ୍ଦୀଚରଣଙ୍କ ଉପନ୍ୟାସ ଏବଂବିଧ ଉପାଦାନକୁ ଭିତ୍ତି କରିଚି ।

 

ମାଟିର ମଣିଷ (୧୯୩୧), ଲୁହାର ମଣିଷ (୧୯୪୭), ଓ ଆଜିର ମଣିଷ (୧୯୫୭) ଊଣେଇଶ ଶହ କୋଡ଼ିଏଠାରୁ ଅଠଚାଳିଶ ମସିହାର ରାଜନୀତିକ ଘଟଣାର ପଟ୍ଟଭୂମିରେ ଦଣ୍ଡାୟମାନ ମୁକ୍ତାଗଡ଼ର କ୍ଷୁଧା (୧୯୩୧) ଓ ଅମରଚିତା (୧୯୩୨) ପୃଷ୍ଠଭୂମି ଅଠର ଶହ ଛ’ଷଠିର ଦୁର୍ଭିକ୍ଷ ବିଚଳିତ ଗଡ଼ଜାତି ସାମାଜିକ ଜୀବନ ।

 

ଊଣେଇଶ ଶହ କୋଡ଼ିଏ ମସିହାର ଗାନ୍ଧିଜୀ ପ୍ରବର୍ତ୍ତିତ ଅସହଯୋଗ ଆନ୍ଦୋଳନ ସାରା ଭାରତରେ ଚାଞ୍ଚଲ୍ୟ ଖେଳାଇ ଦେଇଥିଲା । ଓଡ଼ିଶାରେ ଏହି ସମୟରୁ ଶିକ୍ଷିତ ବୁଦ୍ଧିଜୀବିଗଣ ପ୍ରାଦେଶିକ ଜାତୀୟତାକୁ ଗୌଣ କରି ମହାଭାରତୀୟ ଜାତୀୟତାକୁ ମୁଖ୍ୟ ସ୍ଥାନ ଦେଇଥିଲେ । କାଳିନ୍ଦୀଚରଣଙ୍କ ମାନସଭୂମିରେ ଅସହଯୋଗ ଆନ୍ଦୋଳନ ପ୍ରତି ଥିଲା ଗଭୀର ଆଗ୍ରହ । ନିଜ ଡାଏରୀରେ ୩-୯-୧୯୨୦ରେ ସେ ଲେଖିଥିଲେ, କଲିକତାରେ କାଲି କଂଗ୍ରେସ ବସିବ । Non-Co-operation ବା ଅସହଯୋଗ ନୀତି ବିଷୟ ଏଥର ଠିକ୍‌ଠାକ୍‌ ହୋଇଯିବ । ଯେତେ ଯାହା ହେଉ,ଗାନ୍ଧି ଯାହା ଧରିଥିବେ ସେୟା । x x x କଂଗ୍ରେସରେ ଓଡ଼ିଆ’ଙ୍କର ସ୍ପେଶାଲ ଟ୍ରେନ୍‌ କେବେ ଯାଇ ପହୁଞ୍ଚିବ ? ପୁଣି ୧୯-୧୦-୧୯୨୦ରେ ଲେଖିଥିଲେ–ସମସ୍ତ ସଂସାରରେ ବର୍ତ୍ତମାନ ଗୋଟାଏ ହାଉଆ ଲାଗିଚି । ବିଚାର ଗାଡ଼ିଟା ଗୋଟାଏ ପ୍ରକାର ଗତିରେ ଅବା ଚାଲି ଚାଲି କଳଙ୍କି ଧରିଯାଇଥିଲା ବର୍ତ୍ତମାନ ଯେପରି ଚେଇଁଉଠୁଚି । ଏଇ ସମୟରେ କେତେଜଣ ଆମର ଯାହା ଥିଲା, ତାହା ବାନ୍ଧି ରଖିବାକୁ ପଛରୁ ହାତ ବଢ଼ାଉଛନ୍ତି, ଆଉ କେତେକ ନୂତନ ହାଓୟାରେ ପାଲ ଟାଣିଦେଇ ଡଙ୍ଗା ଭସାଇଛନ୍ତି, ପଛକୁ ଲକ୍ଷ୍ୟ କରୁନାହାନ୍ତି । ଦ୍ୱିତୀୟ ଶ୍ରେଣୀର ଲୋକଙ୍କ ସଂଖ୍ୟା ବୃଦ୍ଧି ପାଉଚି । ନୂତନତାର ଗୋଟାଏ ପିପାସା ଓ ଆବେଗ ଅଛି । ସେ କାହାରି କଥା ଶୁଣିବ ନାହିଁ । (୧) ଏଇମିତି କାହାରି କଥା ଶୁଣି ନ ଥିଲା ପଞ୍ଚୁହତା ମର୍ଦ୍ଦଟାଏ, ବରଜୁ ପ୍ରଧାନ; ନା ଶୁଣିଲା ସ୍ତ୍ରୀର ଦିଅର ଯା’ଙ୍କ ପ୍ରତି ବିଷ-ବାଣୀ ନା ଶୁଣିଲା ଭାଇର ଭିନେହବା କଥା-ନିଜ ଆଦର୍ଶରେ, ନିଜ ବିଶ୍ୱାସରେ ନିଜ ଲକ୍ଷ୍ୟରେ ଅଟଳ ଏ ପୁରୁଷ ଥିଲା ପ୍ରଚ୍ଛନ୍ନ ଭାବେ, ଅସହଯୋଗ ବାୟୁପୁଷ୍ଟ । ଏକ ବିଶିଷ୍ଟ ରାଜନୀତିକ ଚିନ୍ତାଧାରା, କାଳିନ୍ଦୀଚରଣଙ୍କ କଲମରେ ପାରିବାରିକ ଓ ସାମାଜିକ କଲ୍ୟାଣ ବାଞ୍ଛାରେ ଅଭିପ୍ରେତ । ମାଟିର ମଣିଷ ବରଜୁର ସ୍ତ୍ରୀ ପ୍ରତି ରାଗରୁଷା, ଅଭିମାନରେ ପାଞ୍ଚଦିନ ଘରଛାଡ଼ି ପଳେଇଯିବା ପ୍ରଥମେ ମନେହବ ସତେଯେପରି ତାହା ଇଙ୍ଗିତ କରୁନି ବରଜୁର ଗାନ୍ଧୀବାଦୀ ବ୍ୟକ୍ତିତ୍ୱକୁ, ପ୍ରଦର୍ଶିତ କରୁଚି ଜଣେ ସାଧାସିଧା ଗୃହସ୍ଥର ସାଧାରଣ ଦାମ୍ପତ୍ୟ-କଳହ ମେଣ୍ଟାଇବାର ନୀରବ ପ୍ରଚେଷ୍ଟାକୁ । ମାତ୍ର ଯେତେବେଳେ ସେ ସ୍ତ୍ରୀକୁ ପରାମର୍ଶ ଦେଇଚି, ସାନବୋହୂ ନ ଖାଇବାଯାଏ, ତୁମେ ବି ଖାଇବ ନାହିଁ । ସେଇଠୁ ଏ ସାଧାରଣ ଚାଷୀଟିର ଅସାଧାରଣ ରୂପ ଫୁଟିଉଠେ । ମଙ୍ଗଳାଙ୍କ ମାଜଣାବେଳେ ଗାଁ ଲୋକଙ୍କ ସହ ତା’ର କଥାବାର୍ତ୍ତାରେ ଭରିରହିଥାଏ ଗାନ୍ଧୀବାଦୀ ଚିନ୍ତାଧାରା, ଅହିଂସା ଦ୍ୱାରା ହିଂସାକୁ ବିଲୋପ କରିବାର ସିଦ୍ଧାନ୍ତ; ‘ମାଡ଼ ଖାଇଲେ ଧରମା ପାଇଁ ମାଡ଼ଖା’ନ୍ତ–ତୁମ ଭାଇ ପାଇଁ ତମେ ମାଡ଼ ଖା’ନ୍ତ ! କ’ଣ ମାରା ହୁଅନ୍ତା ? ହରି ମିଶ୍ର ଆଜି ଧରମା ବେଳକୁ ମାରନ୍ତେ, କାଲି ତୋ’ ବେଳକୁ ମାରନ୍ତେ, ପରଦିନ ମୋ’ ବେଳକୁ ମାରନ୍ତେ । ଜଣ ଜଣ ପାଇଁ ପଚିଶ ଜଣଙ୍କୁ ମାରନ୍ତେ; କେତେ ମାରନ୍ତେ ମାରନ୍ତୁ ।’ ଉପନ୍ୟାସର ଏ ଘଟଣାକୁ ତତ୍କାଳୀନ ରାଜନୀତିକ ପୃଷ୍ଠଭୂମିରେ ଥୋଇଦେଲେ ହରି ମିଶ୍ରେ ବ୍ରିଟିଶ ଶାସକ, ସରଳ ଗ୍ରାମବାସୀଗଣ ଭାରତର ପଇଁଚାଳିଶ କୋଟି ଜନତା ଓ ବରଜୁ ନିଜେ ଗାନ୍ଧିଜୀ ଭାବେ ରୂପାୟିତ ହୋଇଯାଆନ୍ତି । ଉପନ୍ୟାସର ସାଧାରଣ ଘଟଣା-ବିବରଣୀଟି ଏପରି ଭାବେ ଏକ ବୃହତ୍ତର ପଟ୍ଟଭୂମିରେ ସଂଯୁକ୍ତ ହୋଇପଡ଼େ, ବଢ଼ିଯାଏ ଉପନ୍ୟାସର ଗୁରୁତ୍ୱ । ମାଟିରମଣିଷର କଥାବସ୍ତୁ ମଧ୍ୟ ଏପରି ଏକ ପରିବେଶରୁ ଲେଖକ ସଂଗ୍ରହ କରିଚନ୍ତି । ତାଙ୍କରି ଭାଷାରେ, ‘ମୂଳ ଗଳ୍ପଟିକୁ ଶୁଣିଥିଲି, ପୁରୀଜିଲ୍ଲା ଡେଲାଙ୍ଗ କେନ୍ଦ୍ର ସମବାୟ ଷ୍ଟୋର ସାମ୍ନାରେ ମୁଗ ବେଙ୍ଗଳା ପକାଉଥିବା ଜଣେ ସମିତିର ସଭ୍ୟଙ୍କ ମୁହଁରୁ ନିଜ କାହାଣୀ ସଙ୍ଗେ ସାନଭାଇର ବ୍ୟବହାର । ସେଇଦିନୁ କଥାଟା ମୋର ମନ ଭିତରେ ଲାଗିରହିଥିଲା । କୁଜଙ୍ଗ, ପୁରୀ ଓ କଟକ ଜିଲ୍ଲାର ଗାଁ ଗାଁ ବୁଲି ସେଇ କଥାଟି ମୁଣ୍ଡ ଭିତରେ ପାକଳ ଧରିଯାଇଥାଏ । x x ଗସ୍ତ ଭିତରେ ରହଣି ଜାଗାରେ ପୁଣି କଟକ ଫେରି ରାତାରାତି ଲେଖି ଶେଷ କରେଁ ମୋର ଉପନ୍ୟାସ ।’ (୨) ଉପନ୍ୟାସର ବୈଶିଷ୍ଟ୍ୟ, ଯେଉଁ ବିଶିଷ୍ଟ ରାଜନୀତିକ ବିଶ୍ୱାସକୁ ଏହା ଆଖ୍ୟାୟିତ କରିଚି, ତାହା ରହିଚି ପ୍ରଚ୍ଛନ୍ନ ଭାବେ । କେତେବେଳେ ବି ଏହା ସ୍ୱକାଳର ରାଜନୀତିକ ବାତାବରଣର ସୂଚନା ଦେଇନି, ଅଥଚ ଉପନ୍ୟାସ ପାଠରେ ଆପଣାଛାଏଁ ତାହା ଦ୍ୟୋତିତ ହେଉଛି ।

 

ଅସହଯୋଗ ଆନ୍ଦୋଳନରେ ଚିତ୍ର ଉପସ୍ଥାପିତ କରେ ଲୁହାର ମଣିଷ । ବରଜୁର ଘର ଛାଡ଼ିବାର ପରବର୍ତ୍ତୀ ଘଟଣା-ରୂପ । ଉପନ୍ୟାସଟି ପ୍ରଥମ ଉପନ୍ୟାସଠାରୁ ଦୀର୍ଘ ଷୋହଳ ବର୍ଷ ପରେ ରଚିତ ହୋଇଥିଲେ ବି କଥାବସ୍ତୁର ସମୟ ସେହି ଊଣେଇଶ ଶହ କୋଡ଼ିଏ-ଏକୋଇଶ । ଲେଖକ ନିଜେ ଏ ବିଷୟରେ ସ୍ପଷ୍ଟୀକରଣ ଦିଅନ୍ତି ଲୁହାର ମଣିଷରେ–ଯେଉଁ ସମୟରେ ବରଜୁ ସବୁ ସମ୍ପତ୍ତି ସାନଭାଇ ଜିମା କରିଦେଇ ନିଜ ଗାଁ ଛାଡ଼ି ହରିପୁରରେ ଆସି ରହିଲା, ସେତେବେଳେ କ’ଣ ଗୋଟାଏ ଭାରି ଚହଳ ପଡ଼ିଯାଇଥାଏ । ସେତିକିବେଳେ ଇସ୍କୁଲ କଚେରୀ ଛାଡ଼ି କେତେ ପାଠପଢ଼ୁଆ ଲୋକ ବାହାରି ଆସିଲେ । ସେଠୁ ଘରେ ପହଞ୍ଚି ପୁଣି ଘର ଛାଡ଼ି ପଶିଲେ ଜେଲ ଭିତରେ । ଶୁଣାଯାଉଥାଏ ‘ଇଂରାଜୀ ପାଠ ରହିବ ନାହିଁ । କଚିରୀ ବାଚିରୀ ଭାଙ୍ଗିଯିବ । ସବୁକାମ ଦେଶୀ ଲୋକ କରିବେ’ ଏଇ ସ୍ୱପ୍ନ ଦେଖୁଥିଲା ସେତେବେଳେ ସାରା ଭାରତ । ଉନ୍ମତ୍ତ ହୋଇଯାଇଥିଲା । ସମଗ୍ର ଦେଶ ଗାନ୍ଧିଜୀଙ୍କ ମନ୍ତ୍ରରେ । ଜୟକୃଷ୍ଣ, ନାଥ, ଅର୍ଜ୍ଜୁନଙ୍କ ପରି କେତେକ ଶିକ୍ଷିତ, ବୁଦ୍ଧିଜୀବୀ, ଧନୀ, ଦରିଦ୍ରଲୋକ ଏ ବିପ୍ଳବରେ ଭାଗ ନେଇସାରିଥିଲେ । ଅର୍ଥ, ପ୍ରତିପତ୍ତି, କ୍ଷମତାକୁ କରିଦେଇଥିଲେ ହେୟ । ଦେଶ ଭାବନାର ନିବିଡ଼ତମ ଆକର୍ଷଣ ସେମାନଙ୍କୁ ଅନୁବ୍ରତ କରାଇଥିଲା; ଜାତି ଓ ସମାଜର ସଙ୍ଗଠନରେ, ଗାନ୍ଧି-ଚିନ୍ତାର ପ୍ରସାରରେ ତଥା ଅନଶନ, ଅହିଂସା ଖଦଡ଼ ପରି ତତ୍କାଳୀନ ରାଜନୀତିକ ଶବ୍ଦଗୁଡ଼ିକ ସାମାଜିକ ତାତ୍ପର୍ଯ୍ୟ ପ୍ରଦାନ କରିବାରେ । ଏପରି ଅବସ୍ଥାରେ ବରଜୁ ପରି ଚାଷୀଟିଏ ଏ ଚରଖା ସେବକ ହେବାରେ କୌଣସି ବୈଚିତ୍ର୍ୟ ନଥିଲା । ବରଜୁ ମାଧ୍ୟମରେ ଏ ରାଜନୀତିକ ଆନ୍ଦୋଳନରେ ସାମାଜିକ ସ୍ୱରୂପ ନିର୍ଣ୍ଣିତ ହୋଇଛି । ଅସାଧାରଣ ଜନଜାଗୃତିକୁ ଦବାଇଦେବାର ଇଂରେଜୀ-ଚକ୍ରାନ୍ତ ମଧ୍ୟ ଏ ଉପନ୍ୟାସ ମାଧ୍ୟମରେ ସୁବିନ୍ୟସ୍ତ । ‘ଅଗଣି ମିଶ୍ର ସ୍କୁଲ ମାଷ୍ଟର କଟକ ବୋର୍ଡ଼ରୁ ତିନିମାସର ବାକିଆ ଦରମା ଆଣିବାକୁ ଯାଇ ଦେଖି ଆସିଲେ କଟକ ସହର ଘରଗୁଡ଼ାକ କେଜାଣି କାହିଁକି ନିଆଁ ଲାଗି ହୁତୁହୁତୁ ଜଳିଯାଉଛି x x’-ଆନ୍ଦୋଳନକୁ ରୋକିବାର ଏ ବିଭତ୍ସ ଶାସକୀୟ ପନ୍ଥା ସଂପ୍ରତି ଅବିଶ୍ୱାସ୍ୟ ମନେ ହୋଇପାରେ, ମାତ୍ର ଏହା ଏକ ଐତିହାସିକ ସତ୍ୟ । ଏହି ସତ୍ୟର ସୂଚନା ମହତାବ ମଧ୍ୟ ଦିଅନ୍ତି–There was terrible repression in 1921 and 1922 to root out the national consciousness of the masses that had been roused by the Non-co-operation movement. A high police officer of that time caused about twenty-five thousand houses in the districts of Cuttack, Puri and Balasore to be burnt to ashes. The congress leaders of the province were arrested and sentenced to long term of imprisonment. (୩) ଏଇ ସୂତ୍ରରେ ବରଜୁର ଗିରଫ ହେବା ଘଟଣା ସ୍ମରଣ କରାଯାଇପାରେ । ସାଧାରଣ ଚାଷୀଟିଏ ସେ । ସରକାରଙ୍କ ଆଖିରେ କାହିଁକି ଦୋଷୀ ସାବ୍ୟସ୍ତ ହେଲା ଯେ ତା’କୁ ଗିରଫ କରିବାର ଆବଶ୍ୟକତା ଆସିଲା ? ‘ବରକୁ ପ୍ରଧାନ ବକ୍ତୃତାରେ ଆଉ ଯାହା କରୁନା କାହିଁକି ପାଞ୍ଚୋଟି ଥର ଗାନ୍ଧିଙ୍କ ନାଁ ତୁଣ୍ଡରେ ଧରିଛି । ତାହାପରେ ଲୋକଙ୍କୁ ମତାଇଛି କପାଚାଷ, ଆଉ ସୂତା କାଟି ଖଦଡ଼ ଲୁଗା ପିନ୍ଧିବାକୁ । ଶେଷରେ ପୁଣି ସତକଥା କହିବାକୁ । ରାଜଦ୍ରୋହୀ ଆଉ କାହାକୁ କହନ୍ତି ?’ ଏ ରାଜଦ୍ରୋହ ପାଇଁ ସେଇ ଚାଷୀ, ଲକ୍ଷ ଲକ୍ଷ ଭାରତର କୃଷକ-କୁଳର ପ୍ରତିନିଧି ମାଟିର ମଣିଷ ବରଜୁ ଗିରଫ ହେଲା ।

 

ବରଜୁର ଗିରଫଦାରୀ ସହ ‘ଦୁନିଆ ଉପରେ ଉଇଁଉଠିଲା ଲୁହାର ମଣିଷ ।’ ଏ ମଣିଷମାନେ ହେଲେ ସ୍ୱାଧିନତା ସଂଗ୍ରାମର ସେନାନୀ । ଭାରତର ସ୍ୱାଧୀନତା ଥିଲା ଏମାନଙ୍କ ଜୀବନର ପରମ ଧ୍ୟେୟ । ଏଇ ସମୟରେ ଆରମ୍ଭ ହେଲା ବିଭୀଷିକାମୟ ଦ୍ୱିତୀୟ ବିଶ୍ୱଯୁଦ୍ଧ । ଉକ୍ତ ପୃଥିବୀ ମହାସମରର ସାମାଜିକ ଜୀବନରେ ପ୍ରଭାବ ଥିଲା ଅସୀମ । ବିଶେଷତଃ ଭାରତର ବଡ଼ ବଡ଼ ନଗରସମୂହରେ ଏହାର ପ୍ରଭାବ ଥିଲା ପ୍ରତ୍ୟକ୍ଷ । ଯୁଦ୍ଧକାଳୀନ ସଂକିତ ସାମାଜିକ ଜୀବନର ଖଣ୍ଡିତ ଚିତ୍ର ବହନ କରେ ଆଜିର ମଣିଷ । ଉକ୍ତ ସମୟଗତ ସାମାଜିକ ଜୀବନ ଚର୍ଚ୍ଚାର ବିଚଳନ, ମଣିଷର ମୂଲ୍ୟବୋଧର ପରିବର୍ତ୍ତିତ ଧାରଣା ଆର୍ଥନୀତିକ ବିଷମତା ବୃଦ୍ଧିକୁ ରୂପାୟିତ କରିବା ପାଇଁ ଲେଖକ ଏଥିରେ ସଚେଷ୍ଟ । ଫଳତଃ ବିଭିନ୍ନ ସମସ୍ୟା ଏଥିରେ ଦେଖାଦେଇଚି । ଦାମ୍ପତ୍ୟ ଜୀବନରେ ଅସୁଖୀ ଦିବାକର ଯୁଦ୍ଧ ସମୟରେ ସୈନ୍ୟ ଶିବିରର କଣ୍ଟ୍ରାକଟର ହୋଇ ଉଭୟ ଅର୍ଥ ଓ ସମ୍ମାନ ପାଇଚି । ଗାଁ ଗହଳରେ ମିଳୁ ନ ଥିବା ଚିନି, କିରୋସିନି ପ୍ରଭୃତି ନିତ୍ୟ ବ୍ୟାବହାରିକ ଜନିଷପତ୍ର ତା’ ପାଖରେ ଥିଲା ସାଧାରଣତମ । ଧନ ଓ ସମ୍ମାନ ସହିତ ଦାମ୍ପତ୍ୟ ଅସୁଖ ତାକୁ କରିଚି ବାରାଙ୍ଗନାମୁଖୀ । ଦିବାକର ତତ୍‌କାଳୀନ ସମୟର ଏକ ନିର୍ଦ୍ଦିଷ୍ଟ ଶ୍ରେଣୀର ପ୍ରତିନିଧି । ଯାହାର କୌଣସି ସମ୍ପର୍କ ନାହିଁ ଦେଶପ୍ରେମ , ସ୍ୱାଧୀନତା ସଂଗ୍ରାମ , ଗ୍ରାମ ସଙ୍ଗଠଣ ଆଦିରେ । ଅଥଚ ଯୁବାବସ୍ଥାରେ ସେ ଏଥିପାଇଁ ଥିଲା ଉତ୍ସଗୀକୃତ ପ୍ରାଣ । ସାମାଜିକ ପରିସ୍ଥିତି ତା’ର ମନୋବୃତ୍ତିକୁ ପରିବର୍ତ୍ତିତ କରିଦେଇଚି ସାମୟିକ । ଅପରପକ୍ଷରେ ଡାକ୍ତର ବିଧୁବାବୁ ସ୍ୱେଚ୍ଛାକୃତ ଭାବେ ବର୍ମା ମାଇଚନ୍ଦ୍ରି ଆଜାଦ୍‌ ହିନ୍ଦ୍‌ ଫୌଜର ସୈନିକମାନଙ୍କର ଚିକିତ୍ସା ପାଇଁ । ଦିବାକର ଓ ବିଧୁବାବୁ ତତ୍କାଳୀନ ଜନମାନସିକତାର ଦୁଇଟି ସ୍ୱତନ୍ତ୍ର ଦିଗନ୍ତକୁ ପ୍ରଦର୍ଶିତ କରନ୍ତି । ଉପନ୍ୟାସର ଶେଷ ପର୍ଯ୍ୟାୟରେ ନାରୀଜାଗୃତିର ସ୍ୱାଧୀନତା ଆନ୍ଦୋଳନକାଳୀନ ସ୍ୱରୂପ ଖୁବ୍‌ ସ୍ପଷ୍ଟ । ଗାନ୍ଧିବାଦୀ ଚିନ୍ତାଧାରାରେ ଅନୁପ୍ରାଣିତ ଗୌରୀ ଓ ସାବିତ୍ରୀ ଗ୍ରାମ ସଙ୍ଗଠନ, ପ୍ରୌଢ଼ଶିକ୍ଷା, କୁଟୀର ଶିଳ୍ପାଦିର ପ୍ରସାର ପାଇଁ ଯତ୍ନଶୀଳ । ଏଥିପାଇଁ ସମସ୍ତ ପ୍ରକାର ସାମାଜିକ ଅପମାନ, ଶାରୀରିକ ଆଘାତ ଓ କୁତ୍ସାକୁ ସେମାନେ ଅବିଚଳିତ ଭାବେ ସହ୍ୟ କରିଚନ୍ତି । ଅହିଂସା ଆନ୍ଦୋଳନର ସାମାଜିକ ପ୍ରକ୍ରିୟାର ଏହା ନିଚ୍ଛକ ଅବତାରଣା । ଅହିଂସାର ଏ ପୂଜାରୀମାନଙ୍କ ସ୍ୱପ୍ନ ଓ ସାଫଲ୍ୟ ଥିଲା ଭାରତର ସ୍ୱାଧୀନତା ପ୍ରାପ୍ତି । ସେଇ ସ୍ୱାଧୀନତା ପ୍ରାପ୍ତିର ପ୍ରାକ୍‌ ମୁହୂର୍ତ୍ତ କିନ୍ତୁ ରକ୍ତରଞ୍ଜିତ । ହିନ୍ଦୁ ଓ ମୁସଲମାନମାନଙ୍କର ସାଂପ୍ରଦାୟିକ ସଂଘର୍ଷ ରାଜନୀତିର ଏକ ନଗ୍ନ ବିଭତ୍ସ ସ୍ୱରୁପ ! ଯାହାର ବଳିହୁଏ ଦିବାକରଙ୍କ ନିରୀହ ଚାକର ଏଟମ୍‌ । ଅହିଂସାର ମନ୍ଦ୍ର ନିନାଦ ଯାହା ଗାନ୍ଧିଜୀଙ୍କ କଣ୍ଠରୁ ସଞ୍ଚରି ଯାଇଥିଲା କୋଟି ଜନତାର ହୃଦୟକୁ, କେମିତି ସେ ଶହ ଶହ ନିରୀହ ଲୋକଙ୍କୁ ହିଂସାର ତରବାରୀ ଧାରରୁ ଉଦ୍ଧାର କରିପାରିଲା ନାହିଁ ? ଗାନ୍ଧିଜୀଙ୍କର ଅହିଂସା ମନ୍ତ୍ରର ପ୍ରଭାବ ଥିଲା ଏକ ନିର୍ଦ୍ଦିଷ୍ଟ ପରିବେଶଭିତ୍ତିକ, ଏକ ନିର୍ଦ୍ଦିଷ୍ଟ ସମୟ ଆଧାରିତ । ଏକ ସ୍ୱତନ୍ତ୍ର ଜନମାନସିକତା ଆଶ୍ରିତ । ସମୟର ଚଳନ-ପୃଷ୍ଠଭୂମିର ହୁଏ ପରିବର୍ତ୍ତନ । ତା’ର ପ୍ରଭାବ କ୍ଷୁଣ୍ଣ କରିଚି ?

 

ରାଜନୀତି ପ୍ରଭାବିତ ଉତ୍କଳୀୟ ସାମାଜିକ ଜୀବନର ରୂପକାର କାଳିନ୍ଦୀଚରଣ ‘ମୁକ୍ତାଗଡ଼ର କ୍ଷୁଧା’ ଓ ‘ଅମରଚିତା’ରେ ଉପସ୍ଥାପିତ କରିଚନ୍ତି ପ୍ରାକୃତିକ ବିପର୍ଯ୍ୟୟଯୁକ୍ତ ଗଡ଼ଜାତି ସାମାଜିକ ଜୀବନର ରୂପ । ସମାଲୋଚନା କରିଚନ୍ତି ଅତ୍ୟାଚାରୀ ଶାସକଙ୍କୁ । ସମବେଦନା ଜଣାଇଚନ୍ତି ସାଧାରଣ ପ୍ରଜାକୁଳକୁ । ‘ମୁକ୍ତାଗଡ଼ର କ୍ଷୁଧା’ ଉପନ୍ୟାସଟି ପ୍ରାକୃତିକ କ୍ଷୁଧାର ନାମାନ୍ତର ମାତ୍ର । ଉଭୟ ଉପନ୍ୟାସର ପଞ୍ଚଦଶ ପରିଚ୍ଛେଦରେ ନଅଙ୍କ ଦୁର୍ଭିକ୍ଷର ଐତିହାସିକ ଓ ପ୍ରାକୃତିକ ପରିସ୍ଥିତିର ପ୍ରାମାଣିକ ବିବରଣୀ । ଏହା ସହିତ ଅଛି ଗଡ଼ଜାତ ଶାସକର ଅନ୍ୟାୟ କରପୀଡ଼ା ଓ ବିଚାର ରୂପେ ଶାସନର ନମୂନା । ସବୁଠି ମୃତ୍ୟୁର କରାଲଲୀଳା । ଏ ଦୁର୍ଭିକ୍ଷ କାହିଁକି ? ତା’ର ଏକ ମୌଳିକ କାରଣ–The extreme poverty of the people. The resident zamiders were mostly poor and improvident. The rents of the raiyats were high. There was no fooding class and the communications were defective. (୪) ମୁକ୍ତାଗଡ଼ର କଳ୍ପିତ ନାମଟି ଭିତରେ ବ୍ୟଞ୍ଜିତ ହୋଇଚି ସ୍ୱର୍ଣ୍ଣପ୍ରସୂ ଉତ୍କଳର ନିର୍ମମ ଦୁର୍ଯ୍ୟୋଗ । ଶୁଭକାନ୍ତଙ୍କ ପ୍ରାଥମିକ ଶାସନ ଅବହେଳା ଓ ବିଳାସ ଉତ୍ତର ଜୀବନର ସନ୍ତାପ ଭିତରେ ପାଠକର ସମବେଦନା ପାଇଚି ? କିନ୍ତୁ ହାହାକାରମୟ ଉତ୍କଳର ଐତିହାସିକ ଦୁର୍ଭିକ୍ଷର କିପରି ସେ ସମାପ୍ତି ଆଣିବେ ? ତାଙ୍କରି ଉତ୍ତର ଜୀବନର ଚିନ୍ତାଧାରା, କର୍ମଯୋଗ ଭିତରେ ମାଟିର ମଣିଷ ବରଜୁର ଚିନ୍ତା ଓ ମୈତ୍ରୀଭାବ ଦେଖାଯାଏ । ଦୁର୍ଭିକ୍ଷର ସୁଯୋଗ ନେଇ ଶ୍ୟାମରଥ ପରି ଚରିତ୍ର ଲୋକଙ୍କ ଅସହାୟତାର ଚରମ ସୁଯୋଗ ନେବା ସନାତନ ପରି ଉଗ୍ର ମାନବବାଦୀ ଯୁବକକୁ ଭୀଷଣ କରିଦେଇଚି । ଶୁଭକାନ୍ତକୁ ଜବରଦସ୍ତି ଶାମ ରଥର ଧାନ ଚାଉଳ ବୋହିଆଣିବାର ପରାମର୍ଶ ଦେଇଚି ସେ । ଶୋଭାର ସତୀତ୍ୱକୁ ଖାଦ୍ୟ ବଦଳରେ କୃପାନାଥ ପରି ସହକାରୀ ହାକିମ ପାଖରେ ଉତ୍ସବ କରିବା ପାଇଁ ଶାମ ରଥ ହିଁ ପ୍ରସ୍ତାବ ଦେଇଥିଲା । ସେ ମଧ୍ୟ ଶୋଭାର ଉନ୍ମାଦପ୍ରାୟ ଅବସ୍ଥାରେ ଭୟଙ୍କର ମାଡ଼ ଦେଇଚି; ଏଥିରେ ଉତ୍‌କ୍ଷିପ୍ତ ସନାତନ ଗଲା ଯେ ଦେବୀଙ୍କ ଖଡ଼୍‌ଗଟି ନେଇ, ଶେଷ କରିଦେଲା ଶାମରଥଙ୍କୁ । ଦୁର୍ଭିକ୍ଷ ବେଳର ସାହାଯ୍ୟକେନ୍ଦ୍ର ପରିଚାଳନା, ଲୋକଙ୍କ ଦୁର୍ଦ୍ଦଶାମୋଚନ ଚେଷ୍ଟା ସବୁକିଛି ସେଇ ମୁହୂର୍ତ୍ତରେ ସେ ଭୁଲିଗଲା । ଅମରଚିତାର ଏ ଘଟଣାସବୁ ଦୁଇଟି ଇଙ୍ଗିତ ଦିଏ-ଦୁର୍ଭିକ୍ଷ ସମୟରେ ସରକାରୀ ସାହାଯ୍ୟକେନ୍ଦ୍ରର କୁପରିଚାଳନା ତଥା ଅମାନବୀୟ ବ୍ୟବହାର, ଦ୍ୱିତୀୟତଃ ବେସରକାରୀ ବ୍ୟକ୍ତିଗତ ଉଦ୍ୟମରେ ଅନୁଷ୍ଠିତ ସାହାଯ୍ୟକେନ୍ଦ୍ରର ସୀମିତ ସାହାଯ୍ୟ ସାମଗ୍ରୀର ସୁବଣ୍ଟନ । ଓଡ଼ିଶାରେ ଦୁର୍ଭିକ୍ଷର ତାତ୍‌କାଳିକ ରୂପ ହିଁ ଏ ଦୁଇ ଉପନ୍ୟାସରେ ଫୁଟିଚି । ଲେଖକ ଶୁଭକାନ୍ତ ପରି ମନୁଷ୍ୟର ହୃଦୟ ପରିବର୍ତ୍ତନକୁ ହିଁ ଉଦ୍ଦେଶ୍ୟ କରି ଏ ପ୍ରକାର ପଟ୍ଟଭୂମିର ଅବତାରଣା କରିଚନ୍ତି ।

 

ଉତ୍ତର ଜୀବନର ଶୁଭକାନ୍ତ, ଯୁବକ ବରଜୁର ଚିନ୍ତା ଓ ହୃଦୟ ନେଇ ଆବିର୍ଭୁତ । ପାରସ୍ପରିକ ମୈତ୍ରୀ, ବିଶ୍ୱୈକପ୍ରାଣତା, ଉଦାର ମାନବପ୍ରୀତି, ଅହିଂସା, ସେବା ସବୁକିଛି ଶୁଭକାନ୍ତଙ୍କ ଆଚରଣରେ ଫୁଟିଉଠି ବରଜୁର କ୍ରିୟାକଳାପ ମନେ ପକାଇଦିଏ । ଦୁଇଟି ଭିନ୍ନ ପରିବେଶ ଓ ପୃଷ୍ଠଭୂମିରେ ସମାନ ଧରଣର ଦୁଇଟି ମଣିଷ । ଶୁଭକାନ୍ତ ବରଜୁର ନାମାନ୍ତର । କାଳିନ୍ଦୀଚରଣଙ୍କ ଉପନ୍ୟାସର ସାମାଜିକ ତତ୍ତ୍ୱ ବିଚାରରେ ଗାନ୍ଧୀବାଦୀ ଆଦର୍ଶର ପ୍ରଭାବକୁ ଉପରୋକ୍ତ ଚରିତ୍ର-ସୂତ୍ର ମାଧ୍ୟମରେ ଅସ୍ୱୀକାର କରାଯାଇ ନ ପାରେ । ସବୁ ଉପନ୍ୟାସରେ ଅହିଂସାଭିତ୍ତିକ ସାମାଜିକ ଜୀବନଯାପନ, ମୈତ୍ରୀପୂର୍ଣ୍ଣ ସହାବସ୍ଥାନକୁ ଗୁରୁତ୍ୱ ଦିଆଯାଇଚି । ପଧାନପଡ଼ା ହଉ ବା ମୁକ୍ତାଗଡ଼-ସବୁଠି ଆଦର୍ଶ ଏକ, ଲକ୍ଷ ଏକ । ଆଜିର ମଣିଷରେ ତେବେ କାହିଁକି ସାଂପ୍ରଦାୟିକ ଦଙ୍ଗାର ଚିତ୍ର ଏତେ ବେଶୀ ପ୍ରଦର୍ଶିତ ? ହିଂସା ସମ୍ମୁଖରେ ଅହିଂସା କାହଁକି ହେଲା ନତଶିର ? ଲେଖକଙ୍କ ଏ ସମ୍ପର୍କୀୟ ସ୍ୱୀକାରୋକ୍ତି ମଧ୍ୟ ଏ କ୍ଷେତ୍ରରେ ସ୍ମରଣୀୟ - ଅବଶ୍ୟ ଗାନ୍ଧିଜୀଙ୍କର ଅହିଂସା ଆନ୍ଦୋଳନର ପନ୍ଥା ମୋ ରଚନାଗୁଡ଼ିକୁ ଏକ ସମୟରେ ପ୍ରଭାବିତ କରିଥିଲେ ହେଁ, ଆଉ ମଧ୍ୟ ଜାତିର ଓ ଦେଶର ସ୍ୱାଧୀନତା ପାଇଁ ମୋତେ ଲେଖିବାକୁ ହୋଇଥିଲେ ହେଁ, ସେ ଲେଖା ଆଜି ବି ମୋ ସମକ୍ଷରେ ଏକ ବିରାଟ ବିଫଳତା ରୂପେ ଛିଡ଼ାହୋଇଚି । କାରଣ ମୁଁ ଦେଖୁଛି ଯେଉଁଠି ଅହିଂସାର ମନ୍ତ୍ର ଉଚ୍ଚାରିତ ହେଉଥିଲା, ଠିକ୍‌ ସେଇଠାରେ ହିଁ ହିଂସାର କୁତ୍ସିତ ଦୃଶ୍ୟ ଚାଲିଛି । (୫) ଏଥିପାଇଁ ହୁଏତ ଏ ମତ ପ୍ରକାଶ କରିବାର ସାତବର୍ଷ ପରେ ଆଜିର ମଣିଷ ରଚିତ ହେବାବେଳେ ହିଂସା, ଅନୀତି, ଅନ୍ୟାୟର ଏପରି ଦୃପ୍ତ ଶୋଭାଯାତ୍ରା ପ୍ରଦର୍ଶିତ । ସାମାଜିକ ଜୀବନରେ ଯେଉଁ ଲକ୍ଷ୍ୟର ପ୍ରତିଫଳନ ପାଇଁ ଲେଖକ ଉଦ୍ୟମ କରିଥିଲେ, ବାସ୍ତବରେ ତା’ର ବିପରୀତ ପରିଣତି ତାଙ୍କୁ ବିଷାଦିତ କରିଦେଇଚି । ଏ ବିଷାଦ ହିଁ ସମ୍ଭବତଃ ଦେଇଚି ଊଣେଇଶ ଶହ ସତାବନଠାରୁ ତାଙ୍କର ଉପନ୍ୟାସ-ସୃଜନକୁ ।

 

ପାଦଟୀକା :

୧.

ପାଣିଗ୍ରାହୀ, କାଳିନ୍ଦୀଚରଣ–କାଳିନ୍ଦୀ ରଚନାଚୟ, ଦ୍ୱିତୀୟ ଖଣ୍ଡ, ୧୯୭୪, ନିଉ ଷ୍ଟୁଡେଣ୍ଟସ ଷ୍ଟୋର, ପୃ. ୬୯୪ ଓ ୭୧୧ ।

୨.

ପାଣିଗ୍ରାହୀ, କାଳିନ୍ଦୀଚରଣ-ଅଙ୍ଗେ ଯାହା ନିଭାଇଛି, ୧୯୭୩, କଟକ ଷ୍ଟୁଡେଣ୍ଟସ୍‌ ଷ୍ଟୋର, ପୃ. ୩୯୮ ।

୩.

Mahtab, Harekrushna-History of Orissa, Vol. II, 1960, P. 452.

୪.

Patnaik, Gorachand-The famine and some Aspects of the British Economics Policy in Orissa (1866-1905), 1980, Vidyapuri, P. 18.

୫.

ପାଣିଗ୍ରାହୀ, କାଳିନ୍ଦୀଚରଣ–ମୁଁ କାହିଁକି ଲେଖେ, ଡଗର ୧୪/୨, ୧୬-୭-୧୯୫୦, ପୃ. ୧୬ ।

 

ଓଡ଼ିଆ ବିଭାଗ,

ବିଶ୍ଵଭାରତୀ

***

 

ସାଂପ୍ରତିକ ମରାଠୀ ସାହିତ୍ୟର

କେତୋଟି ଧାରା

ମୂଳ ରଚନା : ପ୍ରଫେସର ଏମ୍‌. ଡି. ହାତକାଙ୍ଗାଲେକର

ଓଡ଼ିଆ ମର୍ମାନୁବାଦ : ଗୌରହରି ଦାସ

 

ଗତ କିଛି ଦଶନ୍ଧି ମଧ୍ୟରେ ମରାଠୀ ସାହିତ୍ୟର ଗତି ଓ ପ୍ରକୃତିରେ ପରିଲକ୍ଷିତ ଗୁଣାତ୍ମକ ଓ ପରିମାଣାତ୍ମକ ପରିବର୍ତ୍ତନ କଥା ବିଚାର କଲାବେଳେ ନିର୍ଦ୍ଦିଷ୍ଟ କେତୋଟି ପ୍ରସଙ୍ଗ ଆଖି ସାମ୍ନାକୁ ଆସେ । ଏହି ପରିବର୍ତ୍ତନ କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ହେଲା ଯେ, ଗତ କିଛିବର୍ଷ ହେଲା ଅଧିକରୁ ଅଧିକ ପରିମାଣରେ ବହି ଛପାଯାଉଛି ଓ ସେମାନଙ୍କର ବିତରଣ ତଥା ପ୍ରଚାର ପାଇଁ ଚିତ୍ତାକର୍ଷକ ବିଜ୍ଞାପନର ସହାୟତା ଲୋଡ଼ାଯାଉଛି । ସୁତରାଂ ପ୍ରକାଶନର ପରିମାଣାତ୍ମକ ଅଭିବୃଦ୍ଧି ବେଶ୍‌ ସାଧିତ ହୋଇଛି । ମାତ୍ର ଲୋକପ୍ରିୟ ପୁସ୍ତକର ପ୍ରଚୁର ପ୍ରକାଶନ, ପ୍ରସାରଣ ତଥା ଚାହିଦା ଓ ମୂଲ୍ୟବୃଦ୍ଧି ସତ୍ତ୍ଵେ ମରାଠୀ ସାହିତ୍ୟର ଗୁଣାତ୍ମକ ଅବକ୍ଷୟ ମଧ୍ୟ ପରିଲକ୍ଷିତ ହେଉଅଛି । ଏକ ଅଟକଳରୁ ଜଣାପଡ଼ିଛି ଯେ, ପ୍ରତି ମାସ ବିଭିନ୍ନ ପ୍ରକାରର ବହି ମିଶି ପ୍ରାୟ ଦୁଇଶହ ବହି ଛାପାଯାଉଅଛି । ପୁସ୍ତକମାନଙ୍କର ପରିମାଣାତ୍ମକ ଅଭିବୃଦ୍ଧି ସହ ସାହିତ୍ୟର ଗୁଣାତ୍ମକ ଅବକ୍ଷୟ ଏକ ବ୍ୟବଧାନ ସୃଷ୍ଟି କରୁଛି । ଏହିପରି ଏକ ନିମ୍ନମୁଖୀ ଧାରାର ପ୍ରତିରୋଧ ପାଇଁ ଏବେ ରାଜ୍ୟ ସରକାରଙ୍କ ପକ୍ଷରୁ ତଥା ବିଭିନ୍ନ ଘରୋଇ ସାଂସ୍କୃତିକ ଅନୁଷ୍ଠାନମାନଙ୍କ ପକ୍ଷରୁ ଉଦ୍ୟମ ପ୍ରକାଶ ପାଉଛି । ଉଚ୍ଚମାନ ସାହିତ୍ୟର ବିକାଶ ସଙ୍ଗେ ସଙ୍ଗେ କ୍ଳାସିକ ସୃଷ୍ଟିମାନଙ୍କର ସଂରକ୍ଷଣ ଦିଗରେ ତତ୍ପରତା ପ୍ରକାଶ ପାଉଅଛି । କ୍ଳାସିକ ଓ ଲୋକପ୍ରିୟ ସାହିତ୍ୟ ମଧ୍ୟରେ ଏକ ଅଦୃଶ୍ୟ ସଂଘର୍ଷ ଏବେ ମରାଠୀ ସାହିତ୍ୟରେ ଆରମ୍ଭ ହୋଇଯାଇଅଛି ।

 

ପ୍ରଥମେ ମରାଠୀ କବିତା କଥା ବିଚାରକୁ ନିଆଯାଇପାରେ । ଏହି କବିତା କ୍ଷେତ୍ରରେ ନିର୍ଦ୍ଦିଷ୍ଟ କେତେକ ଧାରା ଏବେ ଲକ୍ଷ୍ୟ କରାଯାଉଅଛି । ପ୍ରତିଷ୍ଠିତ କବିମାନେ ସେମାନଙ୍କର ନିଜସ୍ୱ ଶୈଳୀରେ କବିତା ରଚନା କରିଚାଲିବା ସଙ୍ଗେ ସଙ୍ଗେ ସେମାନଙ୍କର ସୃଷ୍ଟିସମ୍ଭାରକୁ ଅଧିକ ରୁଦ୍ଧିମନ୍ତ କରିବା ତଥା ନିଜସ୍ୱ ପରିଚିତି (identity)କୁ ଜାହିର କରିବା ଦିଗରେ ଯତ୍‌ପରୋନାସ୍ତି ଉଦ୍ୟମ କରିଚାଲିଛନ୍ତି । ମାତ୍ର ଏ ସବୁ ସତ୍ତ୍ଵେ ପ୍ରତିଟି ଉତ୍ତର ସଂକଳନରେ ଅବକ୍ଷୟର ଚିହ୍ନ ବେଶ୍‌ ସୁସ୍ପଷ୍ଟ । ସ୍ୱର୍ଗତ ବି.ବି. ବ୍ରୋକାର; ବିନ୍ଦ କରଣ୍ଡିକା, ବସନ୍ତ ବାପଟ୍‌, ମଙ୍ଗେଶ ପଟଗାଓଙ୍କର ଓ ତାଙ୍କର ସମକାଳୀନ କବିମାନଙ୍କ କବିତାରେ ସଂପୃକ୍ତ କବିମାନଙ୍କର ନିଜସ୍ୱ ଦୃଷ୍ଟିଭଙ୍ଗୀର ପରିଚୟ ମିଳିଥାଏ । ଯୁବକବିମାନଙ୍କ ସୃଷ୍ଟିରେ ଆଙ୍ଗିକ ପରିବର୍ତ୍ତନ ଓ ପରଂପରାଚ୍ୟୁତ ଚିନ୍ତାଧାରା ସାଙ୍ଗକୁ ସମ୍ଭାବନାପୂର୍ଣ୍ଣ ଦୃଷ୍ଟିଭଙ୍ଗୀ ଓ ସାଂପ୍ରତିକ ରାଜନୈତିକ ଓ ସାମାଜିକ ବୈଷମ୍ୟ ବିରୁଦ୍ଧରେ ଉଦ୍‌ଘୋଷଣା ସୁସ୍ପଷ୍ଟ । ସାମାଜିକ ବୈଷମ୍ୟର ତୀବ୍ର ପ୍ରତିବାଦ କରୁଥିବା ଜଣେ ସଫଳ କବି ନାରାୟଣ ସୂର୍ଯ୍ୟ । ତାଙ୍କର ‘ଜାହିର ନାମା’ ‘ମାଜେ ବିଦ୍ୟାପୀଠ’ ଓ ‘ସନଦ୍‌’ରେ ଯୁଗଯୁଗ ଧରି ପରଂପରାର ଶୃଙ୍ଖଳରେ ବନ୍ଦୀ ଓ ନିର୍ଯ୍ୟାତିତମାନଙ୍କର ସମସ୍ୟା ହୃଦୟଙ୍ଗମ କରିଥିବା ଜଣେ ଯୁବକର ସଂଯତ ପ୍ରତିବାଦର ସ୍ୱର ଶୁଣିବାକୁ ମିଳେ । ହିନ୍ଦୁସମାଜର ସେଇ ଅବହେଳିତ ବର୍ଗ ଶତାବ୍ଦୀ ଶତାବ୍ଦୀ ଧରି ଯେପରି ଭାବେ ଲାଞ୍ଚିତ ଓ ଅବହେଳିତ ହୋଇଆସିଛନ୍ତି, ତାର ଏକ ନିଖୁଣ ଓ ମନୋଜ୍ଞ ଚିତ୍ର ତାଙ୍କ କବିତାରେ ବିଦ୍ୟମାନ । ତାଙ୍କର ଶବ୍ଦ ସଂଯୋଜନାରେ ଲାଳିତ୍ୟ, ତୀକ୍ଷ୍‌ଣ ଦୃଷ୍ଟିଭଙ୍ଗୀ ବେଶ୍‌ ଉଲ୍ଲେଖନୀୟ । ତାଙ୍କ କବିତାର ଅନ୍ତଃସ୍ୱର ଅଙ୍ଗୀକାରବଦ୍ଧ ।

 

ଏନ.ଡି. ମହାନର ତାଙ୍କର “ରଣତାଳୟ କବିତା” (ସାବ୍‌ଜା ଘାସର କବିତା)ରେ ପୁଣିଥରେ ବିସ୍ମୃତପ୍ରାୟ ରୋମାଣ୍ଟିକ ଚେତନାକୁ ମରାଠୀ ସାହିତ୍ୟର ପରିସରକୁ ଫେରାଇ ଆଣିଛନ୍ତି । ଆଧୁନିକ କବିତାର ରୁକ୍ଷ ପରିବେଶ ଭିତରେ ତାଙ୍କର ଏହି କବିତା ସଙ୍କଳନ ପୁଣିଥରେ ଊନବିଂଶ ଶତାବ୍ଦୀର ‘ଲାବଣୀ’ ଯୁଗର ଶୃଙ୍ଗାର ରସାତ୍ମକ କାବ୍ୟଧାରାର ରାଗମୂର୍ଚ୍ଛନା ତୋଳିଧରେ । ମନୋହର୍‌ଙ୍କ ରୋମାଣ୍ଟିକ ଶୈଳୀରେ ଲିଖିତ ଏହି କବିତାରେ ପୁଣି ସେହି ସବୁଜ ଉପତ୍ୟକାର ଚିତ୍ର ସରଳ ଅଥଚ ସମ୍ଭ୍ରାନ୍ତ ଭାବରେ ବର୍ଣ୍ଣିତ ହୋଇଛି । ଏହି କବିତାର ଛନ୍ଦବଦ୍ଧତା ତାଙ୍କର ବୈଶିଷ୍ଟ୍ୟ ତଥା ମୌଳିକତାର ପ୍ରମାଣ ଦିଏ । ସେହିପରି ‘ଦଳିତ’ ଗୋଷ୍ଠୀର ଲେଖକମାନଙ୍କ ସୃଷ୍ଟିରେ ଏକପ୍ରକାର ପ୍ରତିବାଦ, ବିଦ୍ରୋହ ଓ ବିପ୍ଳବର ଉଦାତ୍ତ ଧ୍ୱନି ଝଂକୃତ । ନାମଦେଓ ଧସଲ୍‌, ରାଜା ଧାଲେ, ଅରଣ କମ୍ବଲେ, ହୀରା ବଂଶୋଡ଼ ଏବଂ ଅନ୍ୟ ଯୁବକବିମାନେ ଏଭଳି କବିତା ସବୁ ସୃଷ୍ଟି କରିଚାଲିଛନ୍ତି, ଯେଉଁଥିରୁ ପ୍ରଚଳିତ ସମାଜ ବ୍ୟବସ୍ଥା ବିରୁଦ୍ଧରେ ବିଦ୍ରୋହର ସ୍ୱର ସ୍ପଷ୍ଟ ବାରିହୋଇପଡ଼େ । ସ୍ଥିତିଗତ ନିଃସଙ୍ଗତା ଏବଂ ସାମାଜିକ ହତାଶାବୋଧ ଅନ୍ୟ କବିମାନଙ୍କ କବିତାରେ ଅନ୍ତଃସ୍ୱର ହୋଇପଡ଼ିଥିବାବେଳେ ଏ କ୍ଷେତ୍ରରେ ମୁଷ୍ଟିମେୟ କେତେଜଣ ଭିନ୍ନ ସ୍ୱାଦର କବିତା ରଚନା କରି ମୌଳିକ ପ୍ରତିଭାର ପରିଚୟ ଦେଇପାରିଛନ୍ତି । ତେବେ ଏମାନଙ୍କର ଆଦର୍ଶରେ ଉଦ୍‌ବୁଦ୍ଧ ଅନ୍ୟ ଯୁବକବିମାନଙ୍କ ମଧ୍ୟରେ ପ୍ରତିଭା ସାଙ୍ଗକୁ ଧୈର୍ଯ୍ୟର ଯଥେଷ୍ଟ ଅଭାବ ପରିଲକ୍ଷିତ ହେଉଛି । ଇଉରୋପୀୟ କାବ୍ୟ ଧାରାରେ ପ୍ରଭାବିତ କରି ଦିଲ୍ଲୀପ ଚିତ୍ରେ ଏବଂ ଅରୁଣ କେହ୍ଲାଟକର ମରାଠୀ କବିତା କ୍ଷେତ୍ରରେ ନୂଆ ମୋଡ଼ ସୃଷ୍ଟି କରିପାରିଥିଲେ ମଧ୍ୟ ସେମାନଙ୍କ ସୃଷ୍ଟିରେ ପରଂପରା ପ୍ରତି ଆନୁଗତ୍ୟ ବେଶ୍‌ ପରିସ୍ଫୁଟ । କବିତାର ଆଙ୍ଗିକରେ ନୂତନ ଶୈଳୀର ଅନୁବର୍ତ୍ତନ କରି ସେମାନେ ଏକ ମୌଳିକ ଅଥଚ ଆଧୁନିକ ପର୍ଯ୍ୟାୟ ସୃଷ୍ଟି କରିପାରିଛନ୍ତି । ହୋଇପାରେ, ଭାରତୀୟ ପୃଷ୍ଠଭୂମିରେ ଏହାର ପ୍ରଭାବ ଅତ୍ୟନ୍ତ କ୍ଷୀଣ ।

 

ସେହିପରି ମରାଠୀ ଉପନ୍ୟାସ କ୍ଷେତ୍ରରେ ମଧ୍ୟ ଦୁଇଟି ଧାରା ସ୍ପଷ୍ଟ । ଗୋଟିଏ ସୁକ୍ଷ୍ମ ନାନ୍ଦନିକ ଭାବ ଓ ଅନ୍ୟଟି ବାସ୍ତବବାଦ ଓ ସ୍ୱଭାବବାଦ ନାନ୍ଦନିକ କାବ୍ୟତତ୍ତ୍ୱ ଉପରେ ପର୍ଯ୍ୟବସିତ ଦୃଷ୍ଟିଭଙ୍ଗୀଟି ବରିଷ୍ଠ ଓ ଦଳିତ ଗୋଷ୍ଠୀର ଯୁବସାହିତ୍ୟିକମାନଙ୍କ ଦ୍ୱାରା ସମୃଦ୍ଧ ହୋଇଥିଲାବେଳେ ରିଏଲିଷ୍ଟିକ ଧାରାଟି ଗ୍ରାମ୍ୟ ଓ ସହରତଳି ଅଞ୍ଚଳର ଦୁର୍ଦ୍ଦଶା ସମ୍ପର୍କରେ ଅନୁସନ୍ଧିତ୍ସୁ ସାମ୍ବାଦିକମାନଙ୍କ ଦ୍ୱାରା ଆଦୃତ ହୋଇପଡ଼ିଛି । ଲେଖକମାନଙ୍କର ବର୍ଣ୍ଣନାଭଙ୍ଗୀ ନୂଆ । ସେମାନେ ପୁଣି ବ୍ୟକ୍ତି ଅସହାୟତାକୁ ଖୁବ୍‌ ନିକଟରୁ ଦେଖିଛନ୍ତି । ଅନେକଙ୍କ ଲେଖାରେ ଅବହେଳିତ ଗ୍ରାମ୍ୟ ଓ ବସ୍ତି ଜୀବନର ଅସହାୟତା ପ୍ରତି ଏକ ମୋହ ଓ ଆବେଗିକ ସମ୍ପର୍କର ଚିତ୍ର ଦେଖିବାକୁ ମିଳେ । ବର୍ତ୍ତମାନର ପରିସ୍ଥିତି ସହ ଅତୀତର ଏକ ତୁଳନାତ୍ମକ ଚିତ୍ର ଜରିଆରେ ସେମାନେ ଅତୀତ ପ୍ରତି ମୋହ ପ୍ରକାଶ କରିଥିବା ଓ ବର୍ତ୍ତମାନକୁ ଗ୍ରହଣ କରିପାରୁ ନ ଥିବା ବେଶ୍‌ ବାରିହୋଇପଡ଼େ । ଏହି ଉପନ୍ୟାସଗୁଡ଼ିକ ରସୋତ୍ତୀର୍ଣ୍ଣ ଓ ଉପଭୋଗ୍ୟ । ନାନ୍ଦନିକ ମୂଲ୍ୟ ଉପରେ ଗୁରୁତ୍ୱ ଦେଉଥିବା ସ୍ରଷ୍ଟାମାନଙ୍କ ସୃଷ୍ଟିରେ ପରୀକ୍ଷାମୂଳକ ଭାବେ ପ୍ରୟୋଗ କରାଯାଉଥିବା ଚେତନା ପ୍ରବାହ ସାଙ୍ଗକୁ ବର୍ଣ୍ଣନା ଭଙ୍ଗୀରେ ନୂତନତ୍ୱର ଚିହ୍ନ ସୁଷ୍ପଷ୍ଟ । ଶ୍ରୀମତୀ ଗୌରୀ ‘ଦେଶପାଙ୍ଗେଙ୍କର ଏକ ଏକ ପାନ୍‌ ଗଲାଭୟା’, ମୋହନ ନାଗରଙ୍କର ‘ସତ୍‌ ସାକମ୍‌ କ୍ରିଚାଳିଶ’ ଏବଂ ବିଳାସ ସାରଙ୍ଗଙ୍କର ‘ଏନବିଚ୍ଛ ପ୍ରଦେଶ୍ୟାତ୍‌’ରେ ପାଶ୍ଚାତ୍ୟ ଉପନ୍ୟାସ- ମାନଙ୍କରେ ପରିଲକ୍ଷିତ ଆଧୁନିକତମ ସଂସ୍ଥିତୀୟ ଦୃଷ୍ଟିଭଙ୍ଗୀ ପରିଲକ୍ଷିତ ହୁଏ । ଏହାର ଆବେଦନ ସମଗ୍ର ମଣିଷ-ସମାଜ ପ୍ରତି ଉଦ୍ଦିଷ୍ଟ ନୁହେଁ, ବରଂ କେବଳ ସହରୀ-ଚେତନା ପ୍ରତି ହିଁ ଅଭିପ୍ରେତ । ଅନ୍ୟ ପକ୍ଷରେ ଭାରତୀୟ ପରଂପରାଶ୍ରିତ ଓ ‘ନାଚୁରାଲିଷ୍ଟିକ’ ଧାରାର ଔପନ୍ୟାସିକ ଭାବେ ବାଲଚନ୍ଦ୍ର ନେମାଦେ, ଶ୍ୟାମ ମନୋହର, ଭାଲ୍‌ ପଟିଲ, ବାବୁରା ଓ ବାଗୁଲ , ଆନନ୍ଦ ଯାଦବ ଏବଂ ଆର. ଆର. କରାଡ଼େ ଏବେ ବି ପାରଂପରିକ ଶୈଳୀରେ ଉପନ୍ୟାସ ସୃଷ୍ଟି କରିଚାଲିଛନ୍ତି ।

 

ସେମାନେ ମୁଖ୍ୟତଃ ବାସ୍ତବବାଦୀ ଓ ନାଚୁରାଲିଷ୍ଟିକ ଧାରାକୁ ତାଙ୍କ ସୃଷ୍ଟିକର୍ମର ବିଭାବ ଭାବେ ଗ୍ରହଣ କରିଛନ୍ତି । ଭାଲଚନ୍ଦ୍ର ନେମାଦେଙ୍କ ଉପନ୍ୟାସ ‘କୋଶଳା’ ମଧ୍ୟବିତ୍ତ ସମାଜର ଆତ୍ମ-ସନ୍ତୋଷମୂଳକ ସାହିତ୍ୟିକ ରୁଚିକୁ ଦୋହଲେଇ ଏକ ପ୍ରକୃତ ଜୀବନଧର୍ମୀ ଉପନ୍ୟାସର ସ୍ୱାଦ ଆଣିଦେଇଥିଲା । ତାଙ୍କର ପରବର୍ତ୍ତୀ ଦୁଇଟି ଉପନ୍ୟାସ ‘ଜ୍ୟୁଲ୍‌’ ଓ ‘ଜରିଲା’ ସ୍ୱାଧୀନତା ପରବର୍ତ୍ତୀ ଭାରତର ଜାତି ବର୍ଣ୍ଣ ସମସ୍ୟା ଓ ତଥାକଥିତ ନବ୍ୟ ଶିକ୍ଷିତ ସଂସ୍କୃତି ଭିତରେ ଛନ୍ଦି ହୋଇପଡ଼ିଥିବା ସମାଜ ସମ୍ପର୍କରେ ଆଲୋଚନା କରିଛି । ଏଇ ସିରିଜ୍‌ର ଶେଷ ସୃଷ୍ଟି ‘ଦି ହିନ୍ଦୁ’ ତାଙ୍କର ପ୍ରଭାବଶାଳୀ ପ୍ରତିଷ୍ଠାକୁ ଜାହିର୍‌ କରିବା ଦିଗରେ ଉଲ୍ଲେଖନୀୟ ଭୂମିକା ଗ୍ରହଣ କରିପାରିବ ବୋଲି ଆଶା କରାଯାଏ । ଭାଲ ପାଟିଲଙ୍କର ଲକ୍ଷ୍ୟ ଓ ଉଦ୍ଦେଶ୍ୟ ଅନୁରୂପ ହେଲେହେଁ ତାଙ୍କ ପାଖରେ ନେମାଡ଼େଙ୍କ ଅନ୍ତର୍ଦୃଷ୍ଟି ଓ ସୃଜନଶୀଳତାର ଅଭାବ ପରିଲକ୍ଷିତ ହୁଏ ।

 

ବାବୁରାଓ ବାଗଲ୍‌ଙ୍କର ଦୀର୍ଘଗଳ୍ପ ଓ ଉପନ୍ୟାସରେ ଦଳିତ ସମାଜର କୁତ୍ସିତ ଓ ଅସହାୟ ଜୀବନଚର୍ଯ୍ୟା ଏକ ଉଲ୍ଲେଖନୀୟ ବିଭାବ । ତାଙ୍କ ଉପନ୍ୟାସ ଓ ଗଳ୍ପରେ ମଣିଷର ଦାରିଦ୍ର୍ୟ ଓ କୁସଂସ୍କାରଗ୍ରସ୍ତ ସାମାଜିକ ଅସହାୟତା, ପଶୁ ପରି ନିଜର ଜୀବନ ଜୀଉଁଥିବା ଓ ନିଜର ସର୍ବନିମ୍ନ ଆବଶ୍ୟକତା ମୁଠାଏ ଖାଦ୍ୟ ପାଇଁ କୁଚ୍ଛ୍ର-ସାଧନା ପରିପ୍ରେକ୍ଷୀରେ ଜୀବନ ପାଇଁ ବ୍ୟାକୁଳତା, ମୋହ ଏବଂ ଆସକ୍ତି ତାଙ୍କ ଚରିତ୍ରମାନଙ୍କର ବିଶେଷତ୍ୱ । ଆନନ୍ଦ ଯାଦବଙ୍କ ପରି ଗ୍ରାମ୍ୟଭିତ୍ତିକ ଚିତ୍ର ଓ ଚରିତ୍ରର ଲେଖକମାନେ ଭାଗ୍ୟବାଦୀ କୃଷକ ଜୀବନର ଦୁଃଖ, ଦୈନ୍ୟ, ନିର୍ଯ୍ୟାତନା ଓ ଉଭୟ ସାମାଜିକ ତଥା ରାଜନୀତିକ ପରିବେଶରେ ସେମାନଙ୍କର ଅସହାୟତାକୁ ଉପଜୀବ୍ୟ ଭାବେ ଗ୍ରହଣ କରିନେଇଛନ୍ତି । ଅନ୍ୟ ବହୁ ମରାଠୀ ଉପନ୍ୟାସରେ ମଧ୍ୟ କ୍ଷେତହୀନ ମଜୁରିଆଙ୍କର ଜୀବନସଂଗ୍ରାମର ଚିତ୍ର ପରିଦୃଷ୍ଟ ହୋଇଥାଏ । ଜୟନ୍ତ ଦଳାବିଙ୍କର ‘ଚକ୍ର’ ଉପନ୍ୟାସ ଓ ମରୁ ମଙ୍ଗେଶକାର୍ଣ୍ଣକଙ୍କର ‘ମହୀମଚ୍‌ ଖଦୀ’ରେ ଆଧୁନିକତାର ଚୂଡ଼ା ସ୍ପର୍ଶ କରିଥିବା ବମ୍ବେ ମହାନଗରୀ ଚାରିପଟେ ଗଢ଼ିଉଠିଥିବା ବସ୍ତି ଅଞ୍ଚଳର ଅନ୍ଧାରି ଜୀବନର ନିଚ୍ଛକ ଚିତ୍ର ଉପସ୍ଥାପିତ କରିଛନ୍ତି, ଯାହା ମଧ୍ୟବିତ୍ତ ସମାଜର ସମସ୍ତ ମୂଲ୍ୟବୋଧକୁ ବହୁ ପରିମାଣରେ ପ୍ରଭାବିତ କରିଅଛି ।

 

କିନ୍ତୁ ସାହିତ୍ୟର ଯେଉଁ ବିଭାବ ଏଇ ଦଶନ୍ଧିମାନଙ୍କରେ ମରାଠୀ ସାହିତ୍ୟର ଧାରାକୁ ବର୍ଣ୍ଣାଢ଼୍ୟ ଓ ବ୍ୟାପକ କରିବାରେ ସହାୟକ ହୋଇଛି, ସେଗୁଡ଼ିକ ହେଲା–ଜୀବନୀ, ଆତ୍ମଜୀବନୀ ଓ ସ୍ମୃତିଚୟନ । ଏହି ବ୍ୟକ୍ତିଗତ ଆଲେଖ୍ୟ ସବୁ ବୃହତ୍ତର ପରିଧିରେ ସାମାଜିକ ଓ ଅର୍ଥନୈତିକ ଦିଗ ସମ୍ପର୍କରେ ଆଲୋକପାତ କରିଛନ୍ତି । ସେମାନଙ୍କର ବର୍ଣ୍ଣନାରେ ସାହିତ୍ୟିକ ଢଙ୍ଗ ସେଗୁଡ଼ିକୁ ସୁଖପାଠ୍ୟ କରିପାରିଛି । ସବୁଠାରୁ ଉଲ୍ଲେଖନୀୟ ଦିଗଟି ହେଲା ଏ ପ୍ରକାର ସାହିତ୍ୟିକ ସୃଷ୍ଟି ପ୍ରବୀଣ ଓ ପେଶାଦାର ଲେଖକମାନଙ୍କଠାରୁ ନ ଆସି ଅପ୍ରତ୍ୟାଶିତ ଭାବେ ଆସିଛି ସାହିତ୍ୟ କ୍ଷେତ୍ରରେ ଅପରିଚିତମାନଙ୍କଠାରୁ, ଯେଉଁମାନଙ୍କୁ ବର୍ଷ ବର୍ଷ ଧରି ନିଜର ଅନୁଭୂତି ଓ ଅଭିଜ୍ଞତାର ସ୍ତରକୁ ପରିବ୍ୟାପ୍ତ କରିଚାଲିଥିଲା ତାଙ୍କ ଚାରିପଟେ ଘଟୁଥିବା ସମସ୍ତ କ୍ରିୟା-ପ୍ରକ୍ରିୟା । ଘଟଣା ଅଘଟଣର ନୀରବଦର୍ଶକ ହୋଇ ସେମାନେ ଏଯାବତ୍‌ ରହିଥିଲେ । ଅର୍ଦ୍ଧଶିକ୍ଷିତ ମଞ୍ଚ ଓ ଚଳଚ୍ଚିତ୍ର ଅଭିନେତ୍ରୀ (ସଙ୍ଗୀତ ଐକ୍ୟ), ଶିକ୍ଷିତ ଓ ସମ୍ଭ୍ରାନ୍ତ ପରିବାରର ବୋହୂ (ମୃଗଜଳତିଲ ନୌକା), ଯେଉଁମାନେ ପୁରୁଷପ୍ରଧାନ ସମାଜରେ ନିଷ୍ପେସିତ ହୋଇଛନ୍ତି, ପରବର୍ତ୍ତୀ ସମୟରେ ସେମାନେ ନିଜ ନିଜର ଅନୁଭୂତିକୁ ନୈର୍ବ୍ୟକ୍ତିକ ଦୃଷ୍ଟିଭଙ୍ଗୀରେ ଲେଖିଯାଇଛନ୍ତି । ସାହିତ୍ୟର ସୀମାସରହଦର ଧାର୍‌ ଧାରୁ ନ ଥିବା ସାଧାରଣ ଲୋକମାନଙ୍କର ଏ ପ୍ରକାର ସୃଷ୍ଟିଧର୍ମୀ ସାହିତ୍ୟ ପ୍ରମାଣିତ କରୁଅଛି ଯେ ମରାଠୀ ସାହିତ୍ୟ ତା’ର ତୃତୀୟ ଦଶକର ଅପରିପକ୍ୱ କୈଶୋର ଛାଡ଼ି କ୍ରମେ ପରିପକ୍ୱତା ଆଡ଼କୁ ମୁହାଁଉଛି ।

 

“ଦଳିତ”ମାନଙ୍କର ଆତ୍ମଜୀବନୀ ମରାଠୀ ସାହିତ୍ୟର ଏକ ନୂତନ ଆଙ୍ଗିକର ସୂଚନା ଦେଇଛି । ଦୟା ପାତ୍ତ୍ୱାରକରଙ୍କର ‘ବାଳୁତ’, ପି. ଇ. ସୋକମ୍ବଲେଙ୍କର ‘ଆଠ ବଣିଚେ ପକ୍ଷୀ’ ମାଧବ କୋଣ୍ଡଲକରଙ୍କ ‘ମୁଙ୍ଗପୁସ୍ତ ଦିବାଚେ ଗୋଥ ନେ’ ଅଚ୍ଛବ ଓ ସମାଜଦ୍ୱାରା ଉପେକ୍ଷିତ ଅସହାୟ ମଣିଷମାନଙ୍କର ସେହି ‘ନାହିଁ ନାହିଁର ଇଲାକା’ର ନିଚ୍ଛକ ଚିତ୍ର ପାଠକମାନଙ୍କ ସମ୍ମୁଖରେ ପେଶ୍‌ କରିଅଛି । ମରାଠୀ ସାହିତ୍ୟର ଏହି ଉଚ୍ଛଳ ପ୍ଳାବନ ଦଳିତ ସାହିତ୍ୟର ପରିବେଷ୍ଟନୀକୁ ମଧ୍ୟ ଅତିକ୍ରମି ଯାଇଛି । ପୁଣି ଆତ୍ମଜୀବନୀ ରଚନା କ୍ଷେତ୍ରରେ ଶଙ୍କରରାଓ ଖଟାଟ, ନାମଦେଓ ଭାଟକାର, ଦାଦା ସାହେବ ମୋର୍‌ ଓ ଉତ୍ତମ ବନ୍ଧୁ ଟୁପେଙ୍କ ଉଲ୍ଲେଖଯୋଗ୍ୟ ପାରଦର୍ଶିତା ଏହାର ସମ୍ଭାବନାକୁ ପ୍ରତିଶ୍ରୁତିପୂର୍ଣ୍ଣ କରିପାରିଛନ୍ତି । ମଞ୍ଚ, ଚଳଚିତ୍ର, ଶିକ୍ଷା, ସମାଜସେବା ଓ ରାଜନୀତି ଏହିପରି ବିଭିନ୍ନ ପରିସରର ବହୁ ଜଣାଅଜଣା ଶିଳ୍ପୀ, ସାହିତ୍ୟର ଏହି ବିଭାଗକୁ ସମୃଦ୍ଧ କରିଅଛନ୍ତି ।

 

ମରାଠୀ ନାଟକ କ୍ଷେତ୍ରରେ ପାରମ୍ପରିକ ଲୋକପ୍ରିୟ ପାରିବାରିକ ଓ ସାମାଜିକ ଅପେରା ସଂସ୍କୃତିରେ କ୍ରମବିବର୍ତ୍ତନ ପରିଲକ୍ଷିତ ହେଉଛି । ଏପରି ନାଟ୍ୟକଳାକୁ ଦର୍ଶକମାନଙ୍କର ଅଧିକ ମନଲାଖି କରିବା ନିମନ୍ତେ ସେଥିରେ ଆନୁଷଙ୍ଗିକ ଆଧୁନିକୀକରଣର ଆବଶ୍ୟକତା ତଥାପି ଅନୁଭୂତ ହେଉଅଛି । କ୍ରମେ ସାଂପ୍ରତିକ ସମସ୍ୟା ଉପରେ ପର୍ଯ୍ୟବସିତ ନାଟକମାନ ଗଣଧର୍ମୀ ଲୋକନାଟ୍ୟ ଶୈଳୀରେ ପରିବେଷିତ ହେଉଥିବା କିମ୍ବଦନ୍ତୀ ବା ଲୋକକଥାର ଚରିତ୍ରମାନଙ୍କ ସହ ସାଂପ୍ରତିକ ସମାଜ ବ୍ୟବସ୍ଥା ‘ଥିମ’ର ସମନ୍ୱୟରେ ଏହି ନାଟକମାନ ପ୍ରସ୍ତୁତ କରାଯାଉଛି । ମରାଠୀ ନାଟକ କ୍ଷେତ୍ରରେ ପ୍ରତିଷ୍ଠିତ ନାଟ୍ୟକାର ବିଜୟ ତେଣ୍ଡୁଲକର ତାଙ୍କର ନାଟକ ‘ଘାସିରାମ’ରେ ବିସ୍ମୟୋଦ୍ଦୀପକ ସଫଳତା ହାସଲ କରିପାରିଛନ୍ତି । ପ୍ରଚଳିତ ସମାଜ ବ୍ୟବସ୍ଥାର ରାଜନୈତିକ ଓ ସାମାଜିକ ସ୍ତରରେ ମୂଲ୍ୟବୋଧର ଅବକ୍ଷୟ ଓ ଭ୍ରଷ୍ଟାଚାରର ଅନୁଚିତ ଅଭ୍ୟୁଦୟକୁ ସେ ଲୋକନାଟ୍ୟ ଧର୍ମୀ ନୃତ୍ୟ ଓ ସଙ୍ଗୀତ ମାଧ୍ୟମରେ ସୁନ୍ଦର ଭାବେ ନାଟ୍ୟରୂପଦେଇ ପରିବେଷିତ କରିପାରିଛନ୍ତି । ‘ଘାସିରାମ’ ନାଟକ ଶ୍ରୀ ତେଣ୍ଡୁଲକରଙ୍କୁ ଆନ୍ତର୍ଜାତିକ ସମ୍ମାନର ଅଧିକାରୀ କରିପାରିଛି । ପୂର୍ବରୁ ତାଙ୍କର ନାଟକ “ସଖାରାମ ବାଇଣ୍ଡର”, ‘ଗିଧଡ଼’, ‘କମଳା’ ଓ ‘କନ୍ୟାଦାନ’ ବହୁ ବିତର୍କ ଅବତାରଣା କରି ଶ୍ରୀ ତେଣ୍ଡୁଲକରଙ୍କୁ ଜଣେ ବିବାଦୀୟ ନାଟ୍ୟକାର ଭାବେ ପରିଚିତ କରାଇଥିଲା ଓ ବହୁ ପ୍ରଶଂସାର ଅଧିକାରୀ ମଧ୍ୟ କରାଇଥିଲା । ଶ୍ରୀ ତେଣ୍ଡୁଲକର ତାଙ୍କର କନିଷ୍ଠ ପୀଢ଼ିର ନାଟ୍ୟକାର ଜୟନ୍ତ ଦଳାଭି ଓ ରତ୍ନାକର ମଠାକାରୀ ପ୍ରମୁଖଙ୍କୁ ଅନୁରୂପ ସୃଷ୍ଟିକର୍ମ ପାଇଁ ବହୁଭାବେ ପ୍ରଚୋଦିତ କରିପାରିଛନ୍ତି ।

 

ଜୟନ୍ତ ଦଳାଭି ଓ ରତ୍ନାକର ମଠକାରୀଙ୍କ ପରି ନାଟ୍ୟକାରମାନେ ରାଜନୀତିକ କ୍ଷେତ୍ରର ତୃଟିବିଚ୍ୟୁତି ଓ କ୍ଷମତାସୀନ ପଦାଧିକାରୀଙ୍କ ସ୍ୱେଚ୍ଛାଚାରକୁ ନିଖୁଣ ଭାବେ ଉପସ୍ଥାପିତ କରିପାରିଛନ୍ତି । ସେମାନଙ୍କର ସୃଷ୍ଟି ଆଙ୍ଗିକ ଦୃଷ୍ଟିକୋଣରୁ ବ୍ୟବସାୟିକ ଓ ପରୀକ୍ଷାମୂଳକ ନାଟକର ମଧ୍ୟବର୍ତ୍ତୀ । ପୁଣି ବସନ୍ତ କନେଥ୍‌କର୍‌ ବିଭିନ୍ନ ସ୍ୱାଦର ନାଟକ ରଚନା ଦିଗରେ ଉଲ୍ଲେଖନୀୟ ସଫଳତା ହାସଲ କରିପାରିଛନ୍ତି । ଉଲ୍ଲେଖଯୋଗ୍ୟ କୃତିତ୍ୱ ପାଇଁ ସେ ପ୍ରସିଦ୍ଧ ନାଟ୍ୟକାର ରାମଗଣେଶ ଗଡ଼୍‌କାରୀଙ୍କର ଉପଯୁକ୍ତ ଦାୟାଦଭାବେ ତାଙ୍କର ପ୍ରଶଂସକମାନଙ୍କ ଦ୍ୱା‌ରା ସ୍ୱୀକୃତ । ଗତ ଦୁଇ ଦଶନ୍ଧି ଧରି ମରାଠୀ ନାଟ୍ୟ ଜଗତରେ ସେ ଅପ୍ରତିଦ୍ୱନ୍ଦୀ ଭାବେ ନିଜର ପ୍ରତିଷ୍ଠା ଜାହିର କରିବାରେ ସଫଳକାମ ହୋଇପାରିଛନ୍ତି ।

 

ମାତ୍ର ଏସବୁ ସତ୍ୱେ ଅଙ୍ଗୀକାରବଦ୍ଧ ହୋଇ ଓ ସାଂପ୍ରତିକ ପ୍ରଚାରଧର୍ମୀ ଉପରଠାଉରିଆ ପ୍ରତିଷ୍ଠା ମୋହଠାରୁ ଦୂରେଇ ରହି ଖୁବ୍‌ ମୁଷ୍ଟିମେୟ ସାହିତ୍ୟିକ ନିଜସ୍ୱ ଦୃଷ୍ଟିଭଙ୍ଗୀରେ ସୃଜନ ପ୍ରକ୍ରିୟା ଅବ୍ୟାହତ ରଖିଛନ୍ତି । ଅନ୍ୟ ଭାଷାରେ ବହୁ ଲେଖକ ସମସାମୟିକ ଧାରା ସହିତ ତାଳଦେବା ଆଳରେ ନିଜସ୍ୱ ଅଙ୍ଗୀକାର ଓ ମୌଳିକତାଠାରୁ ଦୂରେଇ ଯାଉଥିବାର ପରିଲକ୍ଷିତ ହେଉଛି । ଜି. ଏ.କୂଳକର୍ଣ୍ଣ ଏ ପରିପ୍ରେକ୍ଷୀରେ ଏକମାତ୍ର ଅଙ୍ଗୀକାରବଦ୍ଧ ସ୍ରଷ୍ଟା, ଯିଏ ନିର୍ଜନ ବତୀଘର ପରି ତାଙ୍କର ପ୍ରତିଭା ବିକୀରଣ କରିଆସୁଛନ୍ତି । ସେ ଏ ପର୍ଯ୍ୟନ୍ତ କେବଳ କ୍ଷୁଦ୍ରଗଳ୍ପ ମାଧ୍ୟମରେ ତାଙ୍କର ଅନୁଭୂତି ଓ ଉପଲବ୍ଧିକୁ ପ୍ରକାଶ କରିଆସୁଛନ୍ତି ଓ ପ୍ରମାଣିତ କରିପାରିଛନ୍ତି ଯେ ସାହିତ୍ୟର ଯେକୌଣସି ବିଭାଗ ଜରିଆରେ ନିଜର ବକ୍ତବ୍ୟକୁ ପ୍ରକାଶ କରାଯାଇପାରେ । ଅପରପକ୍ଷରେ ମରାଠୀ ଉପନ୍ୟାସ ସାହିତ୍ୟର କର୍ଣ୍ଣଧାର ପ୍ରଫେସର ଗଙ୍ଗାଧର ଗାଡ଼୍‌ଗିଲ୍‌ ସାହିତ୍ୟର ବିଭିନ୍ନ ବିଭାଗରେ ଲେଖନୀ ଚାଳନା କରି ନିଜର ତୀକ୍ଷ୍‌ଣ ଅନ୍ତର୍ଦୃଷ୍ଟି ଓ ବହୁମୁଖୀ ପ୍ରତିଭାର ପରିଚୟ ଦେବାରେ ସମର୍ଥ ହୋଇପାରିଛନ୍ତି । ପି. ଏଲ୍‌. ଦେଶପାଣ୍ଡେ ମଧ୍ୟ ବିଭିନ୍ନ ମାଧ୍ୟମ ଜରିଆରେ ନିଜକୁ ପ୍ରକାଶିତ କରି ତାଙ୍କର ବିସ୍ମୟୋଦ୍ଦୀପକ କଳାତ୍ମକ ଦୃଷ୍ଟିଭଙ୍ଗୀର ପରିଚୟ ଦେଇଛନ୍ତି । ଜଣେ ନାଟ୍ୟକାର, ବ୍ୟଙ୍ଗ ସାହିତ୍ୟିକ ଅତ୍ୟନ୍ତ ମର୍ମସ୍ପର୍ଶୀ ଭ୍ରମଣ କାହାଣୀର ଲେଖକ ଓ ବିଭିନ୍ନ ଲୋକଚରିତ୍ର ପର୍ଯ୍ୟବେକ୍ଷଣ ଜରିଆରେ ସେ ପ୍ରମାଣିତ କରିପାରିଛନ୍ତି ଯେ ସଫଳତା ତାଙ୍କ ସୃଷ୍ଟିକର୍ମର ଏକ ପ୍ରାକ୍‌ସର୍ତ୍ତ । ତାଙ୍କର ପ୍ରତ୍ୟେକଟି ସୃଷ୍ଟି ସଫଳତାର ଅଧିକାରୀ । ରାଜ୍ୟ ଓ ରାଜ୍ୟ ବାହାରର ପାଠକମାନଙ୍କୁ ସେ ବାସ୍ତବିକ୍‌ ଚମତ୍କୃତ କରିପାରିଛନ୍ତି ।

 

ଏଣୁ ସାଂପ୍ରତିକ ମରାଠୀ ସାହିତ୍ୟର ପ୍ରମୁଖ ଧାରାମାନଙ୍କ ମଧ୍ୟରେ ପାରମ୍ପରିକ, ଲୋକପ୍ରିୟ ଧାରା ଓ ଦଳିତ ଗୋଷ୍ଠୀର ଲେଖକମାନଙ୍କ ସୃଷ୍ଟିରେ ସ୍ୱଭାବବାଦୀ ଧାରା ଏବଂ କିଛି ପରିମାଣରେ ଆଙ୍ଗିକରେ ଆଧୁନିକ ଧାରାର ପରିଲକ୍ଷିତ ହୋଇଥାଏ । ଲୋକପ୍ରିୟ ପାରମ୍ପରିକ ଧାରା ଅବସର ବିନୋଦନ ପାଇଁ ସାହିତ୍ୟ ଓ କଳାର ଆବଶ୍ୟକତା ଉପଲବ୍ଧି କରୁଥିବା ସାଧାରଣ ପାଠକମାନଙ୍କ ମଧ୍ୟରେ ବହୁଳ ଭାବେ ବିଦ୍ୟମାନ ଆଧୁନିକ ଧାରାର ଅନୁରାଗୀ ପାଠକ ସଂଖ୍ୟା-ନ୍ୟୂନ ହେଲେ ମଧ୍ୟ ଏପରି ସାହିତ୍ୟର ସୃଷ୍ଟି ଓ ପ୍ରସାର ମଧ୍ୟ ବେଶ୍‌ ଉଲ୍ଲେଖନୀୟ । ଦଳିତ ଗୋଷ୍ଠୀର ସାହିତ୍ୟ ଯଥେଷ୍ଟ ପ୍ରଭାବଶାଳୀ ରୂପେ ପରିଚିତ ହୋଇପାରିଥିଲେ ମଧ୍ୟ ଏହାର ସଫଳତା ପାଇଁ ତଥାପି ବହୁପଥ ବାକି ରହିଛି । ଏହି ପରିପ୍ରେକ୍ଷୀରେ ବିଭିନ୍ନ ଧାରାର ସମନ୍ୱୟ ପାଇଁ ମରାଠୀ ସାହିତ୍ୟର ନିଜସ୍ୱ ମୌଳିକତା ଉପରେ ଗୁରୁତ୍ୱ ଦେଉଥିବା ବହୁ ସାରସ୍ୱତ ପ୍ରତିଭା ଏବଂ ଚନ୍ଦ୍ରକାନ୍ତ ପାଟିଲଙ୍କ ପରି ସାହିତ୍ୟିକମାନଙ୍କର ଉଦ୍ୟମ ବେଶ୍‌ ଗୁରୁତ୍ୱପୂର୍ଣ୍ଣ ।

 

ଏ/୬୨-ନୂଆପଲ୍ଲୀ

ଭୁବନେଶ୍ଵର-୭୫୧୦୦୩

ସମ୍ବାଦ କାର୍ଯ୍ୟାଳୟ

***

 

ଦାଣ୍ଡି ରାମାୟଣ ଏବଂ ତୁଳସୀ ରାମାୟଣରେ ଅର୍ଥନୀତିର ରୂପରେଖ :

ଏକ ତୁଳନାତ୍ମକ ଦୃଷ୍ଟିପାତ

ଡକ୍ଟର ହରିଶ୍ଚନ୍ଦ୍ର ବାରିକ

 

ମଧ୍ୟଯୁଗର ଜୀବନପ୍ରବାହକୁ ଲକ୍ଷ୍ୟକଲେ, ଖୁବ୍‌ ସ୍ପଷ୍ଟଭାବେ ଦୁଇଟି ଧାରା ପାଖାପାଖି ହୋଇ ଗତି କରୁଥିବା ଦେଖାଯାଏ । ତନ୍ମଧ୍ୟରୁ ଗୋଟିଏ ‘ଲୋକମତ’ ହେଲେ ଅପରଟି ‘ବେଦମତ’-। ‘ପ୍ରାକୃତ’ ଲୋକପକ୍ଷର ପ୍ରକାଶ ପଦ୍ଧତି ଥିବାବେଳେ ‘ସଂସ୍କୃତ’ ଥିଲା ବେଦଧାରାର ସଂବାହକ । ଉଭୟଙ୍କର ନାମକରଣରୁ ହିଁ କେଉଁ ପକ୍ଷଟି ପ୍ରାଥମିକ ସୃଷ୍ଟି ତାହା ଅନାୟାସରେ ସ୍ଥିର କରିହୁଏ । ବିଭିନ୍ନ ସମୟରେ ଏହି ଦୁଇଟି ଧାରା ବିଦ୍ୟା, ବୁଦ୍ଧି ଓ କୌଶଳର ବିନିଯୋଗ ପୂର୍ବକ କେତେବେଳେ ପ୍ରାକୃତକୁ ମର୍ଯ୍ୟାଦାମଣ୍ଡିତ କରିଛି ତ’ ପୁଣି କେତେବେଳେ ଆପଣାର କରିଛି ସଂସ୍କୃତକୁ । କିନ୍ତୁ କେହି ଏକାବେଳକେ ନିଶ୍ଚିନ୍ନ ହୋଇଯାଇଥିବାର ଦୃଷ୍ଟାନ୍ତ ନାହିଁ । ଏପରି ସ୍ଥଳେ ଆଲୋଚ୍ୟ ଯୁଗଧାରା ମୁଷ୍ଟିମେୟ ସଂସ୍କୃତଜ୍ଞ-ପାରମ୍ପରିକ-ବ୍ରାହ୍ମଣ ସଂସ୍କୃତି ବିରୁଦ୍ଧରେ ସ୍ୱରୋତ୍ତଳନ କରି ନିଜର ପ୍ରାଣ ପ୍ରତିଷ୍ଠା କରିଛି । କେତେକ ଆଲୋଚକ ଏହି ଦୃଷ୍ଟିକୋଣରୁ ପଞ୍ଚଦଶ ଶତାବ୍ଦୀକୁ ଏକ ଉଲ୍ଲେଖଯୋଗ୍ୟ କାଳ ବୋଲି ଅଭିମତ ପ୍ରଦାନ କରିଛନ୍ତି, (୧) ଯେଉଁଠି ଲୋକକଥିତ ଭାଷା ଓ ସାହିତ୍ୟର ବିକଚ ବିକାଶ ସାଙ୍ଗକୁ ଦୃଷ୍ଟିକୋଣରେ ଅଭିନବ ଜନସ୍ୱାର୍ଥବାଦୀତାର ପୁଷ୍କଳ ବୀଜବପନ ସଂଘଟିତ ହୋଇଥିବା ଦେଖିବାକୁ ମିଳେ । ଏଠାରେ ବିଚାରାଧୀନ ଗ୍ରନ୍ଥଦ୍ୱୟ ସେହି ପରିବେଶର ଯଥାର୍ଥ ସୃଷ୍ଟି-ସମ୍ପଦ ।

 

 

ରାମାୟଣରେ ଲୋକଜୀବନ :-

ଲୋକଜୀବନ ସହ ରାମାୟଣର ସମ୍ପର୍କ ଖୁବ୍‌ ନିବିଡ଼ । ଏଥିପାଇଁ କେବଳ ପ୍ରାକୃତ-ଭାଷା-ନିବଦ୍ଧତାକୁ ଏକମାତ୍ର କାରଣ ବୋଲି ଗ୍ରହଣ କରିବା ଠିକ୍‌ ହେବ ନାହିଁ । କାରଣ ରାମାୟଣ ଘଟିତ ବିଭିନ୍ନ କଥାବସ୍ତୁ ଲୋକଜୀବନ ପରି ଅତ୍ୟନ୍ତ ପୁରାତନ । ସେସବୁ ଲୋକ ମୁହଁରୁ ମୁହଁକୁ ପରିବ୍ୟାପ୍ତ ଥିଲା । ଗୋଟିଏ ସମୟରେ ଉକ୍ତ କଥା- କିମ୍ବଦନ୍ତୀମାନଙ୍କର ଏକ ମାର୍ଜିତ ଅଥଚ ଶୃଙ୍ଖଳିତ କାବ୍ୟରୂପ ମାତ୍ର ପ୍ରଦାନ କରିଥିଲେ ଆଦିକବି ମହର୍ଷି ବାଲ୍ମୀକି । (୨) ବିଚାର୍ଯ୍ୟ ଦୁଇ କବିଙ୍କ ଗ୍ରନ୍ଥରେ ତେଣୁ ଆମେ ଯେତେବେଳେ କହିଥିବାର ଶୁଣୁ ଯେ, “ରାମାୟନ ସତ କୋଟୀ ଅପାରା” କିମ୍ବା “ଶତ କୋଟୀ ଗ୍ରନ୍ଥରୁ ଥୋକାଏ ଯିବି କହି”–ସେତେବେଳେ ତନ୍ମଧ୍ୟସ୍ଥ ଲୋକାୟନର ଗୋପନ ଆଭିମୁଖ୍ୟଟିକୁ ଅକ୍ଳେଶରେ ଆତ୍ମସ୍ଥ କରିହୁଏ । ଲୋକାୟନ ପୁଣି ସେଠାରେ ‘ପୁରାଣାୟନ’ର ବାର୍ତ୍ତାବହ । ରାମାୟଣ ପୁରାଣ । ପୁରାଣର ‘ପଞ୍ଚଲକ୍ଷଣ’ କିମ୍ବା ମହାପୁରାଣର ‘ଦଶଲକ୍ଷଣ’କୁ ପରିହାର କଲେ, ସେଥିରେ ସଭ୍ୟତାର ବିକାଶଧାରା ସହିତ ଶ୍ରାଦ୍ଧତତ୍ତ୍ୱ, ବ୍ରତକଥା, ଜ୍ୟୋତିଷଶାସ୍ତ୍ର, ବାସ୍ତୁ, ବାର୍ତ୍ତା, ଅର୍ଥନୀତି, ସମାଜନୀତି, ରାଜନୀତି, ଛନ୍ଦଶାସ୍ତ୍ର ବ୍ୟାକରଣ, ଗୋ-ପରୀକ୍ଷା ,ରତ୍ନପରୀକ୍ଷା ଓ ଆୟୁର୍ବେଦ ଆଦି ବିଦ୍ୟା ପୁରାଣ ମଧ୍ୟରୁ ଅନୁପ୍ରବେଶ ଲାଭ କରିଛି । (୩) ଏହିସବୁ ଅନୁପ୍ରବେଶ ଲୋକଜୀବନର କ୍ରମିକ ଆବିଷ୍କାର ବ୍ୟତୀତ ଅନ୍ୟ କ’ଣ ହୋଇପାରେ-? ପୁରାଣ ସେଥିପାଇଁ ଅବୈଜ୍ଞାନିକ ଯୁଗର ବିଜ୍ଞାନ । ଆଲୋଚ୍ୟ ସ୍ଥଳରେ ବଳରାମ ଦାସଙ୍କ ଦାଣ୍ଡି ରାମାୟଣ ଏବଂ ତୁଳସୀ ଦାସଙ୍କ ‘ଶ୍ରୀରାମ ଚରିତ ମାନସ’ରେ ପ୍ରତିଫଳିତ ସେହି ଲୋକଜୀବନର ଅର୍ଥନୈତିକ ଦିଗନ୍ତର ଅନୁଶୀଳନ କରିବା ଶଂସିତ ପ୍ରବନ୍ଧର ଲକ୍ଷ୍ୟ ।

 

 

ଅର୍ଥନୀତିର ଅର୍ଥ ଓ ପ୍ରୟୋଗ ବିଧି :–

ଲୋକଜୀବନକୁ ଯାହା ଗଭୀର ରୂପେ ଆଲୋଡ଼ିତ କରେ, ତାହା ହେଉଛି ଅର୍ଥନୀତି । ଏହା ଗତିଶୀଳ ଜୀବନର ମାନ ନିରୂପଣ କରିବା ସଙ୍ଗେ ସଙ୍ଗେ, ଏଥିରେ ଧନୋପାର୍ଜନାଦି ବିଷୟର ଚର୍ଚ୍ଚା ଘଟି ଥିବାରୁ (୪) ତାହାଦ୍ଵାରା ଦେଶ ବା ରାଷ୍ଟ୍ରର ମୁଖୋଜ୍ଜଳ ହୋଇଥାଏ । ଅନ୍ୟ ଭାବରେ କହିବାକୁ ଗଲେ-‘ଅର୍ଥନୀତି’-ଉତ୍ପାଦନ ବୃଦ୍ଧିର ବିଭିନ୍ନ ବୈଜ୍ଞାନିକ ରୀତିକୁ ବୁଝାଏ । ଯେଉଁଠି ପରିପୂର୍ଣ୍ଣ ସଂସ୍ଥାନ ଲାଗି ସମ୍ବଳର ଯଥାଯଥ ବିନିଯୋଗ ସହ ପାରଦର୍ଶୀ କର୍ମନିପୁଣତା ଏକାନ୍ତ ଲୋଡ଼ା ପଡ଼େ । (୫) ସମ୍ଭବତଃ, ଏହି ମାନଦଣ୍ଡରେ ବିଚାର କରାଯାଇ ଆଜିର ବିକଶିତ (Developed) ଓ ଅର୍ଦ୍ଧବିକଶିତ (Under developed) ଦେଶସମୂହର ନାମାଙ୍କନ ସମ୍ଭବ ହୋଇଛି । ତେବେ ଅର୍ଥନୀତିର ଏହିସବୁ ଆଲୋଚିତ ଦିଗଗୁଡ଼ିକ ସଂପୂର୍ଣ୍ଣ ଶାସ୍ତ୍ରୀୟ । ଆଲୋଚ୍ୟ ରାମାୟଣ ପରିସରରେ ସେସବୁର କଡ଼ାକଡ଼ି ଅନୁସରଣ ସର୍ବଥା ସମ୍ଭବ ନ ହେଲେ ମଧ୍ୟ, ପ୍ରବୃତ୍ତିଚାଳିତ ଲାଭକ୍ଷତିର ମୀମାଂଶା ଲୋକଜୀବନରୁ ନିଶ୍ଚୟ ସଂଗ୍ରହ କରାଯାଇପାରିବ । କାରଣ, ଲୋକାଚରଣ ସହ ତହିଁର ସମ୍ପର୍କ ଚିରକାଳର । ଅର୍ଥନୀତିର ଏହି ପ୍ରବୃତ୍ତିକୁ ତେଣୁ “ବ୍ୟାବହାରିକ” କିମ୍ବା ଲୌକିକତାର ଗଣ୍ଡି ଭିତରେ ବାନ୍ଧି ରଖାଯାଇପାରେ । ପୁନଶ୍ଚ ରାମାୟଣ ଗ୍ରନ୍ଥ ଏକ କାବ୍ୟିକ ସୃଜନ ପ୍ରକ୍ରିୟା ହୋଇଥିବାରୁ, ସେଥିରେ ସମକାଳୀନ ସାମାଜିକ ଜୀବନର ଚାହାଣୀ ଓ ଚଳଣୀ ପ୍ରାୟଶଃ ପ୍ରସାରିତ । ବଳରାମ ଏବଂ ତୁଳସୀଙ୍କ ସମାଜ ଏଇଭାବେ, ଆଜିର ପ୍ରଚଳିତ ସମାଜଠାରୁ ପାଞ୍ଚଶହ ବର୍ଷର ପ୍ରାଚୀନ । ସେତେବେଳକୁ ଅର୍ଥନୀତି ସୁବ୍ୟବସ୍ଥିତ ହୋଇସାରି ନ ଥିଲେ ବି ମନୁସ୍ମୃତି, ଶୁକ୍ରନୀତି କିମ୍ବା କୌଟିଲ୍ୟଙ୍କ ଅର୍ଥଶାସ୍ତ୍ର ଆଦି କେତେକ ରଚନା ତହିଁର ପ୍ରାଥମିକ ଭୂମି ନିର୍ମାଣ କରିସାରିଥିଲେ । କବିଦ୍ଵୟ ପୂର୍ବୋକ୍ତ ପ୍ରକାରେ ଏକ ଘଡ଼ିସନ୍ଧି ମୁହୂର୍ତ୍ତର ଦାୟାଦ ହୋଇଥିବାରୁ ଦୃଷ୍ଟିଭଙ୍ଗୀ ସେମାନଙ୍କର ଯଥେଷ୍ଟ ସମନ୍ଵୟ ପରକ । ତେଣୁ ଅର୍ଥନୀତି ପ୍ରସଙ୍ଗରେ ମଧ୍ୟ କେତେକ ଶାସ୍ତ୍ରୀୟ ଓ ଲୌକିକ ଆଚରଣାବଳୀର ମୁଗ୍‌ଧ ପ୍ରେରଣାରେ ଯେ ସେମାନେ ଉଦ୍‌ବୁଦ୍ଧ ହୋଇଥିବେ, ଏହା ମନେ କରିବା ସ୍ଵାଭାବିକ ।

 

ପରିବେଶଗତ ଦୃଷ୍ଟି :–

ଯେକୌଣସି କାର୍ଯ୍ୟର ଲକ୍ଷ୍ୟପୂର୍ତ୍ତି, ସାଧାରଣତଃ ପରିବେଶ ଓ ପରିବେଷ୍ଟନୀ ଉପରେ ବହୁ ଭାବରେ ନିର୍ଭରଶୀଳ । ପରିବେଶ ଯେତେ ସ୍ଵଚ୍ଛ, ସାବଲୀଳ ଓ ସାଧୁ ହେବ; କାର୍ଯ୍ୟାବଳୀର ବିକାଶ ସେତେ ସୁମହାନ ହେବ । କୌଟଲ୍ୟ ସେଥିପାଇଁ ତାଙ୍କ ଅର୍ଥଶାସ୍ତ୍ରରେ ଚାରି ଜାତି ଓ ଚାରି ଆଶ୍ରମର ଯଥାଯଥ କାର୍ଯ୍ୟକାରିତା ଉପରେ ଯଥେଷ୍ଟ ଗୁରୁତ୍ଵ ଆରୋପ କରିଛନ୍ତି । (୬) ମାତ୍ର ଆଲୋଚ୍ୟ ଦୁଇ କବିଙ୍କ କାଳରେ ସେହି ପରିବେଶର ଘୋର ଅବନତି ଦେଖାଯାଇଛି । କଳିଯୁଗ ନିର୍ଣ୍ଣୟ ପ୍ରସଙ୍ଗରେ ତୁଳସୀ ସ୍ଵୀକାର କରିଛନ୍ତି-

 

“ବରନ ଧର୍ମ ନାହଁ ଆସ୍ରମ ଚାରି,

ସ୍ରୁତି ବିରୋଧ ରତ ସବ ନରନାରୀ ।

ଦ୍ୱିଜ ସ୍ରୁତି ବେଚକ ଭୂପ ପ୍ରଜାସନ,

କୋଉ ନହିଁ ମାନ ନିଗମ ଅନୁଶାସନ ।” ମାନସ, ୭-୯୭-୧

ଏହି କଳଙ୍କିତ ଅବସ୍ଥାରେ ଆଉ ଟିକିଏ ଅନ୍ତର୍ଦୃଷ୍ଟି ଦେଇ ବିଭିନ୍ନ ‘ଭେକ’ର ଅନ୍ତରାଳରେ ‘ପରଧର୍ମ’ ପାଳନ ଜନଜୀବନକୁ କିଭଳି ପ୍ରତାରିତ କରେ, ସେଥିର ମୁଖା ଖୋଲିଦେଇଛନ୍ତି ଭରତ (ମାନସ ୨-୧୬୭-୪) । ଏହାଦ୍ୱାରା ଏକମାତ୍ର ଲକ୍ଷ୍ୟ, ବିବେକହୀନ ଶୋଷଣ ବ୍ୟତୀତ ଅନ୍ୟ କିଛି ନୁହେଁ । ରାଜା ପ୍ରତାପଭାନୁ ଓ କପଟମୁନି ପ୍ରସଙ୍ଗରେ ମଧ୍ୟ ସେଇ ଏକା କଥା । ଦଶରଥଙ୍କ ମୃତ୍ୟୁ ପରେ କୁଳପୁରୋହିତ ବଶିଷ୍ଠ, କେଉଁମାନେ ଶୋଚନାର କାରଣ ବୋଲି ଯାହା ଉଲ୍ଲେଖ କରିଥିଲେ, ତାହା ହେଲା, ବେଦବିହୀନ ବ୍ରାହ୍ମଣ, ନୀତିଭ୍ରଷ୍ଟ ରାଜା, କୃପଣ ବୈଶ୍ୟ, ବ୍ରାହ୍ମଣ ନିନ୍ଦୁକ ଶୂଦ୍ର, ପତିଛଳକ ପତ୍ନୀ, କର୍ମତ୍ୟାଗୀ ଗୃହସ୍ଥ ଓ ଭୋଗପ୍ରୟାସୀ ବାନପ୍ରସ୍ଥୀ ଆଦି ପ୍ରଧାନ ।ଏତାଦୃଶ ପରିବେଶରେ ଦେଶର ସମୃଦ୍ଧି ଆଶା କରିବା ବିଡ଼ମ୍ବନା ମାତ୍ର । ରାମାୟଣରେ ଉକ୍ତ ପ୍ରବୃତ୍ତିର ନାମାଙ୍କନ ତୁଳସୀଙ୍କ ଭାଷାରେ ‘ରାକ୍ଷସ’-

 

“ଜିହ୍ଵକେ ୟହ ଆଚରନ ଭବାନୀ,

ତେ ଜାନେହୁ ନିସିଚର ସବପ୍ରାନୀ ।”

ମାନସ, ୧-୧୮୩-୨

 

ଏହି କାରଣରୁ ରାଜା ପ୍ରତାପଭାନୁଙ୍କର ରାମରାଜ୍ୟ ସଦୃଶ ଦେଶ କିମ୍ବା ରାବଣର ବିବିଧ ସୁଖଐଶ୍ଵର୍ଯ୍ୟର ପତନ ଘଟିଛି । ‘ମାନସ’ର ଏହି ପାରିବେଶିକ ବିଶୃଙ୍ଖଳା, କବିଙ୍କ ଅନ୍ୟତମ ରଚନା ‘କବିତାବଳୀ’ରେ ଅତ୍ୟନ୍ତ ସ୍ପଷ୍ଟ ଓ ପ୍ରତ୍ୟକ୍ଷ ।

 

ପକ୍ଷାନ୍ତରେ, କବି ବଳରାମ ସ୍ଵୀୟ ଗ୍ରନ୍ଥରେ ବର୍ଣ୍ଣାଶ୍ରମ ଓ ଚତୁରାଶ୍ରମ ବ୍ୟବସ୍ଥାର ନିୟମୋଚିତ ପ୍ରତିଷ୍ଠା ପ୍ରତି ଦୃଷ୍ଟି ଦେଇଛନ୍ତି । କିନ୍ତୁ ସମକାଳୀନ ସମାଜ ତୁଳସୀଙ୍କ ପ୍ରକାରେ ଆଦୌ ଅନୁକୂଳ ନ ଥିଲା । ବଳରାମ ମଧ୍ୟ ‘ଅସୁର’କୁ ଏକ ପ୍ରବୃତ୍ତି ବୋଲି ଦର୍ଶାଇଛନ୍ତି । ସୀତାଙ୍କ ମୁହଁରେ ସେଥିର ସ୍ଵରୂପ ହେଲା-

 

“ଅସୁରମାନେ ସେ ଅନେକ ରୂପ ହୋନ୍ତି,

ନାନା ବେଶ ଧରି ସେ ଛଦ୍ମରେ ଆସନ୍ତି ।

ଏଇ ରାବଣ ଯେ ମୋର ପାଶେ ଗଲା,

ବେନି ଚରଣ ବେନି ହସ୍ତ ଦେଖାଇଲା ।

ତପସ୍ୱୀ ରୂପ ଗୋଟି ହୋଇଲା ସତ୍ତ୍ଵର,

ଖଣନ୍ତା ଲୋଟା ଘେନି ପ୍ରବେଶ ମୋ ଆଗର ।”

ସୁନ୍ଦରା କାଣ୍ଡ, ପୃ. ୬୫

 

କପଟତାର ଏହି ସ୍ୱରୂପ ବ୍ୟତୀତ ସମକାଳୀନ ଲୋକାଚରଣରେ ସକଳ ଅଶାନ୍ତି, ଅସନ୍ତୋଷର ପୁଞ୍ଜିଭୂତ ବିନ୍ୟାସ ଦେଖିବାକୁ ମିଳେ ବିଭୀଷଣର ସତ୍ୟପାଠ ପ୍ରସଙ୍ଗରେ । କଳିଯୁଗରେ ସେ ରାଜା ବ୍ରାହ୍ମଣ ଓ ବହୁକୁଟୁମ୍ବୀ ହୋଇ ଜନ୍ମହେବା ମୂଳରେ ବିଦ୍ୟମାନ ରହିଛି-ଯୁଗଯନ୍ତ୍ରଣାର ଅବାରିତ ସ୍ୱାକ୍ଷର । ମହୀପାଳମାନେ ପ୍ରଜାଙ୍କୁ ଯଥାଯଥ ପାଳନ କରନ୍ତି ନାହିଁ । ଶତ୍ରୁଙ୍କୁ ଦେଖିଲେ ଭୀତତ୍ରସ୍ତ ହୋଇ ପଳାୟନ କରନ୍ତି । ନିଜଞ୍ଜାଳି ଅଥଚ ମତ୍ତଗର୍ବୀ ହୋଇ ବିବିଧ ପାପାଚାରରେ ଲିପ୍ତ ରହନ୍ତି । ବ୍ରାହ୍ମଣମାନେ ବେଳକାଳ ଜାଣି ସନ୍ଧ୍ୟା ଜପ କରନ୍ତି ନାହିଁ । ଇତର ନୀଚ ରମଣୀ (ଶୂଦ୍ର) ସହ ସହବାସ କରନ୍ତି । ଅଗ୍ନିପୂଜା କିମ୍ବା ବେଦପାଠ ନକରି ସୁଦ୍ଧା ମନରେ ଗର୍ବଭାବ କହନ୍ତି । ବହୁକୁଟୁମ୍ବୀମାନେ ମହାପାପୀ । ସେମାନଙ୍କ ଦେହରେ କେବଳ ମାୟାର ବ୍ୟାପ୍ତି-। ଉପଯୁକ୍ତ ଯତ୍ନର ଅଭାବରୁ ସନ୍ତାନସନ୍ତତିଗଣ ଅନ୍ୟାୟ ଆଚରଣ କରନ୍ତି (ସୁନ୍ଦରା, ପୃ ୨୦୦) । ଏପରିକି ଭରତ-ଗୁହାରିଆ ପ୍ରସଙ୍ଗରେ ସୁଦ୍ଧା ଏହି ଅନାଚାରର ବିବରଣୀ ଅତି ସୁପ୍ରତୁଲ ।

 

ସମାଜ ଜୀବନରେ ଏ ଯେଉଁ ଅଧୋଗତି ସୂଚୀତ ହେଲା, ତହିଁରେ ସୁସ୍ଥ ଅର୍ଥନୀତିର ବିକାଶ ଆଦୌ ସମ୍ଭବ ନୁହେଁ । ସେଥିଯୋଗୁଁ କବିଦ୍ୱୟ ଅବତାରବାଦର ପ୍ରତିଷ୍ଠା ପ୍ରତି ସମଧିକ ଯତ୍ନବାନ । କାରଣ ପରିକଳ୍ପିତ ରାମରାଜ୍ୟ ସୁଖସ୍ୱାଚ୍ଛନ୍ଦ୍ୟ ଓ ସମୃଦ୍ଧ ଅର୍ଥନୀତିର ଦ୍ୟୋତକ । ଯେଉଁଠି ରାଜା-ପ୍ରଜା ଓ ଅମାତ୍ୟ ମଣ୍ଡଳୀ ମଧ୍ୟରେ ସୁଗଠିତ ଯୋଗସୂତ୍ର ବିଦ୍ୟମାନ । କୌଟିଲ୍ୟଙ୍କ ଅର୍ଥଶାସ୍ତ୍ରରେ ଉଲ୍ଲେଖ ରହିଛି ଯେ, “ଗୋଟିଏ ଚକରେ କଦାପି ଗତି ସମ୍ଭବ ନୁହେଁ, ତେଣୁ ରାଜା ମନ୍ତ୍ରୀ ନିଯୋଗ କରିବେ ଓ ସେମାନଙ୍କ ମତ ପ୍ରତି ଅବହିତ ରହିବେ । (୭) ସମର୍ଥନ ଜ୍ଞାପନ କରି ତୁଳସୀ ଲେଖିଛନ୍ତି–ରାମରାଜ୍ୟର ରାଜା-ପ୍ରଜା ଭିତରେ ସୁସମ୍ପର୍କ ପ୍ରତିଷ୍ଠିତ ଥିଲା । କାହାରିଠାରେ ଶତ୍ରୁତା ନଥିଲା (“ବୈର ନ କର କାହୂସନ କୋଇ ।”) କୁଟିଳତା ଓ ଭେଦଭାବଶୂନ୍ୟ ହୋଇ ରାଜ୍ୟବାସୀ ଅଫୁରନ୍ତ ସୁଖ ସ୍ୱାସ୍ଥ୍ୟ ଉପଭୋଗ କରୁଥିଲେ । ଦାଣ୍ଡି ରାମାୟଣରୁ ଏଥିର ଯଥାଯଥ ପ୍ରକାର ନ ଖୋଜି କେବଳ, “ପ୍ରଜାଙ୍କୁ ପାଳଟିକି ପୁତ୍ରର ସଞ୍ଜତ” (ଆଦ୍ୟ, ପୃ ୨୧୩) କଥାଟିରୁ ସବୁକିଛି ହୃଦୟଙ୍ଗମ କରିହେବ । ଶଂସିତ ଗ୍ରନ୍ଥର ପ୍ରାୟ ସ୍ଥଳମାନଙ୍କରେ ଯେଉଁଠି ରାଜ ଉପଦେଶର କ୍ଷେତ୍ର ଆସିଛି, ସେଠାରେ କବିଙ୍କର ତାହା ହିଁ ହୋଇଛି ପ୍ରଧାନ ପ୍ରଶ୍ନ । ସୁତରାଂ ଦୁଇ କବିଙ୍କର ବାଞ୍ଚିତ ଆଦର୍ଶ ହେଲା-

 

“ପରହିତ ସରିସ ଧର୍ମ ନାହିଁ ଭାଇ

ପରପୀଡ଼ା ସମ ନାହିଁ ଅଧମାଇ ।”

ମାନସ, ୭।୪୦।୧

ଏଥିସହ ତୁଳନୀୟ-

“ଧର୍ମ କଲେ ପ୍ରାପତ ହୁଏ ଶୁଭକର୍ମ,

ଅନ୍ୟାୟ କଲେ ତାକୁ ନ ସହେ ପୁଣ ଧର୍ମ ।”

ଉତ୍ତରା, ପୃ ୧୪୭

 

ଅର୍ଥନୈତିକ ସମୃଦ୍ଧି ଲାଗି, ଗୋଟିଏ ଆଦର୍ଶାନୁଗ ରାଜ ପାରିଷଦ ଯେତେ ବେଶୀ ଦାୟୀ ନୁହେଁ, ସେତେ ବେଶୀ ଭାଗୀଦାର କର୍ତ୍ତବ୍ୟ ସଚେତନ ଲୋକସାଧାରଣ । ଶାସନକୁ ବିକେନ୍ଦ୍ରିତ କରି ସଭିଙ୍କୁ ଦାୟିତ୍ଵ ପ୍ରଦାନ କଲେ ଯେଉଁ ଅନ୍ତର୍ନିହିତ ଶକ୍ତିର ବିକାଶ ସାଧିତ ହୁଏ, ତାହା ଗୋଟିଏ ଜନ ମଙ୍ଗଳକାରୀ ରାଷ୍ଟ୍ରର ଭିତ୍ତି ସ୍ଥାପନ କରେ । (୮) ସୁତରାଂ, ତୁଳସୀ ରାମରାଜ୍ୟର ସେବକ ରାଜା ରାମଚନ୍ଦ୍ରଙ୍କ ମୁହଁରେ ସମସ୍ତ ନଗରବାସୀଙ୍କ ପ୍ରତି ନିର୍ଭୟବାଣୀ ଘୋଷଣା କରିଛନ୍ତି । ସେ ଯେବେ କିଛି ଅନ୍ୟାୟ ଆଚରଣ କରନ୍ତି, ତେବେ ଜନସାଧାରଣ ନିର୍ଭୟରେ ତହିଁର ବର୍ଜନ କରିବେ-

 

“ଜୌ ଅନୀତି କରୁ ଭାସୌ ଭାଇ,

ତୌ ମୋହି ବରଜହୁ ଭୟ ବିସରାଇ ।”

ମାନସ, ୭।୪୨।୩

 

ପ୍ରସଙ୍ଗକ୍ରମେ ବଳରାମ ମଧ୍ୟ ଘଟଣାର ସତ୍ୟାସତ୍ୟ ଜାଣି ଲୋକଶକ୍ତିକୁ ଅଧିକ ସ୍ଵାଧୀନତା ଦେବା ଅଭିପ୍ରାୟରେ “ଅନ୍ଧାରୀ ବିଜୟ” ନାମକ ଏକ ନୂତନ କୌଶଳର ପ୍ରୟୋଗ କରିଛନ୍ତି । ଏହି କୌଶଳ ଅନୁଯାୟୀ ସୀତା ପରିତ୍ୟକ୍ତା ହୋଇଥିଲେ । ଏତଦ୍‌ଭିନ୍ନ ତ୍ରିଜଟା ସ୍ଵୟଂ ମନୁଙ୍କ ଅଭିଷେକ କାଳରେ, ବିଭୀଷଣଙ୍କ ଦୁଇପୁତ୍ରଙ୍କୁ ‘ଯୁବରାଜା’ ଓ ‘ଥାଟରାଜା’ (ଲଙ୍କା, ପୃ. ୮୪୧) କରିବା, ସର୍ବୋପରି ତ୍ରିଜଟାଙ୍କୁ “ସ୍ତିରୀଙ୍କର ଉପରେ ରାଜା” କରିବା ବିଶେଷ ତାତ୍ପର୍ଯ୍ୟପୂର୍ଣ୍ଣ । ଗୋଟିଏ ନାରୀର ନ୍ୟାୟଧର୍ମକୁ ନାରୀଟିଏ ଯେତେ ସହଜରେ ଉପଲବ୍‌ଧି କରିବ, କୌଣସି ପୁରୁଷ ଦ୍ଵାରା ତାହା ସେତେ ଆୟାସସାଧ୍ୟ ନୁହେଁ । ପୁନଶ୍ଚ, ଲୋକମୁଖୀ ଆବେଦନ ନିମନ୍ତେ ଦାଣ୍ଡି ରାମାୟଣକାର ଏକ ସଂଘୀୟ ରୀତିର ଶାସନ ନମୂନା ଦେଇଛନ୍ତି । ସେ ଅନୁଯାୟୀ ସମଗ୍ର ରାଜ୍ୟ ଉତ୍ତର, ଦକ୍ଷିଣ, ପୂର୍ବ ଓ ପଶ୍ଚିମ ଆଦି ଭେଦରେ ଚତୁଧା ବିଭକ୍ତ । ପ୍ରତ୍ୟେକ ଭାଗରେ କେତେକ ‘ରାଜା’ ଶାସନ ମୁଖ୍ୟ ଥିବାସ୍ଥଳେ, ତାଙ୍କ ଉପରେ ‘ମଉଡ଼ମଣି’ ପଦବୀର ସୃଷ୍ଟି । ଏହି ମଉଡ଼ମଣିଙ୍କର ପ୍ରତ୍ୟକ୍ଷ ସଂପର୍କ ‘ପୂର୍ଣ୍ଣ-ଇନ୍ଦୁ’ ରାମଚନ୍ଦ୍ରଙ୍କ ସହ (ଉତ୍ତରା, ପୃ ୨୧୪) । ଦାଣ୍ଡି ରାମାୟଣସ୍ଥ ଏହି ସଂଘୀୟ ରୀତି କେତେକାଂଶରେ ‘ମନୁସ୍ମୃତି’ ଅନୁରୂପ (୯) ତୁଳସୀ ରାମାୟଣରେ ଉଲ୍ଲିଖିତ ବୃତ୍ତାନ୍ତସମୂହର ଅଭାବ ଥିଲେ ହେଁ, “ରାଜୁଦୀହ୍ନ ସୁଗ୍ରୀବ କହଁ, ଅଙ୍ଗଦ କହଁ ଯୁବରାଜ” (ମାନସ, ୪ । ୧୨) ମଧ୍ୟରୁ କେତେକ ସୁସ୍ଥ ପାରିବେଶିକ ଚେତନାକୁ ସନ୍ଧାନ କରାଯାଇପାରେ ।

 

ଜାତିପ୍ରଥାର ସଂସ୍କାର ଓ କର୍ମ ପ୍ରତି ଆଗ୍ରହ ସୃଷ୍ଟି-

ଜାତିଭେଦର ପ୍ରଚାର କୌଣସି ଧର୍ମର ବିକାଶ ପଥରେ ଯେପରି ସହାୟକ ହୁଏନାହିଁ, ସେପରି ଅର୍ଥନୈତିକ ପ୍ରଗତି କ୍ଷେତ୍ରରେ ମଧ୍ୟ ଆଦୌ ସୁଗମ ହୁଏନାହିଁ । ଜାତିଭେଦ ସମାଜସ୍ଥିତ ମନୁଷ୍ୟବର୍ଗଙ୍କୁ ଅସମାନ ବୋଲି ଘୋଷଣା କରେ । କେତେକଙ୍କୁ ଉଚ୍ଚ ଓ କେତେକଙ୍କୁ ନୀଚ ବୋଲି ପରିଚିତ କରାଏ । ଫଳରେ ଯୋଗ୍ୟ ଲୋକ ଯୋଗ୍ୟ ସ୍ଥାନରେ ରହିବା ପରିବର୍ତ୍ତେ ଅଯୋଗ୍ୟ ବ୍ୟକ୍ତି ତହିଁର ସୁଯୋଗ ଗ୍ରହଣ କରିନିଏ । ଏତଦ୍ଦ୍ଵାରା ଯେ କେବଳ ଦକ୍ଷତାର ବିଲୋପ ଘଟେ ତାହା ନୁହେଁ; କ୍ଷମତାର ଅପଚାର ମଧ୍ୟ ହୁଏ । ସେଠାରେ କର୍ମପ୍ରବଣତା ବିଲୁପ୍ତ ଘଟି ଅରାଜକତା ମୁଣ୍ଡ ଟେକିଉଠେ । (୧୦) ଉଭୟ ଗ୍ରନ୍ଥରେ ବର୍ଣ୍ଣିତ ‘ବର୍ଣ୍ଣାଶ୍ରମ ବ୍ୟବସ୍ଥା ଏଥିର ଆଧାର । କବିଦ୍ଵୟ ବ୍ରାହ୍ମଣଙ୍କୁ ନିନ୍ଦା କରି ନାହାନ୍ତି, କରିଛନ୍ତି ସେଇମାନଙ୍କୁ, ଯେଉଁମାନେ କର୍ମକାଣ୍ଡ ବର୍ଜନ କରିଛନ୍ତି; କ୍ଷତ୍ରିୟଙ୍କୁ ଭର୍ତ୍ସନା କରି ନାହାନ୍ତି, କରିଛନ୍ତି ସେଇମାନଙ୍କୁ, ଯେଉଁମାନେ ଭୀରୁ ଓ ପ୍ରଜାପୀଡ଼କ । ସେମାନେ ବୈଶ୍ୟଙ୍କୁ ଅପବାଦ ଦେଇନାହାନ୍ତି, ଦେଇଛନ୍ତି ସେଇମାନଙ୍କୁ ଯେଉଁମାନେ ଲୋଭୀ ଏବଂ ଅସାଧୁ । ଶେଷରେ ଶୂଦ୍ରମାନଙ୍କୁ ଅନାଦର କରିନାହାନ୍ତି, କରିଛନ୍ତି ସେଇମାନଙ୍କୁ, ଯେଉଁମାନେ ଆଦେଶ ପାଳନ କରନ୍ତି ନାହିଁ, ଇତ୍ୟାଦି । ଏ ସଭିଏଁ ସେବା, ସ୍ନେହ, ଆଦର ଓ ତ୍ୟାଗ ଆଦି ମୂଳମନ୍ତ୍ରକୁ ପାଶୋରି ଦେଇ କେବଳ ଭୋଗ-ପ୍ରଧାନ ବୈଶ୍ୟ ହେବାକୁ (୧୧) ମନସ୍ଥ କରିଥିଲେ । ଏହାଦ୍ଵାରା ଜନଜୀବନ ଘୋର କଳୁଷିତ ହୋଇପଡ଼ିବା ସ୍ଵାଭାବିକ । ତେଣୁ ଦୁଇ କବିଙ୍କ ଆଗରେ ବର୍ଣ୍ଣାଶ୍ରମ ବ୍ୟବସ୍ଥାର ବିରୋଧ ନୁହେଁ, ବରଂ ସଂସ୍କାର ଜନିତ ସୁସ୍ଥତା ଆନୟନ ଏକମାତ୍ର ପନ୍ଥା ରୂପେ ବିବେଚିତ । ସେଠାରେ ତେଣୁ ଜାତିପ୍ରଥାର କୁତ୍ସିତ ଅନ୍ଧ ବୁଝାମଣା ନାହିଁ ।

 

ତୁଳସୀ, ଚିତ୍ରକୂଟ ଗମନ କାଳରେ ଗୁହକ ଶବରକୁ ‘ରାମପ୍ରିୟ’ ଜାଣି ବିଶିଷ୍ଠଙ୍କ ଦ୍ଵାରା ଆଶୀର୍ବାଦ ପ୍ରଦାନ କରିଛନ୍ତି । ‘ରାମସଖା’ ମନେକରି ଭରତଙ୍କ ଦ୍ଵାରା କୋଳାଗ୍ରତ କରାଇଛନ୍ତି । ଏହି ଜାତିଗତ ସଂସ୍କାରର ସର୍ବଶ୍ରେଷ୍ଠ ପ୍ରକାଶ ଦେଖିବାକୁ ମିଳିଥାଏ ଗ୍ରନ୍ଥବର୍ଣ୍ଣିତ ଉତ୍ତରାକାଣ୍ଡରେ । ପ୍ରଭୁ ରାମଚନ୍ଦ୍ର ସ୍ଵ ହସ୍ତରେ ଗୁହକ ଶବରକୁ ବେଶଭୂଷା କରାଇ କହନ୍ତି-

 

“ତୁହ୍ମ ମମ ସଖା ଭରତ ସମ ଭ୍ରାତା

ସଦାର ହେଉ ପୁର ଆଓ୍ଵତ ଜାତା ।”

ମାନସ, ୭ । ୧୯ । ୨

 

ଏଥିସହ ତୁଳସୀଙ୍କର ନାମ-କୀର୍ତ୍ତନ ଏହି ଜାତିହୀନତାର ସର୍ବୋତ୍କୃଷ୍ଟ ବୈଜ୍ଞାନିକ ଦୃଷ୍ଟିକୋଣ । କୌଣସି ଗୋଷ୍ଠୀବିଶେଷ ଏହାକୁ ଏକଚାଟିଆ ବ୍ୟବସାୟରେ ପରିଣତ କରିପାରିନାହାନ୍ତି । ଆବ୍ରାହ୍ମଣ-ଚଣ୍ଡାଳ, ଶବର, ଯବନ, ମୂର୍ଖ, ପାପୀ, ତାପୀ, କନ୍ଧ ଓ କୋହ୍ଲ ସମସ୍ତେ-“ରାମୁ କହତ ପାବନ ପରମ ହୋତ ଭୁବନ ବିଖ୍ୟାତ” (ମାନସ, ୨।୧୯୪) । ଜନଶକ୍ତିକୁ ଏହା କମ୍‌ କର୍ମର ଉଦ୍ଦୀପନା ଯୋଗାଏ ନାହିଁ !

 

ଅନୁରୂପ ଭାବେ, ଦାଣ୍ଡି ରାମାୟଣରେ ମଧ୍ୟ ନୀଚ ସଂସ୍କୃତି ସହ ଉଚ୍ଚ ସଂସ୍କୃତିର ଉଦାର ସମନ୍ଵୟ ସୁପ୍ରତିଷ୍ଠିତ । ସେଥିରେ ନାମ-ଜପର ସାର୍ବଜନୀନ ପ୍ରଭୃତି ସାଙ୍ଗକୁ, ରାମ-ଲକ୍ଷ୍ମଣ ଓ ସୀତା ଶବର ଗୁହକ ହାତରୁ ଖାଦ୍ୟ ଗ୍ରହଣ କରି ସନ୍ତୋଷ ପ୍ରକାଶ କରିଛନ୍ତି (ଅଯୋଧ୍ୟା ପୃ ୧୧୪) । “ଆହାରେ ଭାଇ ମୋର ତୋତେ ଦେଖିବି କାହିଁ”-ବୋଲି ଭରତଙ୍କ ଉକ୍ତି ଶବର ସମ୍ପର୍କକୁ ମଧୁମୟ କରିଦେଇଛି । ଶବର ବ୍ୟତୀତ କରଣ, କୈବର୍ତ୍ତ, ଲୋଧାକନ୍ଧ, ଗଉଡ଼, ବେହେରା, ବାଉରୀ, ବିଶୋଇ ଓ ହାଡ଼ି ପ୍ରଭୃତି ଜାତିର ବର୍ଣ୍ଣନା ବଳରାମଙ୍କ ହାତରେ ଅତି ଜୀବନ୍ତ ହୋଇଛି । କବି ବଳରାମ ମୁଖ୍ୟତଃ ଜଣେ ଶୂଦ୍ର ହୋଇଥିବାରୁ ତଥା ଶୂଦ୍ରର ପ୍ରଧାନ କର୍ମ ଚାଷ ହୋଇଥିବାରୁ ରାମାୟଣର ଯେଉଁଠି ଉପଦେଶ ପ୍ରସଙ୍ଗ ଉଠିଛି, ସେଠାରେ ସେ କୃଷି ପ୍ରତି ସମୁଚିତ ଧ୍ୟାନ ଦେଇଛନ୍ତି । କୃଷି ପୂର୍ଣ୍ଣତଃ ଇନ୍ଦ୍ର ବୃଷ୍ଟି ଉପରେ ନିର୍ଭର କରୁଥିବାରୁ ବଣଜଙ୍ଗଲ ଆଦିର ପାରିବେଶିକ ସୁରକ୍ଷା ପ୍ରତି ଯତ୍ନ କରିବାକୁ ହୋଇଛି । ରାମଚନ୍ଦ୍ର ଭରତଙ୍କୁ କହିଛନ୍ତି-

 

“ଅପନ୍ତରା ବାଟରେ ବୃକ୍ଷ ଲଗାଇବୁ

ଖାଲ ଖଣା ବାଟରେ ଶଙ୍ଖ ବନ୍ଧାଇବୁ ।”

ଅଯୋଧ୍ୟା, ପୃ ୧୫୯

 

ପୁନଶ୍ଚ, ଅନ୍ୟ ଗୋଟିଏ ସ୍ଥଳରେ-“ଧାନ ଉପୁଜିବାକୁ ପୋଖରୀ ଖୋଳିବୁ” (ପୃ. ୮୦) କାରଣ “ଲୋକ ହିଁ ବଞ୍ଚିବେ ଖେତ ଧନ ହିଁ ପ୍ରାପତ”-ବାସ୍ତବିକ ଶୂଦ୍ର ସମାଜର ହିତକଳ୍ପେ କବିଙ୍କ ଉପରେ ଏହା ତାଙ୍କ ପୂର୍ବସୂରୀ ସାରଳାଙ୍କ ପ୍ରଭାବ ଛଡ଼ା ଅନ୍ୟ କିଛି ନୁହେଁ । କର୍ମପ୍ରଣାଳୀର ଏତାଦୃଶ ପ୍ରଗତିଶୀଳ ଲୋକ-ଚେତନା ‘ମାନସ’ରେ ବିରଳ ।

 

ଆହୁରି ମଧ୍ୟ, କଠୋର ପରିଶ୍ରମ ଓ କର୍ମ ପ୍ରତି ଆଗ୍ରହ ସୃଷ୍ଟି ଏକ ସମୃଦ୍ଧ ଅର୍ଥନୀତିର ଚାବିକାଠି । ଉଭୟ ଗ୍ରନ୍ଥରେ ଏହାକୁ “ତପସ୍ୟା” ଭାବରେ ପ୍ରତିପାଦନ କରାଯାଇଛି । ଅକୃତ୍ରିମ ଶ୍ରଦ୍ଧା, ପ୍ରଗାଢ଼ ନିଷ୍ଠା ଓ ପରିପୂର୍ଣ୍ଣ ବିଶ୍ଵାସ ସ୍ଥାପନର ନାମ ‘ତପସ୍ୟା’ । ତୁଳସୀଙ୍କ ବର୍ଣ୍ଣିତ ‘ସତୀ’, ସ୍ଵାୟଂଭୂବ ଶତରୂପା ଓ ରାବଣାଦିଙ୍କ ବରପ୍ରାପ୍ତି ମୂଳରେ ଏହି ତପସ୍ୟା ଏକମାତ୍ର ପଥିକୃତ ଶକ୍ତି ଭାବେ ଗୃହୀତ । ପ୍ରତାପଭାନୁରାଜା ପ୍ରସଙ୍ଗରେ କପଟମୁନି ଏହାର ସ୍ଵଷ୍ଟୀକରଣ ଦେଇ କହିଛି-

 

“ତପବଲ ସମ୍ଭୁ କର ହିଁ ସଂଘାରା,

ତପ ତେ ଅଗମ ନ କଛୁ ସଂସାରା ।”

ମାନସ, ୧ । ୧୬୨ । ୨

 

ଦାଣ୍ଡି ରାମାୟଣରେ, “ଜବାତ ପିତାମହଙ୍କୁ ଲୟ କରିଥାନ୍ତି” (ଉତ୍ତରା ପୃ. ୫୨) ଉକ୍ତି ଭିତରୁ ରାବଣ ପ୍ରଭୃତିଙ୍କର ଘୋର ତପଶ୍ଚରଣର ସୂଚନା ମିଳିଥାଏ । ବଳରାମ କିନ୍ତୁ ଆଉ ପାଦେ ଆଗକୁ ଯାଇ ଏ କନିଷ୍ଠ ଈଶ୍ଵର ବିଶ୍ଵାସ ସହ ଶରୀରସ୍ଥ ଉପସ୍ଥିତ ବୁଦ୍ଧି ଓ ସାମାନ୍ୟ ଶକ୍ତିର ମଧୁର ମିଳନ ଘଟାଇଛନ୍ତି । ଲୋକକଥାର ପଟ୍ଟଭୂମିରେ ସେଥିର ସ୍ଵରୂପଟିଏ ଏହିପରି-ଏକ ମାଠିଆ ଆବଦ୍ଧ ବେଙ୍ଗବେଙ୍ଗୁଲୀ ଶେଷଯାଏ ଭଗବାନଙ୍କ ଭରସାରେ ଅପେକ୍ଷା ନ କରି, ଉପାୟନ୍ତର ପାଞ୍ଚି ପରସ୍ପର ମଧ୍ୟରେ କଳିଗୋଳ କଲେ । ସୁତରାଂ ମାଠିଆ ଗଡ଼ିପଡ଼ିଲା ଓ ଦୁହେଁ ରକ୍ଷା ପାଇଗଲେ । ସେହିପରି ଅନ୍ୟ ଏକ ଲୋକକଥାରେ ଏକ ଶ୍ୟାମଳପକ୍ଷୀ ନିଜ ଥଣ୍ଟରେ ‘ଶାରୀ’ ଏବଂ ପାଦରେ ‘ଶୁଆ’କୁ ଘେନି ଯାଉଥିବା କାଳରେ ପକ୍ଷୀଦ୍ଵୟ ଭଗବାନ କର୍ତ୍ତୃକ ଆଶ୍ଵସ୍ତ ହୋଇନାହାନ୍ତି, ବରଂ ଆତ୍ମସ୍ଥ ବିଦ୍ୟା ବୁଦ୍ଧିର ବିନିଯୋଗ କରିଛନ୍ତି । ଶାରୀ ନିର୍ଦ୍ଦେଶରେ ଚାଳିତ ଶୁକପକ୍ଷୀ ଶ୍ୟାମଳର ଗୋଡ଼କୁ କାମୁଡ଼ି ଦିଏ; ସେ ଯନ୍ତ୍ରଣାଗ୍ରସ୍ତ ହୁଅନ୍ତେ ଦୁହିଁଙ୍କର ମୁକ୍ତିମାର୍ଗ ଖୋଲିଯାଏ (ଅଯୋଧ୍ୟା, ପୃ. ୧୧୫) । ଲୋକଚିତ୍ତରେ ଏହିସବୁ ଦୃଷ୍ଟାନ୍ତ କର୍ମପ୍ରେରଣା ସୃଷ୍ଟି କରିବା ସଙ୍ଗେ ସଙ୍ଗେ ସାମାଜିକ ଅଭିବୃଦ୍ଧିର ସହାୟକ ହୁଏ ।

 

ରାଜସ୍ଵ ଓ ସମବଣ୍ଟନ ବ୍ୟବସ୍ଥା :

ରାଜ୍ୟର ସୁଶାସନ ନିମନ୍ତେ ଟିକସ ବା ରାଜସ୍ଵର ସଂଗ୍ରହ ଏକାନ୍ତ ପ୍ରୟୋଜନ । ତୁଳସୀ ରାମରାଜ୍ୟର ପରିପାଟୀକୁ ଅବର୍ଣ୍ଣନୀୟ (“ସହସ ଶେଷ ନହିଁ କହି ସକହିଁ ଜହଁ ନୃପ ରାମ ବିରାଜ”-ମାନସ, ୭।୨୬) ବୋଲି କହିସାରିବା ପରେ ସେ ଆଉ ନିହାତି ତୁଚ୍ଛାତିତୁଚ୍ଛ ଘଟଣାମାନ ପ୍ରତି ଦୃଷ୍ଟି ଦେବାକୁ ଅବକାଶ ପାଇନାହାନ୍ତି । ନଚେତ୍‌ ରାଜସ୍ଵ ସମ୍ପର୍କିତ ଚିନ୍ତାରୁ ସେ ଏକାବେଳକେ ମୁକ୍ତ ନୁହନ୍ତି । ‘ଦୋହାବଳୀ’ର ୫୦୭ ସଂଖ୍ୟକ ପଦରେ ଲେଖିଛନ୍ତି ଯେ, ବଗିଚାର ମାଳି ଯେପରି ନିଃସ୍ଵାର୍ଥପର ଭାବରେ ବୃକ୍ଷମାନଙ୍କରେ ଜଳ ବିତରଣ କରୁଥାଏ, ସେପରି ଉଦାର ନରପତି ଅସହାୟ ଓ ଦୀନଦୁଃଖିମାନଙ୍କର ରକ୍ଷଣାବେକ୍ଷଣ କରିଥାନ୍ତି । ସୂର୍ଯ୍ୟ ଯେପରି ସମସ୍ତଙ୍କ ଅଲକ୍ଷ୍ୟରେ ସମୁଦ୍ରରୁ ଜଳକଣା ସଂଗ୍ରହ କରେ ଏବଂ ପୁନର୍ବାର ପାତ୍ରାପାତ୍ର ଭେଦରେ ବର୍ଷା ରୂପରେ ବିତରଣ କରିଦିଏ, ସେପରି ଉତ୍ତମ ନରପତି ପରୋକ୍ଷ ଭାବରେ କର ଗ୍ରହଣ କରି ଲୋକବର୍ଗର ହିତ ବିଧାନ କରିଥାନ୍ତି । ମନୁକାର ଏହି ଭାବକୁ ଯୋକର ରକ୍ତପାନ, ବାଛୁରୀର ଦୁଗ୍‌ଧପାନ ଓ ଭ୍ରମରର ମଧୁପାନ ସହ ତୁଳନା କରିଛନ୍ତି । (୧୨) ଏଥିର ସବିଶେଷ ଅର୍ଥ ଏହି ଯେ ରାଜା ଯେଉଁ ବାର୍ଷିକ କର ଗ୍ରହଣ କରିବେ, ତାହା ଯେପରି ପ୍ରଜାବର୍ଗଙ୍କୁ ଆଦୌ ଅନୁଭୂତ ହେବନାହିଁ ।

 

ଏ କ୍ଷେତ୍ରରେ ବଳରାମଙ୍କ ଧାରଣା ମଧ୍ୟ ଏକାପରି । ତାଙ୍କର ଅନୁଭବ, ରାଜସ୍ଵ ବ୍ୟତିରେକେ ରାଜ୍ୟ ତିଷ୍ଠିପାରିବ ନାହିଁ । ପୁଣି ମାତ୍ରାତିରିକ୍ତ କର ବସାଣ ପ୍ରଜାବର୍ଗଙ୍କ ମେରୁଦଣ୍ଡ ଦୋହଲାଇ ଦେବ । ତେଣୁ ଏକ ଆନୁପାତିକ ହାର ନିର୍ଣ୍ଣୟର ସେ ପକ୍ଷପାତି । ରାଜ ଉପଦେଶ ଛଳରେ ତାଙ୍କୁ କହିବାକୁ ହୋଇଛି ଯେ, “ମାଣକେ କାହାଣେ କରକୁ ବୃତ୍ତି ଦିଅ” (ଅରଣ୍ୟ, ପୃ-୧୧) କିମ୍ବା, “ମାଣକରେ କାହାଣେ ଯେ ଘର କରେ ପଣେ” ଇତ୍ୟାଦି । ସବୁଠାରୁ ଉଲ୍ଲେଖନୀୟ ବିଷୟ ହେଲା, ସେ “ଜଣକେ କୋଡ଼ିଏ” ହିସାବରେ ‘ଘାଟକର’ (ଉତ୍ତରା, ପୃ. ୨୪୭) ମଧ୍ୟ ନିର୍ଦ୍ଧାରଣ କରିଛନ୍ତି । ମାନସରେ ଏସବୁ ବିରଳ ।

 

ଏହିପରି ସଂଗୃହୀତ ଅର୍ଥକୁ ରାଜ୍ୟ ମୁଖ୍ୟ ଅଯଥା ଅପବ୍ୟୟ ନ କରି, ପ୍ରଜାଙ୍କ ହିତକଳ୍ପେ ଦୁଃସମୟରେ ପ୍ରଦାନ କରିବା ଉଚିତ୍‌ । ରାଜା ଲୋମପାଦ ନିଜର ମରୁଡ଼ି କବଳିତ ରାଜ୍ୟରେ ଏହି ଆଦର୍ଶ ପ୍ରଦର୍ଶନ କରିଥିବାରୁ ରାଜ୍ୟବାସୀଙ୍କର ପ୍ରିୟଭାଜନ ହୋଇଛନ୍ତି । “ଆମ୍ଭର ଆୟୁଷ ଘେନିଣ ବଞ୍ଚି ହୋ ରାଜନ ସିନା”-ପ୍ରଜାକୁଳର ଆତ୍ମୋକ୍ତି ଏକ ସମୃଦ୍ଧ ଜୀବନର ସୂଚନା ଦିଏ । ଶୁକ୍ରନୀତି ମଧ୍ୟ ଧର୍ମାନୁଗତ ରାଜା ଦେବସଦୃଶ ଏବଂ ସେଥିର ବିପରୀତ ଅର୍ଥାତ୍‌ ଧର୍ମଲୋପୀ ରାଜାଙ୍କୁ ପ୍ରଜାପୀଡ଼କର ସଂଜ୍ଞା ପ୍ରଦାନ କରିଥିବାର ଦେଖିବାକୁ ମିଳେ । (ପୃ-୮)

 

ସେଥିପାଇଁ ରାଜା ରାମଚନ୍ଦ୍ର ଅଯୋଧ୍ୟା ଫେରି ସୈନ୍ୟବର୍ଗଙ୍କର ସାହାଯ୍ୟକୁ ସ୍ମରଣ କରି (“ତୁହ୍ମ ଅତି କୀହ୍ନି ମୋରି ସେବକାଇ”) ଅନୁପମ ସୁନ୍ଦର ପଟ୍ଟବସ୍ତ୍ରାଦିରେ ସେମାନଙ୍କୁ ସମ୍ମାନିତ କରିଥିଲେ । ଭରତ ସୁଗ୍ରୀବଙ୍କୁ ଲକ୍ଷ୍ମଣ ବିଭୀଷଣଙ୍କୁ ଏବଂ ନିଜେ ରାମଚନ୍ଦ୍ର ଜାମ୍ବବନ୍ତ ଓ ନୀଳାଦିଙ୍କୁ ସ୍ୱହସ୍ତରେ ପରିଧାନ କରାଇଥିଲେ । ଏହା ଯଦ୍ୟପି ଅର୍ଥନୀତି ପ୍ରସଙ୍ଗ ନୁହେଁ, ତଥାପି ଦାୟିତ୍ୱ ଓ ଅଧିକାର ବଣ୍ଟନରେ ଏ ଯେଉଁ ଆଦର୍ଶ ତୁଳସୀ ପ୍ରତିଷ୍ଠା କରିଛନ୍ତି, ତାହା ବଳରାମଙ୍କ ହାତରେ ଅତି ସ୍ପଷ୍ଟ ଓ ପ୍ରତ୍ୟକ୍ଷ । ବଳରାମ ସୂଚୀତ କରିଛନ୍ତି, ରାମରାଜ୍ୟର ଶାସନପ୍ରଣାଳୀ ଲୋକଙ୍କର ଏତେଦୂର ପୋଷକ ହୋଇଛି, ଯେ ଲୋକଚେତନାରେ ରାଜସ୍ୱ ପାଣ୍ଠିର କଳ୍ପନା ସୁଦ୍ଧା ନାହିଁ । ‘ରାଜସ୍ୱ’ ଶଂସିତ କ୍ଷେତ୍ରରେ ‘ଭଟୀ’ ବା ‘ଦର୍ଶନୀ’ ନାମରେ ନାମିତ । କବିଙ୍କ ଲେଖାରେ–

 

“ଶ୍ରୀରାମ ଯେ ଆମ୍ଭଙ୍କୁ ଅଚିନ୍ତା କରାଇଲେ,

ଆମ୍ଭର ଭେଟୀ ଦର୍ଶନୀ ନେଇ ଦେବା ଭଲେ ।”

ଉତ୍ତରା, ପୃ.୨୧୪

 

ରାଜା ରାମଚନ୍ଦ୍ର, ପ୍ରାପ୍ତ ସେହି ସମସ୍ତ ସମ୍ପଦକୁ ଯଥାଯଥ ଭାବେ ତିନିଭାଇଙ୍କ ଭିତରେ ବାଣ୍ଟି ସାରିବା ପରେ ନିଜେ ଗ୍ରହଣ କରିଛନ୍ତି । (ଉତ୍ତରା, ପୃ ୨୧୪/୨୧୫) । ମୋଟ ଉପରେ କହିବାକୁ ଗଲେ ରାମାୟଣର ରାଜସ୍ୱ ନୀତି ଆଦାନପ୍ରଦାନର ସମ୍ପର୍କ ଉପରେ ପ୍ରତିଷ୍ଠିତ ।

 

ବାଣିଜ୍ୟ ଓ ଗମନାଗମନ :

ନିତିଦିନିଆ ଲୋକଜୀବନକୁ ସରସ ସୁନ୍ଦର ତଥା ଗତିମୁଖର କରିବା ସହିତ ସମାଜକୁ ସମୃଦ୍ଧି ପଥରେ ଆଗେଇ ଘେନିଯିବା ସକାଶେ ବାଣିଜ୍ୟ-ବ୍ୟବସାୟର ଭୂମିକା ଅନସ୍ୱୀକାର୍ଯ୍ୟ । ହାଟ ବଜାର ପ୍ରଭୃତିର ସୃଷ୍ଟିକରି ପ୍ରଜାବର୍ଗଙ୍କୁ ସେମାନଙ୍କର ବ୍ୟବହାର୍ଯ୍ୟ ସାମଗ୍ରୀ ଯୋଗାଇ ଦିଆଯାଇଥାଏ । ବିଶେଷତଃ କୌଣସି ଆଡ଼ମ୍ବର, ଜାକଜମକ କିମ୍ବା ସମ୍ମେଳନ ଉପଲକ୍ଷେ ଏ ସବୁର ଆୟୋଜନ କରି ଲୋକଙ୍କୁ ଉତ୍ସବ-ମୁଖରତାର ସ୍ୱାଦ ପହଞ୍ଚାଇ ଦେବା ସମ୍ପୂର୍ଣ୍ଣ ଏକ ଦେଶୀୟ ପ୍ରବୃତ୍ତି । ଉଦାହରଣସ୍ୱରୂପ, ବନବାସ ଫେରନ୍ତା “ଶ୍ରୀରାମ ଆସିବେ ବୋଲି ପଡ଼ିଛି ଚହଳ” ଅଯୋଧ୍ୟା ନଗରରେ । ସେଠାର ସବୁପ୍ରକାର ସାଜସଜ୍ଜା ଭିତରେ ହନୁମାନ ଲକ୍ଷ୍ୟ କରନ୍ତି–“ଲକ୍ଷେକ ହାଟ ଯେ ବସିଅଛି ଦାଣ୍ଡେ” ସେହି ଦାଣ୍ଡ ଗଳିରେ ବସିଥିବା ହାଟରେ ଆମ୍ବ, ପଣସ ଠାରୁ ବରକୋଳି, ଗଡ଼ୁ ଗରିଆ ଠାରୁ ମାଠିଆ ଅଟକିଯାଏ, ପୁଣି ସଚିକନ୍ଦ ନବାତଠାରୁ ମିଠାଇ ଖଜା ମୁଆଁର ପସରା ବାସ୍ତବିକ ଓଡ଼ିଆ ଗାଁ ଗହଳର ଅର୍ଥନୀତିକୁ ନିୟନ୍ତ୍ରଣ କରିଛି ।

 

‘ମାନସ’ରେ କିନ୍ତୁ ବାଣିଜ୍ୟର ଏତାଦୃଶ ସ୍ୱରୂପ ସ୍ପଷ୍ଟ ନୁହେଁ । ତେବେ ରାମାଦିଙ୍କ ବିବାହ କାଳରେ ଅଯୋଧ୍ୟାର ମଙ୍ଗଳମୟ ଭବନର ସୂଚନା ପ୍ରସଙ୍ଗରେ ‘ବଜାର’ର ଯେଉଁ ଚିତ୍ର ପ୍ରକଟିତ, ତହିଁର ସମ୍ୟକ ଅବଧାରଣା ନିମ୍ନୋକ୍ତ ପ୍ରକାରେ—

 

“ଧୂଜ ପତାକ ପଟ ଚାମର ଚାରୁ

ଛାୱା ପରମ ବିଚିତ୍ର ବଜାରୁ ।”

ମାନସ, ୧।୨୯୫।୪

 

ଏଠାରେ ସୂଚୀତ ବଜାରର ବିକଶିତ ଓ ସମୃଦ୍ଧ ପରିଚୟାତ୍ମକ ବିବରଣୀ ରାମରାଜ୍ୟର ଚିତ୍ରଣରେ ହିଁ ନିହିତ । ‘ବଜାଜ୍‌’ (ଲୁଗା ବେପାରୀ), ‘ବନିକ୍‌’ (ବେପାରୀ) ଓ ‘ସରାଫ’ (ଟଙ୍କା ପଇସା ଦିଆନିଆ) ମାନଙ୍କର ସମାବେଶ ସେଠାରେ ‘କୁବେର’ ସଦୃଶ । ସମସ୍ତେ ସଚ୍ଚରିତ୍ର ଓ ସୁଖୀ । ସୁଖମୟ ବାଣିଜ୍ୟିକ ପରମ୍ପରା ଲାଗି ଏହି ‘ସାଧୁତା’ ସର୍ବଶ୍ରେଷ୍ଠ ଉପାଦାନ । କବି ବଳରାମ ଏ ଘେନି ଖୁବ୍‌ ଯତ୍ନଶୀଳ । ତାଙ୍କର ଚେତାବନୀ ହେଲା–

 

“ପଥଶ୍ରାନ୍ତ ଲୋକ ଯେହ୍ନେ ଦୁଃଖ ନ ପାଇବେ,

ବଜାରୀ ହଟାରୀ ନିତ୍ୟେ ପଶରାକୁ ଦେବେ ।”

ଅଯୋଧ୍ୟା, ପୃ.୧୫୯

 

ବାଣିଜ୍ୟ ବ୍ୟବସାୟ ମୁଖ୍ୟତଃ ବିଶ୍ୱାସନିର୍ଭର ହୋଇଥିବାରୁ ବୈଶ୍ୟମାନେ ‘ମାୟା’ ବଦଳରେ ‘ଦୟା’ ପ୍ରଦର୍ଶନ କରିବା (ଉତ୍ତରା, ପୃ. ୩୪) ବାଞ୍ଚନୀୟ । ପ୍ରାକ୍ତନ ସମାଜ ଏହିମାନଙ୍କୁ ସେଥିପାଇଁ ସର୍ବଶ୍ରେଷ୍ଠ ‘ସାଧୁ’ ଉପାଧିରେ ଭୂଷିତ କରିଥିଲା । ଭାଷା ପରିବର୍ତ୍ତନ ନିୟମରେ ପରବର୍ତ୍ତୀକାଳରେ ଏହା ‘ସାହୁ’ରେ ପରିଣତ ହୋଇଛି । ଓଡ଼ିଶାରେ ଆଜି ମଧ୍ୟ ‘ସାହୁ’ କହିଲେ ବେପାର ବଣିଜ କରୁଥିବା ଦୋକାନ ମାଲିକକୁ ବୁଝାଇଥାଏ । ଗୋଟିଏ ସ୍ଥଳରେ ବାଣିଜ୍ୟର ଛଳରୀତି (ମାୟା) କିପରି ମହାକାଳର ବଶବର୍ତ୍ତୀ ହୁଏ, ତାହା ‘ଗଜ-କୁମ୍ଭୀର’ କଥା ଭିତର ଦେଇ ପ୍ରତିପାଦନ କରିଛନ୍ତି–

 

“କାହାର ଚିର ହୋଇ ନ ରହିବ ବିତ୍ତ,

ବଢ଼ିଲା ନଦୀ ପ୍ରାୟେ ମଣିବେ ସମସ୍ତ ।

ନଦୀ ବଢ଼ିଲା କାଳରେ ନକ୍ର ଉଠିଥିଲା,

ଗଜ ସଙ୍ଗେ ଯେମନ୍ତ ମୈତ୍ରଭାବ କଲା ।

କଳିଯୁଗ ସାହୁଙ୍କର ଏସନକ ରୀତି,

ସେହି ପ୍ରାୟ ନାଶ ଯିବେ ବେଳରେ ଜାଣଟି ।”

ଲଙ୍କା, ପୃ. ୮୯୭

 

ଏକ ସମୃଦ୍ଧ ଗଠନାତ୍ମକ ଅର୍ଥନୀତି ସକାଶେ ଏହା କମ୍‌ ବଡ଼ ଚେତାବନୀ ନୁହେଁ ! ସାଧୁ ଆଚରଣ ବ୍ୟତୀତ, ଆହୁରି କେତେକ ଭଙ୍ଗୀ ପ୍ରଧାନ କୌଶଳ ବାଣିଜ୍ୟକୁ ସୁସମୃଦ୍ଧ କରେ । ତନ୍ମଧ୍ୟରେ ସ୍ୱଳ୍ପ ପୁଞ୍ଜିଲଗାଣ, ସଞ୍ଚୟ ମନୋବୃତ୍ତି ଓ ଗମନାଗମନ ଆଦି କେତୋଟି ପ୍ରଧାନ । ଆଲୋଚ୍ୟ ଗ୍ରନ୍ଥରେ ସେ ସମସ୍ତର ପ୍ରୟୋଗ ଦେଖାଯାଏ ।

 

ସମାଲୋଚକମାନେ ଦାଣ୍ଡି ରାମାୟଣସ୍ଥ ଶସ୍ତା ସୁଳଭ ଶୈଳୀରେ ଗୃହନିର୍ମାଣ କୌଶଳକୁ ମୂଳଗ୍ରନ୍ଥ ସହ ତୁଳନା କରି ଏହି ସିଦ୍ଧାନ୍ତରେ ଉପନୀତ ଯେ, ବାଲ୍ମିକିଙ୍କ ବର୍ଣ୍ଣିତ ନଗରୀ ହର୍ମ୍ୟମୟୀ; ମାତ୍ର ବଳରାମ ପଲ୍ଲୀର କୁଟୀର ଉପରେ ସମୃଦ୍ଧିର ଏକ ପରିକଳ୍ପନା କରିଛନ୍ତି । (୧୩) ତାହା ଚନ୍ଦନ ଓ ଅଗୁରୁ କାଠର ରୁଅ ଏବଂ ତେଜପତ୍ରର ଛାଉଁଣୀ । ତୁଳସୀ ଏହି ବିନ୍ୟାସ କୌଶଳରେ ଏତେଟା ଲୋକମୁଖୀ ନୁହଁନ୍ତି । ପରନ୍ତୁ ଆଦିକବିଙ୍କ ପ୍ରକାରେ “ଧବଲ ଧାମମନି ପୁରଟ ପଟ’’ ସାଙ୍ଗକୁ “ସୁଭଗ ଦ୍ୱାର ସବ କୁଲିସ କପାଟ’’ରେ ଉଜ୍ଜ୍ୱଳ ମଣି ରତ୍ନ ସଂଲଗ୍ନ ହୋଇ ସମୃଦ୍ଧିର ପରିଚୟ ଦିଏ । ଏପରି ସମୃଦ୍ଧିର ଚିତ୍ର ଯେ ଦାଣ୍ଡି ରାମାୟଣରେ ଏକାବେଳେ ନାହିଁ, ତାହା ନୁହେଁ । ତେବେ ସେ ସମସ୍ତ ତୁଳନାରେ ଉକ୍ତ ଲୋକ ପରିବେଶ ହିଁ ସର୍ବାଧିକ ।

 

ଅନୁରୂପ ଭାବେ, ରାମ ବିବାହରେ ତୁଳସୀ ଯେଉଁ ଜାନିଯଉତୁକ କିମ୍ବା ଖାଦ୍ୟଦ୍ରବ୍ୟାଦିର ସୂଚନା ପ୍ରଦାନ କରିଛନ୍ତି, ତାହା ଅର୍ଥନୀତିର ପରିମାପ ଦୃଷ୍ଟିରୁ ଆଦୌ ଅନୁକୂଳ ନୁହେଁ । ସେଠାରେ ଚତୁର୍ବିଧ ଭୋଜନ କିମ୍ବା ‘ଷଡ଼ରସ’ର “ଏକ ଏକ ବିଧି ବରନି ନ ଜାଇ’’ କିମ୍ବା “ଏକ ଏକ ରସ ଅଗନିତ ଭାଁତି”–କହି ତୁଳସୀ ଅନିର୍ବଚନୀୟତାର ମାୟା ସୃଷ୍ଟି କରିଛନ୍ତି । କିନ୍ତୁ ବଳରାମ ନିଚ୍ଛକ ଲୋକଜୀବନ ସୁଲଭ ଖାଦ୍ୟ ପରିପାଟୀରେ ଆବଦ୍ଧ । ଭରଦ୍ୱାଜ ଆଶ୍ରମରେ ଭରତ ଅନ୍ୟାନ୍ୟ ବହୁବିଧ ଦ୍ରବ୍ୟ ସହିତ ମାଲପୁଆ ଛେନାଲଡ଼ୁ, କାକରା, ବରାଗୁଳି, ଡାଳିମ୍ବଖଜା, ସରପୁଲି, ଅଟାମଣ୍ଡା, ନାଡ଼ିପୁରି, ସରପାପଡ଼ି, ଗଇଁଠା, ଆରିଶା ଆଦି (ଅଯୋଧ୍ୟା ପୃ: ୧୪୩) ପିଠାପଣା ସେବନ କରିଥିଲେ । ଏଗୁଡ଼ିକ ଶସ୍ତା ସୁଲଭ ଯେପରି, ଓଡ଼ିଆର ନିଜସ୍ଵ ସେହିପରି ।

 

ସଞ୍ଚୟ ମନୋବୃତ୍ତିର ବିକାଶ ରାଜା ଲୋମପାଦଙ୍କଠାରେ ଦେଖାଯାଇଛି । ରାଜ୍ୟ ତାଙ୍କର ଅନାବୃଷ୍ଟିପୀଡ଼ିତ । ତେଣୁ ସେ ରାଜ୍ୟବାସୀଙ୍କୁ ଡେଙ୍ଗୁରା ଦେଇ ସତର୍କ କରିଦେଇଛନ୍ତି ଯେ, “ଧାନ, ସୁଆଁ, ମାଣ୍ଡିଆ, ଚିନା, କୋଦୁଅ” ଆଦି ଶଷ୍ୟମାନ ନିଷ୍ଠୁରେ ରଖିବେ । ଏତଦ୍ଦ୍ଵାରା ଅଦୃଷ୍ଟ ଶକ୍ତିର ମୁକାବିଲା ଅଧିକ ସହଜସାଧ୍ୟ ହୋଇଥାଏ ।

 

କେବଳ ସଞ୍ଚୟ କିମ୍ବା ମିତବ୍ୟୟିକା ଅର୍ଥନୀତିରେ କଦାପି ସ୍ଥିରତା ଆଣିପାରେ ନାହିଁ । ଏଥି ସକାଶେ ଦେଶ ଦେଶ ଓ ପ୍ରଜାପ୍ରଜା ଭିତରେ ଆଦାନ ପ୍ରଦାନର ମହତ୍‌ ପରମ୍ପରା ପ୍ରତିଷ୍ଠିତ ରହିବା ଦରକାର । ଦିବ୍ୟଦ୍ରଷ୍ଟା ବଳରାମ ଲୋମପାଦ ରାଜାଙ୍କ ଦୁର୍ଭିକ୍ଷର ପ୍ରତିକାର ସକାଶେ ବ୍ୟବସ୍ଥା କରିଛନ୍ତି । ସେଠାରେ ମିତ୍ରରାଜା ଦଶରଥ ବନ୍ଧୁତ୍ୱର ହାତ ନିକଟତର କରି ‘ଲକ୍ଷ ଭରଣ’ ଧାନ, ଲୋମପାଦଙ୍କ ଏକଶତ ଶାଳକ ଶତ ଲକ୍ଷ ଭରଣ ଧାନ ଦେଇଥିଲେ । ସମସ୍ତ ଧନକୁ ରାଜା ପ୍ରଜାମାନଙ୍କୁ ବାଣ୍ଟି ଦେଇଥିଲେ । (ଆଦ୍ୟ, ପୃ: ୧୧୬) ।

 

ଅନ୍ୟ ପକ୍ଷରେ ତୁଳସୀ ଏହି ପରସ୍ପର ନିର୍ଭରଶୀଳତାର ଦୃଷ୍ଟାନ୍ତ ରଖିଛନ୍ତି ଭରତଙ୍କ ଚିତ୍ରକୂଟ ଗମନ କାଳରେ । ବିଦେହରାଜ ଅଯୋଧ୍ୟା ସହ ସମ୍ବନ୍ଧୀ ଭାବ ସ୍ଥାପନ କରିଛନ୍ତି । ଦୁଃଖ ସୁଖରେ ଭାଗୀଦାର ହେବା ତାଙ୍କର କର୍ତ୍ତବ୍ୟ । ସେ ଅଯୋଧ୍ୟା ମନ୍ତ୍ରଣାର ଫଳଭୋଗୀ ଭରତଙ୍କୁ ଭୁଲ୍‌ ବୁଝିଛନ୍ତି । ତେଣୁ ତାଙ୍କ ମନୋଦଶା ପରୀକ୍ଷା କରିବା ସକାଶେ ସେ “ଚତୁର ଚିତ୍ତଚାରି” ପ୍ରେରଣ କରିଥିଲେ । ଚରମାନେ ଅଲକ୍ଷ୍ୟରେ ଭରତଙ୍କ ମହତ୍‌ ହୃଦୟର ପରିଚୟ ପାଇ ‘ତେରହୁତ’କୁ ଫେରି ଯାଇଥିଲେ (ମାନସ ୨।୨୭୧) । ଅର୍ଥ ସମ୍ପର୍କୀତ ନ ହେଲେ ମଧ୍ୟ ଏଠାରେ ଯେଉଁ ପାରସ୍ପରିକ ସାହାଯ୍ୟ ମନୋବୃତ୍ତି ପ୍ରକାଶ ପାଇଛି, ତାହା ଏକ ସୁଖମୟ ରାଜ୍ୟ ପ୍ରତିଷ୍ଠାର ଯାଥାର୍ଥ ହେତୁ ସ୍ୱରୂପ ।

 

ରାଜ୍ୟ ମଧ୍ୟରେ ତାହା ବାଣିଜ୍ୟ ହେଉ କିମ୍ବା ସଦ୍‌ଭାବ ସଦାଚାର ହେଉ–ଏ ସମସ୍ତର ପରିପ୍ରଚାର ଲାଗି ଗମନାଗମନ ଏକାନ୍ତ ପ୍ରୟୋଜନ । ଉଭୟ ଗ୍ରନ୍ଥରେ ଏହାର ପ୍ରୟୋଗ ଦେଖିବାକୁ ମିଳେ । ବଳରାମଙ୍କ କଳ୍ପନାରେ ପୁରବନ୍ଦୀ ଘରକୁ ଲାଗି ଦାଣ୍ଡ, ଦାଣ୍ଡରେ ତୁଳସୀ ଚଉରା, ସୀମା ବାଡ଼କୁ ଲାଗି ବଗିଚା । ସେଠାରେ ସ୍ୱଚ୍ଛନ୍ଦ ବିଚରଣ ଲାଗି ସ୍ୱାଧୀନତା ପ୍ରଚୁର । ସେପରି ଏକ ଗଳିର ଚିତ୍ର ନିମ୍ନୋକ୍ତ ପ୍ରକାରେ–

 

“ଷୋଳ ଗୋଟି ଦାଣ୍ଡ ଯେ ଅଟେ ସେହୁ ବାହୀ,

କନ୍ଦି ବିକନ୍ଦି ଯେ ସହସ୍ର ହୋଇ ।’’

 

ଏହା ଓଡ଼ିଶା ପୁରପଲ୍ଲୀର ଯେକୌଣସି ଗୋଟିଏ ଜାନପଦିକ ରାସ୍ତା । ତୁଳସୀ ଏକ ଗଳିର ଏକ ସୂଚନାତ୍ମକତା ସୃଷ୍ଟି କରିଛନ୍ତି-“ଚୌହଟ ସୁନ୍ଦର ଖଲି ସୁହାଇ’’(ମାନସ ୧।୨୧୨।୨)-। ଏଥିର ଉର୍ଦ୍ଧ୍ଵରେ ଦାଣ୍ଡିରାମାୟଣକାର ତଦାନିନ୍ତନ ଆରଣ୍ୟକ ସମାଜର ନଦୀ, ନାଳ ପ୍ରଭୃତିକୁ କେନ୍ଦ୍ର କରି ଗମନାଗମନର ସୂତ୍ର ନିର୍ଦ୍ଧାରଣ କରିଛନ୍ତି । ସେଠାରେ କଡ଼ାକଡ଼ି ରାଜ ଉପଦେଶ ରହିଛି-“ବର୍ଷାକାଳରେ ନଦୀରେ ପକାଅ ଟିକି ନାବ’’ (ଆଦ୍ୟ ପୃ.୨୧୩) ନାବ ବ୍ୟତୀତ ଇତର ଲୋକଙ୍କର ଉଦ୍ଭାବିତ କୌଶଳ–“ପହଁରି ପହଁରି’’, “ହସ୍ତୀ ପରେ ବସିଣ’’, “ଭେଳାବାନ୍ଧି’’ କିମ୍ବା “ଦୁଇ କୂଳ ଗଛରେ ଦଉଡ଼ି ଲଗାଇ’’ ନଦୀ ପାର ହେବା କୌଶଳଗୁଡ଼ିକ ସୁସ୍ଥ ଗମନାଗମନର ପରିପନ୍ଥୀ ନିଶ୍ଚୟ । ତଥାପି ଲୋକଶକ୍ତି ଏହାକୁ ଅତିକ୍ରମ କରି ଜୀବନ ପ୍ରଣାଳୀକୁ ସୁମହତ କରିଛି-

 

ପରିଶେଷରେ, ଲକ୍ଷ୍ୟ କରିବାର କଥା ଏହି ଯେ, ଦୁଇ ବିଚାର୍ଯ୍ୟ ଗ୍ରନ୍ଥରେ କବି-ବ୍ୟକ୍ତିତ୍ୱ ସମକାଳୀନ ବ୍ୟକ୍ତି-ଜୀବନର ପ୍ରାଣପ୍ରତିଷ୍ଠା ପାଇଁ ଯତ୍‌ପରୋନାସ୍ତି ଉଦ୍ୟମ କରିଛନ୍ତି । ଅବଶ୍ୟ, ତୁଳସୀ ଏ କ୍ଷେତ୍ରରେ ଯଥେଷ୍ଟ ସ୍ୱତନ୍ତ୍ର । ତାଙ୍କର ‘ଶ୍ରୀରାମଚରିତ ମାନସ’ ବହୁ ଦୃଷ୍ଟିରୁ ଏକ ମାନସ-ମନ୍ଥନ ହୋଇଥିବାରୁ, ବଳରାମଙ୍କ ପ୍ରକାରେ ସେ ଲୋକଜୀବନର ବିସ୍ତାରିତ ବିଶ୍ଳେଷଣ କରିବାରେ ଏତେଟା ପ୍ରଗଳ୍‌ଭ ନୁହନ୍ତି । ତେବେ ସେ ଯାହାହେଉନା କାହିଁକି, ଏହା ସତ୍ୟ ଯେ ଦୁଇ କବିଙ୍କ ସମସାମୟିକ ସମାଜ ଥିଲା ଅତ୍ୟନ୍ତ ବିଡ଼ମ୍ବିତ, ସ୍ପନ୍ଦନ ରହିତ, ଅତ୍ୟାଚାରିତ ଓ ନୀତିଭ୍ରଷ୍ଟ । ସମାଲୋଚକଙ୍କ ଅନୁଯାୟୀ ତୁଳସୀ ଏକତନ୍ତ୍ର ମୋଗଲ ସମ୍ରାଟ ହୁମାୟୁନ, ଆକବର ଓ ଜାହାଙ୍ଗୀରଙ୍କ ଶାସନ କାଳରେ ସଦେହ ଜୀବିତ ଥିଲେ । (୧୪) ଏକ ପକ୍ଷରେ ମୋଗଲ ସମ୍ରାଟମାନଙ୍କର ବିଳାସ ଓ ବୈଭବପୂର୍ଣ୍ଣ ଜୀବନ ନିର୍ବାହ ପଦ୍ଧତି ପ୍ରଚଳିତ ଥିବାବେଳେ, ଅନ୍ୟପକ୍ଷରେ ଶାସନ କାର୍ଯ୍ୟରେ ନିଯୁକ୍ତ କରଦ ରାଜା ଓ ଜାଗିରଦାରମାନଙ୍କର ଦୌରାତ୍ମ୍ୟ , ଅତ୍ୟଧିକ କରି ବସାଣ ଜନଜୀବନକୁ କିଂକର୍ତ୍ତବ୍ୟବିମୂଢ଼ କରିଦେଇଥିଲା । ସେପରି କବି ବଳରାମ ମୋଗଲ ଶାସନାଧିନ ନ ଥିଲେ ସତ୍ୟ, ମାତ୍ର ସମକାଳୀନ ସ୍ୱାଧୀନ ନରପତି ପ୍ରତାପରୁଦ୍ର ଦେବଙ୍କ ଦୁର୍ବଳ ପ୍ରଶାସନ ସମାଜ ଜୀବନକୁ ବିପର୍ଯ୍ୟସ୍ତ କରିଦେଇଥିଲା । (୧୫) ସୁତରାଂ ସମଦଶାପନ୍ନ କବିଦ୍ୱୟ ସମାଜ-ଜୀବନର ବିଲୁପ୍ତପ୍ରାୟ ଆଚରଣ ପଦ୍ଧତିର ପୁନଃପ୍ରତିଷ୍ଠା ଦେବାଲାଗି ଯଥାରୀତି ବୁଦ୍ଧିର ବିନିଯୋଗ କରିଛନ୍ତି । ଏହି ପୃଷ୍ଠପଟ୍ଟରେ ବର୍ଣ୍ଣିତ ଅର୍ଥନୀତିର ବ୍ୟାପକ ପ୍ରଚାର ଓ ପ୍ରସାର ଏକାନ୍ତ ଅବଶ୍ୟମ୍ଭାବୀ ହୋଇଉଠିଛି । ପ୍ରଦର୍ଶିତ କୌଶଳଗୁଡ଼ିକର ଚରମ ବିଶେଷତ୍ୱ ଏହି ଯେ, ସୁଦୀର୍ଘ ୫୦୦ ବର୍ଷ ତଳେ ଲୋକ ସମୃଦ୍ଧିର ବିଶେଷ ଚର୍ଚ୍ଚା । ଆଲୋଚନା ନ ଥିବା କାଳରେ ସୁଦ୍ଧା କବିଦ୍ଵୟ ଭବିଷ୍ୟତର ଏ ଯେଉଁ ନବରୂପାୟନ କରିଯାଇଛନ୍ତି, ତାହା ଅନବଦ୍ୟ ଓ ସର୍ବଜନଗ୍ରାହ୍ୟ ।

 

ସହାୟକ ପାଦ ସୂଚନା :

‘ଓଡ଼ିଆ ସାହିତ୍ୟର ଆଦିପର୍ବ’-୧୯୭୧, ସୁରେନ୍ଦ୍ର ମହାନ୍ତି, ପୃ. ୧୨୦ ।

ତତ୍ରୈବ,ପୃ. ୧୩୩ ।

‘ସପ୍ତର୍ଷି’-୧ମ ବର୍ଷ, ୫ମ ସଂଖ୍ୟା–୧୯୭୨, ପୁରାଣ ସାହିତ୍ୟର ସ୍ୱରୂପ-ନଟବର ଶତପଥୀ ।

‘ପୂର୍ଣ୍ଣଚନ୍ଦ୍ର ଓଡ଼ିଆ ଭାଷାକୋଷ’-୧ମ ଖଣ୍ଡ–୧୯୩୧ ପୃ. ୫୭୮ ।

‘ସମାଜ ପରିବର୍ତ୍ତନ ଓ ବିକାଶ’ – ୧୯୬୮, ଚିତ୍ତରଞ୍ଜନ ଦାସ, ପୃ. ୧୭୫ ।

୬.

ଶାମଶାସ୍ତ୍ରୀଙ୍କ ଅନୂଦିତ ଅର୍ଥଶାସ୍ତ୍ର (କୋଟିଲ୍ୟ) ଫାଷ୍ଟବୁକ୍‌ ଅଂଶ ।

ତତ୍ରୈବ, ପୃ. ୧୧ ।

‘ଏ ପ୍ରୋପଜାଲ’ (୧୯୫୭ ଅଫ୍‌ ମିଲିକାନ୍‌ ଆଣ୍ଡ୍‌ ଡବ୍ଳୁରଷ୍ଟୋ’ ହାରପର ଆଣ୍ଡ୍‌ ବ୍ରଦର୍ସ-ନିୟୁୟର୍କ-

ପୃ.

୪୦-୪୧ (ଇଂରାଜୀ)

ମନୁସଂହିତା–୧୯୬୮, ଅଧ୍ୟାପକ ରାମଶଙ୍କରରାୟ-୭।୧୧୫ ।

୧୦

ସମାଜ : ପରିବର୍ତ୍ତନ ଓ ବିକାଶ-ପୃ. ୪୩୩ ।

୧୧

‘ଆର୍ଯ୍ୟ ସଂସ୍କୃତିର ମୂଳତତ୍ତ୍ଵ’-ପୃ. ୧୩୬, ପ୍ରିୟବ୍ରତ ଦାସ ।

୧୨

‘ମନୁସ୍ମୃତି’–୭/୧୨୯ ।

୧୩

ବଳରାମ ଦାସ, ଓଡ଼ିଆ ରାମାୟଣ–୧୯୫୫, ଡଃ ନରେନ୍ଦ୍ରନାଥ ମିଶ୍ର, ପୃ. ୯୨ ।

୧୪.

“ତୁଳସୀଦାସ ବିଭିନ୍ନ ଦୃଷ୍ଟିୟୋଁକା ପରିପ୍ରେକ୍ଷ’’ (ହିନ୍ଦୀ) ୧୯୭୩, ସଙ୍କଳିତ ପ୍ରବନ୍ଧ ପୃ. ୧୪୪,ଡଃ ଭଗବତୀ ପ୍ରସାଦ ସିଂ ।

୧୫.

ଓଡ଼ିଶା ଇତିହାସ–୧ମ ଭାଗ, ଡଃ ହରେକୃଷ୍ଣ ମହତାବ, ପୃ. ୨୭୫ ।

 

କେସିଙ୍ଗା ମହାବିଦ୍ୟାଳୟ

କଳାହାଣ୍ଡି-୭୬୬୦୧୨

***

 

Unknown

ସନ୍ଥ କବୀରଙ୍କ କବିତ୍ୱର ସ୍ୱରୂପ

ଗଣନାଥ ଦାସ

 

‘କବୀର’ ନାମ ସହିତ ଜୀବନରେ ମୋର ପ୍ରଥମ ପରିଚୟ ମୁଁ ଯେତେବେଳେ ସ୍ନ ୧୯୩୦ ମସିହାରେ କଟକ ରେଭେନ୍‌ସା କଲିଜିଏଟ୍‌ ସ୍କୁଲରେ ଦଶମ ଶ୍ରେଣୀରେ ପଢ଼ୁଥାଏଁ । ପୁରୀ ଜିଲ୍ଲା କାକଟପୁର ଅଞ୍ଚଳର ଜଣେ ସହପାଠୀ, ‘କବୀର’ ମୋ ସହିତ ହଷ୍ଟେଲରେ ରହୁଥାଏ ।

 

ସହପାଠୀ କବୀରର କବିତା ଲେଖିବା ପ୍ରତି ଆଗ୍ରହ ଥାଏ । ଆସକ୍ତି କହିଲେ ଠିକ୍‌ ହେବ-। ଗୁଣୁଗୁଣୁ ହୋଇ ଜଣାଣ ଆଦି ପଦେ ଅଧେ ବୋଲି ସାଙ୍ଗମାନଙ୍କୁ ଲୁଚେଇ କବିତା ଲେଖେ । ଏଇ ବୟସରୁ କବିତା ରଚନା କରିବା ଝୁଙ୍କକୁ ସାଙ୍ଗମାନେ ଆମେ ଥଟ୍ଟା କରୁ । କହୁ, କବୀର, ତୋ ନାଁ’ ନିଶ୍ଚୟ କବିବର । ‘ବ’ଟିକୁ ଲୁଚେଇ ତୋ ନା’କୁ କବୀର କରିଦେଇଛୁ । କବୀର କେହି ଲୋକର ନା’ ହୋଇପାରେ ନା କ’ଣ ? ଏମିତି ତାକୁ ଥଟ୍ଟାତାମସା କରୁ । ସେହି ସହପାଠୀ ସାଙ୍ଗଟି ଏବେ କେଉଁଠି, କବିତା ଲେଖା ଝୁଙ୍କିତାରୁ ରହିଲା କି ନା’ ଜଣାନାହିଁ । ଜୀବନ ସ୍ରୋତରେ କିଏ କୁଆଡ଼କୁ ଭାସିଯାଇ ସେ ଦିନ ସାଙ୍ଗ କବୀରକୁ ଭୁଲିଥିଲି ।

 

ଏବେ ପରିଣତ ବୟସରେ ମୋର ସଙ୍ଗୀତ ଜଣାଣ, ଭଜନ ଇତ୍ୟାଦି ପ୍ରତି ପ୍ରଗାଢ଼ ଆସକ୍ତିରୁ ବହୁ ସୂତ୍ରରୁ ସଙ୍ଗୀତଜ୍ଞମାନଙ୍କ କଣ୍ଠରୁ ଆମ ରାଜ୍ୟ ପଞ୍ଚସଖାଭୁକ୍ତ କବିମାନଙ୍କଠାରୁ ଆରମ୍ଭ କରି ଭୀମଭୋଇ, ସାଲବେଗ, ଆଦିଙ୍କର ଭକ୍ତିରସାଣିତ କବିତା ଶୁଣିବାର, ପଢ଼ିବାର ସୁଯୋଗ ଲାଭ କଲି । ଉତ୍ତର ଭାରତୀୟ ମହାନ୍‌ ଭକ୍ତକବି ସୁରଦାସ, ତୁଳସୀଦାସ, ରଇଦାସ, କବୀର ଦାସ, ମୀରାବାଇ, ପ୍ରଭୃତିଙ୍କ ହୃଦୟଗ୍ରାହୀ ଭଜନ ମଧ୍ୟ ଶୁଣିଲି ।

 

ସର୍ବାଧିକ ଚିତ୍ତାକର୍ଷକ ଏବଂ ପ୍ରଭାବଶାଳୀ ମୋ’ ପକ୍ଷରେ ହୋଇଥିଲା ସନ୍ଥ କବୀରଙ୍କ ଭଜନ ଓ ଦୋହାଗୁଡ଼ିକର ଅତୁଳନୀୟ ସ୍ୱର ଝଙ୍କାର, ଓ ଆଧ୍ୟାତ୍ମିକ ବାର୍ତ୍ତାର ଗଭୀରତା ଓ ସାରବତ୍ତା । ଅଧିକନ୍ତୁ ଯେତେବେଳେ ଜାଣିବାକୁ ପାଇଲି ସେ ନିରକ୍ଷର, ଅଧିକ କୌତୂହଳୀ ହୋଇ ତାଙ୍କର ଜୀବନୀ ଓ ଦର୍ଶନ ବିଷୟକ ତଥ୍ୟ ସଂଗ୍ରହରେ ଲାଗିପଡ଼ିଲି । ଗତବର୍ଷ (୧୯୮୬) ରେ “କବୀର” ଶୀର୍ଷକ ଓଡ଼ିଆ ପୁସ୍ତକଟିଏ ପ୍ରକାଶ କରି ତାଙ୍କ ଜୀବନୀ ଓ ଦର୍ଶନ ଉପରେ ଯତ୍‌ସାମାନ୍ୟ ଆଲୋକପାତ କରିବାକୁ ପ୍ରୟାସ କରିଛି ।

 

ଆମ ରାଜ୍ୟ ପ୍ରତି କବୀରଙ୍କର ବିଶେଷ ଅବଦାନ । ଆମର ଗର୍ବ ରୂପେ ଗୃହୀତ ଶ୍ରୀମନ୍ଦିରକୁ ସମୁଦ୍ରର ଅଚାନକ ଆକ୍ରମଣରୁ ସଂରକ୍ଷଣ । ପ୍ରବାଦମତେ, ଗଜପତି ମହାରାଜା ଅନଙ୍ଗଭୀମଦେବଙ୍କ ରାଜୁତି କାଳରେ ସମୁଦ୍ର ଅଚାନକ ଶ୍ରୀମନ୍ଦିରକୁ ଆକ୍ରମଣ କରିବାକୁ ଲାଗିଲା । ଅନନ୍ୟୋପାୟ ହୋଇ ଗଜପତି ମହାରାଜା ଶ୍ରୀମନ୍ଦିରରେ ତାଙ୍କ ସ୍ୱତନ୍ତ୍ର ପ୍ରକୋଷ୍ଠରେ ଧ୍ୟାନମଗ୍ନ ହୋଇ ଶ୍ରୀ ମହାପ୍ରଭୁଙ୍କ କରୁଣା ଭିକ୍ଷା କରିଥିଲେ । ପାନାହାର ପରିତ୍ୟାଗ କରି ଧ୍ୟାନରତ ହୋଇ ତୃତୀୟ ଦିନର ବ୍ରାହ୍ମ ମୁହୂର୍ତ୍ତରେ ପ୍ରଭୁ ଶ୍ରୀଜଗନ୍ନାଥଙ୍କ ସ୍ୱପ୍ନାଦେଶ ପାଇଥିଲେ ।

 

ତଦନୁସାରେ ବାରାଣସୀରୁ ମହାନ୍‌ ଭକ୍ତ ସନ୍ଥ କବୀରଙ୍କୁ ନିମନ୍ତ୍ରଣ କରି ଆଣିଥିଲେ । ସନ୍ଥ କବୀରଙ୍କ ଆଧ୍ୟାତ୍ମିକ ପ୍ରଭାବରେ ସମୁଦ୍ର ଶ୍ରୀମନ୍ଦିର ପାଦ ଦେଶରୁ ପ୍ରାୟ ତିନି କିଲୋମିଟର ଦୂରକୁ ହଟି ଯାଇଥିଲା । ସନ୍ଥ କବୀର ସମୁଦ୍ରକୁ ଅନୁସରଣ କରି ଅଧୁନା ସ୍ୱର୍ଗଦ୍ୱାର ରୂପେ ଚିହ୍ନିତ ଏକ ସାମାନ୍ୟ ଉଚ୍ଚ ସ୍ଥାନରେ ତାଙ୍କ ପାଇଁ ଆଶ୍ରମର ବ୍ୟବସ୍ଥା କରିଦେବାକୁ ଇଚ୍ଛା ପ୍ରକାଶ କରିଥିଲେ-। ଗଜପତି ମହାରାଜାଙ୍କ ଆଦେଶାନୁସାରେ ସେଠାରେ ଆଶ୍ରମ ଗଢ଼ାଯାଇଥିଲା । ପ୍ରତ୍ୟହ ଶ୍ରୀମନ୍ଦିରରୁ ଚାରିହାଣ୍ଡି ମହାପ୍ରସାଦର ବ୍ୟବସ୍ଥା ହୋଇଥିଲା । ଉକ୍ତ ପ୍ରସାଦ ମଠରେ ଅତିଥି ଅଭ୍ୟାଗତଙ୍କୁ ବିତରଣ କରାଯାଇ ଅବଶିଷ୍ଟ “ଟଙ୍କ ତୋରାଣୀ’’ରେ ପରିଣତ କରାଯିବାର ପରମ୍ପରା ଅଦ୍ୟାବଧି ମଠରେ ପ୍ରଚଳିତ ରହିଛି । ମାତ୍ର ଶ୍ରୀମନ୍ଦିରରୁ ଉକ୍ତ “ଖେଇ’’ ଗତ କେତେବର୍ଷ ହେବ ବନ୍ଦ କରାଯାଇଅଛି । ପର୍ବଦିନମାନଙ୍କରେ ଶ୍ରୀମନ୍ଦିରରୁ ପ୍ରସାଦ କିଣି ଆଣି ଟଙ୍କ ତୋରାଣୀରେ ପରିଣତ କରାଯାଇଅଛି । କବୀରପନ୍ଥୀ ଭକ୍ତଙ୍କ ବ୍ୟତୀତ ଅନ୍ୟ ଭକ୍ତ ଯାତ୍ରୀମାନେ ମଧ୍ୟ ଟଙ୍କ ତୋରାଣୀର ଉପଯୋଗିତା ଦୃଷ୍ଟେ ତାହା ସେବନ କରିବା ପାଇଁ ଏବେ ମଧ୍ୟ ଆଗ୍ରହୀ ।

 

ସନ୍ଥ କବୀର ଉକ୍ତ ଆଶ୍ରମରେ କିଛିଦିନ ଅବସ୍ଥାନ ପରେ ବାରାଣସୀ ପ୍ରତ୍ୟାବର୍ତ୍ତନ କରିଥିଲେ । ବର୍ତ୍ତମାନ ସେହି ଆଶ୍ରମ “କବୀର ଚଉରା ମଠ’’ ନାମରେ ପରିଚିତ । ପୁରୀ ସ୍ୱର୍ଗଦ୍ୱାର ସମୁଦ୍ର କୂଳରୁ ଅଳ୍ପ ଦୂରରେ ଏହା ଅବସ୍ଥିତ । ଏହି ଅଭୂତପୂର୍ବ ଘଟଣା ପଞ୍ଚଦଶ ଶତାବ୍ଦୀର ଦ୍ୱିତୀୟାର୍ଦ୍ଧରେ ଘଟିଥିବାର ବିଶ୍ୱାସ କରାଯାଏ । କବୀରପନ୍ଥୀମାନଙ୍କ ଦ୍ୱାରା ପ୍ରକାଶିତ କବୀର ସତ୍ୟପ୍ରକାଶ ନାମକ ଏକ ବିରାଟ ହିନ୍ଦି ଗ୍ରନ୍ଥରେ ତହିଁର ବିଶଦ ବର୍ଣ୍ଣନା ରହିଛି ।

 

ଐତିହାସିକ ଅବୁଲ ଫଜଲଙ୍କ ଅଭିମତ ଅନୁସାରେ ସନ୍ଥ କବୀର ପୁରୀଠାରେ ଅବସ୍ଥାନ କାଳରେ ମୃତ୍ୟୁବରଣ କରିଥିଲେ । ମାତ୍ର ଅଧିକାଂଶ ଗବେଷକଙ୍କ ମତରେ କବୀର ପୁରୀଠାରେ ନୁହେଁ, ବାରାଣସୀ ନିକଟ ମଗହରଠାରେ ମୃତ୍ୟୁବରଣ କରିଥିଲେ ।

 

ନିରକ୍ଷରତା ହେତୁ ସନ୍ଥ କବୀରଙ୍କର ସ୍ୱହସ୍ତ ଲିଖିତ ରଚନା ନାହିଁ । ମାତ୍ର ଗଭୀର ଆଧ୍ୟାତ୍ମିକ ଭାବଧାରା ଓ ପଦଲାଳିତ୍ୟ ବହନ କରି ତାଙ୍କର ଅସଂଖ୍ୟ ପଦ (ଭଜନ), ଦୋହା, (ସାକ୍ଷୀ), ରୁମୈଣୀ ରୂପେ ଆଖ୍ୟାତ ଲୋକପ୍ରିୟ ରଚନା ସ୍ୱତସ୍ପୁର୍ତ୍ତ ଭାବରେ ତାଙ୍କ ମୁଖରୁ ନିସୃତ ହେଉଥିଲା ବୋଲି ପ୍ରବାଦ ଅଛି । କବୀର ନିଜେ ଏକ ଉଚ୍ଚକୋଟୀର ସଙ୍ଗୀତଜ୍ଞ ହୋଇଥିବାରୁ ସେ ତାଙ୍କର ସ୍ୱରଚିତ ପଦଗୁଡ଼ିକୁ ସଙ୍ଗୀତ ମାଧ୍ୟମରେ ତାଙ୍କ ପ୍ରତିବେଶୀ ଓ ସମର୍ଥକମାନଙ୍କ ସହିତ ନିଜେ ଗାନ କରୁଥିଲେ । କୁଳବୃତ୍ତି ହିସାବରେ ହସ୍ତତନ୍ତ ଚାଳନା ସମୟରେ ମଧ୍ୟ ମୁଖରୁ ସଙ୍ଗୀତ ଆକାରରେ ତାହା ନିସୃତ ହେଉଥିଲା । ତାଙ୍କର ଅନୁଗତ ସମର୍ଥକମାନଙ୍କ ମଧ୍ୟରୁ କେହି କେହି ତାହା ଟିପି ରଖୁଥିଲେ । ସେହି ସୂତ୍ରରୁ ସଂଗୃହୀତ ସନ୍ଥ କବୀରଙ୍କର ଅସଂଖ୍ୟ ରଚନା ପ୍ରାପ୍ତ ହୋଇଅଛି ।

 

କବୀରପନ୍ଥୀମାନେ ପ୍ରକାଶ କରନ୍ତି, “ସଦ୍‌ଗୁରୁ (କବୀର) କା’ ବାଣୀ ଅନନ୍ତ’’ । ଗବେଷକ ଶ୍ରୀ ପରଶନାଥ ତିୱାରୀ ସନ୍ଥ କବୀରଙ୍କର ପ୍ରାୟ ୪୦୦୦ (ଚାରି ହଜାର) ଦୋହା ଓ ୧୬୦୦ ପଦ ବା ଭଜନ ସଂଗ୍ରହ କରିପାରିଥିବାର ଉଲ୍ଲେଖ କରିଛନ୍ତି । ମାତ୍ର ସନ୍ଥ କବୀରଙ୍କ ପଦାବଳୀର ଲୋକପ୍ରିୟତା ହେତୁ ଅନ୍ୟ ଲେଖକ କବିମାନେ ନିଜ ରଚନାକୁ କବୀରଙ୍କ ନାମରେ ଭଣିତ କରିଥିବାର ସନ୍ଦେହ କରାଯାଏ । ସନ୍ଥ କବୀରଙ୍କ ସ୍ୱରଚିତ ଦୋହା ଓ ଭଜନ ରୂପେ ସ୍ୱୀକୃତ ପଦମାନ ଆହ୍ଲାବାଦ ବିଶ୍ୱବିଦ୍ୟାଳୟ ପକ୍ଷରୁ ଗବେଷକ ଶ୍ୟାମସୁନ୍ଦର ଦାସ ସଂଗ୍ରହ କରି ବିଶ୍ୱବିଦ୍ୟାଳୟ ତରଫରୁ ପ୍ରକାଶିତ ଗ୍ରନ୍ଥାବଳୀରେ ପ୍ରାୟ ଏକସହସ୍ର ଦୋହା ଓ ୭୫୦ ପଦ ବା ଭଜନ ଅନ୍ତର୍ଭୁକ୍ତ କରାଯାଇଅଛି ।

 

ସନ୍ଥ କବୀରଙ୍କ ସାହିତ୍ୟିକ, କବିପ୍ରତିଭାର ଉତ୍କର୍ଷ ତାଙ୍କୁ ଉତ୍ତର ଭାରତର ମଧ୍ୟଯୁଗୀୟ ହିନ୍ଦି କବିମାନଙ୍କ ମଧ୍ୟରେ ଶ୍ରେଷ୍ଠ ସ୍ଥାନର ଅଧିକାରୀ କରିଅଛି । ତାଙ୍କ ରଚନାବଳୀ ସ୍ନାତକ ଓ ସ୍ନାତକୋତ୍ତର ସ୍ତରମାନଙ୍କରେ ପାଠ୍ୟକ୍ରମ ଅନ୍ତର୍ଭୁକ୍ତ କରାଯାଇଅଛି । ତାଙ୍କ ଆଧ୍ୟାତ୍ମିକ ସାହିତ୍ୟିକ ବିଚାରଧାରା, ରହସ୍ୟବାଦ ସାମାଜିକ ଚିନ୍ତାଧାରା ଆଦି ବହୁ ଗବେଷକଙ୍କ ଦ୍ୱାରା ପରୀକ୍ଷିତ ହୋଇ ବହୁ ସନ୍ଦର୍ଭ ପ୍ରସ୍ତୁତ କରାଯାଇଅଛି । ବିଶ୍ୱକବି ରବୀନ୍ଦ୍ରନାଥ କବୀରଙ୍କର ଏକଶତ ପଦ ବା ଭଜନଗୁଡ଼ିକୁ ଇଂରାଜୀରେ ଭାଷାନ୍ତରିତ କରି ପାଶ୍ଚାତ୍ୟ ଜଗତର ଦୃଷ୍ଟିକୁ ଆଣିଛନ୍ତି ।

 

ଏତାଦୃଶ ମହାନ୍‌ ପ୍ରତିଭାର ଅଧିକାରୀ ଥିଲେ ସନ୍ଥ କବୀର । ନିରକ୍ଷର ହୋଇ ମଧ୍ୟ ବହୁବିଧ ପ୍ରତିଭାର ଉତ୍କର୍ଷ ଗବେଷକ ପଣ୍ଡିତମାନଙ୍କୁ ଚମତ୍କୃତ କରିଛି ।

 

ସନ୍ଥ କବୀରଙ୍କ ବହୁମୁଖୀ ପ୍ରତିଭାର ସ୍ୱରୂପ ତାଙ୍କ ରଚିତ ଦୋହା ଓ ଭଜନାବଳୀରୁ ହିଁ ବୋଧଗମ୍ୟ ହୁଏ । ତାଙ୍କର ଅନ୍ୟ କୌଣସି ରଚନାବଳୀ ଥିବାର ଏପର୍ଯ୍ୟନ୍ତ ଦୃଷ୍ଟିଗୋଚର ହୋଇ ନାହିଁ ।

 

ସନ୍ଥ କବୀର କୌଣସି ଧାର୍ମିକ ସମ୍ପ୍ରଦାୟ ଅନ୍ତର୍ଭୁକ୍ତ ନ ଥିଲେ, ଏପରିକି ଗୋସ୍ୱାମୀ ରାମାନନ୍ଦଙ୍କ ଶିଷ୍ୟ ହୋଇ ମଧ୍ୟ ତାଙ୍କ ସମ୍ପ୍ରଦାୟର ନୁହେଁ । ଅଥବା, କୌଣସି ସମ୍ପ୍ରଦାୟ ସ୍ୱୟଂ ଗଠନ କରି ନ ଥିଲେ । ତାଙ୍କ ପ୍ରଦର୍ଶିତ ଆଧ୍ୟାତ୍ମିକ ମାର୍ଗ ଅନୁମୋଦନ କରୁଥିବା ବ୍ୟକ୍ତି ସାଧାରଣତଃ କବୀର ପନ୍ଥୀ ଭାବେ ପରିଚିତ । ସାରା ଦେଶରେ କବୀରପନ୍ଥୀଙ୍କ ସଂଖ୍ୟା ପ୍ରାୟ ଦଶଲକ୍ଷ ବୋଲି ଧରାଯାଏ । ମୁଖ୍ୟତଃ ମହାରାଷ୍ଟ୍ର, ମଧ୍ୟପ୍ରଦେଶ, ଉତ୍ତର ପ୍ରଦେଶ, ବିହାର ଓ ପଶ୍ଚିମବଙ୍ଗ (ସେହି କ୍ରମରେ)ରେ କବୀରପନ୍ଥୀମାନେ ସଂଖ୍ୟାଧିକ ଭାବରେ ଅବସ୍ଥାନ କରୁଥିବା ଦେଖାଯାଏ ।

 

ଆମ ରାଜ୍ୟରେ କବୀରପନ୍ଥୀଙ୍କର ସଂଖ୍ୟା ନଗଣ୍ୟ । ପୁରୀଠାରେ ପ୍ରଧାନ କବୀର ମଠ ଅବସ୍ଥିତ ହୋଇଥିଲେ ହେଁ ପୁରୀ ଜିଲ୍ଲାରେ କବୀରପନ୍ଥୀ କୌଣସି ସ୍ଥାନରେ ସଂଖ୍ୟାଧିକ ଭାବେ ବସବାସ କରିଥିବାର ଦେଖାଯାଏ ନାହିଁ । ଅନ୍ୟତ୍ର କେବଳ କଟକ ଜିଲ୍ଲାର ସାତ, ଆଠଟି ସ୍ଥାନରେ ମଠ ଥିବାର ଦେଖାଯାଏ, ମାତ୍ର ଏ ସମସ୍ତ ମଠର ସ୍ଥିତି ଓ ସେହି ଗ୍ରାମମାନଙ୍କରେ କବୀରପନ୍ଥୀଙ୍କ ସଂଖ୍ୟା କଳନା କରାଯାଇ ନାହିଁ; ଅଥବା ଉକ୍ତ ମଠଗୁଡ଼ିକର ଉତ୍ପତ୍ତି ଏବଂ ଅଧୁନାତନ ସ୍ଥିତି ବିଷୟରେ ତଥ୍ୟ ସଂଗ୍ରହ କରାଯାଇନାହିଁ ।

 

ସନ୍ଥ କବିର ସ୍ୱରଚିତ ପଦମାନଙ୍କରେ ନିଜର କୌଣସି ପରିଚୟ ପ୍ରଦାନ କରିନାହାନ୍ତି । ବରଂ ନିଜକୁ କେବେ “ଜୋହ୍ଲା’’ ଓ କେବେ “କୋରୀ’’ ବୋଲି ଉଲ୍ଲେଖ କରି, ସେ ପ୍ରକୃତରେ ନିଜକୁ ମୁସଲମାନ ବା ହିନ୍ଦୁ ରୂପେ ସ୍ଵୀକାର କରିଥିଲେ, ତାହା ଅସ୍ପଷ୍ଟ ରଖିଛନ୍ତି । ଅପରପକ୍ଷେ “ନା ମେଁ ହିନ୍ଦୁ ନା ମୁସଲମାନ’’ କହି ବିଷୟଟିକୁ ଅଧିକ ସନ୍ଦେହାଚ୍ଛନ୍ନ କରିଦେଇଛନ୍ତି ।

 

କବୀରପନ୍ଥୀମାନଙ୍କ ମଧ୍ୟରୁ ଅଧିକାଂଶ କବୀରଙ୍କୁ ଭଗବାନଙ୍କର ଏକ ଚିରନ୍ତନ ସତ୍ତା ଏବଂ ଜ୍ୟୋତି ରୂପେ ଗଗନମଣ୍ଡଳରେ ବିରାଜମାନ ବୋଲି ଗ୍ରହଣ କରନ୍ତି । ପ୍ରୟୋଜନ ସ୍ଥଳେ ସେ ଧରା ପୃଷ୍ଠକୁ ଅବତରି ଆସନ୍ତି, ଯେପରି ଚତୁର୍ଦ୍ଦଶ ଶତାବ୍ଦୀରେ କରିଥିଲେ ।

 

ମାତ୍ର ଅଧିକାଂଶ ଗବେଷକଙ୍କ ମତରେ କବୀର ଏକ ବିଧବା ବ୍ରାହ୍ମଣୀ ଗର୍ଭରୁ ଜାତ ହୋଇଥିଲେ । ପ୍ରବାଦ ଯେ ଜନୈକ ଧାର୍ମିକ ବ୍ରାହ୍ମଣ ବାରାଣସୀରେ ବସବାସ କରି ଅଧ୍ୟାତ୍ମିକ ଜୀବନଯାପନ କରୁଥିଲେ । ତାଙ୍କର ବିଧବା କନ୍ୟା ତାଙ୍କ ପାଖରେ ରହୁଥିଲେ । ପିତା ତତ୍କାଳୀନ ମହାନ୍‌ ଆଧ୍ୟାତ୍ମିକ ଗୋସ୍ୱାମୀ ରାମାନନ୍ଦଙ୍କ ଶିଷ୍ୟ । ଗୁରୁଙ୍କୁ ଦର୍ଶନ କରିବା ନିମିତ୍ତ ବହୁବାର ଇଚ୍ଛା ପ୍ରକାଶ କରନ୍ତେ ପିତା ତାଙ୍କୁ ଏକ ଦିନ ଗଙ୍ଗାକୂଳସ୍ଥ ଗୁରୁ ଆଶ୍ରମକୁ ନେଇଥିଲେ । କନ୍ୟାର ଭକ୍ତି ଭାବରେ ସନ୍ତୁଷ୍ଟ ହୋଇ ଗୁରୁ ତାକୁ “ସୁପୁତ୍ରବତୀ ଭବ’’ବୋଲି ଆଶୀର୍ବାଦ କରିଥିଲେ । ପରେ ପିତାଙ୍କଠାରୁ କନ୍ୟାର ପ୍ରକୃତ ଅବସ୍ଥା ଶୁଣିଲାରୁ ତାଙ୍କୁ ଆଶ୍ୱାସନା ଦେଇଥିଲେ ଯେ ସାମାଜିକ କଳଙ୍କ ରହିତ ହୋଇ କନ୍ୟା ଏକ ପୁତ୍ର ପ୍ରସବ କରିବ ଏବଂ ସେହି ପୁତ୍ର ମହାନ୍‌ ଆଧ୍ୟାତ୍ମିକ ଭାବରେ ପ୍ରସିଦ୍ଧ ହେବ । କଥିତ ହୁଏ, ଯଥା ସମୟରେ କନ୍ୟା ଏକ ସୁଦୃଶ୍ୟ ପୁତ୍ର ସନ୍ତାନ ଲାଭ କରିଥିଲା ।

 

ଅନ୍ୟ ଏକ ପ୍ରବାଦ ଅନୁସାରେ କନ୍ୟା ଏକ ଦିନ ପୂଜା ନିମିତ୍ତ ପୁଷ୍ପଚୟନ କରି ଫେରିଆସିବା ପରେ ନିଜ ପରିଧାନ ମଧ୍ୟସ୍ଥ ସଂଗୃହୀତ ପୁଷ୍ପ ଏକ ସଦ୍ୟଜାତ ଶିଶୁପୁତ୍ର ରୂପେ କ୍ରିଡ଼ାରତ ଥିବାର କନ୍ୟା ଲକ୍ଷ୍ୟ କରିଥିଲା ।

 

ସେ ଯାହା ହେଉ ନା କାହିଁକି, ସାମାଜିକ କଳଙ୍କ ଭୟରେ କନ୍ୟା ଉକ୍ତ ଶିଶୁଟିକୁ ନେଇ ନିକଟସ୍ଥ ‘ଲହରତଲାଓ’ ନାମକ ବିରାଟ ହ୍ରଦର ଏକ ନିଭୃତ କୋଣରେ ଏକ ବିଶାଳ ପଦ୍ମପତ୍ର ଉପରେ ରଖିଦେଇ ଆସିଥିଲା ।

 

ତହିଁର ଅଳ୍ପ କିଛି ସମୟ ପରେ ନୀରୁ ଓ ନିମ୍ମା ନାମଧେୟ ଏକ ମୁସଲମାନ ଜାତୀୟ “ଜୋହ୍ଲା’’ ତନ୍ତୀ ଦମ୍ପତ୍ତି ସେହି ପଥରେ ଯାଉଁ ଯାଉଁ ଶିଶୁଟିକୁ ଦେଖିଥିଲେ । ସେମାନଙ୍କର କୌଣସି ସନ୍ତାନ ନ ଥିବାରୁ ତାକୁ ନେଇ ସସ୍ନେହ ଲାଳନ ପାଳନ କରିବାରେ ଲାଗିଲେ ।

 

“ଗବେଷକମାନେ ସ୍ଥିର କରିଛନ୍ତି ଯେ କବୀର ସ୍ନ ୧୩୯୮ ସାଲରେ ଜନ୍ମଲାଭ କରିଥିଲେ । କବୀରପନ୍ଥୀମାନେ ମଧ୍ୟ ଏହି ମତ ଗ୍ରହଣ କରନ୍ତି ।

 

ସେହି ଶିଶୁପୁତ୍ରଟି ଜୀବନରେ ମହାନ୍‌ ସନ୍ଥକବି ‘କବୀର’ ରୂପେ ବିଖ୍ୟାତ ହୋଇଥିଲେ । ଯେଉଁ ଜୋହ୍ଲା ଦମ୍ପତ୍ତି ଶିଶୁଟିକୁ ହ୍ରଦରୁ ଉଦ୍ଧାର କରିଥିଲେ, ତାଙ୍କର ପୂର୍ବଜମାନେ ନାଥପନ୍ଥୀ ହିନ୍ଦୁ ଥିବାର ଜଣାଯାଏ । ଧର୍ମାନ୍ତରିତ ହୋଇଥିଲେ ହେଁ ନାଥପନ୍ଥୀଙ୍କର ଆଧ୍ୟାତ୍ମିକ ସ୍ରୋତ ତଥାପି ସେମାନଙ୍କ ଧମନୀରେ ପ୍ରବାହିତ ହେଉଥିଲା ।

 

ବାରାଣସୀ ସେ କାଳରେ ହିନ୍ଦୁଧର୍ମର ଏକ ପ୍ରଧାନପୀଠ ରୂପେ ପରିଚିତ ଥିଲା । ଦେଶର ବିଭିନ୍ନ ପ୍ରାନ୍ତରୁ ମହାତ୍ମା ରାମାନନ୍ଦଙ୍କ ସ୍ଵରୂପ ବରିଷ୍ଠ ଆଧ୍ୟାତ୍ମିକଗଣ ବାରାଣସୀଠାରେ ଆଶ୍ରମ ସ୍ଥାପନ କରି ସତ୍‌ସଙ୍ଗ ସହିତ ଆଧ୍ୟାତ୍ମିକ ଅନୁଶୀଳନରେ ପ୍ରବୃତ୍ତ ରହୁଥିଲେ ।

 

କଥିତ ହୁଏ, ଯଦିଓ ‘କବୀର’ ମୁସଲମାନ ପାଳନ ପିତାଙ୍କ ଗୃହରେ ପ୍ରତିପାଳିତ ହୋଇ ଇସଲାମ ଧର୍ମର ପରମ୍ପରା ବିଷୟରେ ବାଲ୍ୟକାଳରୁ ଅବହିତ ହୋଇଥିଲେ, ନିଜ ଜନନୀଙ୍କ ଔରସ ପ୍ରଭାବ, ବାରାଣସୀର ବାତାବରଣର ପ୍ରଭାବ, କବୀରଙ୍କୁ ହିନ୍ଦୁଧର୍ମ ଓ ପରମ୍ପରା ପ୍ରତି ଆକୃଷ୍ଟ କରିଥିଲା । ଗୋସ୍ୱାମୀ ରାମାନନ୍ଦଙ୍କ ଶିଷ୍ୟତ୍ୱ ଗ୍ରହଣ କରିବାକୁ କବୀର ତାଙ୍କର ବୟସକ୍ରମରେ ଆଗ୍ରହୀ ହୋଇଥିଲେ, ମାତ୍ର ମୁସଲମାନ ଗୃହସ୍ଥ ହୋଇଥିବାରୁ ରାମାନନ୍ଦଙ୍କୁ ଭରସି କରି କହିପାରୁ ନଥିଲେ । ବହୁବାର ତାଙ୍କ ଆଶ୍ରମ ଦ୍ୱାର ଦେଶରୁ ଲେଉଟିଥିଲେ ।

 

ପରେ ଏକ ଦିନ ହୃଦୟର ତାଡ଼ନାବଶତଃ ପ୍ରତ୍ୟୁଷରୁ ମହାତ୍ମା ରାମାନନ୍ଦଙ୍କ ଗଙ୍ଗାସ୍ନାନ ପଥରେ ପାହାଚ ଉପରେ ଲୁକ୍‌କାୟିତ ଭାବରେ ଶୋଇରହିଲେ । ରାମାନନ୍ଦ ସେହି ପଥରେ ଯାଉଁ ଯାଉଁ ତାଙ୍କର ପାଦ ଅଜ୍ଞାତରେ କବୀରଙ୍କ ଶରୀର ଉପରେ ପଡ଼ିଯିବାରୁ ସେ “ରାମରାମ” ବୋଲି କହିଉଠିଥିଲେ । କବିର ତତ୍‌କ୍ଷଣାତ୍‌ ଉଠି ରାମାନନ୍ଦଙ୍କୁ ଦଣ୍ଡ ପ୍ରଣାମ ପୂର୍ବକ ଗୁରୁ ବୋଲି ସମ୍ବୋଧନ କରିଥିଲେ । ତାଙ୍କର ମନୋବାଞ୍ଚା ପୂରଣ ହୋଇଛି । ସେ ଗୁରୁ ମନ୍ତ୍ର ଲାଭ କରିଛନ୍ତି ।

 

ମହାତ୍ମା ରାମାନନ୍ଦ ପ୍ରଦତ୍ତ ସେହି ରାମରାମ ମହାମନ୍ତ୍ରକୁ ସମ୍ବଳ କରି, କବୀର ତାଙ୍କର ଆଧ୍ୟାତ୍ମିକ ଜୀବନ ଆରମ୍ଭ କରିଥିଲେ । ହେଲେ, ଗୃହତ୍ୟାଗ କରି ନ ଥିଲେ । ଭିକ୍ଷାବୃତ୍ତି ଅବଲମ୍ବନ କରି ନ ଥିଲେ । ନିଜର ପୈତୃକ ବୁଣାକାର ବୃତ୍ତି ଶେଷ ଜୀବନ ପର୍ଯ୍ୟନ୍ତ ଅନୁସରଣ କରିଥିଲେ । ତହିଁରୁ ଲବ୍ଧ ଧନରେ ନିଜର, ପରିବାରର ଓ ସାଧୁସନ୍ଥ ଅଭ୍ୟାଗତଙ୍କର ଖର୍ଚ୍ଚ ତୁଲାଇ ଥିଲେ ।

 

ପିତାମାତା ପୁତ୍ରର ସଂସାର ବୈରାଗ୍ୟଭାବ ଲକ୍ଷ୍ୟ କରି ସଂସାର ପ୍ରତି ତା’ର ଆସକ୍ତି ଜାତ କରାଇବା ଉଦ୍ଦେଶ୍ୟରେ ଲୋଇ ନାମକ ଏକ ମୁସଲମାନ କନ୍ୟାକୁ ବିବାହ କରାଇଥିଲେ । ମାତ୍ର ତଦ୍ଦ୍ୱାରା କବୀରଙ୍କର ଆସକ୍ତି ଜନ୍ମି ନ ଥିଲା । ପୂର୍ବବତ୍‌ ଆଧ୍ୟାତ୍ମିକ ପଥ ଅନୁସରଣ କରି ଲାଗିଲେ । ତାଙ୍କର ଦୁଇ ସନ୍ତାନ, ପୁତ୍ର କମାଲ୍‌ ଓ କନ୍ୟା କମାଲୀ ଜାତ ହୋଇଥିଲେ ମଧ୍ୟ କବୀର ସଂସାରିକ ମାୟାମୋହ ବଶବର୍ତ୍ତୀ ହୋଇ ନ ଥିଲେ ।

 

ମାତ୍ର କବୀର ଗୃହସ୍ଥାଶ୍ରମକୁ ଆଧ୍ୟାତ୍ମିକତାର ପରିପନ୍ଥୀ ବୋଲି ବିଚାରୁ ନ ଥିଲେ । ବରଂ ସେ ଦୃଢ଼ ମତ ପୋଷଣ କରିଥିଲେ ଯେ ସାଧନ ପକ୍ଷେ ସନ୍ନ୍ୟାସ ଗ୍ରହଣ ଅନିବାର୍ଯ୍ୟ ନୁହେଁ । ଗୃହୀ ହୋଇ ଆଧ୍ୟାତ୍ମିକ ସାଧନରତ ହେବା ଶ୍ରେୟସ୍କର । ତାଙ୍କର ନିମ୍ନ ପଦରୁ ଏହା ସ୍ପଷ୍ଟ ହୁଏ-

 

“ଅବଧୂ, ଭୂଲୈ କୌ ଘର ଲାବୈ, ସୋ ଜନ ହମକୌ ଭାବୈ ।।

ଘରମେଁ ଜୋଗ ଭୋଗ ଘରହୀ ମୈଁ, ଘର ତଜୀବନ ନହୀଁ ଜାବୈ ।।

ଘରମେଁ ଜୁକ୍ତ ମୁକ୍ତ ଘରହୀ ମୈଁ, ଜୋ ଗୁରୁ ଅଲଖ ଲଆବୈ ।।

X X X X

ଘରମୈଁ ବସତ୍‌ ବସ୍ତୁଭୀ ଘରହୈ, ଘରହୀ ବସ୍ତୁ ମିଲାବୈ ।।

କହେ କବୀର ସୁନୋ ହୋ ସାଧୋ, ଜ୍ୟୋଁବା ତ୍ୟୋଁ ଠହରାବୈ ।।

 

ଅର୍ଥାତ୍‌, ଆଧ୍ୟାତ୍ମିକତାର ସାଧନା ନିଜ ଘରେ ରହି ସ୍ୱଚ୍ଛନ୍ଦରେ କରିପାରେ । ପ୍ରଭୁ ଉପଲବ୍‌ଧି ଘରେ ରହି ହୋଇପାରେ । ଘର ହିଁ ସାଧନ ପୀଠ, ତୀର୍ଥ ଭୂମି ରୂପେ କବୀର ଗ୍ରହଣ କରିଛନ୍ତି । “ବସ୍ତୁ” ଅର୍ଥାତ୍‌ ବ୍ରହ୍ମ ସର୍ବତ୍ର ବିଦ୍ୟମାନ ଦୃଷ୍ଟେ ଘରେ ମଧ୍ୟ ତାଙ୍କୁ ଉପଲବ୍ଧି କରାଯାଇପାରେ । ବରଂ ଘରହିଁ ପ୍ରକୃଷ୍ଟ କ୍ଷେତ୍ର ବୋଲି ସୂଚାଇଛନ୍ତି ।

 

କବୀର ଗୁରୁ ରାମାନନ୍ଦଙ୍କଠାରୁ ଦଶରଥତନୟ ଶ୍ରୀରାମ ନାମ ମନ୍ତ୍ର ଲାଭ କରି ତାଙ୍କର ଦୀର୍ଘ ଆଧ୍ୟାତ୍ମିକ ଜୀବନ ଆରମ୍ଭ କରିଥିଲେ । ଆଧ୍ୟାତ୍ମିକତା ବିକାଶ ପଥରେ ସେ ଯେଉଁ ଯେଉଁ ସ୍ତର ଅତିକ୍ରମ କରି ପରିଶେଷରେ ପରାତ୍ପର ପରମେଶ୍ୱରଙ୍କୁ ଏକ ନିର୍ଗୁଣ ନିରାକାର “ଜ୍ୟୋତିମଣି’’ ରୂପେ ଉପଲବ୍ଧି କରିଥିଲେ, ତାହା ତାଙ୍କର ନିମ୍ନ ଦୋହା ମାଧ୍ୟମରେ ସେ ପ୍ରକାଶ କରିଛନ୍ତି–

 

“ଏକ ରାମ ଦଶରଥ କେ ପ୍ୟାରା, ଏକ ରାମକା ସକଲ ପସାରା ।

ଏକ ରାମ ଘଟ ଘଟ ମେଁ ଛା ରହା, ଏକ ରାମ ଦୁନିୟା ସେ ନ୍ୟାରା ।।’’

 

ପ୍ରଥମାବସ୍ଥାରେ ଦଶରଥତନୟ ରାମଙ୍କୁ କବୀର ଇଷ୍ଟ ରୂପେ ଗ୍ରହଣ କରିଥିଲେ । ତତ୍ପରବର୍ତ୍ତୀ ଉପଲବ୍ଧି–ସକଳ ବ୍ରହ୍ମାଣ୍ଡରେ ପରିବ୍ୟାପ୍ତ ରାମ, ତୃତୀୟ ସ୍ତରର ଉପଲବ୍ଧି ପ୍ରତ୍ୟେକ ପ୍ରାଣୀ ଅନ୍ତରରେ, ସ୍ଥାବର ଜଙ୍ଗମ ସମସ୍ତଙ୍କଠାରେ ପ୍ରକାଶିତ ରାମ, ଏବଂ ପରିଶେଷରେ ସକଳ ବ୍ରହ୍ମାଣ୍ଡ ଊର୍ଦ୍ଧ୍ୱରେ ବିଦ୍ୟମାନ ନିର୍ଗୁଣ, ନିରାକାର, ନିରଞ୍ଜନ, ପରାତ୍ପର ଦିବ୍ୟଜ୍ୟୋତି ପରଂବ୍ରହ୍ମ ଭାବରେ; ବ୍ରହ୍ମା, ବିଷ୍ଣୁ, ମହେଶ୍ୱରଙ୍କ ଊର୍ଦ୍ଧ୍ୱରେ ଶାଶ୍ୱତ ସଚ୍ଚିଦାନନ୍ଦ ଭାବରେ ।

 

ଏହି ସ୍ତରରେ ଉପନୀତ ହେବା ପୂର୍ବରୁ ସନ୍ଥ କବୀରଙ୍କୁ ବହୁ ସାଧନା ମଧ୍ୟ ଦେଇ ଗତି କରିଥିବାର ଦେଖାଯାଏ । ଯାହା ସେ ମୁଖ୍ୟତଃ ସତ୍‌ସଙ୍ଗ ମାଧ୍ୟମରେ ଲାଭ କରିଥିଲେ । ଇସ୍‌ଲାମ ଧର୍ମ, ସୁଫି ମତବାଦ, ସନାତନ ଧର୍ମ, ବୈଷ୍ଣବ ମତବାଦ, ବୌଦ୍ଧଧର୍ମ, ନାଥପନ୍ଥୀ, ଯୌଗିକ ପନ୍ଥା ଇତ୍ୟାଦି ସକଳ ପ୍ରକାର ଧାର୍ମିକ, ଆଧ୍ୟାତ୍ମିକ ମାର୍ଗ, ଭାବଧାରା, ବିଚାରଧାରାର ସାରାଂଶ ସଂଗ୍ରହ କରି ପାରିଥିଲେ ସନ୍ଥ କବୀର । ତାଙ୍କର ପଦମାନଙ୍କରେ ଏ ସମସ୍ତର ଚିହ୍ନ ଦେଖାଯାଏ ।

 

ମାତ୍ର ଏ ସମସ୍ତ ବିଚାରଧାରାର ସମନ୍ୱୟ ସାଧନ କରିବାରେ ସନ୍ଥ କବୀର ଅସାଧାରଣ ଭାବେ ସଫଳ ହୋଇଥିବାର ଦେଖାଯାଏ । ସେହି ସ୍ୱତନ୍ତ୍ର ବିଚାର ଧାରା ସାଧାରଣତଃ “ସହଜ ପ୍ରେମଭକ୍ତି” ରୂପେ ପରିଚିତ । ତହିଁରେ ସନାତନ ଧର୍ମର ଅଦ୍ୱୈତ ସିଦ୍ଧାନ୍ତ, ଇସଲାମର ଏକେଶ୍ୱରବାଦ ଓ ଭ୍ରାତୃଭାବ, ସୁଫି ମତବାଦର ପ୍ରେମଭାବ, ବୈଷ୍ଣବ ମତବାଦର ବିରହଭାବ, ବୌଦ୍ଧଧର୍ମର କାମନା ବିନାଶ ଇତ୍ୟାଦିର ଛାୟାପାତ ସୁସ୍ପଷ୍ଟ ।

 

ନିର୍ଗୁଣ, ନିରାକାର ମତବାଦର ଦୃଢ଼ ସମର୍ଥକ କବୀର ତାଙ୍କ ରଚନାରେ ରାମ, କୃଷ୍ଣ, ଗୋପାଲ, ଗୋବିନ୍ଦ ଆଦି ହିନ୍ଦୁ ସାକାର ଦେବାଦେବୀଙ୍କର ନାମ ବ୍ୟବହାର କରିଥିବାର ଦେଖାଯାଏ । ମାତ୍ର ତାହା ପରାତ୍ପର ପରମେଶ୍ୱରଙ୍କର ପ୍ରତୀକ ବା ସାଙ୍କେତିକ ଭାବରେ । ସେ ସଗୁଣ ସାକାର ମତବାଦ ଗ୍ରାହ୍ୟ କରୁନଥିଲେ । ତାଙ୍କର ବହୁପଦ ଓ ଦୋହା ମାଧ୍ୟମରେ ସେ ଏହା ସ୍ପଷ୍ଟ କରିଛନ୍ତି । ଦୃଷ୍ଟାନ୍ତ ସ୍ୱରୂପ-

 

୧)

“ପାହାଣ କେରା ପୂତଲା କରି ପୂଜୈ କରତାର ।

ଇହି ଭରୋସୌ ଜେ ରହୈ, ତେ ବୁଡ଼େ କାଲୀ ଧାରା ।।”

 

ଅର୍ଥାତ୍‌ ପଥରର ମୂର୍ତ୍ତିକୁ ଦେବତା ଭାବି ପୂଜା ଆରାଧନା କଲେ ମୁକ୍ତି ଅସମ୍ଭବ । ବରଂ କାଳର କରାଳ ପାରାବାରରେ ବୁଡ଼ିମରିବା ସାର ହେବ ।

 

୨)

“ଅନଗଢ଼ିୟା ଦେବା କୌନ୍‌ କରେ ତେରୀ ସେବା ।

ଗଢ଼େ ଦେବକୋ ସବକୋଇ ପୂଜୈ, ନିତ ହି ଲାବୈ ସେବା ।

ପୂରନ୍ନ ବ୍ରହ୍ମ ଅଖଣ୍ଡିତ ସ୍ୱାମୀ, ତାକୈ ନ ଜାନୈ ଭେବା ।।

ଦସ ଓ୍ୟତାର ନିରଞ୍ଜନ କହିୟେ, ସୋ ଅପନା ନ ହୋଇ ।

ୟହ ତୋ ଅପନୀ କରନୀ ଭୋଗୈ କର୍ତ୍ତାଓ୍ୟରହୀ କୋଇ ।।’’

 

ଅର୍ଥାତ୍‌, ରୂପାତୀତ ପରଂବ୍ରହ୍ମଙ୍କୁ ନ ଚିହ୍ନି ସମସ୍ତେ ହାତଗଢ଼ା ମୂର୍ତ୍ତିକୁ ପୂଜା ସେବା କରନ୍ତି । ଦଶ ଅବତାରଙ୍କୁ ନିରଞ୍ଜନ ବୋଲି କହନ୍ତି । ଯେଉଁ ଦେବତା ନିଜ କର୍ମର ଫଳଭୋଗ କରନ୍ତି, ତାଙ୍କୁ ସର୍ବମୟ କର୍ତ୍ତା ବୋଲି କିପରି କହିହେବ ?

 

ତାଙ୍କର ଇଷ୍ଟ, ନିର୍ଗୁଣ ନିରାକାର ‘ଜ୍ୟୋତିମଣି’ ରୂପେ ବିରାଜ କରୁଥିବା ଗଗନ ମଣ୍ଡଳର ଅଗମ୍ୟ ପରିବେଶର ସ୍ୱରୂପ ବର୍ଣ୍ଣନା କରି କବୀର କହିଛନ୍ତି–

 

“ଜାହା ଖିଲତ ବସନ୍ତ ଋତୁରାଜ, ଜହାଁ ଅଳହଦ ବାଜା ବାଜୈ ବାଜା

ଚହୁଦିସି ଜ୍ୟୋତିକୀ ବହେ ଧାର, ବିରଲାଜନ କୋଇ ଉତରେ ପାର ।।

କୋଟି କୃଷ୍ଣ ତହିଁ ଜୋଡ଼େ ହାତ, କୋଟି ବିଷ୍ଣୁ ତହିଁ ନାବେ ମାଥ ।।

କୋଟିନ ବ୍ରହ୍ମା ପଢ଼େ ପୁରାନ, କୋଟି ମହେସ ଧରେ ତହିଁ ଧ୍ୟାନ ।।

ସୁର ଗନ୍ଧର୍ବ ମୁନି ଗନେନ ଜାୟ, ତହିଁ ସାହାବ ପ୍ରଗଟେ ଆୟ, ଆୟ

 

ଅର୍ଥାତ୍‌, ସେହି ଅଗମ୍ୟ ମନୋରମ ସ୍ଥଳୀରେ ଅଗଣିତ ବ୍ରହ୍ମା, ବିଷ୍ଣୁ, ମହେଶ୍ୱର ନତମସ୍ତକ ହୋଇ ରହିଛନ୍ତି । ମନେହୁଏ, ପରଂବ୍ରହ୍ମସୃଷ୍ଟ ମାଳ ମାଳ ବ୍ରହ୍ମାଣ୍ଡର ପାଳନ, ନିୟନ୍ତ୍ରଣ ନିମିତ୍ତ ପରାତ୍ପର ପ୍ରଭୁଙ୍କ ଦ୍ୱାରା ନିୟୋଜିତ ହୋଇ ରହିଛନ୍ତି ସେମାନେ । କବୀର ତାଙ୍କର ଏକ ଦୋହାରେ ଏହା ସ୍ପଷ୍ଟତର କରିଛନ୍ତି ।
 

“କତେକ ସିବସଙ୍କର ଗୟେ ଉଠି, ରାମ ସମାଧି ଅବହିଁ ନହିଁ ଛୁଟି ।।

ପ୍ରଲୈକାଲ କହୁଁ କତେକ ଭାଷ, ଗୟେ ଇନ୍ଦ୍ର ସେ ଅଗଣିତ ଲାଷ ।।

ବ୍ରହ୍ମା ଖୋଜି ପରୟୋ ଗହିନାଲ, କହେ କବୀର ୟେ ରାମ ନିରାଲ ।।”

 

ଅର୍ଥାତ୍‌, ପରାତ୍ପର ପରମେଶ୍ୱର ଅନନ୍ତକାଳ ସମାଧିସ୍ଥ ଥାଇ ସମସ୍ତ ବିଶ୍ୱବ୍ରହ୍ମାଣ୍ଡ ପରିଚାଳିତ କରୁଅଛନ୍ତି । ଅସଂଖ୍ୟ ବ୍ରହ୍ମା ବିଷ୍ଣୁ ମହେଶଙ୍କ ପୀଢ଼ି ଆଦ୍ୟରୁ ପ୍ରକଟ ହୋଇ ବିଲୟଲାଭ କରିଅଛନ୍ତି । ସେହିମାନେ ପରାତ୍ପର ପରମେଶ୍ୱରଙ୍କର ଅବ୍ୟକ୍ତ ନିର୍ଦ୍ଦେଶପ୍ରାପ୍ତ ହୋଇ ସୃଷ୍ଟିର ବିଭିନ୍ନ ଦିଗ ତତ୍ତ୍ୱାବଧାନ କରିବାରେ ନିୟୋଜିତ । ବ୍ରହ୍ମା ପରମାତ୍ମାଙ୍କର ତତ୍ତ୍ୱସନ୍ଧାନରେ ଆଦ୍ୟରୁ ପ୍ରୟାସରତ । ସେହି ନିର୍ଗୁଣ ନିରାକାର ପ୍ରଭୁ ହିଁ କବୀରଙ୍କର ଇଷ୍ଟ । ପରାତ୍ପର ପରମେଶ୍ୱର ପରଂବ୍ରହ୍ମ “ରାମ’’ ।

 

କବୀର ତାଙ୍କର ଅନ୍ତିମ ଉପଲବ୍ଧି ସେହି ପରଂବ୍ରହ୍ମଙ୍କ ସ୍ୱରୂପ ବିଷୟରେ ଏକ ଦୋହା ମାଧ୍ୟମରେ ପ୍ରକାଶ କରିଛନ୍ତି–

 

“ପାରବ୍ରହ୍ମ କୈ ତେଜ କା କୈସା ଉନମାନ ।

କହିବେ କୂଁ ସୋଭା ନହିଁ, ଦେଖାହୀ ପରବାନ ।।

 

ଅର୍ଥାତ୍‌, ସେହି ପରଂବ୍ରହ୍ମଙ୍କର ସ୍ୱରୂପ, ଶୋଭା, ସମ୍ଭାର, ତେଜସ୍ୱିତା, ଅନୁମାନ କରିବା, କଥାରେ ପ୍ରକାଶ କରିବା ଅସମ୍ଭବ । ତାହା କେବଳ ଅନୁଭବ, ଉପଲବ୍ଧିର ବସ୍ତୁ ।

 

ଏହି ଉପଲବ୍ଧି କି ରୂପେ ସମ୍ଭବ ? କବୀରଙ୍କ ମତରେ “ସହଜ ପ୍ରେମ ଭକ୍ତି” ମାର୍ଗ ଅନୁସରଣ କଲେ ତାହା ସମ୍ଭବ ହୋଇପାରେ । ଏଥିଲାଗି ଉଗ୍ର ତପସ୍ୟା, ଯୋଗ ଯଜ୍ଞ, ପୂଜା ଆରାଧନାର ପ୍ରୟୋଜନ ନାହିଁ । କ’ଣ ପ୍ରୟୋଜନ ତାହା ମଧ୍ୟ ସେ ଦର୍ଶାଇଛନ୍ତି ତାଙ୍କର ଅନୁପମ ନିମ୍ନ ପଦ ମାଧ୍ୟମରେ–

 

“ଜବ ମୈ ଭୁଲାରେ, ଭାଇ, ମେରେ ସଦ୍‌ଗୁରୁ ଜୁମତି ଲଖାଇ ।

କିରିଆ କରମ ଆଚାର ଛାଡ଼ା, ଛାଡ଼ାତୀ ରଥ କା ନାହ୍ନା ।

ସଗରୀ ଦୁନିୟାଭାଇ ସୟାନୀ, ମୈଁ ହୀ ଇକ କୈରାନା ।।

ନା ମେଁ ଜାନୁ ସେବା ବନ୍ଦଗୀ, ନା ମେଁ ଘଣ୍ଠା ବଜାଇ ।

ନା ମେଁ ମୂରତି ଧରି ସିଂହାସନ, ନା ମେଁ ପୁହୁପ ଚଢ଼ାଇ ।।

ନା ହରି ରିଝେ ଜପ ତପ କୀହ୍ନେ, ନାଁ କାୟା କୋ ଜାରେ ।

ନା ହରି ରିଝେ ଧୋତି ଛାଡ଼େ, ନାଁ ଗାଁଚୋ କୋ ମାରେ ।।

ଦୟାରଖି ଧରମ କୋ ପାଲୈ, ଜଗସୋ ରହୈ ଉଦାସୀ ।

ଅପନା ସା ଜୀବ ସବକୋ ଜାନୈ, ତାହି ମିଲୈ ଅବିନାସୀ ।।

ସହେ କୁସବାଦ ବାଦ କୋ ତ୍ୟାଗୈ, ଛାଁଡ଼େ ଗର୍ବ ଗୁମାନା ।

ସତ ନାମ ତାହିକୋ ମିଲିହୈ, କହେ କବୀର ସୁଜାନା ।।

 

ଏହି ପଦରେ କବୀର ଉଭୟ ନାସ୍ତି ଓ ଅସ୍ତିବାଚକ ସୂଚନା ଦେଇ ଯାହା ଯାହା ସାଧକ ପକ୍ଷେ ପରିତ୍ୟାଗ କରିବା ଏବଂ ଯାହା ଆଚରଣ କରିବା ପ୍ରୟୋଜନ, କବୀର ପ୍ରାଞ୍ଜଳଭାବରେ ଉଲ୍ଲେଖ କରିଛନ୍ତି । ଶୁଦ୍ଧ ଓ ନିର୍ମଳ ଆଚରଣ ଦ୍ୱାରା ଭଗବତ୍‌ ଉପଲବ୍ଧି ହୋଇପାରେ ବୋଲି ସୂଚାଇଛନ୍ତି । ପୂଜା, ତୀର୍ଥାଟନାଦି ବାହ୍ୟାଚାରର ନିଃସାରତା ଦୃଢ଼ଭାବରେ ପ୍ରକାଶ କରିଛନ୍ତି । ସମସ୍ତ ପ୍ରାଣୀଙ୍କୁ ଆତ୍ମବତ୍‌ ମଣି ହୃଦୟରେ ସମଦର୍ଶୀଭାବ ବହନ କରିବାକୁ କହିଛନ୍ତି । ଏଥିନିମିତ୍ତ କବୀରଙ୍କ ଦର୍ଶନକୁ “ଆତ୍ମଦର୍ଶନ’’ ବୋଲି ଗବେଷକ ପଣ୍ଡିତମାନେ ଆଖ୍ୟାତ କରିଛନ୍ତି ।

 

ପରମାତ୍ମାଙ୍କୁ ପରମପୁରୁଷ ଏବଂ ଏକମାତ୍ର “ପୁରିସ ଅବିନାସୀ’’ ଭାବେ ପରିଚିତ କରାଇ କବୀର ଜୀବାତ୍ମା ବା ସାଧକକୁ ନାରୀ, ପ୍ରେୟସୀ ଭାବରେ ଚିତ୍ରିତ କରିଛନ୍ତି । ଆଟମ୍‌ ଓ ମଲ୍ୟୁକୁଲ ମଧ୍ୟରେ ଥିବା ନୈସର୍ଗିକ ଆକର୍ଷଣବତ୍‌ ପରମାତ୍ମା ଓ ଜୀବାତ୍ମା ମଧ୍ୟରେ ଥିବା ଅଖଣ୍ଡ ଆକର୍ଷଣକୁ “ପ୍ରେମଲୀଳା’’ ଆଖ୍ୟା ଦେଇ ତାହା କିପରି ଅହରହ ସମ୍ପାଦିତ ହେଉଅଛି, ସୂଚାଇଛନ୍ତି । ତାଙ୍କର ଅଂସଖ୍ୟ ‘ସାନ୍ଧ୍ୟଭାଷ’ ଓ ଅନ୍ୟାନ୍ୟ ପଦମାନଙ୍କରେ ଏହି ଲୀଳା ବର୍ଣ୍ଣନା କରଛନ୍ତି । ଅନ୍ତିମରେ ଜୀବାତ୍ମା ପରମାତ୍ମାରେ ଲୀନ ହେବା ପରିସ୍ଥିତିକୁ “ଆଧ୍ୟାତ୍ମିକ ବିବାହ” ରୂପେ ସୂଚାଇଛନ୍ତି । ଦୃଷ୍ଟାନ୍ତ ସ୍ୱରୂପ—

 

“ଦୁଲହଁନୀ ଗାବହୁଁ ମଙ୍ଗଲଚାର ।

ହମ ଘରି ଆଏ ପରମ ପୁରୁଷ ଭରତାର ।।

ତନ ରତି କରି ମୈଁ ମନ ରତି କରି ହୈ, ପଞ୍ଚତତ୍ତ୍ୱ ବରାତୀ ।

ରାମଦେବ ମେରେ ପାହୁନ ଆୟେ, ମେଁ ଜୋବନ ମେଁ ମାତୀ ।।

ସରିର ସରୋବର ବେଦୀ କରିହୈ, ବ୍ରହ୍ମା ବେଦ ଉଚାରା ।

ରାମଦେବ ସଙ୍ଗ ଭାଁବରୀ ଲୈହୋ, ଧନ ଧନ ଭାଗ ହମାରା ।।

ସୂର ତେତୀସୁଁ କୌତିମ ଆଏ, ମୁନିୟର ସହସ ଅଠାୟସୀ ।

କହେ କବୀର ହମ ବ୍ୟାହି ଗଲେହେଁ ପୁରିସ ଏକ ଅବିନାସୀ ।।

 

ଅତ୍ୟନ୍ତ ମନୋରମ ଏହି ମହାମିଳନର ବର୍ଣ୍ଣନା । ଆତ୍ମା ସହିତ ପରମାତ୍ମାର ମହାମିଳନ ନିମିତ୍ତ ସାଧକର ହାର୍ଦ୍ଦିକ ପ୍ରୟାସ ବୋଲି କବୀର ସ୍ପଷ୍ଟ ଭାବରେ ସୂଚାଇଛନ୍ତି । ଏହା ମଧ୍ୟ ସୂଚାଇଛନ୍ତି ଯେ ଏଥିନିମିତ୍ତ ପରମାତ୍ମା ଉଦାସ ନିଷ୍କ୍ରିୟ ନୁହନ୍ତି । ତାଙ୍କର ନିମ୍ନ ପଦ ଏହା ସୂଚାଇଥାଏ :-

 

ତୋହି ମୋହି ଲଗନ ଲଗାୟେରେ ଫକିରଓ୍ୟା ।

ସୋବତହୀ ମେଁ ଅପନେ ମନ୍ଦିର ମେଁ, ସବ୍ଦବାନ ମାରି ଜଗାୟେରେ ଫକିରଓ୍ୟା ।

ଡୁବତହୀ ଭବକେ ସାଗର ମେଁ, ବହିୟାଁ ପକରି ସମୁଝାୟେରେ ଫକିରଓ୍ୟା ।।

ଏକୈ ବଚନ ବଚନ ନାହିଁ ଦୂଜା, ତୁମ ମୋସେ ବନ୍ଦ ଛୁଡ଼ାୟେରେ ଫକିରଓ୍ୟା ।

କହେ କବୀର ସୁନୋଭାଇ ସାଧୋ, ପ୍ରାନେ ପ୍ରାନ ଲଗାୟେରେ ଫକିରଓ୍ୟା ।।

 

ଏବଂ ଅନ୍ୟ ଏକ ଅତ୍ୟନ୍ତ ମର୍ମସ୍ପର୍ଶୀ ପଦ-

 

ଆଇ ଗବନ ବାଁକୀ ସାରୀ, ଭୁମରୀ ଅବକୀ ମୋରି ବାରୀ ।

ସାଜ ସମାଜ ପିୟା ଲୈ ଆୟେ, ଓ୍ୟର କହରିୟା ଚାରୀ ।।

X                   X                         X

ଶୌଳ କରାୟ ପିୟା ଲୈ ଗଲୈ, ଇତ ଉତ ବାଟ ନିହାରୀ ।

ଛୁଟତ ନଗରୀ ଗାଁବ ସୋ ନାତା, ଛୁଟେ ମହଲ ଅଟାରୀ ।

କର୍ମ ଗତି ଟରେ ନା ଟାରୀ ।।

ନଦୀୟା କିନାରେ ବଲମ ମୋରେ ରୁସିୟା, ଦିହ୍ନ ଘୁଘଂଟ ପଟ ଟାରୀ ।

ଥର ଥରାୟ ତଳୁ କାଁପନ ଲାଗେ, କାହୁ ନ ଦେଖି ହମାରୀ,

ପିୟା ଲୈ ଆୟେ ଗୌହାରୀ ।

 

ପ୍ରିୟତମ, ପରମାତ୍ମା ସାଜସରଞ୍ଜାମ ନେଇ ଜୀବାତ୍ମାକୁ, ସାଧକକୁ ଘେନିଯିବାକୁ ଆସିଛନ୍ତି । ମତେ ବାହକମାନଙ୍କ ସାହାଯ୍ୟରେ ନଦୀଧାରକୁ ବୋହିନେଇ ସେଠାରେ କୋଳାଗ୍ରତ କଲେ ଏବଂ ମୋର ବିବାହ ସମ୍ପନ୍ନ ହେଲା ।

 

ଜୀବାତ୍ମା ଓ ପରମାତ୍ମାର ଏହି ମହାମିଳନ ପଥ ସୁଗମ କରିବା ନିମିତ୍ତ, ପ୍ରେୟସୀର, ଜୀବାତ୍ମାର, ସାଧକର ଯେଉଁ ସାଧନା, ପ୍ରୟାସ ଦରକାର, ତାହା କବୀର ତାଙ୍କର ପୂର୍ବୋକ୍ତ ପଦ-“ଜବ ମୈ ଭୁଲାରେ ଭାଇ”ରେ ସ୍ପଷ୍ଟ ଭାବରେ ସୂଚାଇଛନ୍ତି । ମନକୁ ନିୟନ୍ତ୍ରଣ କରି ମନର ନିର୍ମଳତା ବିଧାନ କଲେ ଗର୍ବ, ଅହଂକାର ଓ କାମନା ପରିତ୍ୟାଗ କଲେ, ସମଦର୍ଶୀ ଭାବାପନ୍ନ ହେଲେ, ପରମେଶ୍ୱର ଉପଲବ୍ଧି ହୋଇଥାନ୍ତି; ମୋକ୍ଷ ଲାଭ ହୋଇଥାଏ ।

 

ସାଧକର ପ୍ରୟାସକୁ ମୁଖ୍ୟତଃ ଦୁଇଟି ପର୍ଯ୍ୟାୟଭୁକ୍ତ କରାଯାଏ । ମନର ନିର୍ମଳତା ଓ ବିରହ ବା ପ୍ରଭୁ‌ପ୍ରାପ୍ତି ନିମିତ୍ତ ବ୍ୟାକୁଳତା । ପ୍ରଖ୍ୟାତ ଗବେଷକ ଡଃ ରାମକୁମାର ବର୍ମା ତାଙ୍କ ରଚିତ “କବୀରକା ରହସ୍ୟବାଦ୍‌” ଗ୍ରନ୍ଥରେ ତର୍ଜମା କରି କହିଛନ୍ତି–“ଆଧ୍ୟାତ୍ମକୀ ଅନ୍ତିମ ଲକ୍ଷ୍ୟ ହୈ ଆତ୍ମା ଔର ପରମାତ୍ମାକା ମିଲନ । ୟହୁ ମିଲନ୍‌ ମେଁ ଏକ ବାତ ଆବଶ୍ୟକ ହୈ । ଓ୍ୟହ ଆତ୍ମାକି ପବିତ୍ରତା ହୈ । ଆତ୍ମାମେଁ ପରମାତ୍ମା ସେ ମିଲନେକେ ଲିୟେ ଉତ୍କଟ ଆକାଂକ୍ଷା ହୋନେ ପରଭୀ ଯଦି ପବିତ୍ରତା ନହିଁ ହୈ ତୋ ପରମାତ୍ମାକା ମିଲନ ନହିଁ ହୋ ସକତା । ପବିତ୍ରତା ମେଁ ଯୋଶକ୍ତି ହୈ ଓ୍ୟହ ଆକାଂକ୍ଷା ମେଁ କାହାଁ ? ଆକାଂକ୍ଷା ନ ହୋନେ ପରଭୀ ପବିତ୍ରତା ଦୈବୀ ଗୁଣୋଁକା ଆବିର୍ଭାବ କର ସକତୀ ହୈ ।”

 

କବୀର ତାଙ୍କର ବହୁ ପଦ ଓ ଦୋହାରେ ମନର ପବିତ୍ରତା ଉପରେ ବିଶେଷ ଗୁରୁତ୍ୱ ଆରୋପ କରିଛନ୍ତି । ଦୃଷ୍ଟାନ୍ତ ସ୍ୱରୂପ—

 

“ମନ ନିର୍ମଲ ଭୟା ଜୈସେ ଗଙ୍ଗା ନୀର ।

ତବ ପାଛି ଲଗା ହରି ଫିରେ କହତ କବୀର କବୀର ।।”

 

ଅତ୍ୟନ୍ତ ତାତ୍ପର୍ଯ୍ୟପୂର୍ଣ୍ଣ ଏହି ଦୋହା ଡ: ବର୍ମାଙ୍କ ଅଭିମତକୁ ସମ୍ପୂର୍ଣ୍ଣ ଭାବରେ ସମର୍ଥନ କରେ । ମନ ନିର୍ମଳ ହେଲା ଉତ୍ତାରେ ପରମାତ୍ମା ଜୀବାତ୍ମା ପଛରେ ଧାଇଁ ତାକୁ ଆହ୍ୱାନ କରୁଛନ୍ତି ମିଳନ ପାଇଁ । ଜୀବାତ୍ମାର ଆକାଂକ୍ଷାର ପ୍ରଶ୍ନ ନାହିଁ । ମନ ତା’ର ଯଦି ନିର୍ମଳ, ସ୍ୱୟଂ ପରମାତ୍ମା ଏହି ମିଳନ ପାଇଁ ବ୍ୟାକୁଳ ହେବେ ।

 

ଅଥଚ ମନ ନିୟନ୍ତ୍ରିତ ନ ହେଲେ, ବିପଥଗାମୀ ହେଲେ ସଦ୍‌ଗୁରୁଙ୍କ ସହାୟତା ମଧ୍ୟ ଫଳପ୍ରଦ ହେବ ନାହିଁ । କବୀର ଏହା ସ୍ପଷ୍ଟ ଭାବରେ ସୂଚାଇଛନ୍ତି ନିମ୍ନ ଦୋହା ମାଧ୍ୟମରେ–

 

“ସଦ୍‌ଗୁରୁ ମିଲ୍ୟା ତୋ କ୍ୟା ଭୟା, ଜୋ ମନ ପାଡ଼ୀ ଭୋଲ ।

ପାସି ବିନଠା କାପ୍‌ପଡ଼ା କ୍ୟା କରେ ବିଚାରୀ ଚେଲ ।’’

 

ଯେପରି ଅତ୍ୟନ୍ତ ଦୁରୂହ ଭାବରେ ବିଦୀର୍ଣ୍ଣ ବା ବିବର୍ଣ୍ଣ କପଡ଼ାକୁ କୁଶଳୀ କାରିଗର ବା ଦରଜୀ ମରାମତି କରିପାରେ ନାହିଁ, ତଦ୍ରୁପ ବିପଥଗାମୀ ମନ ସଦ୍‌ଗୁରୁ ସଜାଡ଼ି ପାରନ୍ତିନାହିଁ । ତାତ୍ପର୍ଯ୍ୟ, ଆଧ୍ୟାତ୍ମିକତାର ବିକାଶ ନିମିତ୍ତ ସାଧକର ସ୍ଵକୀୟ ପ୍ରୟାସ ଅପରିହାର୍ଯ୍ୟ ।

 

ମନହିଁ ଇନ୍ଦ୍ରିୟମାନଙ୍କର ସଞ୍ଚାଳକ । ମନକୁ ନିୟନ୍ତ୍ରଣ ନ କଲେ, ତାହା ସାଧକକୁ ବିପଥଗାମୀ କରାଇ ତା’ର ସର୍ବନାଶ କରିପାରେ । ତେଣୁ କବୀର ମନକୁ ନିୟନ୍ତ୍ରଣ କରିବା ଉପରେ ସର୍ବାଧିକ ଗୁରୁତ୍ୱ ଦେଇଛନ୍ତି । ତାଙ୍କର ନିମ୍ନ ପଦ ବିଶେଷ ତାତ୍ପର୍ଯ୍ୟପୂର୍ଣ୍ଣ–

 

ମନ ତୋହେ କିହି ବିଧି ମେଁ ସମଝାଉଁ ।

ସୁନା ହୋୟ ସୁହାଗା ମଁଗାଉଁ ବଙ୍କନାଲ ରସ ଲାଉଁ ।

ଗ୍ୟାନ ସବଦକା ଫୁଙ୍କ ଚଲାଉଁ ପାନିକର ପିଢ଼ା ଲାଉଁ ।।

ଘୋଡ଼ା ହୋୟ ଲଗାମ ଲଗାଉଁ ଉପର ଜୀନ କସାଉଁ ।

ହୋୟ ସଓ୍ୟାର ତେରେ ପର ବୈଠୁଁ ଚାବୁକ ଦେକେ ଚଲାଉଁ ।।

ହାତୀ ହୋୟ ଜଞ୍ଜୀର ଗଢ଼ାଉଁ ଚାରୋ ପୈର ବନ୍ଧାଉଁ ।

ହୋୟ ମହାବତ୍‌ ତେରେ ପର ବୈଠୁଁ, ଅଙ୍କସ ଲେକେ ଚଲାଉଁ ।।

ଲୋହ ହୋୟ ଏରଣ ମଁଗାଉଁ ଉପର ଧୂବନ ଧୂବାଉଁ ।

ଧୂବନ କୀ ଘନ ଘୋର ମଚାଉଁ, ଜନ୍ତର ତାର ଖିଚାଉଁ ।।

ଜ୍ଞାନୀ ନ ହୋ ଜ୍ଞାନ ସିଖାଉଁ ସତ୍ୟକୀ ରାହ ଚଲାଉଁ ।

କହେ କବୀର ସୁନୋ ଭାଇ ସାଧୋ, ଅମରପୁର ପହଚାଉଁ ।।

 

ଉପରୋକ୍ତ ପଂକ୍ତିମାନଙ୍କରେ କବୀରଙ୍କର ଗଭୀର ଭାବର ଅଭିବ୍ୟକ୍ତି ଲକ୍ଷ୍ୟ କରିବାର ବିଷୟ ।

 

ପରମାତ୍ମାଙ୍କର ଅଂଶବିଶେଷ ସ୍ୱରୂପ ଆତ୍ମା ପ୍ରାଣୀର ଅନ୍ତରରେ ହୃଦ-ମନ୍ଦିରରେ ବିରାଜମାନ । ତାଙ୍କୁ ଉପଲବ୍ଧି କରିବାକୁ ହେଲେ ମାନବ ନିଜ ଅନ୍ତର ମଧ୍ୟକୁ ଦୃଷ୍ଟିନିକ୍ଷେପ କରିବା ଆବଶ୍ୟକ । ଆତ୍ମସମର୍ପଣଭାବ ସହିତ ହୃଦୟର ଆବେଗରେ ଖୋଜିହେଲେ ସେ ସହଜଲଭ୍ୟ । ପରମାତ୍ମାଙ୍କୁ ଅନ୍ତରରେ ନ ଖୋଜି ଏଣେତେଣେ ଖୋଜି ଇତସ୍ତତଃ ହେବା ଅନୁଚିତ । ତାଙ୍କର କେତେକ ପଦ ଓ ଦୋହା ଏହି ଭାବ ସୃଷ୍ଟି କରେ । ଦୃଷ୍ଟାନ୍ତ ସ୍ୱରୂପ-

 

କସ୍ତୁରୀ କୁଣ୍ଡଲି ବସୈ ମୃଗ ଢୁଁଡ଼େ ବନମାହି ।

ଐସେ ଘଟି ଘଟି ରାମ ହୈ, ଦୁନିୟା ଦେଖେ ନାହିଁ ।।

ଏବଂ

ମୋକୋ କହାଁ ଢୁଁଡ଼େରେ ବନ୍ଦେ ମେ ତୋ ତେରେ ପାସ ମେଁ ।

ନା ତୀରଥ ମେଁ ନା ମୂରତ ମେଁ, ନା ଏକାନ୍ତ ନିବାସ ମେଁ ।

xx xx xx

ନା ମେଁ ଜପମେଁ ନେ ମେଁ ତପମେଁ ନା ମେଁ ବରତ ଉପାସ ମେଁ ।

ନା ମେଁ କିରିଆ କର୍ମମେଁ ରହତା, ନାହିଁ ଯୋଗ ସନ୍ନ୍ୟାସ ମେ ।।

ଖୋଜି ହୋୟ ତୁରତ ମିଲ ଜାଉଁ ଏକ ପଲକୀ ତଲାସ ମେଁ ।

କହେ କବୀର ସୁନୋ ଭାଇ ସାଧୋ ମେଁ ତୋ ହୁଁ ବିଶ୍ୱାସ ମେଁ ।।

 

ନିରକ୍ଷର କବୀରଙ୍କର ସମସ୍ତ ପ୍ରତିଭା, ତାଙ୍କ ଆଧ୍ୟାତ୍ମିକ ଉପଲବ୍ଧିର ଗଭୀରତା ଓ ପ୍ରସାର ବିସ୍ତାର ଭାବରେ ଉଲ୍ଲେଖକଲେ ଏକ ବିରାଟ ‌ଗ୍ରନ୍ଥ ହେବ । ଏହି ଅଭିଲେଖରେ ତହିଁର ମୁଖ୍ୟ କେତୋଟି ଦିଗ ପ୍ରତି ଆକର୍ଷଣ କରାଯାଇଅଛି । କବୀରଙ୍କର ବିରାଟ ବ୍ୟକ୍ତିତ୍ୱର ଦୀର୍ଘ ଚର୍ଚ୍ଚା ନ କରି, ସାମାନ୍ୟ ସଙ୍କେତ ନ ଦେଲେ ଏହା ଯେପରି ଅସମାପ୍ତ ରହିଗଲା ପରି ବୋଧହୁଏ । ସେ ଏକାଧାରେ ମହାନ୍‌ ଆଧ୍ୟାତ୍ମିକ ଏବଂ ମାନବବାଦୀ ପୁରୁଷ ଥିଲେ । ତାଙ୍କର ନିମ୍ନ ଲୋକପ୍ରିୟ ଦୋହା ଦ୍ୱୟ ଏହା ସ୍ପଷ୍ଟ କରେ–

 

କବୀରା ଖଡ଼ା ବଜାର ମେଁ ମାଁଗେ ସବକୀ ଖୈର ।

କାହୁସେ ଦୋସତୀ ନା କାହୁସେ ବୈର ।।

ଏବଂ

କବୀରା ଜବ ହମ ପଏଦା ହୁଆ ଜଗ ହାଁସେ ହଁମରୋଏ ।

ଏଇସି କରିନୀ କର ଚଲୋ ହମ ହାଁସେ ଜଗ ରୋଏ ।।

 

ଅର୍ଥାତ୍‌, କବୀର ସମଗ୍ର ଜନସମାଜର ମଙ୍ଗଳ କାମନା କରେ । ସେ କାହାରି ଅନ୍ତରଙ୍ଗ ନୁହେଁ, ଅଥବା କାହାରି ଶତ୍ରୁ ନୁହେଁ । ପ୍ରକୃତ ସଜ୍ଜନ ସେହି ଯେ ପରର ପୀଡ଼ା ବୁଝିପାରେ ଓ ହେତୁ ରହିତ ଭାବରେ ପର ଉପକାର କରେ ବୋଲି ସେ ବହୁ ରଚନା ମଧ୍ୟରେ ପ୍ରକାଶ କରିଛନ୍ତି । ମାନବ ତା’ର ଜୀବଦ୍ଦଶା ମଧ୍ୟରେ ଏପରି ଆଚରଣ କରିବା ଉଚିତ୍‌ ଯେ, ସେ ଇହଜଗତରୁ ବିଦାୟ ନେଲାବେଳେ ତା’ର ବନ୍ଧୁ ବାନ୍ଧବ ସମେତ ସମସ୍ତେ ତା’ର ବିୟୋଗରେ ଜଣେ ବନ୍ଧୁକୁ, ହିତାକାଂକ୍ଷୀକୁ, ହରାଇଲେ ବୋଲି ଦୁଃଖ କରିବେ, କାନ୍ଦିବେ । ମାତ୍ର ସେ କାହାରି ଅମଙ୍ଗଳ କରିନାହିଁ; ବରଂ ପରୋପକାର କରିଛି ବୋଲି ଆନନ୍ଦରେ ଜଗତରୁ ବିଦାୟ ନେବ । ଏହାହିଁ ମାନବର ଲକ୍ଷ୍ୟ, ଆଦର୍ଶ ହେବା ବିଧେୟ ।

 

ସନ୍ଥ କବୀର ଦୀର୍ଘ ୧୨୦ ବର୍ଷ ଜୀବନ ଯାପନ କରି ସ୍ନ ୧୫୧୮ ମସିହାରେ ପ୍ରାଣତ୍ୟାଗ କରିଥିଲେ । ପ୍ରବାଦ ମତେ ମୃତ୍ୟୁର ଅଳ୍ପ କିଛି ଦିନ ପୂର୍ବରୁ କାଶୀ ତ୍ୟାଗ କରି ମଗହରଠାରେ ରହି ମୃତ୍ୟୁବରଣ କରିବାକୁ ସିଦ୍ଧାନ୍ତ କରିଥିଲେ । ସେକାଳରେ ଅନ୍ଧବିଶ୍ୱାସ ଥିଲା ଯେ କାଶୀରେ ମୃତ୍ୟୁ ହେଲେ ସ୍ୱର୍ଗପ୍ରାପ୍ତି ଓ ମଗହରଠାରେ ମୃତ୍ୟୁ ହେଲେ ଗର୍ଦଭ ଯୋନିରେ ପୁନର୍ଜ୍ଜନ୍ମ ହେବା ସ୍ୱତସିଦ୍ଧ । କବୀର ଏହି ଅନ୍ଧବିଶ୍ୱାସ ଖଣ୍ଡନ କରିବାକୁ ବଦ୍ଧପରିକର ହୋଇଥିଲେ । ତାଙ୍କର ଅନୁଗତମାନଙ୍କୁ କହିଥିଲେ ଯେ ସମଦର୍ଶୀ ପ୍ରଭୁଙ୍କର ଏତାଦୃଶ ପକ୍ଷପାତ ବିଚାର ଅସମ୍ଭବ-। ଉପରନ୍ତୁ ଏହି ଅନ୍ଧବିଶ୍ୱାସ ଯଦି ସତ୍ୟ, ତେବେ ପ୍ରଭୁ ରାମଙ୍କର ଦୟା ଅପ୍ରାସଙ୍ଗିକ ହେବ ।

 

ମୃତ୍ୟୁ ପରେ ତାଙ୍କର ମର ଶରୀରକୁ ଉଭୟ ହିନ୍ଦୁ ଓ ମୁସଲିମ ସଂପ୍ରଦାୟ ଦାବୀ କରିଥିଲେ; ବିବଦମାନ ହୋଇଥିଲେ । ଏହି ସମୟରେ ଶ୍ରୀଚୈତନ୍ୟ ମହାପ୍ରଭୁ ମଗହରଠାରେ ସନ୍ଥ କବୀରଙ୍କୁ ସାକ୍ଷାତ କରିବାକୁ ଉପସ୍ଥିତ ହୋଇଥିଲେ । ଉଭୟପକ୍ଷଙ୍କ ଅନୁରୋଧ କ୍ରମେ କଳହର ସମାଧାନ କରିବାକୁ ସ୍ୱୀକାର କରିଥିଲେ । ଏକ ଶୁଭ୍ର ଚାଦର କବୀରଙ୍କ ମର ଶରୀର ଉପରେ ଢାଙ୍କି ଦିଆଗଲା । ଶ୍ରୀଚୈତନ୍ୟ ମହାପ୍ରଭୁ କିଛି ସମୟ ଧ୍ୟାନସ୍ଥ ହେବା ପରେ ଉକ୍ତ ଚାଦର ଉଠାଇ ଦେବାକୁ କହିଥିଲେ । ଦେଖାଗଲା, ମର ଶରୀର ସ୍ଥାନରେ ସଦ୍ୟ ପ୍ରସ୍ଫୁଟିତ ପୁଷ୍ପରାଶି ସ୍ତୂପୀକୃତ ହୋଇ ରହିଅଛି । ତାହା ହିଁ ଉଭୟ ସମ୍ପ୍ରଦାୟ ବାଣ୍ଟି ନେଇ ନିଜ ନିଜ ମତ ଅନୁସାରେ ସଂସ୍କାର କରିଥିଲେ ।

 

ବର୍ତ୍ତମାନ ସେହି ସ୍ଥାନରେ ହିନ୍ଦୁମାନଙ୍କର ଏକ ମନ୍ଦିର ଓ ମୁସଲମାନମାନଙ୍କର ଏକ ମସଜିଦ ସେହି କାଳରୁ ଦଣ୍ଡାୟମାନ । ନିଜ ନିଜ ସଂପ୍ରଦାୟର ନୀତିନିୟମ ଅନୁସରଣ କରି ଅନୁଷ୍ଠାନ ଦୁଇଟି ପରିଚାଳିତ ହେଉଅଛି । ପରସ୍ପର ମଧ୍ୟରେ କୌଣସି ବିବାଦ ଉପୁଜି ନାହିଁ । ଏହା ସନ୍ଥ କବୀରଙ୍କର ସମନ୍ୱୟ ଭାବର ପ୍ରଭାବ ବୋଲି ସମସ୍ତଙ୍କର ବିଶ୍ୱାସ ।

 

କହିବା ବାହୁଲ୍ୟ ଯେ, ସାମ୍ପ୍ରତିକ ଜାତି, ଧର୍ମ, ଭାଷାଭିତ୍ତିକ ସଂଘର୍ଷମୟ ସମାଜଗୁଡ଼ିକୁ ଧ୍ୱଂସପଥରୁ ନିବୃତ୍ତ କରିବାରେ ସନ୍ଥ କବୀରଙ୍କ ବାଣୀ ଅତ୍ୟନ୍ତ ଉପାଦେୟ; ତହିଁରେ ସନ୍ଦେହ ନାହିଁ-

 

ଲୁଇସରୋଡ଼,

ଭୁବନେଶ୍ଵର

***

 

ସମକାଳୀନ ପୂର୍ବ ଭାରତୀୟ ସାହିତ୍ୟରେ

ସ୍ୱାଧୀନତା ଆନ୍ଦୋଳନର ପଦଧ୍ୱନି

ପ୍ରଫେସର ଡକ୍ଟର ଗୋପାଳଚନ୍ଦ୍ର ମିଶ୍ର

 

ଶତାଧିକ ବର୍ଷର ବୈଦେଶିକ ପରାଧୀନତା, ରାଜନୈତିକ ଅସ୍ଥିରତା ଏବଂ ସାମାଜିକ ଆନ୍ଦୋଳନ ପରେ ୧୯୪୭ ମସିହାରେ ଭାରତର ସ୍ୱାଧୀନତା ଲାଭ ଏକ ଐତିହାସିକ ଘଟଣା । ଏହି ସ୍ୱାଧୀନତା-ମୁକ୍ତି-ଆନ୍ଦୋଳନର ପୃଷ୍ଠଭୂମିରେ ଯେଉଁସବୁ ଐତିହାସିକ ଘଟଣାବଳୀ ଭାରତଭୂମିରେ ସଂଘଟିତ ହୋଇଥିଲା, ତାହାର ଐତିହାସିକ ଓ ରାଜନୈତିକ ପ୍ରୟୋଜନ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଥିଲା । ସ୍ୱାଧୀନତା ଆନ୍ଦୋଳନରେ ପୂର୍ଣ୍ଣତା ଓ ସଫଳତା ପାଇଁ ଦେଶବାସୀଙ୍କର ଐକ୍ୟବଦ୍ଧ ଆନ୍ଦୋଳନ ଏବଂ ଜାତୀୟ କଂଗ୍ରେସର ଭୂମିକା ଯେପରି ସ୍ମରଣୀୟ, ଦେଶର ଅସଂଖ୍ୟ ବୁଦ୍ଧିଜୀବି, ସାହିତ୍ୟିକ ଓ ସଂସ୍କୃତିପ୍ରେମୀ ବ୍ୟକ୍ତିମାନଙ୍କର ସାଧନାର ତ୍ୟାଗ ସେହିପରି ମହତ୍ତ୍ୱପୂର୍ଣ୍ଣ । ୧୮୮୫ ମସିହାରେ ଜଣେ ଅବସରପ୍ରାପ୍ତ ଇଂରେଜ ଶାସକଙ୍କ ଉଦ୍ୟମରେ ଭାରତବର୍ଷର କଂଗ୍ରେସ ପ୍ରତିଷ୍ଠା ବହୁବର୍ଷର ଭାରତୀୟ ବୁଦ୍ଧିଜୀବିମାନଙ୍କର ସାଂସ୍କୃତିକ ଓ ରାଜନୈତିକ ଚେତନାର ପରିଣତି ମାତ୍ର । ଏହି କଂଗ୍ରେସ ପରବର୍ତ୍ତୀ କାଳରେ ଭାରତୀୟ ଜାତୀୟ କଂଗ୍ରେସରେ ରୂପାନ୍ତରିତ ହୋଇଥିଲା । ଜାତୀୟ କଂଗ୍ରେସର ଯେଉଁ ବାର୍ତ୍ତା, ସେହି ବାର୍ତ୍ତା ହେଉଛି ମୁକ୍ତିପିପାସୁ ଭାରତୀୟ ଜନତାର ପ୍ରାଣର ଭାଷା । ଏହି ଭାରତୀୟ ଜନତାର ପ୍ରାଣର ଭାଷା ସେହି ଯୁଗରେ ବିଭିନ୍ନ ଅଞ୍ଚଳର ସାହିତ୍ୟ ଓ କଳାରେ ଆତ୍ମପ୍ରକାଶ କରିଥିଲା । ଆକୁମାରୀହୀମାଚଳ ଭାରତର ବିଭିନ୍ନ ପ୍ରାଦେଶିକ ଭାଷା ଓ ସାହିତ୍ୟ ଊନବିଂଶ ଶତାବ୍ଦୀର ଦ୍ୱିତୀୟାର୍ଦ୍ଧରେ ସ୍ୱାଧୀନତା ସଂଗ୍ରାମର ଶକ୍ତିଶାଳୀ ମାଧ୍ୟମ ରୂପେ କାର୍ଯ୍ୟ କରିଥିଲା । ପୂର୍ବଭାରତର ଅସମୀୟା, ବଙ୍ଗଳା, ମୈଥିଳୀ ପ୍ରଭୃତି ସାହିତ୍ୟରେ ଭାରତୀ ଜନନୀଙ୍କର ଯେଉଁ ଆବାହନ ମନ୍ତ୍ର ଝଂକୃତ ହେଲା, ତାହା ହିଁ ସମସାମୟିକ ଅସମୀୟା, ବଙ୍ଗଳା ଓ ଓଡ଼ିଆ ସାହିତ୍ୟର ଆତ୍ମିକ ନିର୍ଯ୍ୟାସ । ଏହି ଯୁଗରେ ଏହି ସାହିତ୍ୟରେ ଲେଖାଯାଇଥିବା ଶତାଧିକ କାବ୍ୟ କବିତା ଓ ନାଟକ ସ୍ୱାଧୀନତା ସଂଗ୍ରାମ ଓ ଜାତୀୟତାର ପ୍ରଚାର ମନ୍ତ୍ର ବହନ କରିଥିଲା । ଜାତୀୟ କଂଗ୍ରେସ ଯେତେବେଳେ ପ୍ରତିଷ୍ଠିତ ହେଲା, ସେତେବେଳେ ତାହାର ପ୍ରଧାନ ଉଦ୍ଦେଶ୍ୟ ଥିଲା ଏକ ସାଧାରଣ ରାଜନୈତିକ ସ୍ୱାର୍ଥ ଓ ଅଭିଳାଷ ଦୃଷ୍ଟିରେ ସମଗ୍ର ଭାରତକୁ ଏକତ୍ରିତ କରିବା ।

 

ଏତାଦୃଶ ବଳିଷ୍ଠ ଚିନ୍ତାଧାରା ସମ୍ଭବତଃ Mazzimଙ୍କ ଚିନ୍ତାଧାରା ଦ୍ୱାରା ପ୍ରଭାବିତ ହୋଇଛି । ସେତେବେଳେ ସାର ସୁରେନ୍ଦ୍ରନାଥ ବାନାର୍ଜୀ ଏହା ସ୍ୱୀକାର କରିଥିଲେ–“The idea that was working in our minds was that the association was to be the centre of an All India Movement. For even then the conception of a United India, derived from the inspiration of Mazzim or at any rate of bringing All India upon the same common political platform had taken farm possession of the Indian leaders in Bengal.” ଏହି କ୍ଷୀପ୍ର ତଥା ବଳିଷ୍ଠ ରାଜନୈତିକ ଚିନ୍ତାଧାରାର ପରିପ୍ରେକ୍ଷୀରେ ଅସମୀୟା, ବଙ୍ଗଳା ଏବଂ ଓଡ଼ିଆ ସାହିତ୍ୟ ସେହି ଯୁଗରେ ଜାତୀୟ ଚେତନାଧର୍ମୀ ଓ ସମାଜଧର୍ମୀ ହେବାକୁ ବାଧ୍ୟ ହୋଇଥିଲା । ରାଜନୈତିକ ଘଟଣାବଳୀର ରୂପରେ ଓ ସାମାଜିକ ଆନ୍ଦୋଳନର ପ୍ରଭାବରେ ପାଶ୍ଚାତ୍ୟ ଶିକ୍ଷା ଓ ସଂସ୍କୃତିର ପ୍ରେରଣାରେ ଏହି ପ୍ରଦେଶର ବୁଦ୍ଧିଜୀବୀମାନେ ଅନୁପ୍ରାଣିତ ହୋଇଥିଲେ । ରାଜା ରାମମୋହନ ରାୟ ବଙ୍ଗଭୂମିରେ ଯେଉଁ ସାମାଜିକ ଓ ସାଂସ୍କୃତିକ ପରିବର୍ତ୍ତନ ପାଇଁ ଆନ୍ଦୋଳନ ଆରମ୍ଭ କରିଥିଲେ, ତାହା ହିଁ ଭାରତୀୟ ପରିପ୍ରେକ୍ଷୀରେ ଏକାନ୍ତ ଆବଶ୍ୟକ ଥିଲା । ଯେଉଁ ଯୁବକମାନେ ସେହି ସମୟରେ ଇଂରେଜୀ ଶିକ୍ଷା ଲାଭ କରି ପାଶ୍ଚାତ୍ୟ ସଭ୍ୟତା ପ୍ରତି ଆକୃଷ୍ଟ ହେଉଥିଲେ, ସେମାନେ ମଧ୍ୟ ଏକ ସଂପୂର୍ଣ୍ଣ ନୂତନ ରାଜନୈତିକ ପରିସ୍ଥିତିର ସମ୍ମୁଖୀନ ହେଉଥିଲେ । କାବ୍ୟ କବିତାର ବୌଦ୍ଧିକ ପ୍ରେରଣା, ନାନ୍ଦନିକ ଆକର୍ଷଣ ଏବଂ ନାଟକ ସାହିତ୍ୟର ମନୋରଞ୍ଜନ ପ୍ରବୃତ୍ତିର ଅନ୍ତରାଳରେ ଏକ ଜାତୀୟ ଜୀବନର ଭାବମୂର୍ତ୍ତି ପ୍ରତିଫଳିତ ହେଉଥିଲା । ସେହି ସମୟରେ ଯେଉଁ ଲେଖକମାନେ କାବ୍ୟ କବିତା ଓ ନାଟକ ଲେଖୁଥିଲେ, ସେମାନେ ସମସାମୟିକ ରାଜନୈତିକ ବାସ୍ତବତାଠାରୁ ନିଜ ନିଜକୁ ବିଚ୍ଛିନ୍ନ କରୁ ନ ଥିଲେ । ବଙ୍ଗଳାର ପ୍ରଖ୍ୟାତ ଔପନ୍ୟାସିକ ବଙ୍କିମଚନ୍ଦ୍ରଙ୍କ ବଙ୍ଗଳା ସାହିତ୍ୟରେ “ବନ୍ଦେ ମାତରମ୍‌” ସଦୃଶ ଧ୍ୱନି ପ୍ରଥମ ଥର ପାଇଁ ଉଚ୍ଚାରଣ କରିଥିଲେ । ବଙ୍କିମଚନ୍ଦ୍ରଙ୍କ ‘ଆନନ୍ଦମଠ’ ପ୍ରକାରାନ୍ତରେ ସୁପ୍ତ ଭାରତୀୟ ଜାତୀୟ ଚେତନାର କଳାତ୍ମକ ପରିପ୍ରକାଶ ମାତ୍ର । ବଙ୍କିମଚନ୍ଦ୍ର ବଙ୍ଗଳା ସାହିତ୍ୟରେ ଭାରତୀୟ ମୁକ୍ତି ଆନ୍ଦୋଳନର ପ୍ରଥମ ସଙ୍ଗୀତ ଯେପରି ପରିବେଷଣ କରିଥିଲେ ।

 

୧୮୮୦ ମସିହା ବେଳକୁ ବଙ୍କିମଚନ୍ଦ୍ର ତାଙ୍କର ‘ଆନନ୍ଦମଠ’ ଉପନ୍ୟାସ ରଚନା କରିଥିଲେ । ଏହା ପ୍ରଥମେ ‘ବଙ୍ଗଦର୍ଶନ’ ପତ୍ରିକାରେ ପ୍ରକାଶ ପାଇଥିଲା । ୧୮୮୨ ମସିହାରେ ଏହା ପୁସ୍ତକାକାରରେ ପ୍ରକାଶିତ ହୋଇଥିଲା । ତାଙ୍କର ପୂର୍ବବର୍ତ୍ତୀ ଉପନ୍ୟାସ, ଯଥା :– ‘ବିଷବୃକ୍ଷ’, ‘କପାଳକୁଣ୍ଡଳ’, ‘ରଜନୀ’, ‘କୃଷ୍ଣକାନ୍ତର ଉଇଲ’ ସଦୃଶ ‘ଆନନ୍ଦମଠ’ରେ ପ୍ରେମ, ସାମାଜିକ ସମସ୍ୟା ବର୍ଣ୍ଣିତ ହୋଇଥିଲେ ହେଁ ଏହାର ପ୍ରକୃତ ସ୍ୱର ହେଉଛି ବିପ୍ଳବ ଓ ଦେଶାତ୍ମବୋଧ । ବଙ୍କିମଚନ୍ଦ୍ର ତାଙ୍କ ସମୟର ସାମନ୍ତବାଦୀ ସମାଜକୁ ଲକ୍ଷ୍ୟ କରି ଉଲ୍ଲେଖ କରିଥିଲେ-“The present prosperity is the prosperity of the rulers and the landlords and the traders and the money lenders, not of the peasants, whosoever wants to sing the praises of such prosperity. Let him do so. I will not.” ଯେତେବେଳେ ବଙ୍କିମଚନ୍ଦ୍ର ‘ଆନନ୍ଦମଠ’ ରଚନା କଲେ ସେତେବେଳେ ସେ ଏକ ଅନୁପ୍ରାଣିତ ଭାରତୀୟ ଭାବରେ ଘୋଷଣା କରିଥିଲେ-“We know of no other mother. Motherland is our mother.” ୧୭୨୦ ମସିହାରେ ବଙ୍ଗଳାରେ ଘଟିଥିବା ଭୟାନକ ଦୁର୍ଭିକ୍ଷ ଏହି ଉପନ୍ୟାସର ପୃଷ୍ଠଭୂମି । ଏହି ଉପନ୍ୟାସର ଗଳ୍ପ ଏକ ଜନଶୂନ୍ୟ ପରିତ୍ୟକ୍ତ ପଦଚିହ୍ନ ଗ୍ରାମରୁ ହିଁ ଆରମ୍ଭ ହୋଇଛି । ଗ୍ରାମର ଶ୍ରୀହୀନ ଓ କରୁଣ ଦୃଶ୍ୟ ଅନ୍ତରାଳରେ ଲେଖକ ଏକ ପରିତ୍ୟକ୍ତ ପ୍ରାସାଦରେ ଏକ ସ୍ତ୍ରୀ ଏବଂ ପୁରୁଷର ପରିଚୟ ଦିଆଯାଇଛି । ସେହି ଦୁଇଟି ଚରିତ୍ର ହେଲେ ମହେନ୍ଦ୍ର ଏବଂ କଲ୍ୟାଣୀ । ପ୍ରଥମ ପରିଚ୍ଛେଦରେ ଦୁର୍ଭିକ୍ଷ ପ୍ରପୀଡ଼ିତ ଗ୍ରାମର ହାହାକାର ଚିତ୍ର । ମହେନ୍ଦ୍ରର ଘରୁ ପଳାୟନ ଏବଂ ଅନାହାର ମୃତ୍ୟୁ ଓ ଯନ୍ତ୍ରଣାର ଚିତ୍କାର । କଲ୍ୟାଣୀ ଘାତ ପ୍ରତିଘାତ ମଧ୍ୟରେ ବ୍ୟର୍ଥତାର ସମ୍ମୁଖୀନ ହେବା, ଯୋଗୀ ସତ୍ୟାନନ୍ଦ ସହିତ ତା’ର ପରିଚୟ, ଉପନ୍ୟାସର ବିକାଶ ପ୍ରସଙ୍ଗରେ ମହେନ୍ଦ୍ର ଏବଂ କଲ୍ୟାଣୀର ପୁନର୍ବାର ସାକ୍ଷାତ । ଯୋଗୀ ସତ୍ୟାନନ୍ଦଙ୍କର ଶିଷ୍ୟ ଭବାନନ୍ଦ । ଭବାନନ୍ଦ କଣ୍ଠରେ ‘ବନ୍ଦେ ମାତରଂ’ ସଙ୍ଗୀତର ଝଙ୍କାର ଏବଂ ମହେନ୍ଦ୍ର ବନ୍ଦେ ମାତରଂ ସଙ୍ଗୀତ ଶୁଣି ତା’ର ତାତ୍ପର୍ଯ୍ୟ ଓ ଅର୍ଥ ଜାଣିବା ପାଇଁ ବାରମ୍ବାର ପ୍ରଶ୍ନ କରିବା, ଭବାନନ୍ଦ ଓ ମହେନ୍ଦ୍ରର କଥୋପକଥନ ମଧ୍ୟରେ ଜନ୍ମଭୂମି ହିଁ ଜନନୀ ଏବଂ ଜନ୍ମଭୂମି ହିଁ ସ୍ୱର୍ଗଠାରୁ ଗରିୟସୀ–ଏହି ଚିନ୍ତା କ୍ରମେ ପ୍ରକଟିତ ହେବା ଏବଂ ମହେନ୍ଦ୍ର ନିଜକୁ ଦେଶର ଅଗଣିତ ସନ୍ତାନଙ୍କ ସହିତ ନିଜକୁ ସାମିଲ କରିବା, ଘନ ଅରଣ୍ୟ ମଧ୍ୟରେ ଆନନ୍ଦମଠର ସନ୍ଧାନ ଏବଂ ସେଠାରେ ମାତୃଦେବୀଙ୍କର ବିଗ୍ରହ ଦର୍ଶନ କରିବା, (ସେ ହେଉଛନ୍ତି ଜଗଦ୍ଧାତ୍ରୀ–ସତ୍ୟାନନ୍ଦଙ୍କୁ ମହେନ୍ଦ୍ରର ପ୍ରଶ୍ନ–ସେ ମୂର୍ତ୍ତି କିଏ ? ସତ୍ୟାନନ୍ଦଙ୍କର ଉତ୍ତର ସେ ହେଉଛନ୍ତି ମାତୃଦେବୀ) ମନ୍ଦିରର ଆଉ ଏକ ପ୍ରକୋଷ୍ଠରେ ଭୟଙ୍କର କାଳୀମୂର୍ତ୍ତି, (ସେ ଉଲଗ୍ନ, କାରଣ ସାରା ଦେଶ ବିକଳାଙ୍ଗ ଏବଂ ଅସହାୟ) ମନ୍ଦିରର ଆଉ ଏକ ପ୍ରକୋଷ୍ଠରେ ମହେନ୍ଦ୍ର ପ୍ରବେଶ କରି ଦେଖିଥିଲେ ଦୁର୍ଗାଙ୍କର ସ୍ଵର୍ଣ୍ଣ ମୂର୍ତ୍ତି । ପ୍ରଭାତର ସ୍ୱର୍ଣ୍ଣାଲୋକରେ ସେହି ମୂର୍ତ୍ତି ଉଦ୍‌ଭାସିତ ହେଉଥିଲା । ଯୋଗୀ ସତ୍ୟାନନ୍ଦ ସେହି ମୂର୍ତ୍ତିଙ୍କ ଉଦ୍ଦେଶ୍ୟରେ ମୁଣ୍ଡ ନୁଆଁଇଥିଲେ । ମହେନ୍ଦ୍ରର ତା’ର ପରିବାର ସହିତ ମିଳନ ହୋଇଥିଲା; କିନ୍ତୁ ପରେ ତା’ର ବିଚ୍ଛେଦ ଘଟିଲା । ଆନନ୍ଦମଠର ନିୟମାନୁଯାୟୀ ଜନ୍ମଭୂମିର ସନ୍ତାନମାନଙ୍କୁ ଦେଶର ମୁକ୍ତି ହାସଲ ପର୍ଯ୍ୟନ୍ତ ନିଜର ଘରଦ୍ୱାର ଏବଂ ସୁଖସ୍ୱାର୍ଥରେ ଜଳାଞ୍ଜଳି ଦେବାକୁ ପଡ଼ୁଥିଲା । ସଂକ୍ଷେପରେ କହିଲେ ବଙ୍କିମଚନ୍ଦ୍ରଙ୍କର ‘ଆନନ୍ଦମଠ’ ଦେଶରେ ସାମାଜିକ ଓ ରାଜନୈତିକ ବିପ୍ଳବର ଏକ ସଂକେତ-ପଞ୍ଜିକା ଥିଲା ।

 

‘ଆନନ୍ଦମଠ’ ଉପନ୍ୟାସର ଉଦ୍ଦେଶ୍ୟ ଥିଲା ଦେଶାତ୍ମବୋଧ ଏବଂ ବ୍ରିଟିଶ ଶାସନ ବିରୋଧୀ । କିନ୍ତୁ ଏହି ଉଦ୍ଦେଶ୍ୟ ପ୍ରଚ୍ଛନ୍ନ ଭାବରେ ଉପନ୍ୟାସରେ ପ୍ରତିଫଳିତ ହୋଇଥିଲା । ଭବାନନ୍ଦ ନିଜେ ସ୍ୱୀକାର କରିଥିଲେ– “ଆମ୍ଭମାନଙ୍କର ରାଜା ଆମ୍ଭମାନଙ୍କୁ ରକ୍ଷା କରନ୍ତି ନାହିଁ ।” ଉପେନ୍ଦ୍ରନାଥ ଦାସ ତାଙ୍କର ନାଟକ “ସୁରେନ୍ଦ୍ର ବିନୋଦିନୀ” ବର୍ଣ୍ଣିତ ହେବାର ପାଞ୍ଚବର୍ଷ ପରେ ବଙ୍କିମ ଚନ୍ଦ୍ରଙ୍କର “ଆନନ୍ଦମଠ” ପ୍ରକାଶିତ ହୋଇଥିଲା । ଏହି ନାଟକରେ ଜଣେ ଇଂରେଜ ମାଜିଷ୍ଟ୍ରେଟ୍‌ ଜଣେ ବଙ୍ଗୀୟଙ୍କ ହାତରେ ନିହତ ହେବାର ଏବଂ ଏକ କାରାଗୃହ ବନ୍ଦୀମାନଙ୍କ ଦ୍ୱାରା ଭଙ୍ଗା ହେବାର ଦୃଶ୍ୟ ସଂଯୋଜିତ ହୋଇଥିଲା । ଏହି ନାଟକ ପ୍ରଥମେ ୩୧ ଡିସେମ୍ବର ୧୮୮୭ ମସିହାରେ ଅଭିନୀତ ହୋଇଥିଲା । ନାଟକର ଏକ ଇଂରେଜ ଚରିତ୍ର ଯେପରି ଭାବରେ ନିଜର ଅଭିମତ ପ୍ରକାଶ କରିଥିଲା, ସେଥିରୁ ଭାରତୀୟମାନଙ୍କ ପ୍ରତି ଇଂରେଜମାନଙ୍କର ଯେଉଁ ପ୍ରତିକ୍ରିୟାଶୀଳ ମନୋଭାବ ତା’ର ପରିଚୟ ମିଳେ । ବଙ୍କିମଚନ୍ଦ୍ର ଏହି “ସୁରେନ୍ଦ୍ର ବିନୋଦିନୀ” ନାଟକର ପ୍ରତିକ୍ରିୟାରେ ‘ଆନନ୍ଦମଠ’ ଉପନ୍ୟାସ ରଚନା କରିଥିଲେ କି ନୁହେଁ, ତାହା ଠିକ୍‌ ଭାବରେ କୁହାଯାଇ ନ ପାରେ; କିନ୍ତୁ ଏହା ସ୍ୱୀକାର୍ଯ୍ୟ ଯେ ଉପେନ୍ଦ୍ର ନାଥଙ୍କ ନାଟକର ତୀର୍ଯ୍ୟକ୍‌ ଦୃଷ୍ଟିକୋଣ ବଙ୍କିମଚନ୍ଦ୍ରଙ୍କୁ ତାଙ୍କ ‘ଆନନ୍ଦମଠ’ ଉପନ୍ୟାସ ରଚନା କରିବାରେ ଅବଶ୍ୟ ପ୍ରଭାବିତ କରିଥିଲା । ଏତିକି କହିଲେ ଯଥେଷ୍ଟ ହେବ ଯେ ବଙ୍କିମଚନ୍ଦ୍ରଙ୍କ ‘ବନ୍ଦେମାତରଂ’ ସଙ୍ଗୀତ ସମସାମୟିକ ଯୁଗରେ ଭାରତୀୟ ସାହିତ୍ୟରେ ଜାତୀୟ ଚିନ୍ତାଧାରାକୁ ପ୍ରଭାବିତ କରିଥିବ ବୋଲି ଅନୁମାନ କରାଯାଏ । ଯଥା :–

 

“ବନ୍ଦେ ମାତରମ୍ ।

ସୁଜଳାଂ, ସୁଫଳାଂ,             ମଳୟଜ-ଶୀତଲାଂ

ଶସ୍ୟଶ୍ୟାମଳାଂ, ମାତରମ୍

ଶୁଭ୍ର ଜ୍ୟେସ୍ନା-ପୁଲକିତ-ଯାମିନୀଂ

ଫୁଲ୍ଲ-କୁସୁମିତ-ଦ୍ରୁମଦଳ-ଶୋଭାନୀଂ,

ସୁହାସିନୀଂ, ସୁମଧୁର ଭାଷିଣାଂ

ସୁଖଦାଂ, ବରଦାଂ, ମାତରମ୍ ।’’

 

୧୯୦୫ ମସିହାରେ ଦେଶରେ ଇଂରେଜ ସରକାର ବିରୁଦ୍ଧରେ ଯେଉଁ ସ୍ୱଦେଶୀ ଆନ୍ଦୋଳନ ଆରମ୍ଭ ହୋଇଥିଲା ଏବଂ ବଙ୍ଗଳାରେ ସରକାରଙ୍କର ଯେଉଁ ବଙ୍ଗଭଙ୍ଗ ଷଡ଼ଯନ୍ତ୍ର ଆରମ୍ଭ ହେଲା, ସେତେବେଳେ ‘ବନ୍ଦେ ମାତରମ୍‌’ର ଧ୍ୱନି ଦେଶବାସୀଙ୍କୁ ଅସାଧାରଣ ଭାବରେ ଉଦ୍‌ବେଳିତ କରିଥିଲା । ଏଣୁ ଊନବିଂଶ ଶତାଦ୍ଦୀର ଶେଷ ପାଦରେ ବଙ୍ଗ ସାହିତ୍ୟରେ ଆହୁରି ଅନେକ ପ୍ରଖ୍ୟାତଶାଳୀ ସ୍ରଷ୍ଟା ଜାତୀୟବାଦୀ ସାହିତ୍ୟ ସୃଷ୍ଟି କରିଥିଲେ । ବଙ୍ଗଳାର ନୀଳଚାଷୀମାନଙ୍କ ଉପରେ ବ୍ରିଟିଶ କର୍ମଚାରୀ ମାନଙ୍କର ଅକଥନୀୟ ଅତ୍ୟାଚାରକୁ ବର୍ଣ୍ଣନା କରି ନାଟ୍ୟକାର ଦୀନବନ୍ଧୁ ମିତ୍ର ‘ନୀଳଦର୍ପଣ’ ନାମରେ ଏକ ନାଟକ ରଚନା କରିଥିଲେ । ଏହି ନାଟକରେ ସାମାଜିକ ପ୍ରବୃତ୍ତି ଅପେକ୍ଷା ରାଜନୈତିକ ଆକ୍ଷେପ ବିଶେଷ ଭାବରେ ସୂଚିତ ହୋଇଥିଲା । ଗଳ୍ପାଂଶର ଲୋକପ୍ରିୟତା ନାଟକିୟ ମର୍ଯ୍ୟାଦାରେ ଯେତେବେଳେ ପ୍ରଦର୍ଶିତ ହେଲା ସେତେବେଳେ ସମଗ୍ର ଦର୍ଶକମଣ୍ଡଳୀରେ ଶୋଷଣବିରୋଧୀ ରାଜନୈତିକ ଚେତନା ପ୍ରକାଶ ପାଇଥିଲା । ଗିରୀଶ ଚନ୍ଦ୍ର ଘୋଷ (୧୮୪୪-୧୯୧୧) ଙ୍କର ସଂଖ୍ୟାଧିକ ନାଟକ ଉଭୟ ପୌରାଣିକ, ସାମାଜିକ ଏବଂ ରାଜନୈତିକ ଚେତନାରେ ସମୃଦ୍ଧ । ତାଙ୍କର ‘ଆନନ୍ଦରୋହ’ ନାଟକଠାରୁ ‘ରାବଣବଧ’, ‘ବୁଦ୍ଧଦେବ ଚରିତ’, ‘ପ୍ରଫୁଲ୍ଲ’ ଏବଂ ସ୍ୱଦେଶୀ ଆଲୋଚନାର ପୃଷ୍ଠଭୂମିରେ ଲିଖିତ ଅନ୍ୟାନ୍ୟ ନାଟକ ପର୍ଯ୍ୟନ୍ତ ପ୍ରତ୍ୟେକ ରଚନା ସମସାମୟିକ ଯୁଗଚେତନା ତଥା ରାଜନୈତିକ ଉଚ୍ଛ୍ଵାସ ଦ୍ୱାରା ଉଦ୍‌ବୁଦ୍ଧ ହୋଇଥିଲା । ନାଟ୍ୟକାର ଦ୍ୱିଜେନ୍ଦ୍ରଲାଲ ରାୟ (୧୮୬୩-୧୯୧୩) ତାଙ୍କର ଅନ୍ୟାନ୍ୟ ନାଟକ ବ୍ୟତୀତ ରାଜପୁତ ଇତିହାସ ସମନ୍ୱିତ ନାଟକ ଗୁଡ଼ିକରେ ଜାତୀୟ ଚେତନା ଓ ଦେଶାତ୍ମବୋଧ ଭାବଧାରା ପରିବେଷଣ କରିଥିଲେ । ‘ଶାର୍‌ଜାହାନ୍‌’ ସଦୃଶ ନାଟକରେ ନାଟ୍ୟକାର ଭାରତବର୍ଷର ଐତିହାସିକ ପରମ୍ପରା ଓ ଯୁଗୀୟ ଚେତନାର ଏକ ସୁସଙ୍ଗତ ସମନ୍ୱୟ ଘଟାଇଛନ୍ତି । ‘ଶାର୍‌ଜାହାନ’ ସଦୃଶ ଜାତୀୟତା ଉଦ୍ଦୀପକ ନାଟକର ପ୍ରେରଣା ଓ ପ୍ରଭାବ ସମସାମୟିକ ସାହିତ୍ୟରେ ଆଲୋଡ଼ନ ସୃଷ୍ଟି କରିଥିଲା । ରବୀନ୍ଦ୍ରନାଥଙ୍କ ‘ରାଜା ଓ ରାଣୀ’, ‘ରକ୍ତ କରବୀ’, ‘ଡାକଘର’ ଯୁଗଧର୍ମ ଓ ରାଜନୈତିକ ସୂଚନା ଦେଇପାରିଥିଲା । ସେହି ସମୟରେ ମାଇକେଲ ମଧୁସୂଦନ ଦତ୍ତଙ୍କ ସଦୃଶ ବଳିଷ୍ଠ ସାରସ୍ୱତ ପ୍ରତିଭା ବିଶେଷ ସାମାଜିକ ଓ ରାଜନୈତିକ ଚେତନାର ଦିଗ୍‌ଦର୍ଶକ ରୂପେ ପ୍ରଭାବିତ ହୋଇଥିଲା । ତାଙ୍କର ‘ତିଳୋତ୍ତମା’, ‘ମେଘନାଦବଧ’, ପୌରାଣିକ ଉପାଦାନ ଉପରେ ଆଧାରିତ ହୋଇଥିଲେ ହେଁ ସେଥିରେ ଉଚ୍ଚକୋଟୀର ମାନବିକ ମୂଲ୍ୟବୋଧ ପ୍ରତିଫଳିତ ହୋଇଥିବାର ଦେଖାଯାଏ । ସମଗ୍ର ସୃଷ୍ଟି ଓ ମାନବ ସମାଜର ଗଭୀର ନୀତିବୋଧ ଉପରେ ତାଙ୍କର କାବ୍ୟକୃତି ଓ ନାଟ୍ୟକୃତି ଆଧାରିତ । ବଙ୍ଗଳାର ଯୁବସମାଜ ଉପରେ ହେମଚନ୍ଦ୍ର, ନବୀନଚନ୍ଦ୍ର ସେନ୍‌ ପ୍ରଭୃତିଙ୍କର ପ୍ରଭାବ କମ୍‌ ପଡ଼ି ନ ଥିଲା । ନବୀନଚନ୍ଦ୍ର ସେନ୍‌ଙ୍କର ‘ପଲାସୀ ଯୁଦ୍ଧ’ ବଙ୍ଗଳାର ଜାତୀୟ ଜୀବନକୁ ପର୍ଯ୍ୟାପ୍ତ ଭାବରେ ପ୍ରତିଫଳିତ କରିଥିଲା । ସେହି ଯୁଗରେ ଏକ ଅପୂର୍ବ କାବ୍ୟଶକ୍ତି ପ୍ରଦର୍ଶନ କରିଥିବା ରବୀନ୍ଦ୍ରନାଥ ଠାକୁର ତାଙ୍କର ସଂଖ୍ୟାଧିକ କାବ୍ୟ କବିତାରେ ଭାରତର ଜାତୀୟତା ଓ ଏକ ସ୍ୱାଧୀନତା ପିପାସୁ ଜାତିର ଅନ୍ତରାତ୍ମାକୁ ଐଶ୍ଵର୍ଯ୍ୟପୂର୍ଣ୍ଣ ଭାଷାରେ ବ୍ୟକ୍ତ କରି ପାରିଥିଲେ । ‘ଗୀତାଞ୍ଜଳି’ ସଦୃଶ ରହସ୍ୟବାଦୀ ଗୀତିକବିତା ଲେଖି ସେ ଆନ୍ତର୍ଜାତିକ ସାହିତ୍ୟ ସ୍ତରରେ ନୋବେଲ ପୁରସ୍କାର ପ୍ରାପ୍ତ ହୋଇଥିଲେ ଏବଂ ତାଙ୍କର କବିଚିତ୍ତରେ ପରାଧୀନ ସୁପ୍ତ ଭାରତୀୟ ଜନତାର ଅଶ୍ରୁଳ ନିବେଦନ ସର୍ବଦା ପ୍ରତିଧ୍ୱନିତ ହେଉଥିଲା । ଭାରତବର୍ଷର ମହାନ୍‌ ପରଂପରା, ସଂସ୍କୃତି ଓ ଅଖଣ୍ଡ ଜାତୀୟତାକୁ ସେ ତାଙ୍କ କାବ୍ୟ କବିତାରେ ଆବାହନ କରିଥିଲେ । ଉଦାହରଣ ସ୍ୱରୂପ-

 

“ହେ ମୋର ଚିତ୍ତ, ପୁଣ୍ୟ ତୀର୍ଥେ ଜାଗରେ ଧୀରେ

ଏଇ ଭାରତେର୍‌ ମହାମାନବେର୍‌ ସାଗର ତୀରେ ।

ଏଇଠାରେ ରହି, ଦି ବାହୁ ବଢ଼େଇ ନମେ ନର ଦେବତାରେ

ଉଦାର ଛନ୍ଦେ ପରମାନନ୍ଦେ ବନ୍ଦନା କରେ ତାରେ ।”

 

ସମାନ୍ତରାଳ ଭାବରେ ଊନବିଂଶ ଶତାଦ୍ଦୀର ଦ୍ୱିତୀୟାର୍ଦ୍ଧର ଓଡ଼ିଶାର ସାମାଜିକ ରାଜନୈତିକ ଓ ଅର୍ଥନୈତିକ ପଟ୍ଟଭୂମି ମଧ୍ୟ ଏକ ଅପୂର୍ବ ପରିବର୍ତ୍ତନର ସମ୍ମୁଖୀନ ହୋଇଥିଲା । ୧୮୬୬ ମସିହାର ନଅଙ୍କ ଦୁର୍ଭିକ୍ଷ, ଓଡ଼ିଆ ଭାଷା ଆନ୍ଦୋଳନ, ଗଞ୍ଜାମ ଓ ସମ୍ବଲପୁରରେ ଓଡ଼ିଆ ଭାଷା ସୁରକ୍ଷା ପାଇଁ ଆହ୍ୱାନ, ଓଡ଼ିଶାରେ ଶିକ୍ଷା ପ୍ରସାର, ସର୍ବୋପରି ଓଡ଼ିଆ ଭାଷାଭାଷୀ ଅଞ୍ଚଳର ଏକତ୍ରୀକରଣ ଦାବୀ-ଏକ ଏକ ଐତିହାସିକ ଘଟଣା । ଏତାଦୃଶ ଆନ୍ଦୋଳନ ଓଡ଼ିଶାର ଜନସମାଜରେ ଯେଉଁ ତୀବ୍ର ପ୍ରତିକ୍ରିୟା ସୃଷ୍ଟି କରିଥିଲା, ତାହାର ହେତୁ ହେଉଛି ଜାତୀୟତାର ଚେତନା । ଏହି ଜାତୀୟ ଚେତନା ଯଥାର୍ଥରେ ସେହି ଯୁଗରେ ଜନସାଧାରଣଙ୍କ ମଧ୍ୟରେ ପ୍ରଭାବ ସୃଷ୍ଟି କରୁଥିଲା । ୧୯୦୩ ମସିହା ବେଳକୁ ଓଡ଼ିଶାରେ ଉତ୍କଳ ସମ୍ମିଳନୀ ପ୍ରତିଷ୍ଠା ଏକ ବଳିଷ୍ଠ ଜାତୀୟ ପ୍ରୀତି ଓ ସାଂସ୍କୃତିକ ସଚେତନତାର ପ୍ରତୀକ । ଏତାଦୃଶ ଆନ୍ଦୋଳନ ନିର୍ଦ୍ଦିଷ୍ଟ ସମୟ ସୀମା ମଧ୍ୟରେ ପ୍ରାଦେଶିକ ଜାତୀୟତାଭାବ ଉଦ୍‌ବୋଧ କରିଥିଲା । ଉତ୍କଳ ସମ୍ମିଳନୀର ପ୍ରଥମ ଅଧିବେଶନରେ ଓଡ଼ିଆ ସଂସ୍କୃତି ଓ ଭାଷାପ୍ରେମୀ ମଧୁସୂଦନ ତାଙ୍କର ଭାଷଣରେ ଯାହା କହିଥିଲେ ତାହା ଉଲ୍ଲେଖଯୋଗ୍ୟ:–

 

‘‘ବିଧାତା ଓଡ଼ିଶାର ଲୋକମାନଙ୍କୁ ଅନ୍ୟ ଯେଉଁ ଜାତିମାନଙ୍କ ସଂସଦରେ ଆଣିଛନ୍ତି, ସେମାନଙ୍କଠାରୁ ଉତ୍କଳୀୟମାନେ ବହୁ ଶିକ୍ଷା ଲାଭ କରିଅଛନ୍ତି-ଏବଂ ଆହୁରି ଅନେକ ଶିକ୍ଷା ଲାଭ କରିପାରିବେ । ବ୍ୟକ୍ତି ସମ୍ବନ୍ଧରେ ଯେପରି, ଜାତି ସମ୍ବନ୍ଧରେ ମଧ୍ୟ ସେହିପରି ବକ୍ତବ୍ୟ, ଯେ ଶିକ୍ଷାର୍ଥୀ ହେବ, ତାହାର ପ୍ରଥମେ ନିଜର ଅଭାବ ଓ ତ୍ରୁଟି ଜାଣିବା ଆବଶ୍ୟକ । ଅପର ସହିତ ଆପଣାର ସମ୍ବନ୍ଧ ଭଲ ରୂପେ ବୁଝି ନ ପାରିଲେ ନିଜର ଦୋଷ ଓ ଅଭାବ ଉତ୍ତମ ରୂପରେ ଜଣାପଡ଼େ ନାହିଁ ।’’

 

ଏହି ଅବସରରେ ମଧୁସୂଦନ ଦାସଙ୍କର କେତୋଟି ଜାତୀୟବାଦୀ କବିତା ଓଡ଼ିଆମାନଙ୍କ ମଧ୍ୟରେ ସ୍ୱଦେଶପ୍ରାଣତା ସୃଷ୍ଟି କରିଥିଲା । ଯଥା :–

 

“ଜାତି ପ୍ରେମ ବହ୍ନି ପ୍ରଜ୍ଜ୍ୱଳିତ କରି ସ୍ୱାର୍ଥକୁ ଦିଅ ଆହୁତି

ସ୍ୱାର୍ଥମେଧ ଯଜ୍ଞେ ଚାରିଆଡ଼େ ନାଚ ଛାତିକୁ ମିଶାଇ ଛାତି ।”

 

ପଣ୍ଡିତ ଗୋବିନ୍ଦ ରଥଙ୍କର ଗୋଟିଏ ପଂକ୍ତି କବିତା ସେ ସମୟରେ ଓଡ଼ିଶାର ରାଜନୈତିକ ଚିତ୍ର ପ୍ରମାଣିତ କରିଥାଏ ।

 

“ଭିନ୍ନ ଭିନ୍ନ ଶାସନରେ ଏ ଉତ୍କଳ

ପଡ଼ନ୍ତେ ଉନ୍ନତି ନ ହୁଏ ଚଞ୍ଚଳ।’’(ଲାଟ ଦର୍ଶନ)

 

ସେହି ସମୟରେ ଉତ୍କଳଦୀପିକା, ସମ୍ବଲପୁର ହିତୈଷିଣୀ ନାମକ ପତ୍ରିକା ଯେଉଁ ସାଂସ୍କୃତିକ ଆନ୍ଦୋଳନ ଆରମ୍ଭ କରିଥିଲା, ତାହା ସୁଦୂରପ୍ରସାରୀ ପ୍ରଭାବ କ୍ରମେ ସର୍ବତ୍ର ଉପଲବ୍ଧ ହୋଇଥିଲା ଓ ଉତ୍କଳର ରାଜନୈତିକ ଓ ସାଂସ୍କୃତିକ ଅଖଣ୍ଡତାକୁ ମାନ୍ୟତା ଦେଇଥିଲା । ଫକୀରମୋହନଙ୍କର ଗୋଟିଏ କବିତା କିପରି ଜାତୀୟ ଅପମାନ ଓ ଲାଞ୍ଛନା ପ୍ରତି ସାମିଲ ନ ହେବା ପାଇଁ ଲୋକମାନଙ୍କୁ ଇଙ୍ଗିତ ଦେଇଥିଲା, ତାହା ଏଠାରେ ଉଦ୍ଧାର କରାଗଲା–

 

“ଓଳିତଳେ ଲୁଣ କୋଟିଏ ମହଣ ଆଉ ମୋହ କଥା ଶୁଣ

ବୋଇଲେ କି ହେବ ଖାଇବାକୁ ହେବ, ‘ଲିଭାର ପୁଲ’ରୁ ଲୁଣ ।

ମାଞ୍ଚେଷ୍ଟର ତନ୍ତୀ ଲୁଗା ବୁଣୁଛନ୍ତି ତୁମ୍ଭମାନଙ୍କ ସକାଶେ,

ବୁଡ଼ୁ ତନ୍ତୀ ବଂଶ ହେଉ ସର୍ବନାଶ ଯାଆନ୍ତୁ ସେ ବନବାସେ ।”

ଫକୀର ମୋହନଙ୍କ ‘ହାଟବାହୁଡ଼ା’ରେ :-

ଦେଶୀ ବିଲାତିରେ ପ୍ରଭେଦ ଏତେ

ଦେଖି ଲାଗିଲାଣି ତାଟକା ମୋତେ ।’’

 

ଅଣପାଠୁଆ ଏବଂ ପୂର୍ବପୁରୁଷ ମର୍ଯ୍ୟାଦା ବିସ୍ମୃତ ଓଡ଼ିଆମାନଙ୍କୁ ସେହି ସମୟରେ ଏହା ଏକ ସତର୍କବାଣୀ ଥିଲା । ବିଗତ ଶତାବ୍ଦୀର ଶେଷ ପାଦରେ ଏବଂ ଶତାବ୍ଦୀର ପ୍ରଥମ ପାଦରେ ଓଡ଼ିଆ ସାହିତ୍ୟ ଏକ ଗମ୍ଭୀର ସ୍ୱଦେଶ ଭାବନା ତଥା ତୀବ୍ର ଜାତୀୟ ଚେତନା ତାହାର ପ୍ରତ୍ୟେକ ଅଭିବ୍ୟକ୍ତିରେ ବହନ କରିଥିଲା । ଭକ୍ତକବି ମଧୁସୂଦନ ରାଓଙ୍କର ।

 

“ତୁହି ମା ଜନମ ଭୂମି            ପବିତ୍ର ଭାରତଭୂମି

ତୋହରି ସନ୍ତାନ ଆମ୍ଭେ ଅଟୁ ସରବେ

ତୋର ଶ୍ରୀ ଚରଣ ସେବା            ପାଇଁ ମନପ୍ରାଣ ଦେବା

ଗାଇବା ତୋହର ନାମ ଆନନ୍ଦ ରବେ

ତୋ ଆନନ୍ଦେ ହୋଇବା ସୁଖୀ

କାନ୍ଦିବା ଦୁଃଖରେ ତୋର ହୋଇଣ ଦୁଃଖୀ ।’’

 

ଏହି ସମୟରେ ଗଞ୍ଜାମର ପାରଳାଖେମୁଣ୍ଡି, ଚିକିଟି ପ୍ରଭୃତି ଅଞ୍ଚଳରେ ଯେଉଁ କତିପୟ ନାଟକ ଲିଖିତ ହୋଇଥିଲା, ତାହା ପ୍ରତୀୟ ଭାବନାରେ ପରିପୂର୍ଣ୍ଣ ଥିଲା । ରାମଶଙ୍କର ରାୟଙ୍କର ‘କାଞ୍ଚିକାବେରୀ’, ଭିକାରୀଚରଣ ପଟ୍ଟନାୟକଙ୍କର ‘ରାଜା ପୁରୁଷୋତ୍ତମଦେବ, ପଣ୍ଡିତ ଗୋଦାବରୀଶଙ୍କର ‘ପୁରୁଷୋତ୍ତମ ଦେବ’ ଓ ‘ମୁକୁନ୍ଦ ଦେବ’ ସୁପ୍ତ ଓଡ଼ିଆ ପ୍ରାଣରେ ପ୍ରାଚୀନ ଗୌରବ ଚେତନା ସୃଷ୍ଟି କରିବା ପାଇଁ ଉଦ୍ଦିଷ୍ଟ ଥିଲା । ଉତ୍କଳ ସମ୍ମିଳନୀ ଓଡ଼ିଶାରେ ଆଞ୍ଚଳିକ ଜାତୀୟତାବୋଧ ସୃଷ୍ଟି କରିଥିଲା । କିନ୍ତୁ କ୍ରମେ ମହାଭାରତୀୟ ଜାତୀୟ କଂଗ୍ରେସ ଚେତନା ସମଗ୍ର ଦେଶକୁ ଉଦ୍‌ବୁଦ୍ଧ କଲା । ଉତ୍କଳ ସମ୍ମିଳନୀର ଆଭିମୁଖ୍ୟ ବୃହତ୍ତର ଭାରତୀୟ ଜାତୀୟ ଆଭିମୁଖ୍ୟ ସହିତ ଏକରକମ ସାମିଲ ହୋଇଯାଇଥିଲା । ୧୯୨୧ ମସିହାରେ ଚକ୍ରଧରପୁରଠାରେ ଅନୁଷ୍ଠିତ ଉତ୍କଳ ସମ୍ମିଳନୀରେ କଂଗ୍ରେସର ଲକ୍ଷ୍ୟ ଓ ଆଦର୍ଶ ଉତ୍କଳ ସମ୍ମିଳନୀର ଲକ୍ଷ୍ୟ ଓ ଆଦର୍ଶ ରୂପେ ଗୃହୀତ ହୋଇଥିଲା । ସେହିଦିନଠାରୁ କଂଗ୍ରେସ ବାର୍ତ୍ତା, ସ୍ୱରାଜ୍ୟ ବାର୍ତ୍ତା, ଦେଶ ମିଶ୍ରଣ ବାର୍ତ୍ତା ସମନ୍ୱିତ ଆକାରରେ ଏକ ପ୍ରଚଣ୍ଡ ଭାରତୀୟ ଭାବମୂର୍ତ୍ତି ସୃଷ୍ଟି କରିଥିଲା । ଗୋପବନ୍ଧୁ ଦାସ ଜାତୀୟ କଂଗ୍ରେସର ମହାନ୍‌ ଲକ୍ଷ୍ୟରେ ଦୀକ୍ଷିତ ହୋଇଥିଲେ । ସେଥିପାଇଁ ତାଙ୍କର ‘ବନ୍ଦୀର ଆତ୍ମକଥା’ ଓଡ଼ିଶାରେ କଂଗ୍ରେସ ଆନ୍ଦୋଳନ ଓ ସ୍ୱରାଜ୍ୟ ସାଧନାର ଥିଲା ଅପୂର୍ବ ପ୍ରତିଧ୍ୱନି । କଂଗ୍ରେସର ଅହିଂସା ଓ ସତ୍ୟାଗ୍ରହ ଆଦର୍ଶରେ ତାଙ୍କର ଅଟଳ ବିଶ୍ୱାସ ଥିଲା ଏବଂ ସେଥିଲାଗି ଗ୍ରାମେ ଗ୍ରାମେ ସେ କଂଗ୍ରେସର ଆଦର୍ଶ ଓ ବାର୍ତ୍ତାକୁ ବିଶ୍ୱସ୍ତ କାର୍ଯ୍ୟ ସଦୃଶ ପ୍ରଚାର କରିଥିଲେ । ସ୍ୱରାଜ୍ୟ ଏକ ମୌଳିକ ଅଧିକାର, ସେଥିପାଇଁ ଗୋପବନ୍ଧୁ ଓଡ଼ିଶାର ସାଧାରଣ ଜନତାକୁ ଲକ୍ଷ୍ୟ କରି ଲେଖିଥିଲେ–

 

“ମୋ ଭାଇଭଉଣୀ ହେ ଉତ୍କଳବାସୀ

ସ୍ୱରାଜ୍ୟ ସାଧନେ ନ ହୁଅ ଉଦାସୀ

ସ୍ୱରାଜ୍ୟ ସାଧନେ ରହୁ ମୋର ଧ୍ୟାନ

ଭାରତ ସ୍ୱରାଜ୍ୟେ ଜଗତ କଲ୍ୟାଣ ।’’

(ବନ୍ଦୀର ଆତ୍ମକଥା)

 

ସ୍ୱାଧୀନତା ଏକ ରାଜନୈତିକ ପରିକଳ୍ପନା । ଗୋପବନ୍ଧୁ ଜଣେ ରାଜନୈତିକ ସଂଗ୍ରାମୀ ଭାବରେ ତାହା ଉପଲବଧି କରିପାରିଥିଲେ ଏବଂ ତାଙ୍କର ସେହି ଉପଲବ୍‌ଧିକୁ କାବ୍ୟ କବିତାରେ ପ୍ରତିଫଳିତ କରାଇଥିଲେ–

 

ସ୍ୱାଧୀନତା ମାନବର ଜନ୍ମ ଅଧିକାର

ସ୍ୱାଧୀନ ଭାଷଣ ଆଉ ସ୍ୱାଧୀନ ବିହାର

ସ୍ୱାଧୀନ ଜୀବନ ପୁଣି ସ୍ୱାଧୀନ ସମିତି

ଚାରି ସ୍ତମ୍ଭେ ମାନବର ସମାଜ ସଂସ୍ଥିତି ।”

(କାରା କବିତା)

 

୧୯୦୯ ମସିହାରେ ସତ୍ୟବାଦୀ ଜାତୀୟ ବିଦ୍ୟାଳୟ ପ୍ରତିଷ୍ଠା ଭାରତୀୟ ସ୍ୱାଧୀନତା ସଂଗ୍ରାମର ଓଡ଼ିଆ ପର୍ଯ୍ୟାୟରେ ଏକ ଅପୂର୍ବ ଘଟଣା । ସେହି ଜାତୀୟ ବିଦ୍ୟାଳୟ ସହିତ ସଂପୃକ୍ତ ଶିକ୍ଷକ ଓ ଛାତ୍ରମାନଙ୍କର ସାହିତ୍ୟିକ ସାଧନା ମଧ୍ୟ ଦେଶ ଓ ଦଶର ଉଦ୍ଦେଶ୍ୟରେ ଉଦ୍ଦିଷ୍ଟ ହୋଇଥିଲା । ପଣ୍ଡିତ ଗୋପବନ୍ଧୁ ଦାଶ, ନୀଳକଣ୍ଠ ଦାଶ, ଗୋଦାବରୀଶ ମିଶ୍ର, ଆଚାର୍ଯ୍ୟ ହରିହର, କୃପାସିନ୍ଧୁ ମିଶ୍ର ପ୍ରଭୃତିଙ୍କର ସାରସ୍ୱତ ସାଧନାରେ ଦୁଇଟି ଧାରା ପରିଦୃଷ୍ଟ ହୁଏ । ଗୋଟିଏ ହେଉଛି ପ୍ରାଚୀନ ଯୁଗର ଐତିହାସିକ ଓଡ଼ିଶା, ଅନ୍ୟଟି ହେଉଛି ଜାତୀୟ କଂଗ୍ରେସର ଅଭିଯାନରେ ଚେତନାଶୀଳ ଓଡ଼ିଶା । ପ୍ରାଚୀନ ଇତିହାସ ପ୍ରତି ଉଦ୍‌ବୋଧନରେ ସାଂପ୍ରତିକ କାଳର ସ୍ୱାଧୀନତା ସଂଗ୍ରାମର ଆହ୍ୱାନ ପ୍ରଚ୍ଛନ୍ନ ଭାବରେ ନିହିତ ଥିଲା । ଅସହଯୋଗ ଆନ୍ଦୋଳନ, ସତ୍ୟାଗ୍ରହ ଚିନ୍ତା ଦେଶରେ ଯେତିକି ବୃଦ୍ଧି ପାଇଥିଲା, ସେହି ପରିମାଣରେ ସେହି ଯୁଗର କବି, ନାଟ୍ୟକାର ଓ କଥାଶିଳ୍ପୀଗଣ ଜାତୀୟ ଭାବଧାରାରେ ସେମାନଙ୍କର ରଚନାକୁ ସମୃଦ୍ଧ କରିଥିଲେ । ଏହି ପ୍ରସଙ୍ଗରେ କୁନ୍ତଳା କୁମାରୀ ସାବତ୍‌ଙ୍କର ‘ସ୍ଫୁଲିଙ୍ଗ’, ‘ଆହ୍ଵାନ’ ପ୍ରଭୃତି କେତେକ କବିତା, ପଦ୍ମଚରଣ ପଟ୍ଟନାୟକଙ୍କର ‘ଧଉଳି ପାହାଡ଼’ ଓ ‘ଖୋରଧା ପାଇକ’ ପ୍ରଭୃତି ଶୀର୍ଷକ କବିତା ଉଲ୍ଲେଖଯୋଗ୍ୟ-

 

“ପଖାଳ ଗଣ୍ଡାକୁ ଟିପେ ନାହିଁ ଲୁଣ

ବାହୁନିବା କିସ ଶାସନର ଗୁଣ

ଲୁଣ କେ ମାରିଲେ ଦେଲୁ ଜୋରିମାନା

ଆମେ ମୂଲ ଲାଗୁ ତାଙ୍କ କାରଖାନା ।’’

[‘ଆହ୍ଵାନ’-କୁନ୍ତଳା କୁମାରୀ ସାବତ୍‌]

 

କଂଗ୍ରେସର ବିଦେଶୀ ବର୍ଜନ ଆହ୍ୱାନ ପରିପ୍ରେକ୍ଷୀରେ ଓଡ଼ିଶାର ବହୁ କବି ଉଦ୍‌ବୁଦ୍ଧ ତଥା ଅନୁପ୍ରାଣିତ ହୋଇଥିଲେ ।

 

“ଫିଙ୍ଗରେ ଆଜି ପୁଲକ ପରାଣେ ବିଦେଶୀ ବସନ ଭାଇ

ଅଙ୍ଗକୁ କର ପବିତ୍ର ତୁମର ଜାତୀୟ ସଙ୍ଗୀତ ଗାଇ ।

ଏ ଦେଶବାସୀଙ୍କ ତଣ୍ଟିଚିପା ଲୁଗା

ଏ ପାପରାଶିରେ ଆଜି ନିଆଁ ଲଗା

ଦେବତା ଉଠନ୍ତୁ ଚେଇଁ ।”

[‘ଜାତୀୟ ସଙ୍ଗୀତ’-ବୀରକିଶୋର ଦାସ]

 

ଲକ୍ଷ୍ମୀକାନ୍ତ ମହାପାତ୍ର ଓ ଜାତୀୟ କବି ବୀରକିଶୋର ଦାସଙ୍କର ଅଧିକାଂଶ କବିତା କଂଗ୍ରେସର ସ୍ୱାଧୀନତା ଆନ୍ଦୋଳନର ଆଦର୍ଶ ଓ ଲକ୍ଷ୍ୟ ଉପରେ ଆଧାରିତ ହୋଇଥିଲା । ବାଞ୍ଛାନିଧି ମହାନ୍ତି, ମନମୋହନ ମିଶ୍ର, ଅନନ୍ତ ପଟ୍ଟନାୟକ ପ୍ରଭୃତିଙ୍କର ମଧ୍ୟ ବହୁ କବିତା ସ୍ୱାଧୀନତା ଚେତନାରେ ଉଦ୍‌ବୁଦ୍ଧ । କବି ଗୋଦାବରୀଶ ମହାପାତ୍ରଙ୍କର ଉଦ୍ଦାମ ଲେଖନୀରୁ ଯେଉଁ କବିତା ନିଃସୃତ ହୋଇଥିଲା, ସେଥିରେ ସ୍ୱାଧୀନତା ଶହୀଦ୍‌ଙ୍କର ନିର୍ଭୀକତା ଓ ଉତ୍ସର୍ଗୀକୃତ ଜୀବନର ବଳିଦାନ ହିଁ ବର୍ଣ୍ଣିତ ହୋଇଥିଲା । କାଳିନ୍ଦୀ ଚରଣ ପାଣିଗ୍ରାହୀ, ସଚ୍ଚି ରାଉତରାୟ ୧୯୩୦ ମସିହାରେ ବାମପନ୍ଥୀ ଚେତନାରେ ଉଦ୍‌ବୁଦ୍ଧ ହୋଇ କେତେଗୁଡ଼ିଏ କବିତା ରଚନା କରିଥିଲେ, ଯାହା ସେହି ସମୟରେ ସତ୍ୟାଗ୍ରହୀଙ୍କର ପ୍ରାଣ ସ୍ପର୍ଶ କରିଥିଲା । ଦେଶରେ ସମାଜବାଦ ଗଢ଼ିବା ପାଇଁ କବି କାଳିନ୍ଦୀ ଚରଣ ପାଣିଗ୍ରାହୀଙ୍କର ଚିନ୍ତାଧାରା କିପରି ସମ୍ବେଦନପୂର୍ଣ୍ଣ, ତାହା ଲକ୍ଷ୍ୟ କରାଯାଇପାରେ –

 

“କବିତା ଗଢ଼େ ଏକ ବିରାଟ ସମାଜର

ସବୁରି ପାଇଁ ଯହିଁ ବଖୁରେ ହେଲେ ଘର ।

ସକଳେ ଲଭିବାକୁ ମୁଠାଏ ଦୁଧ ଭାତ

ଯୋଗ୍ୟ ଯେତେ ଯହିଁ ବାଳକ ବାଳିକା ତ ।

କହିବା ପାଇଁ କଥା ସବୁରି ଦାବୀ ଅଛି

ମୁଁ ସେଇ ସମାଜର କବିତା ରଚେ ବସି ।”

 

ଗାନ୍ଧୀଙ୍କର ଲବଣ ଆନ୍ଦୋଳନଠାରୁ ୧୯୪୨ ମସିହାରେ ଭାରତଛାଡ଼ ଆନ୍ଦୋଳନ ପର୍ଯ୍ୟନ୍ତ ସ୍ଵାଧୀନତା ଆନ୍ଦୋଳନରେ ପ୍ରତ୍ୟେକ ଘଟଣା ସତ୍ୟାଗ୍ରହୀମାନଙ୍କୁ ଯେପରି ମୁକ୍ତି ପଥରେ ଆଗେଇ ନେଉଥିଲା, କବି ଓ ନାଟ୍ୟକାରଙ୍କୁ ମଧ୍ୟ ସେହି ପରିମାଣରେ ଉଗ୍ର ବାସ୍ତବବାଦୀ କରିଦେଇଥିଲା । ଫଳରେ ୧୯୩୦ ମସିହାଠାରୁ ୧୯୪୭ ମସିହା ପର୍ଯ୍ୟନ୍ତ ଲିଖିତ ଓଡ଼ିଆ କାବ୍ୟ କବିତା, ନାଟକ, ଗଳ୍ପ ଓ ଉପନ୍ୟାସ ଜାତି-ଯଜ୍ଞର ବୈଦିକ ମନ୍ତ୍ରରେ ଅଭିସଞ୍ଚିତ ହୋଇଥିଲା । ସଚ୍ଚିଦାନନ୍ଦ ରାଉତରାୟଙ୍କର-

 

“ଭାଜିଯିବ ଭାଇ କାରାର ପ୍ରାଚୀର, ଲୁହାର ଦରଜା ତା’ର

ସେଦିନ ଦେଖିବୁ ଦୁନିଆରେ ନାହିଁ ଶୋଷଣର ଶବାଧାର

ତେଣୁ ଆଜି ବସି ଭାଇ

ଆଗାମୀ ଯୁଗର କବିତା ଲେଖୁଛି କାରାର ମର୍ତ୍ତ୍ୟେ ମୁହିଁ ।”

(‘ବନ୍ଦୀ’-ସଚ୍ଚି ରାଉତରାୟ)

 

ନବଯୁଗ ସାହିତ୍ୟ ସଂସଦର ପ୍ରାଥମିକ ଉତ୍ସବରେ ଗାନ କରାଯାଇଥିବା ସଙ୍ଗୀତ ସ୍ଵାଧୀନତା ସଂଗ୍ରାମୀର ବେଦନାବୋଧକୁ ଯେପରି ପ୍ରତିଧ୍ଵନିତ କରିଥିଲା-

 

“ଛିନ୍ନ କରରେ ବନ୍ଧନ ରାଜି କ୍ରନ୍ଦନ ହେଉ ଶେଷ

ଲୁପ୍ତ ହେଉରେ ଜାତି ଉପଜାତି ଖଣ୍ଡିତ ହେଉ ଦେଶ ।”

(‘ଉଦ୍‌ବୋଧନୀ’-ଅନନ୍ତ ପଟ୍ଟନାୟକ)

 

ଭାରତୀୟ ସ୍ଵାଧୀନତା ସଂଗ୍ରାମର ଅମର ଶହୀଦ ଉଦ୍ଦାମ ସିଂ, ଭଗତ୍‌ ସିଂ, ବାଘାଯତୀନ୍‌, ବାଜିରାଉତ ପ୍ରଭୃତିଙ୍କର ରକ୍ତଶିଖାରେ ଓଡ଼ିଆ ସାହିତ୍ୟିକମାନଙ୍କର ଚିନ୍ତାଧାରା ଯେପରି ବିଦ୍ରୋହର ବହ୍ନି ଧାରଣ କରିଥିଲା । ‘ବନ୍ଦୀ’ କବିତାରେ ସଚ୍ଚି ରାଉତରାୟ ସ୍ଵାଧୀନତା ଭାଷାର ସ୍ଵରୂପ ସୂଚିତ କରିଛନ୍ତି । ସେହି ଭାଷା ହେଉଛି ବିଦ୍ରୋହୀ କମାଣର ଭାଷା-

 

“ନୂତନ ଭାଷାରେ ଯେ ଜନ ପାଇଲେ ଅଗ୍ରଗାମୀର ଜୟ

ତାହାର ଶିରରେ ଜାଗିଲା କମାଣ ମୃତ୍ୟୁର କ୍ଷତ ଭୟ ।”

(‘ବନ୍ଦୀ’-ସଚ୍ଚି ରାଉତରାୟ)

 

ସ୍ଵାଧୀନତା ସଂଗ୍ରାମୀମାନଙ୍କ ପ୍ରତି ଲାଞ୍ଛନା, ବନ୍ଦୀମାନଙ୍କ ପ୍ରତି ଅତ୍ୟାଚାର କବିମାନଙ୍କୁ ପ୍ରଗଳ୍‌ଭ କରିଥିଲା । ରାଧାମୋହନ ଗଡ଼ନାୟକଙ୍କର-

 

“ଦୁର୍ଗମ ଦୁର୍ଜୟ ହେ ଚିର ନିର୍ଭୟ ଅହିଂସା ତବ ଅଭିଯାନେ

ଗର୍ବିତ ଶାସନ ଦର୍ପିତ ଆସନ ଶିହରଇ ଗୁରୁ ଅଭିଯାନେ ।”

 

କୁଞ୍ଜବିହାରୀ ଦାଶଙ୍କର ‘ସ୍ଵାଧୀନତା ଜୟଗାନ’ ତାଙ୍କ କବିତାକୁ ସଂଗ୍ରାମୀ ଜୀବନର ବାର୍ତ୍ତାବହ କରିପାରିଛି-

 

“ପ୍ରାଣଠାରୁ ମୂଲ୍ୟବାନ ଜାତୀୟ ସମ୍ମାନ

ଜାତିର ଗୌରବଧନ ପ୍ରିୟ ସ୍ୱାଧୀନତା ।’’

 

କୃଷ୍ଣଚନ୍ଦ୍ର ତ୍ରିପାଠୀ ଏବଂ ଉପେନ୍ଦ୍ର ତ୍ରିପାଠୀଙ୍କ ସଦୃଶ ବହୁ କବି ସ୍ୱାଧୀନତାର ପୂର୍ବଯୁଗରେ କବିତା ମାଧ୍ୟମରେ ଦେଶାତ୍ମବୋଧ ପ୍ରଚାର କରିଥିଲେ ।

 

ଗଳ୍ପ, ଉପନ୍ୟାସ କ୍ଷେତ୍ରରେ ଶିଳ୍ପୀମାନେ ଜାତୀୟ ମୁକ୍ତି ଓ ସ୍ୱାଧୀନତାର ସ୍ୱାଦ ଯେପରି ସେମାନଙ୍କର ସ୍ୱ ସ୍ଵ ଲେଖନୀ ମାଧ୍ୟମରେ ଉପଲବ୍ଧ କରାଇଥିଲେ । ଉତ୍କଳୀୟ ଜାତୀୟତାର ପୃଷ୍ଠଭୂମିରେ ମହାଭାରତୀୟ ଭାବ ଜାଗ୍ରତ କରାଇବା କଥାଶିଳ୍ପୀମାନଙ୍କର ଥିଲା ମୁଖ୍ୟ ଉଦ୍ଦେଶ୍ୟ । ଗାନ୍ଧୀଙ୍କର ଜୀବନଦର୍ଶନ, ଅହିଂସା, ଅସହଯୋଗ ନୀତି ଉପରେ ବହୁ ଗଳ୍ପ ଉପନ୍ୟାସ ଆଧାରିତ । ସ୍ୱାଧୀନତା ଚେତନାର ତଥା ଗାନ୍ଧୀବାଦୀ ଆଦର୍ଶର ବଳିଷ୍ଠ କୃତି ଭାବରେ ଔପନ୍ୟାସିକ କାଳିନ୍ଦୀଚରଣ ପାଣିଗ୍ରାହୀଙ୍କର ‘ମୁକ୍ତାଗଡ଼ର କ୍ଷୁଧା’ ଓ ‘ମାଟିର ମଣିଷ’ ଏକ ଏକ ଅମ୍ଳାନ କୃତି । ଗାନ୍ଧୀବାଦର ଯଥାର୍ଥ ପରୀକ୍ଷା ନିରୀକ୍ଷା ‘ମାଟିର ମଣିଷ’ର ମୁଖ୍ୟ ଚରିତ୍ର ବରଜୁ ଜୀବନରେ ପ୍ରତିଫଳିତ । ଏକାନ୍ତ ଭାବରେ ସ୍ୱଦେଶ ଆନ୍ଦୋଳନ ଧର୍ମୀ ଉପନ୍ୟାସ ଭାବରେ ହରେକୃଷ୍ଣ ମହତାବଙ୍କର ‘ପ୍ରତିଭା’ ଉପନ୍ୟାସ ଏକ ସାର୍ଥକ ସୃଷ୍ଟି । ଏହି ଉପନ୍ୟାସର ଚରିତ୍ର ନବୀନ, ମହେନ୍ଦ୍ର, ପ୍ରତିଭା ଓ ପ୍ରକାଶ ଯେପରି ଭାରତୀୟ ସ୍ୱାଧୀନତା ଆନ୍ଦୋଳନ ଜନ୍ମଲାଭ କରାଇଥିଲେ, ସେହିପରି ‘ଅବ୍ୟାପାର’ ଉପନ୍ୟାସର ଲାଲମୋହନ, କୁମୁଦିନୀ, ‘ଟାଉଟର’ ଉପନ୍ୟାସର ମାଷ୍ଟ୍ର ରାମଚନ୍ଦ୍ର ମହାପାତ୍ର ପାଠକମାନଙ୍କ ମନରେ ଭାରତୀୟ ସ୍ୱାଧୀନତା ସଂଗ୍ରାମର ପ୍ରଭାବ ସୃଷ୍ଟି କରିଥାଏ । ଜାତୀୟ କଂଗ୍ରେସର ବିପ୍ଳବର ଗଣ୍ଡି ଭିତରେ ଔପନ୍ୟାସିକ ରାମପ୍ରସାଦ ସିଂ, ଗଳ୍ପ ସ୍ରଷ୍ଟା ଗୋଦାବରୀଶ ମହାପାତ୍ର, ଏବଂ ନିତ୍ୟାନନ୍ଦ ମହାପାତ୍ରଙ୍କର ଅଜସ୍ର ଗଳ୍ପ ବର୍ଣ୍ଣିତ ଚରିତ୍ରମାନଙ୍କ ମାଧ୍ୟମରେ ଭାରତୀୟ ଜନଜାଗରଣର କାହାଣୀ ଶୁଣାଇଥିଲେ । ଗୋଦାବରୀଶ ମହାପାତ୍ରଙ୍କର ଅଧିକାଂଶ ଗଳ୍ପ ଏକ ଦିଗରେ ଉତ୍କଳ ଜାତୀୟତା ଓ ଅନ୍ୟଦିଗରେ ଭାରତୀୟ ମୁକ୍ତି ଆନ୍ଦୋଳନ-ଏହି ଦୁଇ ଦିଗନ୍ତର ଚିତ୍ର ଦେଖିବାକୁ ମିଳେ । ମହାପାତ୍ରଙ୍କ ଗଳ୍ପ “ଏବେ ମଧ୍ୟ ବଞ୍ଚିଛି”ରେ ବେଣୁଧର କେବଳ ସତ୍ୟବାଦୀ ଜାତୀୟ ଶିକ୍ଷାର ଜଣେ ପ୍ରବକ୍ତା ନୁହେଁ , ବରଂ ସେ ଭାରତୀୟ ମୁକ୍ତିସଂଗ୍ରାମର ଜଣେ ଉତ୍ସର୍ଗୀକୃତ ସୈନିକ । ଭଗବତୀ ଚରଣ ପାଣିଗ୍ରାହୀଙ୍କର ‘ଶିକାର’ ଗଳ୍ପ ଯେଉଁମାନେ ପଢ଼ିଥିବେ, ସେମାନେ ଲକ୍ଷ୍ୟ କରିଥିବେ ଯେ, ଘିନୁଆର ଚରିତ୍ର ଶୋଷିତ ସମାଜର ଏକ ବିକଳ ଅସହାୟ ପ୍ରତିମୂର୍ତ୍ତି । ଗାନ୍ଧୀବାଦୀ ଚିନ୍ତାଧାରାର ପରିପ୍ରେକ୍ଷୀରେ ସାମନ୍ତବାଦୀ ଚିନ୍ତା ଓଡ଼ିଆ ସାହିତ୍ୟରେ ପ୍ରତିଫଳିତ ହେଲା । ରାଜତନ୍ତ୍ର ସାମନ୍ତବାଦ ପୁରୁଣାକାଳିଆ ପୁଞ୍ଜିବାଦ ବିରୁଦ୍ଧରେ ଏ ଦେଶର ଅଗଣିତ ଚାଷୀ ମୂଲିଆ ମଜୁରିଆଙ୍କର ଅସହ୍ୟ ନିର୍ଯ୍ୟାତନା ଓ ଶୋଷଣ ଓଡ଼ିଆ ସାହିତ୍ୟକୁ ବିଦ୍ରୋହୀ ପୋଷାକରେ ମଣ୍ଡିତ କରିଥିଲା । ପୁଞ୍ଜିବାଦର ସମସ୍ତ ଅତ୍ୟାଚାର ଓ ଅନ୍ୟାୟ ବିରୁଦ୍ଧରେ ମଣିଷ ଜାତି ବିଦ୍ରୋହ କରିବାପାଇଁ ଆଗେଇ ଆସିଥିଲା । ଫଳରେ ଓଡ଼ିଆ ଗଳ୍ପ ଏବଂ ଉପନ୍ୟାସର ପୃଷ୍ଠା ମୁକ୍ତିସଂଗ୍ରାମର ବାଣୀରେ ପରିପୂର୍ଣ୍ଣ ହୋଇଥିଲା । ସଚ୍ଚିଦାନନ୍ଦ ରାଉତରାୟଙ୍କର ‘ଆଙ୍ଗୁଠି, ‘ମଶାଣିର ଫୁଲ’, ‘ଅନ୍ଧାରୁଆ’ ପ୍ରଭୃତି ଗଳ୍ପ ଓଡ଼ିଆ ପାଠକ ସମାଜରେ ଶୋଷଣ ବିରୋଧୀ ମନୋଭାବ ସୃଷ୍ଟି କଲା । ଅନନ୍ତ ପ୍ରସାଦ ପଣ୍ଡାଙ୍କ ‘ରାଜଭାଗ’ ଗଳ୍ପ ଜମିଦାରୀ ପ୍ରଥାର ବିରୋଧ କରିଥାଏ । ସଂକ୍ଷେପରେ କହିବାକୁ ଗଲେ ୧୯୨୦ ମସିହାଠାରୁ ୧୯୪୫ ମସିହା ମଧ୍ୟରେ ଓଡ଼ିଆ ସାହିତ୍ୟ ପରିମାଣାତ୍ମକ ଓ ଗୁଣାତ୍ମକ ଭାବରେ ଭାରତୀୟ ସ୍ୱାଧୀନତା ଆନ୍ଦୋଳନର ଯଥାର୍ଥ ପ୍ରତିନିଧିତ୍ୱ କରିପାରିଥିଲା । ସମସାମୟିକ ଯୁଗରେ ଓଡ଼ିଶାର ପୂର୍ବତନ ଗଡ଼ଜାତ ସମୂହରେ ବହୁ କବି ଓ ସାହିତ୍ୟସ୍ରଷ୍ଟା ରାଜତନ୍ତ୍ରର ବିରୋଧ କରି ପ୍ରତ୍ୟକ୍ଷ ଭାବରେ ଭାରତୀୟ ସ୍ଵାଧୀନତା ସଂଗ୍ରାମକୁ ତ୍ଵରାନ୍ଵିତ କରିପାରିଥିଲେ । ଦେଶର ସ୍ଵାଧୀନତା ଆନ୍ଦୋଳନ ପରୋକ୍ଷ ଭାବରେ ଦେଶର ସାମାଜିକ ଆନ୍ଦୋଳନର ପୃଷ୍ଠପୋଷକତା କରିଥିଲା । ଗୋବିନ୍ଦଚନ୍ଦ୍ର ମିଶ୍ରଙ୍କର ‘ଜାତୀୟ ଜୀବନର ଆତ୍ମପ୍ରକାଶ’ ପୁସ୍ତକ, ବୈକୁଣ୍ଠନାଥଙ୍କ ‘ସ୍ମୃତିପଥେ’ ନାଟକ, ହରିଶ୍ଚନ୍ଦ୍ର ବଡ଼ାଲଙ୍କ ‘ଦେଶର ଡାକ’ ଏକ ଏକ ଯୁଗଧର୍ମୀ ସୃଷ୍ଟି ।

 

ଆଲୋଚ୍ୟ ସମୟ ମଧ୍ୟରେ ଅସମୀୟା ସାହିତ୍ୟ ଭାରତୀୟ ସ୍ୱାଧୀନତା ସଂଗ୍ରାମ ସହିତ ଓତଃପ୍ରୋତ ଭାବରେ ଜଡ଼ିତ ହୋଇଥିଲା । ଓଡ଼ିଶା ସଦୃଶ ଆସାମରେ ମଧ୍ୟ ବିଗତ ଶତାବ୍ଦୀର ଶେଷ ପାଦରେ ବହୁ ସଭାସମିତି ଗଠିତ ହୋଇ ପ୍ରାଦେଶିକ ଜାତୀୟତାର ଜାହିର କରିବା ସଙ୍ଗେ ସଙ୍ଗେ ଜାତୀୟ କଂଗ୍ରେସର ଆହ୍ୱାନରେ ମହାଭାରତୀୟ ଚିନ୍ତାରେ ପ୍ଳାବିତ ହେଲା । ଆସାମ ଭୂମିକୁ ଜନନୀ କଳ୍ପନା କରି ଲକ୍ଷ୍ମୀନାଥ ବେଜ୍‌ବରୁଆ କେତୋଟି କବିତା ରଚନା କରିଥିଲେ । ତାଙ୍କର ଏପରି ଗୋଟିଏ କବିତା ହେଉଛି ‘ବର୍ଗୀ ଆରୁ ବୀଣା’ । ସେହି କବିତାର ଇଂରାଜୀ ଅନୁବାଦ ଏଠାରେ ଉଦ୍ଧାର କରାଗଲା –

 

Play, O monstrel

though the world you have renounced

the precise of the world-

Sweet and soothing;

at every stroke on your lute

Let my heart be cooled

x x x x

You are arousing

O you tender lute.”

[Bargi Aru Vina]

 

ଅସମୀୟା ସାହିତ୍ୟର ସାହିତ୍ୟରଥୀ ଲକ୍ଷ୍ମୀନାଥ ବେଜ୍‌ବରୁଆ, ହେମନ୍ତ ଚନ୍ଦ୍ର ଗୋସ୍ୱାମୀ, ଚନ୍ଦ୍ରକୁମାର ଅଗ୍ରୱାଲା,- ଯେଉଁ ‘ଜୋନାକୀ’ ସାହିତ୍ୟ ପତ୍ରିକା ଆରମ୍ଭ କରିଥିଲେ, ତାହା ହିଁ ସମଗ୍ର ଆସାମରେ ରାଜନୈତିକ ଏବଂ ସାମାଜିକ ଚିନ୍ତାଧାରାର ଉଦ୍‌ବର୍ତ୍ତନ ପାଇଁ ଦାୟୀ ହୋଇଥିଲା । ଯୁଦ୍ଧ, ରାଜନୈତିକ ଅସ୍ଥିରତା ଏବଂ ପ୍ରାକୃତିକ ବିପର୍ଯ୍ୟୟଗ୍ରସ୍ତ ଆସାମ ଗାନ୍ଧୀବାଦୀ ଚିନ୍ତାଧାରାକୁ ବିଶ୍ୱସ୍ତତାର ସହିତ ଗ୍ରହଣ କରି ନେଇଥିଲା । ଗଳ୍ପ, ଉପନ୍ୟାସ ଓ ନାଟକରେ ସ୍ୱରାଜ୍ୟ ଆନ୍ଦୋଳନ ପର୍ଯ୍ୟାୟ ପ୍ରତିଫଳିତ ହେଲା ।

 

ସଂକ୍ଷେପରେ କହିବାକୁ ଗଲେ ସ୍ୱଦେଶୀ ଆନ୍ଦୋଳନ, ବିଦେଶୀ ବର୍ଜନ, ଉପନିବେଶବାଦ ପ୍ରତ୍ୟାଖ୍ୟାନ ସ୍ୱାଧୀନତା ପୂର୍ବଯୁଗର ଭାରତୀୟ ପ୍ରାଦେଶିକ ସାହିତ୍ୟଗୁଡ଼ିକ ନିକଚ ଭାବରେ ପ୍ରଭାବିତ କରିଥିଲା । ଦକ୍ଷିଣ ଭାରତରେ ତାମିଲ ସାହିତ୍ୟର ମୁକ୍ତମଣ୍ଡ୍ୟମ୍‌ ଭାରତୀ, ହିନ୍ଦୀ ସାହିତ୍ୟର କଥାସମ୍ରାଟ ଫକୀରମୋହନ, କବି ମୈଥିଳୀ ଶରଣ ଗୁପ୍ତ, ଦିନକର, ଜୟଶଙ୍କର ପ୍ରସାଦ, ସାହିତ୍ୟ ଜଗତରେ ସ୍ୱାଧୀନତାର ଭାବଧାରାକୁ ପ୍ରବିଷ୍ଟ କରାଇଥିଲେ । ପ୍ରତ୍ୟେକ ପ୍ରାଦେଶିକ ସାହିତ୍ୟରେ ସ୍ୱାଧୀନତା ସଂଗ୍ରାମର ରକ୍ତାକ୍ତ ପର୍ଯ୍ୟାୟ କାବ୍ୟ କବିତା, ନାଟକ ଏବଂ କାହାଣୀର ଆଙ୍ଗିକରେ ପ୍ରକଟିତ ହୋଇ ଭାରତୀୟ ଜନସମ୍ମାନକୁ ପ୍ରଭାବଶାଳୀ ଭାବରେ ଆନ୍ଦୋଳିତ କରିଥିଲା । ଭାରତୀୟ କବିମାନେ ହିଁ ସେହି ଯୁଗରେ ସ୍ୱାଧୀନତା ସଂଗ୍ରାମରେ ଝାସ ଦେଇଥିଲେ ଏବଂ ସେମାନଙ୍କ ସଂଗ୍ରାମର ଅସ୍ତ୍ର ଥିଲା ଲେଖନୀ । କାରଣ ସେମାନେ ଯେଉଁ ସାମାଜିକ ପରିବେଶ ଏବଂ ରାଜନୈତିକ ଘଟଣାବ୍ୟୂହ ମଧ୍ୟରେ ଅଣନିଃଶ୍ୱାସୀ ହୋଇଯାଇଥିଲେ, ସେହିମାନେ ହିଁ ଲେଖନୀ ଶକ୍ତି ଉପରେ ବିଶ୍ୱାସ କରୁଥିଲେ । ସେମାନଙ୍କର ବିଶ୍ୱାସ ଥିଲା– “Pen is mightier than sword”. ଅସ୍ତ୍ରଶସ୍ତ୍ର ସାହାଯ୍ୟରେ ଜଣେ ଯୁଦ୍ଧ କରିପାରେ, କିନ୍ତୁ ଭାରତର ମୁକ୍ତି ଯୁଦ୍ଧରେ ସାହିତ୍ୟିକମାନଙ୍କ ହାତରେ ଏକମାତ୍ର ଅମୋଘ ଅସ୍ତ୍ର ଥିଲା ସେମାନଙ୍କର ଲେଖନୀ । ଭାରତରୁ ବିଦେଶୀ ଶାସନର ଅବସାନ ଯଥାର୍ଥରେ ଅଗଣିତ ସାହିତ୍ୟସ୍ରଷ୍ଟାମାନଙ୍କର ଅବଦାନ । ଏହି ଅବସରରେ ଓଡ଼ିଶାର ବିଭିନ୍ନ ପତ୍ରପତ୍ରିକା ଓ ସମ୍ବାଦପତ୍ର ମଧ୍ୟ ସ୍ୱାଧୀନତା ସଂଗ୍ରାମରେ ଅଂଶ ଗ୍ରହଣ କରିବାରେ ପଶ୍ଚାଦ୍‌ପଦ ହୋଇ ନ ଥିଲେ । ସମ୍ପାଦକ ଗୌରୀଶଙ୍କର, ସମ୍ପାଦକ ବିଶ୍ୱନାଥ କର, ବ୍ରଜସୁନ୍ଦର ଦାସ, ରାଧାନାଥ ରଥ, ହରେକୃଷ୍ଣ ମହତାବ, ଗଞ୍ଜାମର ଶଶିଭୂଷଣ ରଥ ପ୍ରଭୃତିଙ୍କର ସଂଗ୍ରାମୀ ଭୂମିକା ସର୍ବାଦୌ ଅବିସ୍ମରଣୀୟ ।

***

 

“ବାବାଜି’’ଠାରୁ “କ୍ଳାନ୍ତ ପ୍ରଜାପତି”–ଏକ ଅନୁଧ୍ୟାନ”

ଶ୍ରୀ ଇନ୍ଦୁଭୂଷଣ କର

 

ଇଂରାଜୀରେ ଏକ ପ୍ରବାଦ ଅଛି “A nation is known by its theatre.” ଗୋଟିଏ ଜାତିର ରାଜନୈତିକ ଓ ସାଂସ୍କୃତିକ ଜୀବନର ପ୍ରତିଛବି ଦେଖିବାକୁ ମିଳେ ତା’ର ଦୃଶ୍ୟକାବ୍ୟ ଗୁଡ଼ିକରେ । ଏହି ଦୃଶ୍ୟ-କାବ୍ୟଗୁଡ଼ିକ ନାଟ୍ୟ-ସାହିତ୍ୟ ରୂପେ ପରିଗଣିତ ହୁଏ । ଓଡ଼ିଶାର ପୁରପଲ୍ଲୀରେ ଲୀଳା, ସୁଆଙ୍ଗ ଯାତ୍ରା ବହୁ ପୁରାତନ କାଳରୁ ପ୍ରଚଳିତ ଥିଲା । ମନ୍ଦିରମାଳିନୀ ଉତ୍କଳର ପୁରପଲ୍ଲୀରେ ଯେଉଁ ଲୋକନାଟ୍ୟ ପରମ୍ପରା ଗଢ଼ିଉଠିଥିଲା, ତାହା ଓଡ଼ିଆ ସଂସ୍କୃତିକୁ ଲୋକପ୍ରିୟ କରିପାରିଥିଲା । ଗୋପଲୀଳା, ଗୁଣ୍ଡିଚା ଯାତ୍ରା, ବାହୁଡ଼ା ଯାତ୍ରା, ପାଟୁଆଯାତ୍ରା, ଦଣ୍ଡନାଟ, ଚଇତି ଘୋଡ଼ାନାଟ, ଜାମୁଡ଼ାଳି ଗୀତ, ଗୋଟିପୁଅ ନାଚ, ଗୀତାଭିନୟ, ପରବର୍ତ୍ତୀ ସମୟରେ ପୂର୍ଣ୍ଣାଙ୍ଗ ଗୀତିନାଟ୍ୟର ବିକାଶକୁ ସାହାଯ୍ୟ କରିଥିଲା । ସେହିପରି ତଅପୋଇ ସୁଆଙ୍ଗ, ଚନ୍ଦ୍ରାବତୀ ହରଣ ସୁଆଙ୍ଗ, କପଟ ପଶା ସୁଆଙ୍ଗ, ଲକ୍ଷ୍ମୀପୁରାଣ ସୁଆଙ୍ଗ ପ୍ରଭୃତି କଳାପ୍ରେମୀ ଓଡ଼ିଆ ପ୍ରାଣରେ ନାଟ୍ୟ ରସକୁ ଉଜ୍ଜୀବିତ କରି ରଖିଥିଲା । ଏହି ଲୋକନାଟ୍ୟ ପରମ୍ପରାକୁ ଅଧିକ ଶକ୍ତିଶାଳୀ ଓ ମହୀୟାନ୍‌ କଲେ ବୈଷ୍ଣବପାଣୀ, ଗଣକବି ବାଞ୍ଚାନିଧି ମହାନ୍ତି, ଜଗନ୍ନାଥ ପାଣି, ଗୋବିନ୍ଦଚନ୍ଦ୍ର ସ୍ୱରଦେଓ ଓ ମୋହନ ଗୋସ୍ୱାମୀ ପ୍ରମୁଖ ।

 

ଓଡ଼ିଆ ଲୋକନାଟ୍ୟର ଏକ ଗୌରବମୟ ଐତିହ୍ୟର କ୍ରମବିକାଶ ମଧ୍ୟରେ ୧୮୬୭ ମସିହାରେ ପ୍ରଥମ ଓଡ଼ିଆ ନାଟକ ‘ବାବାଜୀ’ ଲେଖାଯାଇଥିଲା । ଏହି ନାଟକ ଲେଖିଥିଲେ ଜଗନ୍ମୋହନ ଲାଲା । ଏହାର ଦୃଶ୍ୟାବଳୀକୁ ବିଭିନ୍ନ ଅଙ୍କରେ ବିଭକ୍ତ କରାଯାଇଥିଲା ଏବଂ ଏହାକୁ ଏକମୁଖୀ ମଞ୍ଚ ମାଧ୍ୟମରେ ପ୍ରଦର୍ଶନ କରାଯାଇଥିଲା । ପ୍ରଥମକରି ଏକ ସାମାଜିକ ସମସ୍ୟା ଉପରେ ଏହି ନାଟକର କଥାବସ୍ତୁ ଆଧାରିତ ହୋଇଥିଲା ଏହି ନାଟକର ବିଷୟବସ୍ତୁ । ପୁଣି ୧୮୮୦ ମସିହାରେ “ରାମଶଙ୍କରଙ୍କ’’ର କାଞ୍ଚି କାବେରୀ ଏକ ସ୍ୱୟଂସ୍ନିଗ୍‌ଧ ନାଟକ ରୂପେ ପ୍ରତିଷ୍ଠା ଲାଭ କଲା । “କାଞ୍ଚି କାବେରୀ’’ ନାଟକର କଥାବସ୍ତୁ ପୌରାଣିକ କିମ୍ବଦନ୍ତୀ ଓ ଇତିହାସରୁ ସଂଗୃହୀତ । ରାମଶଙ୍କର ଓ ଗୋବିନ୍ଦଚନ୍ଦ୍ର ସ୍ୱରଦେଓ ଓଡ଼ିଆ ନାଟ୍ୟସାହିତ୍ୟରେ ଜାତୀୟବାଦୀ ଧାରାର ପରମ୍ପରା ସୃଷ୍ଟି କରିଥିଲେ । ସର୍ବାପେକ୍ଷା ବିସ୍ମୟକର ବହୁମୁଖୀ ପ୍ରତିଭା ନେଇ ନାଟ୍ୟଜଗତରେ ଆବିର୍ଭୁତ ହେଲେ କବିଚନ୍ଦ୍ର କାଳୀଚରଣ ପଟ୍ଟନାୟକ, କିନ୍ତୁ ତାଙ୍କ ପୂର୍ବରୁ ଅଶ୍ୱିନୀ କୁମାର ଘୋଷ ଓଡ଼ିଆ ନାଟ୍ୟସାହିତ୍ୟର ଆଧୁନିକତାର ଭିତ୍ତି ସ୍ଥାପନ କରିଥିଲେ । ୧୯୧୫ ମସିହାରେ ଅଶ୍ଵିନୀ କୁମାରଙ୍କ ‘ଭୀଷ୍ମ’ ନାଟକ ଅଭିନୀତ ହୋଇ ଉଚ୍ଚ ପ୍ରଶଂସା ଲାଭ କରିଥିଲା, ତାଙ୍କର ଅନ୍ୟାନ୍ୟ ନାଟକ ମଧ୍ୟରେ ‘ବନ୍ଧୁ ମହାନ୍ତି’, ‘ଓଡ଼ିଆ ଝିଅ’, ‘ଚଷା ଝିଅ’, ‘ଭାଇ’, ‘ଅସତୀ’, ‘ଶ୍ରୀଲୋକନାଥ’ ମଧ୍ୟ ଯଥେଷ୍ଟ ପ୍ରଶଂସାଭାଜନ ହୋଇପାରିଥିଲା । ଅଶ୍ୱିନୀ କୁମାରଙ୍କ ନାଟକଗୁଡ଼ିକ ଅଧିକ ସଂଳାପ ଓ କାବ୍ୟଧର୍ମୀ । କିନ୍ତୁ କବିଚନ୍ଦ୍ର କାଳିଚରଣ ପଟ୍ଟନାୟକ ଓଡ଼ିଆ ନାଟ୍ୟ ଆନ୍ଦୋଳନକୁ ଏକ ନୂତନ ରୂପ ଦେବାରେ ସମର୍ଥ ହୋଇଥିଲେ । ଐତିହାସିକ କିମ୍ବଦନ୍ତୀ ଓ ପୌରାଣିକ ନିଗଡ଼ ମଧ୍ୟରୁ ମୁକ୍ତ କରି ସେ ଓଡ଼ିଆ ନାଟକକୁ ଏକ “ସାମାଜିକ ରୂପରେଖ ଦେଇଥିଲେ । ତାଙ୍କର ନାଟକଗୁଡ଼ିକ ମଧ୍ୟରେ ‘ଗାର୍ଲସ ସ୍କୁଲ’ (୧୯୪୦), ଭାତ (୧୯୪୪), ରକ୍ତମାଟି (୧୯୪୭) ଓଡ଼ିଆ ଦର୍ଶକମାନଙ୍କୁ ବିମୁଗ୍‌ଧ କରିଥିଲା । ‘ଭାତ’ ନାଟକଟି ଏତେ ଲୋକପ୍ରିୟତା ଅର୍ଜନ କରିଥିଲା ଯେ, ତାହା ୧୦୮ ରାତ୍ର ଅଭିନୀତ ହୋଇଥିଲା । ସେହିପରି ‘ରକ୍ତମାଟି’ ମଧ୍ୟ ତାଙ୍କର ସଫଳକୃତି । ଏହି ରକ୍ତମାଟିରେ ପୁଞ୍ଜିପତି ମିଲ୍‌ ମାଲିକଙ୍କର ଶୋଷଣ ଓ ନିରୀହ ପଲ୍ଲୀବାସୀ ଓଡ଼ିଆ ଜୀବନର କରୁଣ ଚିତ୍ର, ଦର୍ଶକ ପ୍ରାଣରେ ଗଭୀର ରେଖାପାତ କରିଥିଲା । ମାୟାଧର ମାନସିଂହ ତାଙ୍କର History of Oriya literature ରେ ଯଥାର୍ଥରେ ଲେଖିଛନ୍ତି-” It was Kalibabu who made acting a natural art on the Orissan stage-a much more difficult thing than the artificial formal and stereotyped performances of old days. He has made dialogue natural too, and has used music for excellent stage effects. କିନ୍ତୁ ଡଃ ମାନସିଂହ ଯେଉଁ ଆକ୍ଷେପୋକ୍ତି କରିଛନ୍ତି– “କାଳିବାବୁ ତାଙ୍କ ନାଟକଗୁଡ଼ିକୁ ଅତ୍ୟଧିକ ସୁଆଙ୍ଗ; ଯାତ୍ରା ରୀତିରେ ଭାରାକ୍ରାନ୍ତ କରି ନିମ୍ନଗାମୀ କରି ଦେଇଛନ୍ତି”-ତାହା ବାସ୍ତବରେ ଠିକ୍‌ ନୁହେଁ, କାରଣ ତତ୍କାଳୀନ ସମାଜର ଦର୍ଶକର ମନୋରଞ୍ଜନ ପାଇଁ; ଲୋକନାଟ୍ୟ ରୀତି ହିଁ ଖୁବ୍‌ ଆକର୍ଷଣୀୟ ଥିଲା । ଓଡ଼ିଶାର ନାଟ୍ୟ-ସାହିତ୍ୟରେ କାଳୀବାବୁ ଯେ ଜଣେ ବହୁମୁଖୀ ପ୍ରତିଭାର ଉଜ୍ଜଳ ଜ୍ୟୋତିଷ୍କ ଥିଲେ-ଏହା ସମସ୍ତେ ସ୍ୱୀକାର କରିବେ । ତାଙ୍କର ଐକାନ୍ତିକ ଆଗ୍ରହ ଓ ସାଧନା ବଳରେ ସେ ଓଡ଼ିଆ ନାଟ୍ୟ-ସାହିତ୍ୟକୁ ଉନ୍ନତ କରିବା ସଙ୍ଗେ ସଙ୍ଗେ ଓଡ଼ିଶୀ ନୃତ୍ୟକୁ ବିଶ୍ୱ ଦରବାରରେ ପରିଚିତ କରିପାରିଥିଲେ । ତେଣୁ ସେ ଆଜି ଆମର ସବୁ କଳାପ୍ରେମୀ ଓଡ଼ିଶାବାସୀଙ୍କର ନମସ୍ୟ ।

 

ସ୍ୱାଧୀନତା ପରବର୍ତ୍ତୀ ସାମାଜିକ ନାଟକ ଲେଖି ଯେଉଁ ନାଟ୍ୟକାରମାନେ ଉଚ୍ଚ ପ୍ରଶଂସିତ ହୋଇଛନ୍ତି,– ସେମାନେ ହେଲେ ଗୋପାଳ ଛୋଟରାୟ, ଭଞ୍ଜକିଶୋର ପଟ୍ଟନାୟକ, କମଳଲୋଚନ ମହାନ୍ତି, ପ୍ରାଣବନ୍ଧୁ କର, ଅନନ୍ତ ପଣ୍ଡା, ରାମଚନ୍ଦ୍ର ମିଶ୍ର ଓ ବ୍ୟୋମକେଶ ତ୍ରିପାଠୀ । ଗୋପାଳ ଛୋଟରାୟଙ୍କର ‘ଭରସା’, ‘ଅମଡ଼ା ବାଟ’, ଭଞ୍ଜକିଶୋରଙ୍କର ‘ବେନାମୀ’ ଓ ‘ବୈରାଗ୍ୟର ସଂସାର’ , କମଳ ଲୋଚନ ମହାନ୍ତିଙ୍କ ‘କିରାଣୀ’ ଓ ‘ଡାକବଙ୍ଗଳା’, ପ୍ରାଣବନ୍ଧୁ କରଙ୍କ ‘ମାମୁଁ’ ଓ ‘ଯଜ୍ଞଶାଳ’, ରାମଚନ୍ଦ୍ର ମିଶ୍ରଙ୍କ ‘ମୂଲିଆ’ ଓ ‘ଘର ସଂସାର’ ଓ ବ୍ୟୋମକେଶ ତ୍ରିପାଠୀଙ୍କ ‘କଂସା କବାଟ’ ଓ ‘ତୋଳା କନିଆ’ ଓଡ଼ିଶାର ଅଗଣିତ ଦର୍ଶକଙ୍କୁ ମୁଗ୍‌ଧ କରିଥିଲା । ଯୁଦ୍ଧୋତ୍ତର ଯୁଗରେ ବିଭିନ୍ନ ସାମାଜିକ ସମସ୍ୟାଗୁଡ଼ିକ ନାଟକରେ ପରିବେଷିତ କରିବାର ଦ୍ୱିବିଧ ଉଦ୍ଦେଶ୍ୟ ଥିଲା । ଏକ ଦିଗରେ ମନୋରଞ୍ଜନ, ଅନ୍ୟ ଦିଗରେ ସାମାଜିକ ପରିବର୍ତ୍ତନ ପାଇଁ ସଚେତନତା । ଏହି ଦ୍ୱିବିଧ ଉଦ୍ଦେଶ୍ୟକୁ ସଫଳ ଭାବରେ ରୂପାୟିତ କରିବା ପାଇଁ ବ୍ୟାବସାୟିକ ଭିତ୍ତିରେ ଗଢ଼ିଉଠିଥିବା ଓଡ଼ିଶାର ରଙ୍ଗମଞ୍ଚର ଭୂମିକା ଅତି ଗୁରୁତ୍ୱପୂର୍ଣ୍ଣ । ସ୍ୱାଧୀନତାର ବହୁ ପୂର୍ବରୁ ପାରଳାଖେମୁଣ୍ଡିର ‘ପଦ୍ମାଳୟା ରଙ୍ଗାଳୟ’ (୧୮୮୪); ବାଲେଶ୍ୱରର ‘ରାଧାଗୋବିନ୍ଦ ଥିଏଟର’ (୧୮୯୮), ‘ଜୁଭିନାଇଲ ଥିଏଟର’ ପୁରୀର ‘ବନମାଳୀ ଥିଏଟର’ (୧୯୧୧), ‘ରାଧାଗୋବିନ୍ଦ ଥିଏଟର’ (୧୯୧୨) ପ୍ରମୁଖ ଓଡ଼ିଶା ରଙ୍ଗମଞ୍ଚର ଯେଉଁ ଆଲୋକବର୍ତ୍ତିକା ଜଳାଇଥିଲେ, ତାହାର ପୂର୍ଣ୍ଣାଙ୍ଗ ରୂପରେଖ ନେଇ ଆବିର୍ଭୁତ ହେଲା ଅନ୍ନପୂର୍ଣ୍ଣା ୧୯୩୯ ମସିହାରେ । ବାଣପୁର ଖଣ୍ଡୁଆଳକୋଟ ଗ୍ରାମର କଳାପ୍ରେମୀ ସୋମନାଥ ଦାସ ବ୍ୟବସାୟିକ ଭିତ୍ତିରେ ଆରମ୍ଭ କଲେ ରଙ୍ଗମଞ୍ଚ । ୧୯୩୯ ମସିହାରେ ଏହି ରଙ୍ଗମଞ୍ଚରେ ଅଭିନୀତ ହେଲା ବଙ୍ଗଳାରୁ ଅନୂଦିତ ନାଟକ ‘P.W.D.’ । ବ୍ୟବସାୟିକ ଭିତ୍ତିରେ କିଛିବର୍ଷ ଚାଲିଲା ପରେ ଏହି ରଙ୍ଗମଞ୍ଚର ଦୁର୍ଦ୍ଦିନ ଆସିଲା । ଠିକ୍‌ ୬ ବର୍ଷ ପରେ ଅନ୍ନପୂର୍ଣ୍ଣା ଦ୍ୱିଭାଗରେ ବିଭକ୍ତ ହୋଇଗଲା । ୧୯୪୫ ମସିହାରେ ଜନ୍ମ ନେଲା ଅନ୍ନପୂର୍ଣ୍ଣା ‘ବି’ ଗ୍ରୁପ । ୧୯୪୭ ମସିହାରେ କାଳୀବାବୁଙ୍କ ପ୍ରଗାଢ଼ ଉଦ୍ୟମରେ ‘ଉତ୍କଳ ଥିଏଟର’ ବ୍ୟବସାୟିକ ଭିତ୍ତିରେ ଗଢ଼ିଉଠି, ନାଟ୍ୟଜଗତରେ ଚହଳ ସୃଷ୍ଟି କଲା । ଏହାପରେ ୧୯୫୦ରେ ରୂପଶ୍ରୀ ଓ ୧୯୫୩ରେ ଜନତା ରଙ୍ଗମଞ୍ଚ ଗଠିତ ହେଲା । କିନ୍ତୁ ଅନ୍ନପୂର୍ଣ୍ଣା ‘ବି’ ଛଡ଼ା ଅନ୍ୟସବୁ ରଙ୍ଗମଞ୍ଚ କ୍ରମେ କ୍ରମେ ନିଷ୍ପ୍ରଭ ହୋଇଗଲା । ଅନ୍ନପୂର୍ଣ୍ଣା ‘ବି’ ଗ୍ରୁପର ଅତ୍ୟାଧୁନିକ ରଙ୍ଗମଞ୍ଚ ନାହିଁ । ଏହା ଏକ ଭ୍ରାମ୍ୟମାଣ ନାଟ୍ୟଦଳ ରୂପେ ଢୋକେ ପିଇ ଦଣ୍ଡେ ଜିଇ ରହଛି । ବାସ୍ତବିକ ଏହା ଓଡ଼ିଶାର କଳା-ସଂସ୍କୃତି ପକ୍ଷରେ ଦୁଃଖଦାୟକ । କଲିକତାର ଘୂର୍ଣ୍ଣାୟମାନ (Revolving) ଏକ liftstage ତିଆରି ହେବା କଥା ଆମେ ଆଜି ସୁଦ୍ଧା ଚିନ୍ତା କରିପାରୁନୁ । ଆମର ଏ ପାଇଁ ମାନସିକ ପ୍ରସ୍ତୁତି ଓ ସାମଗ୍ରିକ ଚେଷ୍ଟା ନାହିଁ । ଆର୍ଥିକ ଦୁର୍ଗତି ଯୋଗୁଁ, ଗାଁ ଗହଳରେ ଅସଂଖ୍ୟ ଚଉପାଠୀ ଓ ମୁକ୍ତାଙ୍ଗନରୁ ରଙ୍ଗ ରୂପ ମଧ୍ୟ ଆଜି ଲୋପ ପାଇଯାଇଛି । ରଙ୍ଗମଞ୍ଚକୁ ଏହି ଦୁଃସ୍ଥିତିରୁ ଉଦ୍ଧାର ପାଇଁ ସାଂସ୍କୃତିକ ବିଭାଗ ତଥା ବିଭିନ୍ନ ସୌଖିନ ନାଟ୍ୟସଂସ୍ଥାର କର୍ମକର୍ତ୍ତାମାନେ ପ୍ରଗାଢ଼ ଉଦ୍ୟମ କରିବା ଉଚିତ- କାରଣ, ଓଡ଼ିଆ ନାଟ୍ୟ-କଳାର ଭବିଷ୍ୟତ ରଙ୍ଗମଞ୍ଚରେ ଆଲୋକ ନିଷ୍ପ୍ରଭ ହୋଇଗଲା, ସେମିତି ନାଟ୍ୟ-କଳାର ଧାରା କ୍ରମେ କ୍ରମେ ଅନ୍ତର୍ମୁଖୀ ହୋଇ, ଓଡ଼ିଶାର ଜନଜୀବନଠାରୁ ବିଚ୍ୟୁତ ହୋଇଗଲା, ତା’ର ଆଭାସ ଦେବା ମୁଁ କର୍ତ୍ତବ୍ୟ ମନେ କରୁଛି । ନିଜର କଳା ଓ ସଂସ୍କୃତିକୁ ଛାଡ଼ି ହଠାତ୍‌ ଆମ ନାଟ୍ୟକାରମାନେ ବାରଦୁଆର ଶୁଣ୍ଢିପିଣ୍ଡା ହୋଇ ପାଶ୍ଚାତ୍ୟ ନାଟ୍ୟକାରମାନଙ୍କର ନାଟକଗୁଡ଼ିକର ଛାୟାରେ ଲେଖିଲେ ‘ଉଦ୍ଭଟ’ ନାଟକ । ଗଢ଼ିଉଠିଲା ଅନେକ ସାମୟିକ ସୌଖିନ ନାଟ୍ୟସଂସ୍ଥା । ଜଣେ ଜଣେ ନାଟ୍ୟକାରଙ୍କୁ କେନ୍ଦ୍ରବିନ୍ଦୁରେ ରଖି ଏମାନେ କିଛିଦିନ ଘୂରିଲେ । ଯଦି ୧୯୫୦ରୁ ୧୯୬୦ ମଧ୍ୟରେ ଓଡ଼ିଶାର ବିଶିଷ୍ଟ ନାଟ୍ୟକାର ତଥା କଳାକାରମାନେ ସଂଘବଦ୍ଧ ଭାବରେ ପ୍ରତି ଜିଲ୍ଲାରେ ସ୍ଥାୟୀ ରଙ୍ଗମଞ୍ଚ ପାଇଁ ଗଠନମୂଳକ ଭୂମିକା ଗ୍ରହଣ କରିଥାନ୍ତେ, ତାହାହେଲେ ଓଡ଼ିଶାର ନାଟ୍ୟକଳା ଓ ରଙ୍ଗମଞ୍ଚ ଏତେଟା ବିପଥଗାମୀ ହୋଇ ନ ଥାନ୍ତା । ସାଂଗଠନିକ ବିଶୃଙ୍ଖଳା ଓ ଆର୍ଥିକ ଦୁଃସ୍ଥିତି ହିଁ ଆମର ରଙ୍ଗମଞ୍ଚର ସୁନେଲି ସ୍ୱପ୍ନକୁ ଭାଙ୍ଗି ଚୁରମାର କରିଦେଲା । ଏ ଦିଗରେ ବୁଦ୍ଧିଜୀବୀ କଳାପ୍ରେମୀମାନଙ୍କର ଉଦାସୀନତାକୁ ମୁଁ ଅଧିକ ଦାୟୀ କରିବି । କିନ୍ତୁ ସବୁଠୁ କୌତୁହଳପୂର୍ଣ୍ଣ ବିଷୟ ହେଉଛି ଯେ, ୧୯୬୦ ମସିହାଠାରୁ ୧୯୮୦ ପର୍ଯ୍ୟନ୍ତ ଏହି ଦୀର୍ଘ ୨୦ ବର୍ଷ ଓଡ଼ିଶାର କିପରି ଉଦ୍ଭଟ ନାଟକର ଝଡ଼ ବୋହିଚାଲିଲା, ତା’ର ରୂପରେଖ ବିଷୟରେ ଆମ ସମସ୍ତଙ୍କର ଜାଣିରଖିବା ଉଚିତ୍‌ । ଏହି ଦୀର୍ଘ ୨୦ ବର୍ଷ ମଧ୍ୟରେ ଉଦ୍ଭଟ ନାଟକଗୁଡ଼ିକୁ ‘ନବନାଟ୍ୟ ଆନ୍ଦୋଳନ’ର ବାହକ ବୋଲି ସମାଲୋଚକମାନେ ତର୍ଜ୍ଜମା କରିଥାନ୍ତି । ତେବେ ଏହି ଅନ୍ତର୍ମୁଖୀ ନବନାଟ୍ୟ ଆନ୍ଦୋଳନରୁ କିଛି ରୀତି, କିଛି ନୀତି ଓ କିଛି ଆଙ୍ଗିକ ଯେ ଗ୍ରହଣ କରିବାର ଅଛି, ତାହା କେହି ଅସ୍ୱୀକାର କରିପାରିବେ ନାହିଁ । ‘ମୃଗୟା’ ତଟନିରଞ୍ଜନା, ‘କାଠଘୋଡ଼ା’, ‘ମାଂସର ଫୁଲ’ ଯେ ଆମ ନାଟ୍ୟ-ସାହିତ୍ୟର ଉଜ୍ଜ୍ୱଳ ଜ୍ୟୋତିଷ୍କ, ଏଥିରେ ସନ୍ଦେହ କରିବାର ନାହିଁ । ସୃଜନୀ, ସଙ୍କେତ ଓ ଫ୍ରେଣ୍ଡସ୍‌ ୟୁନିୟନ ପ୍ରଭୃତି ପ୍ରଧାନ ପ୍ରଧାନ ନାଟ୍ୟସଂସ୍ଥାଗୁଡ଼ିକ ସପ୍ତଦଶକରେ ଓଡ଼ିଆ ନବନାଟ୍ୟ ଆନ୍ଦୋଳନକୁ ତ୍ୱରାନ୍ୱିତ କରିବାରେ ସାହାଯ୍ୟ କରିଥିଲେ ।

 

୧୯୫୦ ରେ ମନୋରଞ୍ଜନ ଦାସଙ୍କ ‘ଆଗାମୀ’ ନାଟକ ଯେଉଁ ନୂତନ ସ୍ୱରଲିପି ବହନ କଲା, ତାହା କ୍ରମେ କ୍ରମେ ନୂତନ ସ୍ୱର ଓ ନୂତନ ଦୃଷ୍ଟିଭଙ୍ଗୀ ନେଇ ଏକ ପ୍ରତୀକଧର୍ମୀ ନାଟ୍ୟ ଆନ୍ଦୋଳନ ଆଡ଼କୁ ଗତିକଲା । ୧୯୬୪ ରେ ‘ସୃଜନୀ’ ପରିବେଷଣ କଲା ମନୋରଞ୍ଜନଙ୍କ ‘ସାଗରମନ୍ଥନ’ । ଏହି ନାଟକ Priestlyଙ୍କ Inspectors callର ଛାୟାରେ ଲିଖିତ । ଏହି ନାଟକ ପ୍ରଦର୍ଶନର ଠିକ୍‌ ଚାରିବର୍ଷ ପରେ ବିଜୟ ମିଶ୍ରଙ୍କ–‘ଶବ ବାହକମାନେ’, ଫ୍ରେଣ୍ଡସ୍‌ ୟୁନିୟନ ଓଡ଼ିଶା ନାଟକ ଏକାଡେମୀ ଦ୍ୱାରା ଆୟୋଜିତ ନାଟକ ଉତ୍ସବରେ ପରିବେଷିତ ହୋଇ ସର୍ବୋତ୍କୃଷ୍ଟ ପୁରସ୍କାର ଲାଭ କଲା । ଓଡ଼ିଶାରେ ଉଦ୍ଭଟ ନାଟକର ଭିତ୍ତିଭୂମି ଏଇଠି ଗଢ଼ିଉଠିଲା । ଏହି ନାଟକର ବିଷୟବସ୍ତୁ ହେଲା-ଧନଚିନ୍ତା ଓ ଧନ ଦାମ୍ଭିକତା ମଣିଷକୁ ଅନ୍ଧୀଭୂତ କରିଦେଇଛି । ତେଣୁ ମଣିଷ ଆଜି ନିଃସଙ୍ଗ । ଏଥିରେ ଚରିତ୍ରଗୁଡ଼ିକ ନିର୍ଦ୍ଦିଷ୍ଟ ଚରିତ୍ରର କଥା କୁହେନାହିଁ, ସବୁମଣିଷର କଥା କୁହେ । ସମସ୍ତଙ୍କୁ ଶବର ଦୁ‌ର୍ଗନ୍ଧ ପୀଡ଼ା ଦେଉଛି । ଏହି ନାଟକ ଉପରେ ‘ଆଇନେସ୍କୋ’ଙ୍କ ‘ଆମିଡ଼ି’ (Ameedee) (୧୯୫୩) ନାଟକର ପ୍ରଭାବ ପଡ଼ିଛି । ‘ଆମିଡ଼ି’ର ‘ଶବ’ ଯେପରି ଓଡ଼ିଆ ମାଟିରେ ଏକ ନୂତନ ରୂପରେ ପ୍ରକଟିତ । ‘ଶବ ବାହକମାନେ’ ନାଟକରେ ବୌଦ୍ଧିକ ଦୃଷ୍ଟିକୋଣରୁ ବିଜୟ ମିଶ୍ରଙ୍କ ଏହି ନାଟକ ଏକ ଚମତ୍କାର କୃତି । ମନୋରଞ୍ଜନ ଦାସଙ୍କ ବନହଂସୀ (୧୯୬୨), ‘ଅରଣ୍ୟ ଫସଲ’ (୧୯୬୯), ଅମୃତସ୍ୟ ପୁତ୍ର (୧୯୭୨), କାଠଘୋଡ଼ା (୧୯୭୨), ବିଶ୍ୱଜିତ୍‌ ଦାସଙ୍କ ‘ମୃଗୟା’ (୧୯୭୩), ରତ୍ନାକର ଚଇନିଙ୍କ ‘ପୁନଶ୍ଚ ପୃଥିବୀ’ ଓ ‘ଶୂନ୍ୟତାର ସିଡ଼ି’ (୧୯୭୨),ଯଦୁନାଥ ଦାଶ ମହାପାତ୍ରଙ୍କର (ଅଥବା ଅନ୍ଧାର), ରମେଶ ପାଣିଗ୍ରାହୀଙ୍କ ‘ଜଣେ ମହାପୁରୁଷଙ୍କ ଜନ୍ମ ଓ ମୃତ୍ୟୁ ସମ୍ପର୍କରେ’ (୧୯୭୭) ହରିହର ମିଶ୍ରଙ୍କ ‘ହେ ନିଷାଦ ନିର୍ଭୀକ ହୁଅ’ (୧୯୬୬), କାର୍ତ୍ତିକ ରଥଙ୍କ ‘ଇଶ୍ୱର ଜଣେ ଯୁବକ’ (୧୯୭୯),ଜଗନ୍ନାଥ ଦାସଙ୍କ ‘ସୂର୍ଯ୍ୟାସ୍ତ ପୂର୍ବରୁ’ ଏବଂ ସର୍ବଶେଷରେ ବିଜୟ ମିଶ୍ରଙ୍କର ‘ଯାଦୁକର’ (୧୯୭୭), ‘ତଟନିରଞ୍ଜନା’ (୧୯୭୮), ମନୋରଞ୍ଜନଙ୍କ ‘କ୍ଳାନ୍ତ ପ୍ରଜାପତି’ (୧୯୭୯) ନାଟକଗୁଡ଼ିକ ଓଡ଼ିଆ ନବନାଟ୍ୟ ଆନ୍ଦୋଳନରେ ବୌଦ୍ଧିକ ଜଗତରେ ଯେତିକି ଆଲୋଡ଼ନ ଉଦ୍ଦୀପନା ସୃଷ୍ଟି କରିଛି, ସେତିକି ଅରୁଚି ଓ ଉଦାସୀନତା ସୃଷ୍ଟି କରିଛି-ଅଗଣିତ ପୁରପଲ୍ଲିର..... ‘ଭାତ’ ଓ ‘ମୂଲିଆ’ର ଦର୍ଶକମାନଙ୍କ ମଧ୍ୟରେ । ମୋର ମନେଅଛି, ଥରେ ବାଲେଶ୍ୱରରେ ସଙ୍ଗୀତ ନାଟକ ଏକାଡେମୀ ଦ୍ୱାରା ସପ୍ତମ ନାଟକୋତ୍ସବ ହେଉଥାଏ । ବାଲେଶ୍ୱର ସହରର ଆଖପାଖ ଗାଁର ଅନେକ ଦର୍ଶକ ଆସିଥିଲେ । ନାଟକ ଚାଲିଥିବାବେଳେ ମଝିରୁ ଦର୍ଶକମାନେ ଉଠିପଡ଼ି ବିରକ୍ତ ହୋଇ ଚାଲିଯାଉଥାନ୍ତି । ମୁଁ ପଚାରିଲି–‘ଆଜ୍ଞା ଉଠିଗଲେ’ ! ସେମାନଙ୍କ ମଧ୍ୟରୁ କେତେକ ମନ୍ତବ୍ୟ କଲେ,-“ଅଭିନେତାମାନଙ୍କ ମୁହଁରୁ ଏମିତି “ଖଣ୍ଡିତ ନୀତିବାକ୍ୟ’’ ଶୁଣିବାକୁ ଆସିନୁ ।” ତାଙ୍କ ମଧ୍ୟରୁ ଜଣେ ଉଭଟ ନାଟକର ସଂଳାପ ପରି ଥଟ୍ଟା କରି ଆରମ୍ଭ କଲେ– ‘ବଣରେ ବାଘ ସହରରେ ମଧ୍ୟ ବାଘ ।’ ଚାଲ ଯିବା ।” ଏଥିରୁ ସ୍ପଷ୍ଟ ଅନୁମାନ କରାଯାଇପାରିବ ଯେ- ଉଭଟ ନାଟକଗୁଡ଼ିକ ଖୁବ୍‌ ଉଚ୍ଚକୋଟୀର ଓ ପ୍ରତୀକଧର୍ମୀ ଏବଂ ଗଭୀର ଅନ୍ତର୍ଦୃଷ୍ଟିସମ୍ପନ୍ନ ହୋଇ ସଫଳ ଭାବରେ ଅଭିନୀତ ହେଲେ ମଧ୍ୟ ତାହା କେତେକ ମୁଷ୍ଟିମେୟ ଶିକ୍ଷିତ ଦର୍ଶକମାନଙ୍କୁ ଆମୋଦଦାୟକ ହୋଇପାରେ । କିନ୍ତୁ ଓଡ଼ିଶାର ପୁରପଲ୍ଲୀର ଅଗଣିତ ଦର୍ଶକମାନଙ୍କ ମଧ୍ୟରେ ଏହା ବିରକ୍ତି ଓ ଉଦାସୀନତା ସୃଷ୍ଟି କରୁଛି ଓ କରିବ ମଧ୍ୟ । କାରଣ, ସେମାନେ ଅହରହ ଲହୁଲୁହାଣ ହୋଇ ଜୀବନ ସହିତ ସଂଗ୍ରାମ କରିଚାଲିଛନ୍ତି । ମୃତ୍ୟୁ ଆସୁ, ମଡ଼କ ଆସୁ, ସେମାନେ ଦୁଃଖକୁ ପିଇଜାଣନ୍ତି । ସେମାନେ ସଂଗ୍ରାମୀ ଆଉ ନିର୍ଭୀକ । ସେମାନଙ୍କ ଆଗରେ ଉଦ୍ଭଟ ‘ଜୀବନର ନେତିବାଣୀ’ ବା ‘ଜୀବନ ଅର୍ଥହୀନ’ ଓ ‘ଅନ୍ଧାରମୟ’ । ଏମିତି କ୍ରିପ୍‌ଟିକ୍‌ ଡାଇଲଗ୍‌ ସର୍ବସ୍ୱ ନାଟକଗୁଡ଼ିକ ଯେ ନୀରସ ଓ ନିରୁତ୍ସାହ ସୃଷ୍ଟି କରିବ, ଏଥିରେ ସନ୍ଦେହ ନାହିଁ । ସେମାନେ ଦେଖିବାକୁ ଚାହାନ୍ତି ଅନ୍ଧାର ମଧ୍ୟରେ ଜୀବନର ଜୟୋଲ୍ଲାସ ।

 

ନାଟ୍ୟକାର ବିଜୟ ମିଶ୍ର ତାଙ୍କର “ଶବ ବାହକମାନେ” ନାଟକର ମୁଖବନ୍ଧରେ ଏପ୍ରିଲ୍‌ ୧୯୬୮ରେ ଯେଉଁ ସ୍ୱୀକାରୋକ୍ତି କରିଥିଲେ, ତାହା ଏବେ ବି ଆଂଶିକ ଭାବରେ ସତ୍ୟ ଅଟେ । ସେ ଲେଖିଥିଲେ–“ବହୁତ ଦିନ ଧରି ଗୋଟାଏ ପ୍ରକାରର ଗୋଟିଏ ଛନ୍ଦର ନାଟକ ଲେଖି ଲେଖି ମୁଁ କ୍ଳାନ୍ତ ହୋଇପଡ଼ିଥିଲି । ଟିକିଏ ଅନ୍ୟପ୍ରକାର ଶୈଳୀରେ ପରୀକ୍ଷା ପାଇଁ ଏମିତି ନାଟକ ଲେଖିଲି ।” ତେବେ ମୁଁ ଏ କଥା ମାନିବାକୁ ପ୍ରସ୍ତୁତ ଯେ ନାଟକ କିଛି ନୂଆ ଧରଣର–ସାମାନ୍ୟ ଭିନ୍ନ ଚିନ୍ତାର । ଏ ନାଟକ ଏକ ମାନସିକ ନାଟକ । ଏକ ନିର୍ଦ୍ଦିଷ୍ଟ ଅବସ୍ଥାରେ ଏକ ନିର୍ଦ୍ଦିଷ୍ଟ ବସ୍ତୁକୁ (ଶବ) ଆଖି ଆଗରେ ରଖି ଚିରନ୍ତନ ମଣିଷର ରଙ୍ଗହୀନ ରୂପ ହେଉଛି ଏ ନାଟକ । ତେଣୁ ଏ ନାଟକ ଯେତିକି ନୀରସ, ସେତିକି Anti-realistic । ବେକେଟ୍‌ଙ୍କ “Waiting for godot” (୧୯୫୨) ଆୟନାସ୍କୋଙ୍କ ଆମିଡ଼ି (Ameedee) (୧୯୫୩), ଆଜକୁ ପ୍ରାୟ ୨୮ ବର୍ଷ ତଳେ ଲେଖାଯାଇଥିଲା । ସେ ନାଟକଗୁଡ଼ିକର ମୂଳ କଥାବସ୍ତୁ ଓ ଅଙ୍ଗୀକାରର ଛାୟାରେ ଯଦି ଆମେ ଆଜି ନାଟକ ଲେଖୁ ଏବଂ କୌଣସି ଓଡ଼ିଆ ପୁରପଲ୍ଲୀରେ ଏକ ନାଟକ ଉତ୍ସବରେ ପରିବେଷଣ କରୁ, ତେବେ ସେହି ରଜନୀରେ ହିଁ ଦର୍ଶକମାନଙ୍କଠାରୁ ଢେଲାମାଡ଼ ମିଳିବାର ସମ୍ଭାବନା ।

 

ଆମ ନାଟକଗୁଡ଼ିକ କିପରି ଜନପ୍ରିୟ କରାଯାଇ ପାରିବ, ତାହା ହିଁ ଆଜି ଆମର ଅନୁଚିନ୍ତା ହେଉ । ଏ ଦିଗରେ ମରାଠୀ ନାଟ୍ୟକାର ବିଜୟ ତେନ୍ଦୁଲକରଙ୍କ ‘ଘାସୀରାମ’ କେର୍ଟୱାଲ (୧୯୮୦) ଏକ ଉଜ୍ଜଳ ପଥପ୍ରଦର୍ଶକ । କାରଣ, ଏହା ମରାଠୀ ଲୋକ-ନାଟ୍ୟ ପରମ୍ପରା ଓ ଏକ ଐତିହାସିକ ସତ୍ୟ ଉପରେ ଆଧାରିତ । ଏହି ନାଟକ ୧୯୮୦ ସେପ୍‌ଟେମ୍ବର ୨୬ ତାରିଖରେ ପଶ୍ଚିମ ଜର୍ମାନୀର ବର୍ଲିନ ସହରରେ ‘ପୁନୀ’ ଥିଏଟର ଏକାଡେମୀ ଦ୍ୱାରା ଅଭିନୀତ ହେଲା ପରେ, ସାରା ୟୁରୋପରେ ଚହଳ ପକାଇଥିଲା । ଏହି ନାଟକଟି ୟୁରୋପର ୨୫ଟି ସହରରେ ଅଭିନୀତ ହୋଇ, ପାଶ୍ଚାତ୍ୟ ଦର୍ଶକ ଓ ସମାଲୋଚକକୁ ମୁଗ୍‌ଧ କରିଥିଲା । ଏହି ନାଟକ ଆଗରେ ପାଶ୍ଚାତ୍ୟ ଉଦ୍ଭଟ ନାଟକଗୁଡ଼ିକର ପରିବେଷଣ ମ୍ରିୟମାଣ ହୋଇଯାଇଥିଲା । ୟୁରୋପର ଏକ ବିଶିଷ୍ଟ ସମ୍ବାଦପତ୍ର Guardian ଲେଖିଥିଲେ– “It is one of the many experiments with traditional forms-through which Indian Theatre is achieving solution and synthesis that would in turn be an inspiration to western theatre; that is why, the work deserves to be seen in an international context”

 

ତେଣୁ, ଆଜି ଆମେ ପାଶ୍ଚାତ୍ୟମୁଖୀ ନ ହୋଇ ଆତ୍ମସମୀକ୍ଷା କରିବା ଉଚିତ ଓ ଅନୁଧ୍ୟାନ କରିବା ଉଚିତ, କିପରି ଆମ ଓଡ଼ିଆ ନାଟକଗୁଡ଼ିକ ଆମ ଲୋକ-ନାଟ୍ୟର ପରମ୍ପରା ଉପରେ ଓ ଜନ ଜୀବନର ବାସ୍ତବ ଘଟଣା ଉପରେ ଆଧାରିତ ହୋଇ, ଓଡ଼ିଶାର ପୁରପଲ୍ଲୀର ଅଗଣିତ ଦର୍ଶକମାନଙ୍କୁ ଆନନ୍ଦମୁଖର କରି ଉଦ୍‌ବେଳିତ କରିପାରିବ ।

 

ପ୍ଳଟ ନଂ-୪୩୨୩/C

ଲୁଇସ୍‌ ରୋଡ଼-ରବି ଟକିଜ ସ୍କୋୟାର

ଭୁବନେଶ୍ଵର-୨

 

***

 

Unknown

ଓଡ଼ିଆ ଲୋକ-ସାହିତ୍ୟରେ ଲୋକ-ଜୀବନ :

ଏକ ନୃତାତ୍ତ୍ୱିକ ଅଧ୍ୟୟନ

ଡକ୍ଟର ଆଦିକନ୍ଦ ସାହୁ

 

ସାହିତ୍ୟ ସବୁକାଳରେ କମ୍‌ବେଶୀରେ ଏକ ଜୀବନ-ନିଷ୍ଠ କଳା । ଲୋକ-ସାହିତ୍ୟରେ ବିପୁଳ ଜୀବନର ଉଦ୍ଭାସନ ବରଂ ଆହୁରି ପ୍ରତ୍ୟକ୍ଷ । ଜୀବନକୁ ସାହିତ୍ୟରେ ନାନା ଭାବରେ, ନାନା ସଙ୍କେତରେ ଉଦ୍ଭାସିତ କରିବାର ଏକ ସୁସ୍ପଷ୍ଟ ବିବର୍ତ୍ତନକ୍ରମ ଓ ତା’ର ନୃତାତ୍ତ୍ୱିକ ଦିଗଟି ଲୋକ-ସାହିତ୍ୟରେ ବସ୍ତୁତ ଅଧିକ ସ୍ପଷ୍ଟ । ବିଦଗ୍‌ଧ ସାହିତ୍ୟରେ ପ୍ରତ୍ୟକ୍ଷ ଲୋକ-ଜୀବନକୁ ଲେଖିବାରେ ନୈର୍ବ୍ୟକ୍ତିକତା ନାମରେ ବହୁ ବାଧା ଓ ଛଦ୍ମତା ରହିଛି; ଯାହା ପ୍ରକୃତରେ ଲୋକ-ସାହିତ୍ୟରେ ଆଦୌ ନାହିଁ କହିଲେ ଚଳେ ।

 

ଅତି କଳ୍ପନା, ଅତ୍ୟଧିକ ଆଳଙ୍କାରିକତା, ରୂପକଧର୍ମୀତା, ଚେଷ୍ଟାକୃତ ବୌଦ୍ଧିକତା, ମିଥ୍‌ ଓ ଚିତ୍ରକଳ୍ପର ପ୍ରୟୋଗ ବିଦଗ୍‌ଧ ସାହିତ୍ୟକୁ ଜୀବନର ଉଷ୍ମ ଓ ପ୍ରାଣବାନ ଗତିଧାରାକୁ ଲେଖିବାର ପ୍ରତ୍ୟକ୍ଷତା ଓ ଅକୃତ୍ରିମତାଠାରୁ ବହୁ ଦୂରକୁ ନେଇଯାଏ । ଲୋକ-ସାହିତ୍ୟରେ ମଧ୍ୟ କେତେକ ତୀର୍ଯ୍ୟକୋକ୍ତି ରହିଛି, କେତେକ ଢଗଢ଼ମାଳି, ପ୍ରବାଦ ପ୍ରବଚନ ପରି ବକ୍ର ବ୍ୟଞ୍ଜନା ରହିଛି; ମାତ୍ର ତାହା ସେହି ଧରଣର ଆଳଙ୍କାରିକତା ନୁହେଁ, ଯାହା ପ୍ରାଣର ସହଜ ପ୍ରକାଶକୁ ରୁଦ୍ଧ ଓ ଅସ୍ପଷ୍ଟ କରେ-

 

ଓଡ଼ିଆ ଲୋକ-ସାହିତ୍ୟ ବା ଗଣ-ସାହିତ୍ୟ କହିଲେ ମୁଖ୍ୟତଃ ତାହା ଓଡ଼ିଆ ଲୋକ-ଜୀବନକୁ ହିଁ ଲେଖିଛି । ଲୋକ-ଜୀବନର ମୌଳିକ ଦିଗସବୁ ହିଁ ଓଡ଼ିଆ ଲୋକକଥା ଓ କାହାଣୀ ତଥା ଲୋକଗୀତ ଭିତରେ ହିଁ ନାନା ଭାବରେ ଉଦ୍ଭାସିତ ହୋଇଛି । ଅଗନାଅଗନି ବନସ୍ତର ପ୍ରତୀକିତ ମେଣ୍ଢାଛୁଆର ଜୀବନ ଭିତରେ ବି କେଉଁ ନିପୀଡ଼ିତ ଓଡ଼ିଆଣୀର ଜୀବନ ହିଁ ପ୍ରକୃତରେ ସ୍ପନ୍ଦିତ ହୋଇଛି । ଆକାଶର ଚନ୍ଦ୍ରମା ଓ ଭାଦ୍ରବର ପନ୍ତାଭୂଇଁରେ ଦରମୁକୁଳିତ ନୀଳକଇଁର ପ୍ରୀତିର ସମ୍ପର୍କ ଆରୋପଣ ଭିତରେ ଓଡ଼ିଆ ଲୋକକବି ନିକଟତମ ଲୋକାଳୟର ବିଦଗ୍‌ଧ ଲୋକ-ଜୀବନକୁ ହିଁ ଖାସ୍‌ ସଂଯୋଗିତ କରିଛି ।

 

ସବୁ କାଳର ଲୋକ-ସାହିତ୍ୟରେ ଜୀବନ ହିଁ ସର୍ବଦା ପ୍ରତିପାଦ୍ୟ, ନିର୍ବାଣ ନୁହେଁ । ସେଠି ତତ୍ତ୍ୱ ବା ପରମାର୍ଥର ବ୍ୟଞ୍ଜନା ନାହିଁ; ଅଛି ନିତିଦିନିଆ ଜୀବନର ବ୍ୟାବହାରିକ ତଥା ବାସ୍ତବ ଜୀବନଚର୍ଯ୍ୟା ଆଉ ତା’ର ସଶ୍ରଦ୍ଧ କାହାଣୀ । ସୁଖ ଦୁଃଖ, ହାନି ଲାଭର ସହଜ ଚିତ୍ର ।

 

କଳା ଓ କବିତାରେ ମଣିଷ ନିଜେ ନିଜକୁ ହିଁ ନାନା ଭାବରେ ବ୍ୟକ୍ତ କରିଥାଏ । ନିଜକୁ ଅର୍ଥାତ୍‌ ମଣିଷର ସହଜ ଅନୁଭବକୁ, ତା’ର ଅନୁପମ ଚେତନାକୁ ଓ ତା’ର ବଳଶାଳୀ ସମସ୍ତ ଭାବାବେଗକୁ ସେ କବିତାରେ ନାନା ରୂପକ ଛଳରେ ଲେଖିଥାଏ । ତାହା ସବୁ ମାନବୀୟ । ତାହା ଲୋକସାହିତ୍ୟ ହେଉ ବା ବିଦଗ୍‌ଧ ସାହିତ୍ୟ ହେଉ, ସାହିତ୍ୟରେ ସେହି ନୃତାତ୍ତ୍ୱିକ ମାନବୀୟ ଭାବାବେଗ (anthro-pocentic emotion)ର ସ୍ୱଚ୍ଛ ଓ ସଞ୍ଚରଣଶୀଳ ପ୍ରକାଶ ହିଁ ହୋଇଥାଏ । ଏହି ନୃତାତ୍ତ୍ୱିକ ଭାବାବେଗକୁ ପ୍ରକାଶ କରିବା ପରିପ୍ରେକ୍ଷୀରେ ହିଁ ସାହିତ୍ୟର ଉଭୟ ଭାବବୃତ୍ତ (Texture) ଓ ରୂପବୃତ୍ତ (Structure) ଗତିଶୀଳ ହୋଇଥାଏ ।

 

ମାନବ ଜୀବନର ଉଷ୍ମ ଭାବାବେଗକୁ ବାଦ୍‌ ଦେଇ ତା’ର କଳା ଓ କବିତା ପ୍ରକୃତରେ ଶୂନ୍ୟଗର୍ଭ । ବାର୍ଣ୍ଣାର୍ଡ଼ ଶୋ ସେପାଇଁ କହିଥିଲେ-‘Without human passion everything is useless’. ମଣିଷର ସ୍ୱପ୍ନ, କଳ୍ପନା ଓ ତା’ର ବ୍ୟଞ୍ଜନାରେ ମଧ୍ୟ ମଣିଷର ଗତିଶୀଳ ଜୀବନ ନାନା ଭାବରେ ପ୍ରତୀକିତ ହୋଇଥାଏ । ତାହା ଯେତେ ଅତୀନ୍ଦ୍ରିୟ ଓ ଭବଗତ (abstract) ହୋଇଥିଲେ ହେଁ ମଣିଷ ଜୀବନର ସୁଖ ଦୁଃଖ, ବିରହ ମିଳନର କଥା କଳା ଓ କବିତାର ଅଭିବ୍ୟଞ୍ଜନାରେ ହିଁ ମୂର୍ତ୍ତ ହୋଇଥାଏ ।

 

କଳା ଓ କବିତା ତେଣୁ ମଣିଷର ସାମଗ୍ରିକ ଜୀବନକୁ ବାଦ୍‌ ଦେଇ ଏକାନ୍ତ ନିରର୍ଥକ । ଲୋକସାହିତ୍ୟର ଭାବପିଣ୍ଡ ଓ ତା’ର ଆତ୍ମା ହେଉଛି ଯଥାର୍ଥରେ ଭୂମିସଂଲଗ୍ନ ବିଶାଳ ଲୋକଜୀବନ-। ବିଦଗ୍‌ଧ ସାହିତ୍ୟ ଅପେକ୍ଷା ଲୋକସାହିତ୍ୟର ଯେଉଁ ସ୍ୱାତନ୍ତ୍ର୍ୟ ରହିଛି, ତାହା ବସ୍ତୁତଃ ତା’ର ଅତିବଡ଼ ଜୀବନପ୍ରିୟତାରେ । ସଂସ୍କୃତି ସଚେତନତା, ଶାସ୍ତ୍ରୀୟତା, ଜଟିଳ ଭାବତତ୍ତ୍ୱ, ପରମାର୍ଥ କାମନା ଆଦି ବାହ୍ୟ ପ୍ରସଙ୍ଗ ଭିତରେ ଲୋକସାହିତ୍ୟ ବିଦଗ୍‌ଧ ସାହିତ୍ୟ ପରି ବହୁ ଆୟତନ ବିଶିଷ୍ଟ (multidimensional) ନୁହେଁ । (୧) ଲୋକବାଣୀର ମୁଖ୍ୟ ସ୍ୱର ହେଉଛି ଦାବଦହନ ବିଦଗ୍‌ଧ ଆର୍ତ୍ତି ଅଶ୍ରୁର ଜୀବନାନୁଭୂତିକୁ ଲେଖିବା ।

 

୧.

Gene Bluestein, The voice of the Folk-Folk-lore and American Literary Theory, University of Massachusetts Press, 1972, P-II

 

ଲୋକସଂସ୍କୃତିର କିନ୍ତୁ ବସ୍ତୁତଃ ବହୁ ଦିଗ ରହିଛି । ଏକ ବୃହତ୍ତର ସାଂସ୍କୃତିକ ଜିଜ୍ଞାସାର ପ୍ରତିଫଳନ ଚିତ୍ର, ଭାସ୍କର୍ଯ୍ୟ, ପୂଜା, ପାର୍ବଣ, ଗୀତ, ନୃତ୍ୟ ଆଦି ବହୁ ବିଷୟରେ ପ୍ରତିବଦ୍ଧ ଅଭିବ୍ୟକ୍ତି ଲାଭ କରିଛି । ଭାରତବର୍ଷର ବହୁ ତତ୍ତ୍ୱ (Cult) ସମୟକ୍ରମେ ସେହି ବିରାଟ ଲୋକଜୀବନ ଭିତରୁ ଉତ୍ସାନ୍ତରିତ ହୋଇଛି ।’’ (୨) ଗୋଟିଏ ଜାତିର କଳା ଓ କଳ୍ପନାବିଳାସରେ ସେ ଜାତିର ଲୋକସଂସ୍କୃତିର ପ୍ରଭାବ ନିହିତ ! ସେପାଇଁ ଜଣେ ଲୋକସାହିତ୍ୟ ବିଶେଷଜ୍ଞ କହିଛନ୍ତି– Folk lore is body of Customs, legends and beliefs, and superstitions passed on by oral tradition .

 

୨.

Vasudeva S. Agrawala, Ancient Indian Fok Cults, 1970.

 

ପୃଥିବୀର ସବୁ ଅଞ୍ଚଳର ଲୋକସାହିତ୍ୟ ଜୀବନର ସୁଖ ଦୁଃଖ, ହାରିବା ଜିତିବାର କାହାଣୀସବୁକୁ ଛଳ ଛଳ ଭାଷାରେ ଲେଖିଛି । ସେଥିରେ କଳା, ଶିଳ୍ପ ତଥା ବ୍ୟଞ୍ଜନାଗତ ଚମତ୍କାରିତା ଥାଇ ନ ପାରେ; ମାତ୍ର ମଣିଷର ଜୀବନକୁ ଆନ୍ତରିକତା ଭିତରେ ଲେଖିବାର ଶୁଦ୍ଧ ସଂକଳ୍ପ ଲୋକସାହିତ୍ୟକୁ ସରଳ ନିଷ୍କପଟତାର ଏକ ମହିମା ଆଣିଦେଇଛି । ସେହି ନିଷ୍କପଟତା ହିଁ ଲୋକବାଣୀର ଅନ୍ତରୀଣ ସୌନ୍ଦର୍ଯ୍ୟ ।

 

ଲୋକଜୀବନ ବସ୍ତୁତଃ ସରଳ ଓ ନିଷ୍ପାପ । ତାହା ବେଳେ ବେଳେ ଅନ୍ଧବିଶ୍ୱାସ ଭିତରେ ଉଦ୍‌ଭ୍ରାନ୍ତ ହୋଇଥାଏ । ରୋଗ, ଶୋକ, ଦୈନ୍ୟ ଦୁର୍ବିପାକକୁ ଲୋକ ଅପଦେବତାର ଅଭିସଂପାତ ବୋଲି ମନେକରେ । ବାଡ଼ବାଗ୍ନିକୁ ସେ ଭୟ କରେ । ଝଡ଼ ପ୍ରଳୟ ତାକୁ ସ୍ତମ୍ଭୀଭୂତ କରିଦିଏ । ଜଳପ୍ଳାବନ ତା’ ମନରେ ଶଙ୍କା ଆଣେ । ମଣିଷ ତେଣୁ ଅଗ୍ନି ଓ ଜଳଦେବତାକୁ ଭୟରେ ପୂଜା କରେ । ଏହି ପୂଜାପାର୍ବଣର ନୃତାତ୍ତ୍ୱିକ ଧାରା ଶତାବ୍ଦୀ ଶତାବ୍ଦୀ ଧରି ମଣିଷର ଆଦିମ ଚେତନାକୁ ପ୍ରଭାବିତ କରିଆସିଛି । (୩)

 

୩.

‘Deep rooted, indeed in the heart of man is the fear of malignant spirits, It was the nightmare of the fore fathers of the human race in the days of ignorance and unreason and it still persists among people, savage or civilized.’ (R. P. Masani, Folk Culture Reflected in Names).

 

ଲୋକସଂସ୍କୃତିର ପରଂପରା ସହିତ ତା’ର ଅନ୍ଧବିଶ୍ୱାସ ବି ମିଶାମିଶି ହୋଇଥାଏ । ପ୍ରକୃତି ପ୍ରତି ଭୟରୁ ଅଧିକାଂଶରେ ଏହି ଅନ୍ଧ-ଆସ୍ତିକତାର ସୃଷ୍ଟି । ଲୋକଜୀବନ ଆରମ୍ଭରୁ ଲକ୍ଷ ଲକ୍ଷ ବର୍ଷର ବିବର୍ତ୍ତନ ସତ୍ତ୍ଵେ ଏହି ମିଶ୍ର ପରଂପରା ପ୍ରଚଳିତ ହୋଇଆସୁଛି; ଯାହାର ପ୍ରତ୍ୟକ୍ଷ ଓ ଅପ୍ରତ୍ୟକ୍ଷ ପ୍ରଭାବ ଭାରତୀୟ ଲୋକସାହିତ୍ୟରେ ପ୍ରତୀକିତ ଓ ପ୍ରତିବଦ୍ଧ ଅଭିବ୍ୟକ୍ତି ଲାଭ କରିଛି ।

 

ବିଦଗ୍‌ଧ ସାହିତ୍ୟ ଅପେକ୍ଷା ଲୋକସାହିତ୍ୟର ଗତି ଓ ବିସ୍ତାର ଅବାରିତ । ଅନନ୍ତ କାଳ ପାଇଁ ଲୋକମୁଖରେ ଏହି ସାହିତ୍ୟ ବଞ୍ଚିବ ଲୋକକଥା, ଲୋକଗୀତ, ଅଜସ୍ର ପ୍ରବାଦ ପ୍ରବଚନ, ଲାଳିକା ଛଟା, ଢଗ ଆଦି ବହୁ ସହସ୍ର ଧାଡ଼ି ଭିତରେ; ଯେଉଁଥିରେ ଲୋକ ମନର ସରଳ ଓ ମୌଳିକ ବିଶ୍ୱାସ ଗ୍ରଥିତ ହୋଇ ରହିଛି । ବୌଦ୍ଧିକ ସାହିତ୍ୟର ଦ୍ରୁତ ବିକାଶ ଓ ପ୍ରତିଷ୍ଠା ଲୋକ-ସାହିତ୍ୟର ମାନ ଓ ମୌଳିକତାକୁ ହ୍ରାସ କରିପାରିବ ନାହିଁ । ଲୋକସାହିତ୍ୟ ଲୋକଜୀବନ ପରି ପ୍ରାଚୀନ । ମଣିଷଜାତିର ନୃତାତ୍ତ୍ୱିକ ଜୀବନପ୍ରବାହର ଧାରା ବସ୍ତୁତଃ ଏଥିରେ ପ୍ରତୀକିତ ହୋଇଛି ।

 

ଅଜସ୍ର ଶିଶୁଗୀତ, ଖେଳଗୀତ, ଚଷାଗୀତ, କାନ୍ଦଣା ଆଦି ବହୁ ରୂପ ଭିତରେ ଲୋକ-ସାହିତ୍ୟର ପ୍ରତିଷ୍ଠା ବହୁ ଆଦିମ । ଲୋକସାହିତ୍ୟର ପ୍ରତିଷ୍ଠା ସମକ୍ଷରେ ବିଦଗ୍‌ଧ ସାହିତ୍ୟ ଅର୍ବାଚୀନ । ତାହା ଲୋକସାହିତ୍ୟ ହେଉ ବା ବିଦଗ୍‌ଧ ସାହିତ୍ୟ ହେଉ, ସେଥିରେ ମଣିଷଜାତିର ଜୀବନଧାରା ଓ ତା’ର ଉଦ୍‌ବର୍ତ୍ତିତ ଭାବସଙ୍କେତ ନାନା ଭାବରେ ଚିହ୍ନିତ ହୋଇଥାଏ । ସାହିତ୍ୟକୁ ତେଣୁ ସାମଗ୍ରିକ ଭାବେ ନୃତାତ୍ତ୍ୱିକ ଉପଲବ୍‌ଧିର ବ୍ୟଞ୍ଜିତ ରୂପ ବୋଲି ମଧ୍ୟ କୁହାଯାଇପାରେ । ରବୀନ୍ଦ୍ରନାଥ ଏ ପ୍ରସଙ୍ଗରେ ରାମାୟଣରେ ବାଲ୍ମୀକିଙ୍କୁ ଜଣେ ମହାକବିର ସମ୍ମାନ ଦେବା ସଙ୍ଗେ ସଙ୍ଗେ ଜଣେ ବିଶିଷ୍ଟ ନୃତତ୍ତ୍ୱବିଦ୍‌ ବୋଲି ବର୍ଣ୍ଣନା କରିଛନ୍ତି । ଗୋଟିଏ ଜାତିର ଜାତୀୟ ଜୀବନ ଓ ତା’ର ଇତିହାସ ମଧ୍ୟ ନାନା ଭାବରେ ବର୍ଣ୍ଣିତ ହୋଇଥାଏ ତା’ର ସାହିତ୍ୟରେ । ଭାରତବର୍ଷର ମହାଭାରତୀୟ ଜୀବନବୋଧକୁ ହିଁ ଭାରତୀୟ ସାହିତ୍ୟ ବସ୍ତୁତଃ ଲେଖିଛି । ମାନବକେନ୍ଦ୍ରିକ ଆବେଗ (anthro pocentic emotion)କୁ ମଣିଷ ଯେପରି ନିଜର ପରିଚିତ ଅନୁଭୂତି ବୋଲି ମନେକରେ, କୌଣସି ଆବେଗର କୃତ୍ରିମ ଆଦର୍ଶାୟିତ ରୂପକୁ ସେହି ଭାବରେ ଗ୍ରହଣ କରିପାରେ ନାହିଁ ।

 

ଲୋକସାହିତ୍ୟକୁ ପଣ୍ଡିତମାନେ ସମାଦର କରୁ ନ ଥିଲେ ହେଁ ଓ ଏହାକୁ ଶୁଦ୍ର ଓ ଗ୍ରାମ୍ୟ-ଲଳନା ମୁଖନିଃସୃତ ବାଣୀ ବୋଲି ତାତ୍ସଲ୍ୟ କରୁଥିଲେ ହେଁ, ଏଥିରେ କିନ୍ତୁ ସମଗ୍ର ସୃଷ୍ଟିବୈଚିତ୍ର୍ୟର ସଙ୍କେତ ଚିହ୍ନିତ । ବିଭିନ୍ନ ପ୍ରକାର ଗୀତିକା, ଯୋଗୀଗୀତ, ପାଟୁଆଯାତ୍ରା, ଚୈତ୍ରପର୍ବଗୀତ, ଚଇତି-ଘୋଡ଼ାନାଟଗୀତ, ଚକୁଳିଆପଣ୍ଡାଗୀତ, ବିଭିନ୍ନ ଶିଶୁଗୀତିକା, କାନ୍ଦଣା, ପୁଣି ଗଦ୍ୟରେ କଲରାଇ ବେଣ୍ଟ କଥା, ବୁଢ଼ୀ ଅସୁରୁଣୀ କଥା, ରାଜାପୁଅ ମନ୍ତ୍ରୀପୁଅ କଥା ଆଦି ବହୁ କଥା ରୂପରେ ଏହି ଲୋକ-ସାହିତ୍ୟର ପ୍ରକାଶ ।

 

ଲୋକଗୀତ ବୈଦିକ ସୂକ୍ତିଠାରୁ ବି ଆହୁରି ପ୍ରାଚୀନ ଏବଂ ତାହା ମଣିଷର ସୁଖ ଦୁଃଖର ଅନୁଭବରେ କୌଣସି ଛଦ୍ମ ନ ରଖି ଗାଇ ଆସିଛି । (୪) ଲୋକଶବ୍ଦ ବିଶେଷ ବ୍ୟାପକ ଓ ଏହାର ଅର୍ଥ ସାଧାରଣ ମଣିଷ । ସାଧାରଣ ମଣିଷ (Mass)ର ଜୀବନଚକ୍ର ଅନୁଶୀଳନ ପାଇଁ ନୃତାତ୍ତ୍ୱିକ ବିଶ୍ଳେଷଣତାର ଆବଶ୍ୟକତା ରହିଛି । ଏହି ବିରାଟ ଗଣଚେତନାର ପ୍ରତୀକିତ ଅଭିବ୍ୟକ୍ତି ହେଉଛି ଲୋକସାହିତ୍ୟ ଓ ଲୋକସଂସ୍କୃତିର ବହୁ ପାରଂପରିକ ଅନୁଷ୍ଠାନ । ଲୋକ କହିଲେ ମଣିଷର ଜୀବନ-ଧାରାର ଅସୀମ ଓ ଅକଳନ୍ତି ଗତି ଓ ବିସ୍ତାର । ସାହିତ୍ୟ, ସଂସ୍କୃତି, ଧର୍ମଧାରଣା ପ୍ରତ୍ୟେକ କ୍ଷେତ୍ରରେ ଯାହା ଚିରନ୍ତନ ଓ ଶାଶ୍ୱତ, ତାହା ସର୍ବଦା ଲୋକପ୍ରତିଷ୍ଠାର ଅପେକ୍ଷା ରଖେ । ଦେବତାର ସ୍ୱୀକୃତି ସେହି ଲୋକରେ; ଲୋକରେ ତା’ର ପୂଜା ଓ ପ୍ରତିଷ୍ଠା । ଭଗବତ୍‌ ଗୀତାରେ ତେଣୁ କୁହାଯାଇଛି, ‘ଅତୋଽସ୍ମି ଲୋକେ ବେଦେଚ ପ୍ରଥିତଃ ପୁରୁଷୋତ୍ତମଃ ।’

 

୪.

ଡକ୍ଟର କୁଞ୍ଜବିହାରୀ ଦାଶ, ଓଡ଼ିଆ ଲୋକଗୀତ ଓ କାହାଣୀ, ବିଶ୍ଵଭାରତୀ, ୧୯୫୮ ।

 

ପ୍ରାଚୀନ କାଳରେ ଗଣ ଯୋଗାଯୋଗର ଅବର୍ତ୍ତମାନରେ ଲୋକଗୀତ ହିଁ ଯଥାର୍ଥରେ ଭାବ ଅଭିବ୍ୟକ୍ତିର ଏକମାତ୍ର ପ୍ରଶସ୍ତ ମାଧ୍ୟମ ଥିଲା । ଭାବ ଯୋଗାଯୋଗ ବ୍ୟତିରେକେ ମଣିଷ ଜୀବନ ପଶୁର ଜୀବନ ପରି । ଭାବର ଆଦାନପ୍ରଦାନ ହିଁ ଲୋକଜୀବନକୁ ସୁନ୍ଦର ଓ ସଂହତ କରେ-। ଲୋକର ସାହିତ୍ୟ ସଂସ୍କୃତି ଓ କଳା ସେହି ଯୋଗାଯୋଗର ଅଭ୍ରାନ୍ତ ନିଦର୍ଶନ । (୫)

 

୫.

Sir John woodroffe, Indian Culture and Society, 1978.

 

ଜୀବନକୁ ନାନାମତେ ସରସ ସୁନ୍ଦର କରିବାର ପ୍ରବୃତ୍ତିରୁ ଗୀତ ଓ ସାହିତ୍ୟର ସୃଷ୍ଟି ହୋଇଛି । ଲୋକଗୀତ ସେହି ଉଦ୍ଦେଶ୍ୟର ଆହୁରି ପ୍ରସାରିତ ଓ ମହିମ୍ନ ସୃଷ୍ଟି । ମନଫୁରୁଣା ଗୀତ ଗାଇବାରେ ବିଦଗ୍‌ଧ କବି ପରି ଲୋକକବିର କୌଣସି ସଚେତନତା ନ ଥାଏ । ନ ଥାଏ କବି ଯଶ ଲାଭର ଅଭିଲିପ୍‌ସା । (୬) ପ୍ରକୃତି ଓ ପରିବେଶର ମହିମାନ୍ୱିତ ଅଭିବ୍ୟକ୍ତି ହେଉଛି ଲୋକଗୀତ । ଲୋକକଥାରେ ମଣିଷ ଜୀବନର ବିପୁଳ ଚିତ୍ର ପ୍ରଦତ୍ତ ହୋଇଥାଏ । ଲୋକଗୀତ ପୁଣି ଜୀବନର ଅସ୍ତ୍ୟର୍ଥକ ବିଶ୍ୱାସ ଓ କଳ୍ପନାର ରୂପ । ତାହା ବୈରାଗ୍ୟର ସଙ୍ଗୀତ ନୁହେଁ; ଆସକ୍ତ ସଂସାରୀର । ଦୁଃଖ ଅଛି, ଦୈନ୍ୟ ଅଛି, ବ୍ୟଥା ବେଦନାର ଅନୁଭବ ସେ ଗୀତର ଭାବପଞ୍ଜର ନିର୍ମାଣ କରିଥାଏ । ଦୁଃଖରେ, ଜଞ୍ଜାଳରେ ପଡ଼ି ଲୋକ ସହଜ ଭାବରେ ଗୀତ ଗାଏ ଅନ୍ୟକୁ ଶୁଣାଇ–

 

‘ଦୂରକୁ ସୁନ୍ଦର ହୋ ପରବତମାଳ

ଗାଁକୁ ସୁନ୍ଦର ହୋ ନଡ଼ିଆ ଗୁଆ ତାଳ

ଘରକୁ ସୁନ୍ଦର ହୋ ଘରଣୀ

ଯେବେ ନ ଯାଏ ବାପଘର ହୋ’.......

ଅବା

‘ମେଘ ବରଷିଲା ଟପର ଟପର

ହିଡ଼ ଡିଆଁ କଳା ପାଣି

ବୋହୂ ବାପଘର ବାଘ ବଣରେ ଲୋ

କିଏ ପୁଅ ଯିବ ଆଣି

ବୋହୂ ତ ଆସିବ ମଙ୍ଗଳବାର ଲୋ

ପୁଅକୁ କଲାଣି ଜର

ବୋହୂ ଭାରଥୁର ଫେରାଇ ଦିଅଲୋ

ବୋହୂ ଯାଉ ବାପଘର ।’

 

୬.

W. C. Crooke, An Introduction to the Popular Religion and Folk-Lore of Northen India.

 

ସେ ଗୀତରେ ପାଣ୍ଡିତ୍ୟର ସ୍ପର୍ଦ୍ଧା ଲେଶମାତ୍ର ନଥାଏ । ବ୍ୟଂଜନାର ଚମତ୍କାରିତା ବିଷୟରେ ଲୋକକବିର କୌଣସି ଧ୍ୟାନ ବି ନଥାଏ । ଅଥଚ ଜୀବନର ପ୍ରଚୁର ଅଭିଜ୍ଞତା ନାନା ରୂପକ ଓ ସାଦୃଶ୍ୟକଥନ ଭିତରେ ସେଥିରେ ରୂପାୟିତ ହୋଇଥାଏ । କାନ୍ଦଣାରେ କେଉଁ ଅଜ୍ଞାତ ଲୋକକବି ନାରୀ ଜୀବନର ନିଃସଙ୍ଗତା ଓ ତା’ ଭାଗ୍ୟର ବିଡ଼ମ୍ବନାକୁ କେତେ ପ୍ରତୀକ ଭିତରେ ନ ଲେଖିଛି !

 

‘ଦୁବ ବଢ଼ୁଥିଲା କାକର ଖାଇ ବୋଉକିଲୋ/ମୁଁ ତ ବଢ଼ୁଥିଲି ତୋ ସ୍ନେହ ପାଇ ବୋଉକିଲୋ/ଦୁବକୁ କାକର ସହିଲା ନାହିଁ ବୋଉକିଲୋ/ମୋ ଅଲିଅଳି ତ ରହିଲା ନାହିଁ ବୋଉକିଲୋ/ଝିଅର ସ୍ନେହ କି ଝିଆରୀଠାରେ ବୋଉକିଲୋ/ ଆଖୁ ମଧୁର କି ଅଣଖୁଆରେ ବୋଉକିଲୋ/ଆକାଶରେ ଚାନ୍ଦ ଜଳରେ କଇଁ ବୋଉକିଲୋ/ମୋତେ ବେଶୀଦିନ ରଖିବ ନାହିଁ ବୋଉକିଲୋ/ବେଙ୍ଗ କି ଜାଣଇ ପଦ୍ମ ବାସନା ବୋଉକିଲୋ/ଚୁଟିଆକୁ ଦେଲ ସୁନା ପ୍ରତିମା ବୋଉକିଲୋ/ପେଚା ହାତେ ଦେଲ ସୁବଣ୍ୟ ମୁଦି ବୋଉକିଲୋ/କିଏ ଶିଖାଇଲା ଏପରି ବୁଦ୍ଧି ବୋଉକିଲୋ ।’

 

ଲୋକସାହିତ୍ୟ ସାମାଜିଜ ବୋଧ ଓ ବିଶ୍ୱାସର ବାହକ ଓ ବିବର୍ତ୍ତନର ସ୍ମାରକ । ଲୋକ-ସାହିତ୍ୟ ବ୍ୟକ୍ତିବାଦୀ ଅନୁଭବତାର ପ୍ରତିଟି ବ୍ୟକ୍ତିକେନ୍ଦ୍ରିକ ତର୍କଣା ପ୍ରତି ଚରମ ଉଦାସୀନ । ଲୋକ-ସାହିତ୍ୟ ଓ ସଂସ୍କୃତ ତେଣୁ ମିଥ୍‌ ସୃଷ୍ଟିର ପ୍ରଶସ୍ତ ଭୂମି ଓ ମାଧ୍ୟମ । ସର୍ବଜନବୋଧ୍ୟ ଭାଷା ଓ ଭାବରେ ହିଁ ପୁଣି ଲୋକଗୀତ ଓ କଥା ସୃଷ୍ଟି ହୋଇଥାଏ । ଆଜି ମାନବର ବୃକ୍ଷଲତା ପ୍ରତି ପୂଜାଦାନ, ଯାହା ଲୋକସାହିତ୍ୟରେ ନାନା ଭାବରେ ପରିଦୃଷ୍ଟ, ତାହା ମାନବ ସମାଜର ପରିବେଶଗତ ବିବର୍ତ୍ତନକୁ ହିଁ ଚିହ୍ନଟ କରେ । ପୃଥିବୀର ସର୍ବତ୍ର ବାହ୍ୟ ଧାର୍ମିକ ବିଶ୍ୱାସ, ସାମାଜିକ ଚଳଣୀ, ପର୍ବପର୍ବାଣୀ ପାଳନ ମଧ୍ୟରେ କିନ୍ତୁ ଏକ ନୃତାତ୍ତ୍ୱିକ ସାମଞ୍ଜସ୍ୟ ରହିଛି । ଅଶ୍ୱତ୍‌ଥ, ତୁଳସୀ, ବେଲ , ଦୁବ, କଦଳୀ, ଧାନ, ଆଖୁ, ନଡ଼ିଆ ଓ ଅରଖ ଆଦି ଗଛର ପତ୍ର ଓ ଫୁଲକୁ ପୂଜା କରିବାରେ ସଭ୍ୟତା ବିକାଶର ନାନା ସୂତ୍ର ସହିତ ମଣିଷ ଜୀବନ ଓ ଉଦ୍ଭିଦ ଜଗତର ସମ୍ବନ୍ଧ ଚିହ୍ନିତ ହୋଇଛି । (୭)

 

୭.

Sankar Sengupta, Tree and Humanity Folk-Lore-Vol-vi, No. 6. June 1965.

 

ପରବର୍ତ୍ତୀ ସମୟରେ ସାମାଜିକ ତଥା ସାଂସ୍କୃତିକ ବିବର୍ତ୍ତନ ପରିପ୍ରେକ୍ଷୀରେ ତଥା ନାନା ଭୌଗୋଳିକ କାରଣ ବଶତଃ ଗୋଟିଏ ଗୋଟିଏ ଜାତି, ଗୋଷ୍ଠୀ ମଧ୍ୟରେ ଯେଉଁ ବ୍ୟବଧାନ ସୃଷ୍ଟି ହୋଇଛି, ତାହା କିପରି ମୌଳିକ ନୁହେଁ, ବରଂ ହଜାରେ ବୈଷମ୍ୟ ଓ ବୈଭିନ୍ନ୍ୟ ସତ୍ତ୍ଵେ ସେମାନଙ୍କ ଜୀବନଧାରାରେ ଏକ ନୃତାତ୍ତ୍ୱିକ ଏକତ୍ୱ ରହିଛି, ତାହା ଲୋକସଂସ୍କୃତିର ଅନୁଶୀଳନାତ୍ମକ ଅଧ୍ୟୟନ କଲେ ସ୍ପଷ୍ଟ ହୋଇପାରିବ ।

 

ଲୋକଗୀତ ସୃଷ୍ଟି ମୂଳରେ ଲୋକର ସାମାଜିକ ଜୀବନର ପ୍ରତିଟି ବିଶ୍ୱାସ ଓ ଗଣଚେତନାର ପ୍ରତିଟି ମୁଦ୍ରାଙ୍କ ନିହିତ । ସାମାଜିକ ବିଶ୍ୱାସ ଓ ସମାଜ ଚେତନା ସାମଗ୍ରିକ ଭାବେ ଲୋକଗୀତର ଶୈଳୀ ଓ ଆଦର୍ଶରେ ପ୍ରତିବଦ୍ଧ ଅଭିବ୍ୟକ୍ତି ଲାଭକରେ । ପୃଥିବୀର ସର୍ବତ୍ର ଲୋକଗୀତ ହିଁ ଲୋକ-ବିଶ୍ୱାସର ପ୍ରଶସ୍ତ ଉତ୍ସ । ଲୋକର ବିଶ୍ୱାସ ସମାଜଜୀବନ ତଥା ବ୍ୟକ୍ତିଜୀବନକୁ ସୁସ୍ଥ ଓ ସୁନ୍ଦର କରିବା ପାଇଁ ଅଭିପ୍ରେତ । ସେଥିରେ ଅବୈଜ୍ଞାନିକ ଚେତନା ଥାଇପାରେ; କିନ୍ତୁ ସମାଜର ଅନିଷ୍ଟ କରିବାର ମନୋଭାବ ସେଥିରେ ଆଦୌ ନ ଥାଏ । ଦାରିଦ୍ର୍ୟ ଓ ଦୁଃଖର ଅନୁଭବ ଭିତରୁ ଅଧିକାଂଶ ଲୋକ-ଗୀତର ସୃଷ୍ଟି । ଲୋକଗୀତରେ ତେଣୁ ଜୀବନଚର୍ଯ୍ୟାର ବାସ୍ତବ ସ୍ୱର ଅନୁରଣିତ ହୋଇଥାଏ । ପ୍ରାଚୁର୍ଯ୍ୟ ଭିତରେ ଐଶ୍ଵର୍ଯ୍ୟ ମଣ୍ଡିତ ଜୀବନଯାପନ କରୁଥିବା କୌଣସି ଅଭିଜାତ ସାମନ୍ତ ଲୋକଗୀତର ସ୍ରଷ୍ଟା ନୁହେଁ । ଦୁର୍ବହ ସଂସାର-ଯାତ୍ରାର ପ୍ରତ୍ୟକ୍ଷ ଅଭିଜ୍ଞତାରୁ ଗୃହସ୍ଥ ଚାରଣକବି ପରିଶ୍ରମ ଲାଘବତା ପାଇଁ ଏ ଗୀତ ଗାଇଥାଏ । ସେ ଗୀତରେ ଶୈଳ୍ପିକ ଚମତ୍କାରିତା ଅପେକ୍ଷା ଅଙ୍ଗେନିଭା ଅନୁଭୂତିର ମହାତ୍ମ୍ୟ ବେଶୀ ।

 

‘ହୋଇଲା ଶ୍ରାବନ / ରାଣ୍ଡି ଦୁଃଖୀମାନଙ୍କର ହେଲା ଉଷତ ମନ / କେ ବୋଲୁଛି ମୋହର ଠାନେ ନାହିଁ ଲୁଗାପଟା / କେ ବୋଲୁଛି ପହ୍ଲା ରୋଇଲେ କେତେ ଖାଇବ ପିଠା / କେ ବୋଲୁଛି ପହ୍ଲା ରୋଇଲେ କେତେ ଖାଇବି ମୁଢ଼ି / କେ ବୋଲୁଛି ପହ୍ଲା ରୋଇଲେ ହାତକୁ ପିନ୍ଧିବ ଦୁଇମୁଠା ଚୁଡ଼ି-’ ଆଦି ଧାଡ଼ିଗୁଡ଼ିକରେ ଏକ କୃଷିପ୍ରଧାନ ସମାଜରେ ମଣିଷ ମନର ସ୍ୱପ୍ନ ଅଭିଳାଷ ଚିହ୍ନିତ । ବୈବାହିକ ଜୀବନର ଦୁଃଖ ଅଭାବର ଚିତ୍ର ନବବଧୂର କାନ୍ଦଣା ଭିତରେ ଓ ବାପଘରର ସ୍ମୁତିଚୟନ କରିବା ଅବସରରେ ଅନେକ ଲୋକଗୀତ କାନ୍ଦଣା ଓ ଚଷାଗୀତ ଛଳରେ ରଚିତ । ‘ନଡ଼ିଆ ଗୋରଡ଼ା ଲୋ ଛ’ ହାତେ ଡିହ / କ’ଣ ଦେଖି ତୁ ଦେଇଛୁ ଝିଅ’ ଅବା ‘ବଡ଼ ଘର ନୁହେଁ ବରଡ଼ା ତାଟି / ପଦାକୁ ଦିଶଇ ଚମାର ଘାଟି / ତା’ ଘର ଶୁଣିଛି ଦେଢ଼ ବଖରା / ସୁର୍ଯ୍ୟ ନ ଉଦୟେ ପଡ଼ଇ ଖରା / ଯାହା ଘରେ ନାହିଁ ଖଣ୍ଡିଆ କୁଢ଼ି / ତାହା ଘରେ ଦେଲ ସୁବର୍ଣ୍ଣ ଚୁଡ଼ି (୮) ଇତ୍ୟାଦି ଧାଡ଼ି ଗୁଡ଼ିକରେ ନାରୀଜୀବନର ଦୁଃଖ ଓ ବିଭଙ୍ଗ-ସ୍ୱପ୍ନର କଥା ବର୍ଣ୍ଣିତ । ଲୋକଗୀତ ସୁଖ ସୌଭାଗ୍ୟର କଥା ଯେତେ ଲେଖିନାହିଁ, ତାହାଠାରୁ ବେଶି ଲେଖିଛି ଦୁଃଖଦୁର୍ଦ୍ଦଶାର କଥା । ଲୋକଗୀତ ପ୍ରାଣକୁ ଛୁଏଁ ଏଇଥିପାଇଁ ଯେ, ସେଥିରେ ଦୁଃଖର ବ୍ୟଞ୍ଜନା ଅଧିକ ବେଶୀ ।

 

୮.

ପଣ୍ଡିତ ସୂର୍ଯ୍ୟନାରାୟଣ ଦାଶ, ଓ. ସାହିତ୍ୟର ଇତିହାସ-୧ମ ଭାଗ ।

 

ବାପଘରର ସ୍ନେହ ମମତା ପାଇ ବଢ଼ିଥିବା ଅଲିଅଳ ଝିଅ ଶାଶୁଘରେ ନିର୍ଯ୍ୟାତିତ ଜୀବନ କଟାଇବାବେଳେ ଏକାନ୍ତ ଅଶ୍ରୁମୁଞ୍ଚନ ଭିତରେ ବାପଘରର ସ୍ମୃତିକୁ ମନେ ପକାଉଥିବା ଗୀତ ଯେପରି କରୁଣ ସେହିପରି ଜୀବନନିଷ୍ଠ । ସପରିବାର ଚଷାଭାଇ ସାରାବର୍ଷର କଷ୍ଟ ଉପାର୍ଜ୍ଜିତ ଫସଲକୁ ଯେତେବେଳେ ସାହୁକାରକୁ ମୂଳ କଳନ୍ତର ବାବଦ ମପାଇ ଦିଏ, ସେତେବେଳେ ସେ ଗାଏ-ଧାନ ମହରଗକୁ ନ ମିଳଇ ମୂଳ/ସାହୁ ପଚାରଇ କେତେ କାମ କଲ/ଚାରିଦିନେ ମଜୁରୀ ଅଗାଡ଼ି ଧାନ ଦେଲରେ... ଆଦି ଅଜସ୍ର ପଦପଂକ୍ତି ରହିଛି, ଯେଉଁଥିରେ ବିଡ଼ମ୍ବିତ କୃଷକ ଜୀବନର କଥା ଲେଖାଯାଇଛି ।

 

ସେ ଦୃଷ୍ଟିରୁ ଲୋକସାହିତ୍ୟର ପରିସର ବଡ଼ ବ୍ୟାପକ । ପ୍ରଚଳିତ କିମ୍ଭଦନ୍ତୀ , ପୁରାଣ କାହାଣୀ, ଲୋକବିଶ୍ୱାସ, ଧର୍ମଧାରଣା ସବୁକିଛିର ସଙ୍କେତ ଲୋକସାହିତ୍ୟରେ ରହିଛି ବୋଲି Patterson କହନ୍ତି । (୯) ଯେକୌଣସି ପ୍ରକାରର କିମ୍ବଦନ୍ତୀ ବରଂ ଲୋକସାହିତ୍ୟ ଅନ୍ତର୍ଭୁକ୍ତ ବିଷୟ । କାରଣ ଅଧିକାଂଶ ଜନଶ୍ରୁତି ହିଁ ଲୋକକଥା ଆଙ୍ଗିକରେ ଶୁଣାଯାଇଥାଏ । ଲୋକ-ସାହିତ୍ୟରେ ଜଗତ ଓ ଜୀବନର ସତ୍ୟ ଯେପରି ଅଙ୍କିତ, କିମ୍ବଦନ୍ତୀରେ ମଧ୍ୟ ସତ୍ୟର ପିଣ୍ଡ ସେହିପରି ନିହିତ । କିମ୍ବଦନ୍ତୀର ମଜ୍ଜାରୁ ସତ୍ୟ କେତେ ମରେ ନାହିଁ ବୋଲି ପଣ୍ଡିତ ନୀଳକଣ୍ଠ ବିଶ୍ୱାସ କରନ୍ତି । ଇତିହାସ ଅପେକ୍ଷା ମିଥ୍‌ ଓ କିମ୍ବଦନ୍ତୀରେ ସଭ୍ୟତା ବିବର୍ତ୍ତନର ମୌଳିକ ଗତିଧାରା ନାନା ସଙ୍କେତରେ ଚିହ୍ନିତ । ଶ୍ରୀନିବାସ ଆୟାଙ୍ଗାର ଯୁକ୍ତି କରି କହନ୍ତି-“Myths and legends are no idle tales but have their roots in the Childhood of the human race.” (୧୦)

 

୯.

Standard Dictionary of Folk-Lore-P-938.

୧୦.

Introduction to Folk-Lore and Folk Life : Richard M. Dorson, The University of Chicago Press, 1972.

 

ପର୍ବପର୍ବାଣୀ ପାଳନ ସମୟରେ ବାହ୍ୟ ଔପଚାରିକତାଗୁଡ଼ିକ ମଧ୍ୟ ଲୋକଜୀବନର ଆବେଗ ଦ୍ୱାରା ପୁଷ୍ଟ ଓ ପ୍ରସାରିତ । ସେଥିରେ ବି ଲୋକଜୀବନର ଚିନ୍ତା ଓ ଚେତନା ପ୍ରକଟିତ । (୧୧) ଏହି ପର୍ବପର୍ବାଣୀଗୁଡ଼ିକ ଲୋକଜୀବନ ଧାରାରୁ ପୃଥକ୍‌ ନୁହେଁ । ପର୍ବପର୍ବାଣୀ ପାଳନ ଅବସରରେ ଲୋକନୃତ୍ୟ ଓ ଗୀତର ସଂଯୋଜନା କରିଥାଏ । ଏହି ସମଗ୍ର ବିଷୟକୁ ଲୋକସଂସ୍କୃତି କୁହାଯାଏ । ପର୍ବପର୍ବାଣୀ, ପୂଜା ଅର୍ଚ୍ଚନାଠାରୁ ଲୋକବାଣୀକୁ ପୃଥକ୍‌ କରି ତେଣୁ ବିଚାର କରିବା ଉଚିତ୍‌ ନୁହେଁ ।

 

୧୧.

‘X X The series of action which we call ritmal is accompanied by emotion. X X Emotion furnishes the driving power for everything.’ (A. M. Hocart, The life giving Myth and Other Essays, Methuen & Co. Ltd.-1970. P-53).

 

ଲୋକଗୀତରେ ଲୋକଜୀବନର ଇତସ୍ତତଃ ବିଶ୍ୱାସ ଓ ଚେତନାର ସାଧାରଣୀକରଣ (generalisation)ର ଗୁଣ ଥାଏ । ଭୟ, ବିଶ୍ୱାସ, ପ୍ରେମ ଆଦି ମାନନୀୟ ଗୁଣକୁ ମଣିଷ ଲୋକଗୀତ ଜରିଆରେ ଅନ୍ୟ ଲୋକର ଅନୁଭବକୁ ସଂକ୍ରମିତ କରେ । ଲୋକଗୀତରେ ତେଣୁ ଯୋଗାଯୋଗ (Communication) ଦୃଷ୍ଟିରୁ ସାଧାରଣ ଅର୍ଥପ୍ରକରଣ ଅପେକ୍ଷା ଭାବ ସଞ୍ଚରଣ-ଶୀଳତାର ଗୁଣ ଅଧିକ ।

 

ଲୋକସଂସ୍କୃତି ଓ ଲୋକବାଣୀ ଆଞ୍ଚଳିକ ବିଶ୍ୱାସ ଉପରେ ପ୍ରତିଷ୍ଠିତ; ମାତ୍ର ବୌଦ୍ଧିକ ସାହିତ୍ୟ ବୃହତ୍ତର ଜାତୀୟ ଜୀବନ ଓ ଆନ୍ତର୍ଜାତିକ ଭାବ-ଚେତନାକୁ ନେଇ ପୁଷ୍ଟ । ଲୋକସାହିତ୍ୟକୁ ସାଧାରଣତଃ ଅଲିଖିତ ସାହିତ୍ୟ ବୋଲି କୁହାଯାଏ । ସେଦିନର ସମାଜରେ ଏହି ଅଲିଖିତ ଲୋକଗୀତ ଓ ଗଳ୍ପ ହିଁ ଚିତ୍ତବିନୋଦନର ମାଧ୍ୟମ ଥିଲା । ଯେଉଁ କାଳରେ କୌଣସି ବୁଦ୍ଧିଜୀବୀର ବୁଦ୍ଧିଦୀପ୍ତ ବଚନବିନ୍ୟାସକୁ ଲିପିବଦ୍ଧ କରିବାର ପ୍ରୟାସ ନ ଥିଲା, ସେହି କାଳରେ ଲୋକସାହିତ୍ୟ ଲୋକ-ଜୀବନ ସହିତ ପ୍ରତ୍ୟକ୍ଷ ଭାବରେ ସଂଯୋଜିତ ହୋଇ ବଞ୍ଚିରହିଥିଲା । ମଣିଷ ଜୀବନର ହର୍ଷ, ବିଷାଦ ଆନନ୍ଦ ଓ ଅଶ୍ରୁର ଗଭୀର ଜୀବନାନୁଭୂତିକୁ ନେଇ ଲୋକବାଣୀ ସୃଷ୍ଟି ହୋଇଛି । ଲୋକବାଣୀର ଅଭିବ୍ୟଞ୍ଜନାରେ ଆଞ୍ଚଳିକତାର ଗୁଣ ଓ ଲକ୍ଷଣ ପରିଦୃଷ୍ଟ ହେଉଥିଲେ ହେଁ ତା’ର ଆତ୍ମା ସବୁ ଅଞ୍ଚଳ, ସବୁକାଳର ସତ୍ୟ ଦ୍ୱାରା ଉଦ୍‌ଭାସିତ । ଗୋଟିଏ ନଈ ଡେଇଁପଡ଼ିଲେ ବାହ୍ୟ ଚଳଣିର ଆପାତ ପାର୍ଥକ୍ୟ ସତ୍ତ୍ଵେ ଜୀବନର ମୌଳିକ ପ୍ରବୃତ୍ତି ଓ ଆବେଗ ଦୃଷ୍ଟିରୁ ଗୋଟିଏ ଅଞ୍ଚଳରୁ ଅନ୍ୟ ଏକ ଅଞ୍ଚଳ ଭିନ୍ନ ନୁହେଁ; ଯଦିଓ କୁହାଯାଇଛି-ନଇକେ ବାଙ୍କ, ଦେଶକେ ଫାଙ୍କ ।

 

ଲୋକସାହିତ୍ୟର ସେପରି କୌଣସି ଫର୍ମ (Form) ନାହିଁ । ଯିଏ ଯେପରି ପାରିଛି, ସେପରି ଗାଇଛି; ଅବା ଜଣେ ଲୋକକବିର ଗାଇବା ଗୀତକୁ ଅନ୍ୟ ଜଣେ ଆଉ ଟିକିଏ ଅନ୍ୟ ଭାବରେ, ଅନ୍ୟ ତର୍କଣା ଭିତରେ ଗାଇଛି । ବିଳମ୍ବରେ ହେଲେ ବି ଗୋଟିଏ ଅଞ୍ଚଳର ଲୋକବାଣୀ କ୍ରମଶଃ ଅନ୍ୟ ଅଞ୍ଚଳକୁ ସଂପ୍ରସାରିତ ହୋଇଯାଉଥିଲା । ଭାବ ଯୋଗାଯୋଗ ଓ ସଂପ୍ରସାରଣଶୀଳତାର ଅନ୍ୟତମ କାରଣ ହେଉଛି ପ୍ରକୃତରେ ଉପଲବ୍ଧି ଓ ତା’ର ଅଭିବ୍ୟକ୍ତିରେ ନୃତାତ୍ତ୍ୱିକ ସାମ୍ୟ । ଭାରତୀୟ ପ୍ରାଦେଶିକ ଲୋକଗୀତ ଓ ଗଳ୍ପ ପରିବେଷଣଗତ କେତେକ ବୈଷମ୍ୟ ସତ୍ତ୍ଵେ କିନ୍ତୁ ସମାନ । (୧୨)

 

୧୨.

Jawaharlal Handoo, Analytical Essays in Folk-Lore, Mouton-The Haguo.

 

ୟୁରୋପରେ ପୁଣି ଯେଉଁ ଲୋକଗଳ୍ପ ପ୍ରଚଳିତ, ଅବିକଳ ସେହି ଆଙ୍ଗିକ ଓ ସେହି ବିଷୟ-ବିନ୍ୟାସର ଗଳ୍ପ ଭାରତରେ ମଧ୍ୟ ପରିଦୃଷ୍ଟ ହୁଏ । ତେଣୁ “ନଈକେ ବାଙ୍କ, ଦେଶକେ ଫାଙ୍କ ଏ ରୀତିରେ ବିଭିନ୍ନ ଲୋକସାହିତ୍ୟ ମଧ୍ୟରେ ସେପରି ବିଶେଷ କୌଣସି ପାର୍ଥକ୍ୟ ନ ଥାଏ । ରେଭେରେନ୍‌ ସାର୍‌, ଜି. ଡବଲ୍ୟୁ କାକ୍‌ସ ତାଙ୍କର ‘The Mythology of the Aryan Nations’ରେ କହିଛନ୍ତି, ଜର୍ମାନୀ ଗଳ୍ପ Fiathful John ଓ ଦକ୍ଷିଣ ଭାରତୀୟ ଲୋକଗଳ୍ପ ‘ରାମ ଲକ୍ଷ୍ମଣ’ ମଧ୍ୟରେ ଗଭୀର ସାମଞ୍ଜସ୍ୟ ଅଛି । ଏହି ଦୁଇଟି ଗଳ୍ପ ପଢ଼ି ବିଶ୍ୱାସ ହୁଏ ଯେ, ପୃଥିବୀର ଆର୍ଯ୍ୟଜାତି ଓ ତା’ର ସଂସ୍କୃତି ଏକ ଓ ଅଭିନ୍ନ ।

 

ଲୋକସାହିତ୍ୟ ନିଜକୁ ବ୍ୟକ୍ତ କରିବାରେ ଆଦୌ କୃତ୍ରିମ ନୁହେଁ ବା କୌଣସି ଛଦ୍ମତା ତା’ର ପଦ ପଂକ୍ତିରେ ନ ଥାଏ । ଲୋକଜୀବନର ସେହି ଅକୁଣ୍ଠିତ ଲୋକଗୀତ ଓ ଗଳ୍ପ ଜରିଆରେ ହିଁ ତେଣୁ ସମଗ୍ର ମଣିଷଜାତିର ଜୀବନ ବିକାଶର ଏକ ନୃତାତ୍ତ୍ୱିକ ଅଧ୍ୟୟନ କରାଯାଇପାରେ ।

 

ଲୋକସାହିତ୍ୟରେ ଜୀବନ ଏକ ମହିମାମଣ୍ଡିତ ଆଦର୍ଶ ବା ତତ୍ତ୍ୱର ବିଷୟ ନୁହେଁ । ତାହା ସୁଖ ଦୁଃଖ ହାନି ଲାଭର ଚଉଘେରତି ଭିତରେ ସାଧାରଣ ଜୀବନ; ଯାହା ପରମାର୍ଥ ସହିତ ନୁହେଁ, ବଞ୍ଚିବା ସହିତ ବରଂ ଅଧିକ ସମ୍ବନ୍ଧିତ । ନଦୀ ନାଳ ଘେରା ଗାଁ’ର ମଣିଷ ଜୀବନ ପୃଥିବୀର ସର୍ବତ୍ର ଏକାପରି । ଭାରତବର୍ଷର ଗଙ୍ଗା ଓ ବ୍ରହ୍ମପୁତ୍ର ନଦୀର ଉପକୂଳରେ ଦୂର ପ୍ରାନ୍ତୀୟ ପଲ୍ଲୀ ଗ୍ରାମରେ ମଣିଷର ଜୀବନଯାତ୍ରା ଚାଲିଛି, କେଉଁ କାଳରୁ ପଲ୍ଲୀର ସଞ୍ଜ ସକାଳ ପରି । ରୁଷ୍‌ ଦେଶର ଡେନସ୍‌ ନଦୀ, ମିଶରର ନୀଳ ନଦୀ, ଚୀନର ହୋୟାଙ୍ଗହୋ ନଦୀକୂଳର ମଣିଷର ଜୀବନଯାତ୍ରା କାହିଁ କେଉଁ କାଳରୁ ସେମିତି ଚାଲିଛି । ସେଇ ଚିରନ୍ତନ ଲୋକଜୀବନ ଓ ତା’ ଜୀବନଚର୍ଯ୍ୟାର ପ୍ରତିଟି ବିଷୟକୁ ଲୋକସାହିତ୍ୟ ନାନା ଭାବରେ ପ୍ରତୀକିତ କରିଛି । (୧୩)

 

୧୩.

Gene Bluestein, The voice of the Folk-Folklore And American Literary Theory.

 

ଲୋକସାହିତ୍ୟକୁ ଗଣସାହିତ୍ୟ କହିବାରେ ଅବଶ୍ୟ କିଛି ଭିନ୍ନତା ଓ ବିଶେଷତ୍ୱ ରହିଛି । ସେ ସାହିତ୍ୟକୁ ଯଥାର୍ଥରେ ଗଣ ହିଁ ସୃଷ୍ଟି କରିଛି, ଜଣ ନୁହେଁ; ପୁଣି ମାର୍କସବାଦୀ ସୌନ୍ଦର୍ଯ୍ୟଶାସ୍ତ୍ରୀ ସାହିତ୍ୟ ଭିତରେ ଗଣଜୀବନର ସ୍ପନ୍ଦନକୁ ଯେପରି ଦେଖେ ଏବଂ ସେଇ ଦୃଷ୍ଟିରୁ ନିର୍ଦ୍ଦିଷ୍ଟଭାବେ ତାହାକୁ ଯେପରି ‘Mass Literature’ ବୋଲି କହେ, ସେ ବିଚାର ଏ ପ୍ରସଙ୍ଗରେ ଭିନ୍ନ । ତଥାପି ଲୋକସାହିତ୍ୟ ବା ଗଣସାହିତ୍ୟ ମଣିଷ ଜୀବନର ଚିରନ୍ତନ ଜୀବନଧାରାକୁ ହିଁ ମୁଖ୍ୟତଃ ଅତ୍ୟନ୍ତ ଆନ୍ତରିକତାର ସହିତ ଲେଖିଛି ।

 

ପୃଥିବୀର ଉଚ୍ଚମାନର ସାହିତ୍ୟିକ ଲୋକସାହିତ୍ୟରୁ ଉପାଦାନ ନେଇ ସେମାନଙ୍କ କଳାତ୍ମକ ଅଭିବ୍ୟଞ୍ଜନାକୁ ଆହୁରି ଦୀପ୍ତ ଓ ପରିବ୍ୟାପ୍ତ କରିଥାଆନ୍ତି । ଟଲଷ୍ଟୟ, ସୋଲକୋଭ, ପୁଷ୍କିନ ଆଦିଙ୍କ ସାହିତ୍ୟ ଅଧାଅଧି ମଜଦୂର ବା ସାଧାରଣ ଚାଷୀ ମୂଲିଆର ଜୀବନକୁ ନେଇ । ସେଥିରେ ମଣିଷର ନୃତାତ୍ତ୍ୱିକ ଭାବାବେଗ (anthro-pocentic emotion) ହିଁ ମୂଳ ବିଷୟ (Centrl theme)ର ମୁଖ୍ୟ ଉପାଦାନ ହୋଇଥାଏ । ଲୋକଜୀବନବୋଧକୁ ବାଦ୍‌ଦେଇ ଏତେ ବଡ଼ ସାରଳା ସାହିତ୍ୟର ଚମତ୍କାରିତାକୁ ଆକଳନ କରିହେବ ନାହିଁ । ମୂଳ ସଂସ୍କୃତ ମହାଭାରତ ଅପେକ୍ଷା ସାରଳା ମହାଭାରତର ବିଶେଷତ୍ୱ ହେଉଛି, ପ୍ରକୃତରେ ଓଡ଼ିଶାର ବିଶାଳ ଲୋକଜୀବନକୁ ନାନା ଭାବରେ ମୂଳ ଶାସ୍ତ୍ରୀୟ ବିଷୟ ସହିତ ସମନ୍ୱିତ କରିବା । ପ୍ରାଚୀନ ଓ ମଧ୍ୟଯୁଗୀୟ ସାହିତ୍ୟ ଭିତର ଦେଇ ଆଧୁନିକ କବିତାରେ ମଧ୍ୟ ଏହି ଲୋକସାହିତ୍ୟ ଉପାଦାନ ନାନା ଭାବରେ ପ୍ରତୀକିତ ହୋଇଛି । (୧୪)

 

୧୪.

Folk Culture and Literature-P-67.

 

ସଂସ୍କୃତ ମହାଭାରତର ବିଷୟପଞ୍ଜର ଅପେକ୍ଷା କେତେକାଂଶରେ ସାରଳା ମହାଭାରତ ଭିନ୍ନ; ନିକଟତମ ଲୋକାଳୟର ସାଧାରଣ ଲୋକଜୀବନର ଛବି ଥିବା ଯୋଗୁଁ ଓଡ଼ିଆ ପାଠକ ପାଠିକାଙ୍କ ପାଇଁ ଅଧିକ ସ୍ୱାଦ୍ୟ । ଲୋକସାହିତ୍ୟରେ ଲୋକାଳୟ ବା ଜାନପୀଠିକ ସୌନ୍ଦର୍ଯ୍ୟ ବସ୍ତୁତଃ ଲୋକଗଳ୍ପ ଓ ଲୋକଗୀତଗୁଡ଼ିକୁ ଅଧିକ ସ୍ୱାଦ୍ୟ କରିଥାଏ । ପୂର୍ବରୁ ସୂଚିତ ହୋଇଛି ଯେ ଜ୍ଞାନଗାମ୍ଭୀର୍ଯ୍ୟ ନୁହେଁ, ଜୀବନର ଗଭୀର ପ୍ରାଣପିପାସାର ସରଳ ସ୍ୱଭାବ ଅନୁଭବ ହିଁ ଲୋକସାହିତ୍ୟରେ ଅଭିବ୍ୟକ୍ତି ଲାଭ କରିଥାଏ । ‘The folk lyrics and tales are the splendid and philanthropic exploration of anthro-pocentic impulsiveness of man through tangible allegories.’(୧୫)

 

୧୫.

Orissan Folk Lore Sovenir.

 

ହଳିଆ ଗୀତ, କାନ୍ଦଣା ଗୀତ, ଯୋଗୀ ଗୀତ, ଖେଳ ଗୀତ, କୃଷକର କୃଷି ସମ୍ବନ୍ଧୀୟ ଗୀତରେ ସେହି ନୃତାତ୍ତ୍ୱିକ ଭାବୋଚ୍ଛ୍ଵାସ ନାନା ରୂପକ (allegories) ଓ ତର୍କଣା ଛଳରେ ଥାଏ । ରସରକେଲି, ମାଇଲାଜଡ଼, ଝୁମୁକୁଝୁମା, ଡାଲଖାଇ, ବାଙ୍ଗରୀ, ହୋମ, ଜାଇଫୁଲ, ଘୁମୁରା, ଛିଲୋଲାଇ ଆଦି ପଶ୍ଚିମ ଓଡ଼ିଶାର ଲୋକଗୀତରେ ଲୋକଜୀବନର ସୁଖ ଦୁଃଖ, ବିରହ ମିଳନ, ହାନି ଲାଭର ମୁଗ୍‌ଧ ଅନୁଭବ ଅଙ୍କିତ ହୋଇଛି । ଯୌନ-ଜୀବନର ବହୁ ଇଙ୍ଗିତ, ଯାହା ଜୈବିକ ସତ୍ୟର ନିଦର୍ଶନ, ତା’ର ଅତି ଚମତ୍କାର ରସାତ୍ମକ ଅଭିବ୍ୟକ୍ତି ଉଲ୍ଲିଖିତ ଲୋକଗୀତରେ ପରିଦୃଷ୍ଟ ହୋଇଥାଏ । (୧୬)

 

୧୬.

‘ଡାଲଖାଇ ବୋ, ବଁଧର ଜଙ୍ଗଲ କି କଣ୍ଟାର ଜଙ୍ଗଲ/ତେଲାନି ଭାଜଲି ଭେଁଡ଼ି ନାଇଁ ଛାଡ଼େ ଘେଙ୍ଗାଲ / ବାଲୁତ କାଳରୁ ମୋର ଲହ ଲହ ବାଲ / ଲହ ଲହ ବାଲ କିରାକ୍‌ ବାନ୍ଧିଗଲି ବେନି / ଅଗ୍ୟାଁନ ବେଲେର ଭାବ ପୀରତି କିଛିନାଇଁ ଜାନିତ ଡାଲଖାଇରେ’ (ଡାଲଖାଇ, ସପ୍ତର୍ଷି-ସମ୍ବଲପୁରୀ ବିଶେଷାଙ୍କ-୧୯୮୨) ।

 

କେବଳ ଲୋକସାହିତ୍ୟ ନୁହେଁ; ଲୋକର ଟିକିଏ ଭାଷା ବି ପୃଥିବୀର ସର୍ବତ୍ର ଉଦ୍ଦେଶ୍ୟ (Motif) ଦୃଷ୍ଟିରୁ ସମାନ । ସମଗ୍ର ବିଶ୍ୱରେ ଏହି ନୃତାତ୍ତ୍ୱିକ ଭାବାବେଗର ସମାନତା ଦୃଷ୍ଟିରୁ ମଣିଷଜାତିର ସଂସ୍କୃତି ଓ ଇତିହାସର ବିବର୍ତ୍ତନ ପ୍ରାୟ ସେପାଇଁ ଏକା ପ୍ରକାରର । ମଣିଷର ଅନ୍ତର୍ନିହିତ ଭାବାବେଗ ସହିତ ମଣିଷର ସଭ୍ୟତା ବିକାଶର ଧାରା ସର୍ବତ୍ର ପୁଣି ବହୁ ଭାବରେ ସମାନ । କଳ୍ପନା ଓ ସ୍ଵପ୍ନ ମଣିଷର ନିଜସ୍ୱ ପ୍ରକାଶମାନତାରେ ନଗଣ୍ୟ କେତେକ ପାର୍ଥକ୍ୟ ସତ୍ତ୍ଵେ ପୃଥିବୀର ସବୁ ଅଞ୍ଚଳର ପ୍ରାୟ ସମାନ । ପୃଥିବୀର ଲୋକସାହିତ୍ୟକୁ ବିଶ୍ଳେଷଣ କଲେ ମନେହେବ ଯେ, କେତେକ ବାହ୍ୟ ପର୍ବପର୍ବାଣି (Rituals) ମନ୍ତ୍ର, ପୂଜା ଓ ବିଶ୍ୱାସ ଦୃଷ୍ଟିରୁ ଗୋଟିଏ ଅଞ୍ଚଳ ସହିତ ଆଉ ଏକ ଅଞ୍ଚଳର ସମାନତା ରହିଛି । ବର୍ତ୍ତମାନ ବିଭିନ୍ନ ଲୋକସଂସ୍କୃତିରେ ସର୍ପପୂଜାର ଇଙ୍ଗିତକୁ ବିଶ୍ଳେଷଣ କରାଯାଇପାରେ ।

 

ସର୍ପକୁ କାଳ ବା ଏକ ଆଧିଭୌତିକ ଶକ୍ତି (Super natural power) ଭାବେ ଏସିଆର ଲୋକକଥାରେ କଳ୍ପନା କରାଯାଇଛି । ବିଭିନ୍ନଭାବେ ୟୁରୋପୀୟ ଲୋକସାହିତ୍ୟରେ ମଧ୍ୟ ତା’ର ସୂଚନା ରହିଛି । ଭାରତୀୟ ଦେବାଦେବୀ ଉପାସନାର ଧାରଣା ସବୁ ଆୟାର୍ଲାଣ୍ଡ ପରି ୟୁରୋପୀୟ ଦେଶମାନଙ୍କରେ ମଧ୍ୟ ପ୍ରଚଳିତ; ଯାହାର ଏକ ବିଶ୍ୱାସଗର୍ଭିତ ଓ ଜୀବନନିଷ୍ଠ ଅଭିବ୍ୟକ୍ତି ଲୋକସାହିତ୍ୟରେ ହିଁ ଦେଖିବାକୁ ମିଳେ । (୧୭) ଥମ୍‌ସନ (Thompson) ଭାରତୀୟ ଗଳ୍ପ ମାନଙ୍କରେ ସମଗ୍ର ଏସିଆ ଓ ୟୁରୋପୀୟ ଗଳ୍ପମାନଙ୍କର ମୂଳ ଭାବଭୂମି କିପରି ରହିଛି ତା’ର ଏକ ପ୍ରାମାଣିକ ‘Motif-Index’ ପ୍ରସ୍ତୁତ କରିଛନ୍ତି ।

 

୧୭.

S. Dhar, Common Motifs in India-Asian Folk-lore.

 

ଲୋକସଂସ୍କୃତି, ଲୋକନୃତ୍ୟ, ଲୋକଗୀତ ଓ ଲୋକର ପ୍ରତିଟି ଉପାଦାନ ଯେପରି ପ୍ରାଚୀନ, ସେହିପରି ଐତିହ୍ୟ ମଣ୍ଡିତ । ନୃତାତ୍ତ୍ୱିକ ଯେକୌଣସି ବିଷୟର ଅତି ବଡ଼ ଐତିହ୍ୟ ହିଁ ପ୍ରକୃତ କୃଷ୍ଟି ଓ ଆଭିଜାତ୍ୟର ଲକ୍ଷଣ । ବର୍ତ୍ତମାନ ଦାର୍ଶନିକ ଓ ନୃତତ୍ତ୍ୱବିଦ୍‌ Gottifried Von Herder ଆମେରିକାର ଲୋକସଂସ୍କୃତିକୁ ଅନୁଶୀଳନ କରି ଲେଖିଛନ୍ତି, ଆମେରିକାର ଚିନ୍ତା-ବିପ୍ଳବ ସହିତ ଆମେରିକୀୟ ସାହିତ୍ୟାଦର୍ଶ ନାନା ଭାବରେ ସଂବଂଧିତ; ମାତ୍ର ସେଥିରେ ଲୋକସଂସ୍କୃତିର ପ୍ରଭାବ ସୁସ୍ପଷ୍ଟ । ଜାତୀୟ ଜୀବନଧାରାରେ ଗଣଆଦର୍ଶ (Folk ideology)ର ପ୍ରତିଫଳନ ସେପାଇଁ ଅତ୍ୟନ୍ତ ସ୍ୱାଭାବିକ ବୋଲି ସେ ମନେକରନ୍ତି । J. G. Von Herderଙ୍କ ଯୁକ୍ତିର ଆଲୋକରେ ଓଡ଼ିଆ ଓ ଭାରତୀୟ ଲୋକସାହିତ୍ୟକୁ ଅନୁଧ୍ୟାନ କରି ସେଥିରେ ଥିବା କେତେକ ସାଦୃଶ୍ୟକୁ ଓଡ଼ିଆ ଓ ଭାରତୀୟ ଜୀବନଧାରାରେ ଲକ୍ଷ୍ୟ କରାଯାଇପାରେ । ଗୋଟିଏ ଜାତିର କଳା ଓ କୃଷ୍ଟି ତା’ର ଲୋକଜୀବନର ସ୍ୱାଭାବିକ ଧାରାଠାରୁ ଦୂରକୁ ଘୁଞ୍ଚିଯାଇ ପାରିବ ନାହିଁ । ପୃଥିବୀର ଆଧୁନିକ କଳା ଓ ସାହିତ୍ୟାଦର୍ଶରେ ଏପରିକି ତା’ର ଦୈନନ୍ଦିନ ଜୀବନଚର୍ଯ୍ୟାରେ ମଧ୍ୟ ଆଦିମ ଓ ଅନାହତ ଲୋକଜୀବନ ପ୍ରତୀକିତ ହୋଇଥାଏ । (୧୮)

 

୧୮.

A. M. Hocart, The Life-Giving Myth and other Essays, 1970.

 

ବାହ୍ୟ ପର୍ବପର୍ବାଣୀ ଓ ମିଥ୍‌ର ସୃଷ୍ଟି ପଶ୍ଚାତ୍‌ରେ ମଧ୍ୟ ଲୋକଜୀବନର ବ୍ୟକ୍ତିଗତ ଓ ସମଷ୍ଟିଗତ ଆବେଗକୁ ନାନାମତେ ଲକ୍ଷ୍ୟ କରାଯାଇପାରେ । ପର୍ବପର୍ବାଣୀଗୁଡ଼ିକୁ ଲକ୍ଷ୍ୟକଲେ ଗୋଟିଏ ଜାତିର ସାମାଜିକ, ସାଂସ୍କୃତିକ ଜୀବନକୁ ପ୍ରାମାଣିକ ଭାବେ ଚିହ୍ନଟ କରିହେବ । କାରଣ, ପର୍ବପର୍ବାଣୀ ପାଳନ ଅତ୍ୟନ୍ତ ସ୍ଥିତିଶୀଳ ବିଷୟ । ସଭ୍ୟତା ବିକାଶ ପରିପ୍ରେକ୍ଷୀରେ ଗୋଟିଏ ଜାତିର ପର୍ବପର୍ବାଣୀ ବୈଦେଶିକ ପ୍ରଭାବ ଦ୍ୱାରା ସାଧାରଣତଃ ପ୍ରଭାବିତ ହୋଇ ନ ଥାଏ । (୧୯)

 

୧୯.

B. K. Sarkar, The Folk-Element in Hindu Culture.

 

ଲୋକଗୀତର ଫର୍ମ ନାହିଁ; ଶିଳ୍ପ ପାଇଁ ସଚେତନତା ନାହିଁ; ନାହିଁ ନିଜସ୍ୱ ଉପଲବ୍‌ଧିକୁ ଅଭିବ୍ୟକ୍ତି ଦେବାରେ ଶିଳ୍ପ ଓ ଶୈଳୀ ନାମରେ କୌଣସି କୃତ୍ରିମ ପ୍ରୟାସ । ପୂର୍ବରୁ ସୂଚିତ ହୋଇଛି । ଯେ, ଲୋକଗୀତ ଗାଇବାରେ କୌଣସି ବୌଦ୍ଧିକ ସଚେତନତା ନାହିଁ ଓ ଯେ ଗାଏ, ସେ ଏକ ଗାର୍ହ୍ୟସ୍ଥ । –ଯେ ଦୁଃଖରେ ଗାଏ ଓ ସୁଖରେ ଗାଏ । ଗୀତ ଗାଇବାରେ ତା’ର ଶ୍ରମ ଲାଘବ ହୁଏ । ଦିନ ଦି’ପହରେ ପରିଶ୍ରାନ୍ତ ପାନ୍ଥ ବି ଲୋକର ବଞ୍ଚିବା ମରିବା ହସିବା କାନ୍ଦିବାକୁ ଗୀତରେ ଗାଏ । ସାତ ବରଷର ଅଲିଅଳ ଝିଅକୁ ଦୁବେଇ ବୁଢ଼ାବରରେ ବିକିଥିବା କେଉଁ ବୁରୁନ୍ଦି ମାଆକୁ ଲୋକ ତା’ ଗୀତରେ ବ୍ୟଙ୍ଗ କରେ; ତା’ର ସେ କରଣୀକୁ ଅପସନ୍ଦ କରେ । ଏ ଗୀତ ସବୁବେଳେ ଗଣ ବା ଲୋକର ନୁହେଁ; ବ୍ୟକ୍ତି ପ୍ରକୃତରେ ଏ ଗୀତ ଗାଇଥାଏ; କିନ୍ତୁ ତା’ ନାଁରେ ନୁହେଁ; ସମଷ୍ଟିର ନାଁରେ ।

 

ପୃଥିବୀର ଉଭୟ ସାହିତ୍ୟ ଓ ସଂସ୍କୃତି କ୍ଷେତ୍ରରେ ବ୍ୟକ୍ତିବାଦୀ ଦର୍ଶନର ପ୍ରଚାର ପ୍ରସାର ସତ୍ତ୍ଵେ ତଥାପି ଆଜି ଗାଁ ଗହଳର ସାଧାରଣ ନିଜରବୀ ମଣିଷ ନିଜକୁ ଜନତା ଭିତରେ ଦେଖୁଛି । ନିଜକୁ ଓ ନିଜର ଅନୁଭବକୁ, ନିଜର ସ୍ୱପ୍ନ ଓ କଳ୍ପନାକୁ ପୃଥକ୍‌ କରି ଦେଖେ, ସେ ବି ଲୋକଜୀବନର ପରିସର ଭିତରୁ ନିଜକୁ ସଂପୂର୍ଣ୍ଣ ମୁକ୍ତ କରିପାରେ ନାହିଁ । ସେଥିପାଇଁ ସେକ୍‌ସପିୟରଙ୍କ ପରି ଜଣେ ଅତି ଗମ୍ଭୀର ଓ ଅଭିଜାତ ଶିଳ୍ପୀଙ୍କ ରଚନାରେ ବି ଲୋକଜୀବନର ନାନା କଥା ନାନା ଭାବରେ ପ୍ରତୀକିତ ହୋଇଛି । ବ୍ୟକ୍ତି-ଜୀବନବୋଧ ହିଁ ବସ୍ତୁତଃ ଲୋକଜୀବନବୋଧ ଦ୍ୱାରା ସବୁକାଳରେ ସର୍ବଦା ପୁଷ୍ଟ ହୋଇଥାଏ ଏବଂ ଏହି ଲୋକଜୀବନ ବିଭିନ୍ନ ଭୌଗୋଳିକ କାରଣରୁ ପରସ୍ପରଠାରୁ ଯେତେ ବିଚ୍ଛିନ୍ନ ହୋଇଥିଲେ ହେଁ ଅନେକ ବୈଷମ୍ୟ ସତ୍ତ୍ଵେ ସବୁ ଲୋକାଳୟର ଲୋକଜୀବନ ମଧ୍ୟରେ ଏକ ନୃତାତ୍ତ୍ୱିକ ସାମ୍ୟ (anthro-pocentic similarity) ଲକ୍ଷଣୀୟ ।

 

ଭାରତୀୟ କାଳୀ ଓ କୃଷ୍ଣ ଉପାଖ୍ୟାନ ଓ ତଜ୍ଜନିତ ଧାରଣା (Concept) ଆୟାର୍ଲ୍ୟାଣ୍ଡ ଓ ମୋରିସେସ ପ୍ରଭୃତି ପୃଥିବୀର ବିଭିନ୍ନ ଅଞ୍ଚଳରେ ରହିଛି । ସିଂହ, ହସ୍ତୀ, ମାଛ, ସାପ, ପକ୍ଷୀ ସମ୍ପର୍କିତ ଧାରଣା ଓ ସାଦୃଶ୍ୟ କଥନ (analogy) ସେ ପାଇଁ କମ୍‌ ବେଶୀ ପାର୍ଥକ୍ୟ ସତ୍ତ୍ଵେ ପୃଥିବୀରେ ପ୍ରାୟ ସମାନ । (୨୦) ଏକ ନୃତାତ୍ତ୍ୱିକ ଭାବାବେଗର ସମାନତା ହିଁ ଭାରତୀୟ ଲୋକବାଣୀରେ ସମଧର୍ମିତା ସୃଷ୍ଟି କରିଛି । (୨୧)

 

୨୦.

James Frazer,The Worship of Nature, Golden Bough, 1962.

୨୧.

‘ x x ଜନଗୋଷ୍ଠୀର ଅନୁଭବ, ବିଚାର ଓ କଳ୍ପନାର ମୂର୍ତ୍ତ ଅଭିବ୍ୟକ୍ତି ହୋଇଥିବା ଯୋଗୁଁ ଏଥିରୁ ଜନସାଧାରଣଙ୍କ ମାନସିକତା ଓ ଭାଷାର ବୈଶିଷ୍ଟ୍ୟର ଯଥାର୍ଥ ପରିଚୟ ମିଳିଥାଏ । ସାଧାରଣତଃ ଲୋକଚଳଣି, ଲୋକପ୍ରବୃତ୍ତି ଓ ଲୋକବ୍ୟବହାର୍ଯ୍ୟ ଉପାଦାନକୁ ଭିତ୍ତିକରି ଏହା ଗଢ଼ିଉଠିଥାଏ (ଡଃ ଜାନକୀବଲ୍ଲଭ ମହାନ୍ତି, ଭାରତୀୟ ଲୋକବାଣୀରେ ସମଧର୍ମିତା ଓ ଓଡ଼ିଆ ପ୍ରବାଦ)

 

ପୃଥିବୀର ବିଭିନ୍ନ ଅଞ୍ଚଳର ସାହିତ୍ୟକୁ ସମାଜତାତ୍ତ୍ଵିକ ତଥା ଐତିହାସିକତା ଦୃଷ୍ଟିରୁ ଅଧ୍ୟୟନ କଲେ ସମପର୍ଯ୍ୟାୟ ତଥା ସମଭାବ ଓ ଆବେଗର କେତେକ ନିର୍ଦ୍ଦିଷ୍ଟ ଗଳ୍ପ (Identical Stories) ପରିଲକ୍ଷିତ ହେବ; ଯାହାର ବିଷୟ ସଂସ୍ଥାପନଗତ ସାମାନ୍ୟ ପାର୍ଥକ୍ୟ ସତ୍ତ୍ଵେ ମୂଳ ଗଳ୍ପଟି ଉଦ୍ଦେଶ୍ୟ (Motif) ଦୃଷ୍ଟିରୁ ସମାନ ଓ ସେସବୁର ଉତ୍ସ ହେଉଛି ପ୍ରକୃତରେ ପୃଥିବୀରେ ଲୋକରେ ପ୍ରଚଳିତ ଅସଂଖ୍ୟ ଲୋକଗଳ୍ପ ।

 

ଗୋଟିଏ ଅଞ୍ଚଳର ଭୌଗୋଳିକ ତଥା ପ୍ରାକୃତିକ ପରିବେଶର ପ୍ରଭାବ ଏ ଅଞ୍ଚଳର ମଣିଷର କଳା ଓ କଳ୍ପନାରେ କେତେ ଗଭୀର, ତା’ର ପ୍ରାମାଣିକ ଅନୁଶୀଳନ ପାଇଁ ସେ ଅଞ୍ଚଳର ବିଦଗ୍‌ଧ ସାହିତ୍ୟ ଅପେକ୍ଷା ଲୋକସାହିତ୍ୟର ନୃତାତ୍ତ୍ୱିକ ଅଧ୍ୟୟନ ହେବା ଉଚିତ୍‌ । ନୃତାତ୍ତ୍ୱିକ ଅଧ୍ୟୟନ ଏକ ଶୁଦ୍ଧ ଶାସ୍ତ୍ରୀୟ ଅଧ୍ୟୟନ ହେଲେ ହେଁ ତାହାକୁ କଳା ଓ ସାହିତ୍ୟ ଅନୁଶୀଳନର ପୃଷ୍ଠଭୂମୀ ମୂଳକ ଅଧ୍ୟୟନ (back ground study) ବୋଲି କୁହାଯାଇପାରେ । ଲୋକର ପ୍ରବୃତ୍ତି, ତା’ର ସ୍ୱପ୍ନ, କଳ୍ପନା, ତ୍ୟାଗ, ପ୍ରେମ ଓ ପୁଲକ ଯେଉଁ ଲୋକଗୀତରେ ଅଧିକ ପିଣ୍ଡିତ ହୋଇଛି ଓ ବ୍ୟାବହାରିକ ଜୀବନଚର୍ଯ୍ୟାର ବୀଜମନ୍ତ୍ର ଯେଉଁ ଗୀତରେ ଓ ଗପରେ ଅନୁରଣିତ, ତା’ର ଆତ୍ମା ବା ଭାବପିଣ୍ଡ ବସ୍ତୁତଃ ସମକାଳୀନ ମାନାବାତ୍ମାଠାରୁ ଭିନ୍ନ ନୁହେଁ । (୨୨)

 

୨୨.

Sir James Frazer, The Worship of Nature-Golden Bough, 1962.

 

ଦିନର ଆଲୁଅ ନ ଲିଭୁଣୁ, ସଞ୍ଜରେ ଗାଁ ଦାଣ୍ଡରେ ବାଳକ ବାଳିକାଙ୍କ ତୁଣ୍ଡରେ ଯେଉଁ ଖେଳ ଗୀତ ଗାଁ ଦାଣ୍ଡକୁ ସଦାସର୍ବଦା ମୁଖରିତ କରେ, ସେଥିରେ ଥାଏ ସେହି ଜନ୍ମରୁ ମୃତ୍ୟୁ ପର୍ଯ୍ୟନ୍ତ ଜୀବନ ଗଢ଼ିବା, ଗାର୍ହସ୍ଥ୍ୟର ଧର୍ମ ପାଳନ କରିବା, ପୁଅ ଝିଅର ସଂସାର ଭିତରେ ଜୀବନକୁ ଦୁଃଖ ଓ ଦୁର୍ବିପାକ ସତ୍ତ୍ଵେ ସ୍ତମ୍ଭ କରି ଦେଖିବାର ଏକ ରୋମାଞ୍ଚିତ ସ୍ୱପ୍ନର ଖସଡ଼ା । ଲୋକସାହିତ୍ୟ ତେଣୁ ସାମଗ୍ରିକ ଭାବେ ଲୋକଜୀବନର ଉଭୟ ସୂକ୍ଷ୍ମ ଓ ସ୍ଥୂଳ ଜୀବନଚର୍ଯ୍ୟାର ଆନ୍ତରିକ ପ୍ରକାଶ । ବ୍ୟାବହାରିକ ଜୀବନର ମାର୍ମିକ ଉପଲବ୍‌ଧି ସତ୍ତ୍ଵେ ଲୋକଗୀତରେ ଶୁଦ୍ଧ କଳ୍ପନା ସଂଯୋଜିତ ହୋଇ ତାହାକୁ ଅଧିକ ରହସ୍ୟମୟ ଓ ସ୍ଵୈରବାଦୀ କରିଛି ।

 

ପରିଶେଷରେ ଏତିକି କୁହାଯାଇପାରେ ଯେ ଲୋକଜୀବନର ସୁଖ ଦୁଃଖ, ହସ କାନ୍ଦ, ବିରହ ମିଳନ ଆଦି ନୃତାତ୍ତ୍ୱିକ ଭାବାବେଗ (anthro-pocentic emotion)ର ଆନ୍ତରିକ ପ୍ରକାଶ ଲୋକସାହିତ୍ୟକୁ ସେଥିପାଇଁ ଅଧିକ ଜୀବନନିଷ୍ଠ ଓ ମାନବୀୟ ସମ୍ବେଗାତ୍ମକତା ଭିତରେ ଅଧିକ ଉଷ୍ଣ ଓ ପ୍ରାଣବାନ୍‌ କରିଛି ।

 

ପ୍ରାଧ୍ୟାପକ, ଉପାଧ୍ୟୁତ୍ତର ଓଡ଼ିଆ ବିଭାଗ

ସମ୍ବଲପୁର ବିଶ୍ଵବିଦ୍ୟାଳୟ, ଜ୍ୟୋତିବିହାର

ସମ୍ବଲପୁର

 

***

 

“ଜୟ ଜଗଦୀଶ ହରେ”….

ରାଧାମୋହନ ଗଡ଼ନାୟକ

 

“ବଡ଼ଦେଉଳର

 

ହେ ଦାରୁ ଦେବତା

ଜାଣ ଆମ ଅଭିମାନ

ତୁମରି ଚରଣେ

 

ସଅଁପି ଦେଉଛୁ

ଦେଇଥିଲ ଯେଉଁ ଦାନ ।

ଦଗ୍‌ଧ ଜୀବନେ

 

ଆଶ୍ୱାସନାର

ପରଶ ପାଇବା ଲାଗି

ତୁମରି ଚରଣେ

 

ସନ୍ତାନଟିଏ

ବିକଳରେ ଥିଲୁଁ ମାଗି ।

ପୁତ୍ର ପାଇଲେ

 

କହିଥିଲୁ ପ୍ରଭୁ

ସେ ଆମ କୁଳର ଗତି,

କନ୍ୟା ପାଇଲେ

 

ତୁମରି ଦେଉଳେ

କରିଦେବୁ ତୁମ ନଟୀ ।

ଫେରି ପାଇବାକୁ

 

ଚତୁର ଦେବତା

କନ୍ୟାଟିଏ ଯେ ଦେଲ

ତୁମର ସେ ଦାନ

 

ସଅଁପି ଦେଉଚୁ

ତୁମେ ଜାଣ ତୁମ ଖେଳ ।’’

ବଡ଼ଦେଉଳରେ

 

ସଞ୍ଜ-ଆଳତି

ଘଣ୍ଟ-ମାଦଳ-ଧ୍ୱନି

କେତେ ଡାକ,

 

କେତେ ଗୀତ ବନ୍ଦନା

ଉଠୁଥିଲା ଅନୁରଣି ।

ଅମ୍ବୁନିଧିର

 

ଗର୍ଜ୍ଜନ ପରି

ଶୁଭୁଥିଲା କୋଳାହଳ

ତାହାରି ଭିତରେ

 

ହଜିଯାଉଥିଲା

ଦିଓଟି ପ୍ରାଣର ସ୍ୱର ।

ଦେବଶର୍ମାର

 

ଅଭିମାନ ତୁଲେ

ପ୍ରିୟାର କାତର ଅଳି

ଜଗତ୍‌ନାଥର

 

ହୃଦତନ୍ତ୍ରୀରେ

ସହଜେ ଉଠିଲା ଥରି ।

ନିଶାରାତେ ପ୍ରଭୁ

 

ସପନେ ବୋଇଲେ–

“ସ୍ନେହର ପାତ୍ର ମୋର,

ଫେରି ପାଇବାକୁ

 

ଦେଇଥିଲି ମୁଁ କି ?

ଭାବୁଚ ବିଷମ ଘୋର !

ତୁମକୁ ଅନାଇ

 

ଦେଇଥିଲି ଯାହା

ଜଗତର ବାଞ୍ଛିତା

ଦୁହିତା ତୁମର

 

ସଂସାରେ ହେବ

ଦୁଇ କୁଳକୁ ତ ହିତା ।

ଜାଣି ଜାଣି ମୁଁ ତ

 

କନ୍ୟା ଦେଇଚି,

ପୁତ୍ର କରିନି ଦାନ,

ସେଇ କଥା ଏବେ

 

ବୁଝିପାରୁନାହିଁ

ଆତୁର ତୁମର ପ୍ରାଣ ।

ସେଇ କନ୍ୟାକୁ

 

ଫେରାଇ ଦେଉଚ,

ମୁଁ ତାକୁ ଘେନିବି ନାହିଁ,

ସେଇ କନ୍ୟାକୁ

 

ମୁଁ ପରା ଦେଇଚି

ଜଣେ ମୋ ଭକତ ପାଇଁ ।’’

“ପ୍ରଭୁ ହେ ତୁମର

 

କିଏ ସେ ଭକତ

କେଡ଼ିକି ପ୍ରିୟ ସେ ତବ

ଯାହାର ହାତରେ

 

କନ୍ୟାକୁ ଦେଲେ

ହେବ ଆମ ଗଉରବ ।’’

“ପ୍ରାଚୀ ନଈକୂଳେ

 

କେନ୍ଦୁବିଲ୍ଵ

ଶାସନରେ ତା’ର ଘର,

ଜୟଦେବ ନାମ

 

ଭକ୍ତକବି ସେ

କାନ୍ତ ପ୍ରତିଭାଧର ।

ପିଅର ତାହାର

 

ଭୋଜଦେବ ଏବେ

ସରଗପୁରରେ ଯାଇ

ମାତା ବାମାଦେବୀ

 

ଚାଲିଗଲାଣୀ ତ

ସେଇପରି ସେଇଠାଇଁ ।

ଗାଆଁ ଛାଡ଼ିଦେଇ

 

ସେଇ ଜୟଦେବ

ପଡ଼ିଅଛି ଏଇ ଧାମେ

ବିଭୋର ହୋଇ ସେ

 

କାଳ କାଟୁଅଛି

ମାତି ରହି ମୋହ ନାମେ ।

ନଗରୀରେ

 

ପତର କୁଟୀରେ

ଏକଲା ସେ ଅଛି ରହି ।

ଗୀତ ପଦାବଳୀ

 

ରଚନା କରୁଚି,

ସୁର୍‌ ଦେଉଅଛି ତହିଁ ।

କନ୍ୟାକୁ ଘେନି

 

ଉଛୁର ନ କରି

ଚାଲିଯାଅ ତାର ପାଶେ

ତାହାରି ହାତରେ

 

ସଁ ପି ଦେଇ ୟା’କୁ

ଫେରିଯାଅ ନିଜ ବାସେ ।

ଜଗତେ ତୁମକୁ

 

ଗଉରବ ଦେବେ

ଜାମାତା ଦୁହିତା ବେନି

ତୁମେ ଦୁହେଁ ଯାକ

 

ଧନ୍ୟ ହୋଇବ

ଜାମାତା ଦୁହିତା ଘେନି ।”

“ସକାଳୁ ସକାଳୁ

 

ସେଇଠିକି ଯିବୁ

ଶ୍ରୀମୁଖ-ଆଜ୍ଞା ଧରି

ଶ୍ରେୟ ପଥେ ଯାହା

 

ଆସିବ ଆମର

ଅକାତରେ ନେବୁଁ ବରି ।

ମାତର ଆମର

 

ମର୍ମ ଭିତରେ

ଦ୍ୱିଧା ଉପୁଜଇ ଆଜି,

ସଁପି ଦେବୁ ସିନା,

 

କଅଣ କରିବୁ

ସେ ଯଦି ନୋହିବେ ରାଜି ।’’

“ତାକୁ ମୁଁ କହିଚି,

 

ସେ ତ ସବୁ ଜାଣେ

ଜାଣି ତୁମେ ଜାଣୁନାହଁ,

ସହଜ ସରଳ

 

ବିଶ୍ୱାସ ଧରି

ଆଉ ଯେ କଅଣ ଚାହଁ ?”

ତହିଁ ଆରଦିନ

 

ପ୍ରଭାତରୁ ଦ୍ୱିଜ

ପତ୍ନୀ, ଦୁହିତା ସାଥେ

ଉଚ୍ଚାଟ ମନେ,

 

ଉଚ୍ଚାଟ ପଦେ

ଘୂରିଲେ ବହୁତ ପଥେ ।

ସନ୍ଧାନ ନେଇ

 

ଜୟର କୁଟୀର,

ବାହାରେ ରହିଲେ ଚାହିଁ,

ପହରେ ସମୟ

 

ହେଲାଣି ତଥାପି

ଜୟ ସେ ଯାଇଚି କାହିଁ ?

ଜଳଧିର ଜଳେ

 

ସ୍ନାହାନ ସାରି ସେ

ଫେରିଲେ ଆପଣା ଘରେ,

ମୁଗ୍‌ଧ ମନରେ

 

ଗୁଣି ହେଉଥିଲେ

“ଜୟ ଜଗଦୀଶ ହରେ ।’’

ଦେଖିଲେ ତିନୋଟି

 

ନୂତନ ଅତିଥି

ଆପଣା କୁଟୀର ଆଗେ

ପରିଚିତ ଜନ

 

ପରାଏ କିନ୍ତୁ

ମଣିଲେ ଚିତ୍ତ-ଭାଗେ ।

ହସ ହସ ହୋଇ

 

ପ୍ରଣତି ବାଢ଼ିଲେ

ଦ୍ୱିଜ-ଦମ୍ପତ୍ତି-ପାଦେ

“କଲ୍ୟାଣ ହେଉ”

 

ଦ୍ୱିଜ-ଦମ୍ପତ୍ତି

ଆଶିଷିଲେ ଆହ୍ଲାଦେ ।

ଅନ୍ତର ତଳେ

 

କଅଣ ବିଚାରି

କନ୍ୟା ପୁଲକ ଭରେ

ପ୍ରୀତି ମମତାର

 

ପ୍ରଣତି ଢାଳିଲା

ଜୟଦେବ ପାଦତଳେ ।

“କାହିଁ ପାଇଁ ଆଜି

 

ଆସିଚୁ ସୌମ୍ୟ,

ଆଜି ଏ ତୁମର ଭୂମେ,

ଜାଣିପାରୁଚ କି,

 

ବୁଝିପାରୁଚ କି

ସ୍ନେହର ପାତ୍ର ତୁମେ ?”

“ଜାଣି ପାରୁଅଛି

 

ଶ୍ଳାଘ୍ୟ ଅତିଥି

ବୁଝି ପାରୁଅଛି ତେବେ

ଜୀବନ ପଥର

 

ସପନ ମୋହର

ସଫଳ ହୋଇଲା ଏବେ ।

କେତେଦିନ ତଳେ

 

ସପନରେ ପ୍ରଭୁ

କହି ଦେଇଥିଲେ ଯାହା,

ଆଜି ଦେଖୁଅଛି

 

ବାସ୍ତବତାର

ରୂପ ଘେନିଅଛି ତାହା ।

ପିତା ମାତା ସୁତା

 

ଆସିଅଛ ଏଥେ,

ଆଣିଅଛ ସମାଧାନ,

ବିଜନ ମୋହର

 

ଜୀବନର ପଥେ

ପ୍ରଭୁର ଅତୁଳ ଦାନ ।”

ଅମୃତ ଯୋଗ

 

ଆସିଗଲା ବୋଲି

ବିପ୍ର ସେତିକିବେଳେ

ଜୟଦେବ ଆଉ

 

ପଦ୍ମାବତୀର

ହସ୍ତ ମିଳାଇଦେଲେ ।

ଯୁଗଳ ତନୁର

 

ଶିରାରେ ଶିରାରେ

ଖେଳିଗଲା ସ୍ପନ୍ଦନ,

ସ୍ପନ୍ଦନ ତାହା

 

ନୁହଇ ତ ତାହା

ହୃଦୟର ନନ୍ଦନ ।

ନୀରବେ ମଉନେ

 

ରହିଗଲେ ତିନି

ଦିଓଟି ନିମେଷ ଲାଗି

ପୁଉଣି କଅଣ

 

ଦୀପ୍ତ ପରଶେ

ସହସା ଉଠିଲା ଜାଗି ।

ଜୟଦେବ

 

“ଜୟ ଜଗଦୀଶ ହରେ”

ଉଲ୍ଲାସ ଭରେ ଗାଇ

ଅଭ୍ୟାଗତ ସେ

 

ଅତିଥିର ମୁଖେ

ଆତୁରେ ରହିଲେ ଚାହିଁ ।

ଚାରିହେଁ ଯା’ ମିଳି

 

ଯୁକ୍ତ ପାଣିରେ

ମୁକ୍ତ ମିଳିତ ସ୍ୱରେ

ତୃପ୍ତ ପ୍ରାଣର

 

ନାନ୍ଦୀ ତୋଳିଲେ–

“ଜୟ ଜଗଦୀଶ ହରେ ।”

 

ଉପସଭାପତି, ଓଡ଼ିଶା ସାହିତ୍ୟ ଏକାଡେମୀ

କ୍ଵାର୍ଟରସ ସି / ୪୫, ୟୁନିଟ୍‌-୮, ଭୁବନେଶ୍ଵର-୩

 

***

 

ଏକାଡେମୀ ସମାଚାର

 

(କ) ୧୯୮୬-୮୭ ମସିହାରେ ଏକାଡେମୀ କାର୍ଯ୍ୟାବଳୀର ସ୍ଥୂଳ ବିବରଣୀ :

ଓଡ଼ିଶା ସାହିତ୍ୟଏକାଡେମୀର ସମ୍ବିଧାନରେ ଘୋଷିତ ଲକ୍ଷ୍ୟ ଓ ଆଭିମୁଖ୍ୟ ଅନୁସାରେ ଓଡ଼ିଆ ଭାଷା ଓ ସାହିତ୍ୟର ଅଭିବୃଦ୍ଧି ଓ ବିକାଶ କ୍ଷେତ୍ରରେ ଉକୃଷ୍ଟ ସାହିତ୍ୟର ପ୍ରକାଶନ, ପ୍ରଚାର ଓ ପ୍ରସାର ଏକାଡେମୀର ଏକ ମୁଖ୍ୟ କାର୍ଯ୍ୟ । ସେହି ଲକ୍ଷ୍ୟକୁ ଦୃଷ୍ଟିରେ ରଖି ଏକାଡେମୀ ନିଜର ସୀମିତ ଆର୍ଥିକ ଶକ୍ତି ଓ ସମ୍ବଳ ମଧ୍ୟରେ ଗବେଷଣାଧର୍ମୀ ତ୍ରୈମାସିକ ମୁଖପତ୍ର “କୋଣାର୍କ’’ର ପ୍ରକାଶନ ଏବଂ ସାଧାରଣ ପ୍ରକାଶକମାନେ ବ୍ୟବସାୟିକ ଦୃଷ୍ଟିରୁ ପ୍ରକାଶ କରିବା ପାଇଁ ଆଗ୍ରହୀ ହେଉନଥିବା ଉଚ୍ଚମାନର ସାହିତ୍ୟକୃତି ଉପରେ ଗୁରୁତ୍ୱ ଆରୋପ ପୂର୍ବକ ସେଗୁଡ଼ିକର ପ୍ରକାଶନ ଓ ପ୍ରସାର ପାଇଁ ଉଦ୍ୟମ କରିଆସୁଅଛି । ୧୯୮୬-୮୭ ମସିହାରେ ପ୍ରକାଶିତ “କୋଣାର୍କ’’ ପତ୍ରିକାଗୁଡ଼ିକରେ ବହୁ ଉଚ୍ଚକୋଟିର ପ୍ରବନ୍ଧ ଓ ସମାଲୋଚନା ପ୍ରକାଶିତ ହୋଇଥିଲା । “କୋଣାର୍କ’’ ପ୍ରକାଶନ ଅଧିକ ନିୟମିତ ଏବଂ ପତ୍ରିକାର ମାନୋନ୍ନତି ହୋଇପାରିଛି । ପତ୍ରିକାର ପ୍ରଚାର ପ୍ରସାର ବୃଦ୍ଧି ପାଇବା ସଙ୍ଗେ ସଙ୍ଗେ ପତ୍ରିକାର ପାଠକ ଓ ଗ୍ରାହକ ସଂଖ୍ୟା ବୃଦ୍ଧି ପାଇଛି ।

 

୧୯୮୬-୮୭ରେ ପ୍ରକାଶିତ ପୁସ୍ତକ ସଂଖ୍ୟା ବିଗତ ଦୁଇବର୍ଷରେ ପ୍ରକାଶିତ ପୁସ୍ତକ ସଂଖ୍ୟାର ପ୍ରାୟ ଦୁଇଗୁଣ ଅଟେ । ପ୍ରକାଶିତ ପୁସ୍ତକଗୁଡ଼ିକ ହେଲା :-

 

୧.

ବ୍ରଜବିହାରୀ ରଚନାବଳୀ

୨.

ଜଳନ୍ଧରଦେବ ରଚନାବଳୀ

୩.

ଓଡ଼ିଶାର ସାଂସ୍କୃତିକ ଇତିହାସ (୪ର୍ଥ ଖଣ୍ଡ)

୪.

ଭରତମୁନିପ୍ରଣୀତମ୍‌ ନାଟ୍ୟଶାସ୍ତ୍ରମ୍‌ (ଦ୍ୱିତୀୟ ସଂସ୍କରଣ)

୫.

ରୁଦ୍ରସୁଧାନିଧି (ତୃତୀୟ ସଂସ୍କରଣ)

୬.

କୌଟଲ୍ୟ ଅର୍ଥଶାସ୍ତ୍ରମ୍‌ (ଉତ୍ତରାର୍ଦ୍ଧମ୍‌) ଦ୍ୱିତୀୟ ସଂସ୍କରଣ

୭.

ବରିତ ଚିନ୍ତାମଣି (ପୌରାଣିକ ଶବ୍ଦକୋଷ) ଦ୍ୱିତୀୟ ସଂସ୍କରଣ

୮.

ଭାରତୀୟ ଦର୍ଶନ (ଦ୍ୱିତୀୟ ସଂସ୍କରଣ)

୯.

କାବ୍ୟପ୍ରକାଶ (ଦ୍ୱିତୀୟ ସଂସ୍କରଣ)

୧୦.

ସାହିତ୍ୟ ଦର୍ପଣ (ଦ୍ୱିତୀୟ ସଂସ୍କରଣ)

୧୧.

ଆଧୁନିକ ଓଡ଼ିଆ ସାହିତ୍ୟର ଭୂମି ଓ ଭୂମିକା (ତୃତୀୟ ସଂସ୍କରଣ)

୧୨.

ଓଡ଼ିଆ ଛାନ୍ଦ ସାହିତ୍ୟ (ଦ୍ୱିତୀୟ ସଂସ୍କରଣ)

୧୩.

ପ୍ରାଚୀନ ଓଡ଼ିଆ ଅଭିଲେଖ (ଦ୍ୱିତୀୟ ସଂସ୍କରଣ)

 

ଓଡ଼ିଆ ସଂସ୍କୃତିର ଏକ ଧାରାବାହିକ ଇତିହାସ ପ୍ରଣୟନ କ୍ଷେତ୍ରରେ ଏକାଡେମୀ ଦ୍ୱାରା ପ୍ରକାଶିତ “ଓଡ଼ିଶାର ସାଂସ୍କୃତିକ ଇତିହାସ” ପୁସ୍ତକଟି ସର୍ବପ୍ରଥମ ଉଦ୍ୟମ ଅଟେ । ସାଂସ୍କୃତିକ ଇତିହାସର ଏହା ମାତ୍ର ଗୋଟିଏ ଭାଗ, ଅବଶିଷ୍ଟ ପାଞ୍ଚଗୋଟି ଭାଗର ସଂକଳନ ଓ ପ୍ରକାଶନ ପାଇଁ ଉଦ୍ୟମ ଅବ୍ୟାହତ ରହିଛି । ଏଠାରେ ଉଲ୍ଲେଖ କରାଯାଇପାରେ ଯେ, ଆଧୁନିକ ଓଡ଼ିଆ ସାହିତ୍ୟର ଉତ୍କର୍ଷକୁ ଓଡ଼ିଶା ବାହାରେ ଓ ବିଦେଶରେ ପ୍ରଚାର ଓ ପ୍ରସାର କଳ୍ପେ ପ୍ରଥମ ଉଦ୍ୟମ ରୂପେ କଥାସମ୍ରାଟ ଫକୀରମୋହନ ସେନାପତିଙ୍କ “ଆତ୍ମଜୀବନ ଚରିତ”ର ଡକ୍ଟର ଜେ. ଭି. ବୋଲଟନ୍‌ଙ୍କଦ୍ୱାରା କୃତ ଇଂରାଜୀ ଅନୁବାଦ “My times and I” ଶୀର୍ଷକରେ ପ୍ରକାଶିତ ହୋଇ ଗତବର୍ଷ ମୁଖ୍ୟମନ୍ତ୍ରୀ ମହୋଦୟଙ୍କ ଦ୍ୱାରା ଏକ ସ୍ୱତନ୍ତ୍ର ଉତ୍ସବରେ ଉନ୍ମୋଚିତ ହୋଇଥିଲା । ଲଣ୍ଡନ ବିଶ୍ୱବିଦ୍ୟାଳୟର ଅଧ୍ୟାପକ ଡକ୍ଟର ବୋଲଟନ୍‌ ଏଥିପାଇଁ ଏକାଡେମୀକୁ ସାଧୁବାଦ ଜ୍ଞାପନ କରିଥିଲେ ।

 

ଓଡ଼ିଶାର ବରିଷ୍ଠ ସାହିତ୍ୟ ସାଧକମାନଙ୍କୁ ସମ୍ବର୍ଦ୍ଧନା ଜ୍ଞାପନ କରିବା ଏବଂ ନୂତନ ଓ ମୌଳିକ ସାହିତ୍ୟ ସୃଷ୍ଟି କ୍ଷେତ୍ରରେ ସାହିତ୍ୟର ସାତଗୋଟି ବିଭାଗରେ ଶ୍ରେଷ୍ଠ ବିବେଚିତ ଉଚ୍ଚକୋଟିର ସାହିତ୍ୟକୃତି ପାଇଁ ପ୍ରତ୍ୟେକ ସ୍ରଷ୍ଟାଙ୍କୁ ପାଞ୍ଚହଜାର ନଗଦଟଙ୍କା ପ୍ରଦାନପୂର୍ବକ ଉପାୟନ ପ୍ରଦାନ କରିବା ଏକାଡେମୀର ଏକ ପ୍ରମୁଖ ଲକ୍ଷ୍ୟ ଓ କର୍ତ୍ତବ୍ୟ ଭାବରେ ଗୃହୀତ ହୋଇଆସିଛି । ଓଡ଼ିଶାର ବିଭିନ୍ନ ଜିଲ୍ଲାରୁ ୧୪ଜଣ ବୟୋଜ୍ୟେଷ୍ଠ ବରେଣ୍ୟ ସାହିତ୍ୟିକଙ୍କୁ ୧୫-୬-୮୬ ତାରିଖରେ ଏକାଡେମୀ ଦ୍ୱାରା ଆୟୋଜିତ ଏକ ସାରସ୍ୱତ ଉତ୍ସବରେ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି ।

 

ଓଡ଼ିଆ ସାହିତ୍ୟର ବିଭିନ୍ନ ବିଭାବ ଉପରେ ପର୍ଯ୍ୟବଶିତ ସାହିତ୍ୟ-ଆଲୋଚନା-ଚକ୍ରମାନ ଏକାଡେମୀ ପକ୍ଷରୁ ଓଡ଼ିଶାର ବିଭିନ୍ନ ସ୍ଥାନରେ ଆୟୋଜନ କରାଯାଇଥାଏ । ଗତବର୍ଷ ୧୬-୮-୮୬ ଏବଂ ୧୭-୮-୮୬ ଦୁଇଦିନ ବ୍ୟାପୀ ଭୁବନେଶ୍ୱରସ୍ଥ ସୂଚନାଭବନଠାରେ “ସାଂପ୍ରତିକ ଓଡ଼ିଆ ଉପନ୍ୟାସର ସମସ୍ୟା” ଶୀର୍ଷକ ଏକ ଆଲୋଚନା-ଚକ୍ର ଏକାଡେମୀ ପକ୍ଷରୁ ଆୟୋଜିତ ହୋଇଥିଲା ।

 

ଆର୍ତ୍ତବଲ୍ଲଭ ମହାନ୍ତି ସ୍ମାରକୀ ବକ୍ତୃତାମାଳା କାର୍ଯ୍ୟକ୍ରମ ଅନୁସାରେ ଭୁବନେଶ୍ୱରସ୍ଥ ସୂଚନାଭବନଠାରେ ତା ୧୮-୧୦-୮୬ ଏବଂ ତା ୧୯-୧୦-୮୬ ଦୁଇଦିନ ବ୍ୟାପୀ ବକ୍ତୃତାମାଳାର ଆୟୋଜନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଭାରତର ବିଶିଷ୍ଟ ପ୍ରାଚ୍ୟତତ୍ତ୍ୱବିଦ୍‌, ଐତିହାସିକ ଏବଂ ସମାଲୋଚକ ଡକ୍ଟର କପିଳା ବାତ୍ସାୟନ “ଭାରତୀୟ କଳା-ପରମ୍ପରା ଉପରେ କବି ଜୟଦେବକୃତ ଗୀତଗୋବିନ୍ଦର ପ୍ରଭାବ” ଶୀର୍ଷକ ତିନିଗୋଟି ବତ୍କୃତା ପ୍ରଦାନ କରିଥିଲେ ।

 

ରାଜ୍ୟର ସାହିତ୍ୟିକ ଏବଂ ସାହିତ୍ୟିକ ଅନୁଷ୍ଠାନମାନଙ୍କୁ ଆର୍ଥିକ ସହାୟତା ପ୍ରଦାନ ଏକାଡେମୀର ଅନ୍ୟତମ ଲକ୍ଷ୍ୟ । ଏକାଡେମୀର ସୀମିତ ସମ୍ବଳ ମଧ୍ୟରେ ଗତବର୍ଷ ସାତଗୋଟି ସାହିତ୍ୟାନୁଷ୍ଠାନକୁ ବିଭିନ୍ନ ସାହିତ୍ୟିକ କାର୍ଯ୍ୟକ୍ରମ ପାଇଁ ଏବଂ ନଅଜଣ ବିଶିଷ୍ଟ ଏବଂ ଅଭାବଗ୍ରସ୍ତ ସାହିତ୍ୟିକଙ୍କୁ ଆର୍ଥିକ ସାହାଯ୍ୟ ପ୍ରଦାନ କରାଯାଇଥିଲା ।

 

ଏକାଡେମୀ ପକ୍ଷରୁ ଏକ ସାହିତ୍ୟିକ ଅଭିଲେଖାଗାର ପ୍ରତିଷ୍ଠାର ପ୍ରାଥମିକ ଉଦ୍ୟମ କରାଯାଇଛି । ୧୯୮୭-୮୮ ଆର୍ଥିକ ବର୍ଷ ମଧ୍ୟରେ ଏହାକୁ ସୁସଂଗଠିତ କରିବାର ଯୋଜନା ରହିଛି ।

 

(ଖ) ଯାଜପୁରରୋଡ଼ରେ ଆୟୋଜିତ ପୁସ୍ତକ ପ୍ରଦର୍ଶନୀ

ଯାଜପୁରରୋଡ଼ଠାରେ ଯୁବଲେଖକ ସମ୍ମେଳନର ସ୍ୱତନ୍ତ୍ର ଅଧିବେଶନ ଏବଂ ‘ସ୍ୱର ଓ ସ୍ୱାକ୍ଷର’ ସାଂସ୍କୃତିକ ଅନୁଷ୍ଠାନର ବାର୍ଷିକୋତ୍ସବ ତା ୨୩/୫/୮୭ ଠାରୁ ୨୪/୦୫/୮୭ ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇଥିଲା । ସେହି ସାଂସ୍କୃତିକ ମଣ୍ଡପରେ ଏକାଡେମୀ ପକ୍ଷରୁ ଏକାଡେମୀ ପ୍ରକାଶିତ ପୁସ୍ତକର ଏକ ପ୍ରଦର୍ଶନୀଆୟୋଜନ କରାଯାଇଥିଲା । ବିଶିଷ୍ଟ ସାହିତ୍ୟିକମାନଙ୍କ ଗହଣରେ ରାଜ୍ୟର ସଂସ୍କୃତି ବିଭାଗ ମନ୍ତ୍ରୀ ଶ୍ରୀଯୁକ୍ତ ଶରତ ରାଉତ ପ୍ରଦର୍ଶନୀ ମଣ୍ଡପ ପରିଦର୍ଶନ କରିଥିଲେ । ସେଠାକାର ସାହିତ୍ୟ ଓ ସଂସ୍କୃତିପ୍ରେମୀ ଜନସାଧାରଣଙ୍କ ମଧ୍ୟରେ ଏକାଡେମୀ ପୁସ୍ତକ ପ୍ରତି ଆଗ୍ରହ ଓ ଆଦର ସୃଷ୍ଟି ହୋଇଥିଲା । ଏକାଡେମୀ ପୁସ୍ତକର ବହୁଳ ପ୍ରଚାର ଓ ପ୍ରସାର ଦୃଷ୍ଟିରୁ ଚଳିତ ବର୍ଷ ଓଡ଼ିଶାର ବିଭିନ୍ନ ଅଞ୍ଚଳରେ ପୁସ୍ତକ ପ୍ରଦର୍ଶନୀମାନ ଆୟୋଜନ କରିବାର ବ୍ୟବସ୍ଥା କରାଯାଉଛି ।

 

(ଗ) ୧୯୮୭-୮୮ ମସିହାର ପୁସ୍ତକ ପ୍ରକାଶନ କାଯ୍ୟକ୍ରମ :

୨୬-୫-୮୭ରିଖରେ ଅନୁଷ୍ଠିତ କାର୍ଯ୍ୟକାରୀ ସମିତି ବୈଠକରେ ଅନ୍ୟାନ୍ୟ ବିଷୟ ମଧ୍ୟରେ ଚଳିତବର୍ଷ ଏକାଡେମୀ ପକ୍ଷରୁ ନିମ୍ନ ତାଲିକାଭୁକ୍ତ ଉପାଦେୟ ପୁସ୍ତକଗୁଡ଼ିକ ପ୍ରକାଶ କରାଯିବା ସ୍ଥିରୀକୃତ ହୋଇଅଛି । ଓଡ଼ିଆ ଭାଷା ଓ ସଂସ୍କୃତିର ଓଡ଼ିଶା ବାହାରେ ପ୍ରଚାର ଓ ପ୍ରସାରକୁ ଦୃଷ୍ଟିରେ ରଖି Orissan Heritage ପର୍ଯ୍ୟାୟରେ ଇଂରାଜୀ ଭାଷାରେ ଓଡ଼ିଶା ସଂସ୍କୃତିର ବିଭିନ୍ନ ବିଭାବକୁ ନେଇ ଦଶଖଣ୍ଡି ପୁସ୍ତକ ପ୍ରକାଶ କରିବାର ନିଷ୍ପତ୍ତି ଗ୍ରହଣ କରାଯାଇଛି ଏବଂ ତନ୍ମଧ୍ୟରୁ ନିମ୍ନଲିଖିତ ଚାରିଗୋଟି ପୁସ୍ତକ ଚଳିତବର୍ଷ ପ୍ରକାଶ କରିବା ପାଇଁ ସ୍ଥିର ହୋଇଅଛି ।

 

1)

Freedom Struggle in Orissa.

2)

Temples and Temple Legends of Orissa.

3)

Folk-lore of Orissa.

4)

Children’s literature of Orissa.

 

ଏତଦ୍‌ବ୍ୟତୀତ ନିମ୍ନଲିଖିତ ଦଶଖଣ୍ଡି ପୁସ୍ତକ ଚଳିତବର୍ଷ ପ୍ରକାଶ କରାଯିବାକୁ ସ୍ଥିର ହୋଇଛି ।

 

ଶ୍ରେଷ୍ଠ ଓଡ଼ିଆ ଗଳ୍ପଗୁଡ଼ିକର ଏକ ଇଂରାଜୀ ଅନୁବାଦ ସଂକଳନ ।

ଓଡ଼ିଆ ସାହିତ୍ୟରେ ସାଧାରଣ ମଣିଷର ଚିତ୍ର ଓ ଚିତ୍ରଣ ।

ସମ୍ବଲପୁରୀ କଥିତ ଓଡ଼ିଆ ଭାଷାର ଶବ୍ଦକୋଷ ।

ପଶ୍ଚିମ ଓଡ଼ିଶାର କଥିତ ଓଡ଼ିଆ ଭାଷା ।

ଦକ୍ଷିଣ ଓଡ଼ିଶାର କଥିତ ଓଡ଼ିଆ ଭାଷା ।

ଓଡ଼ିଶାର ସାଂସ୍କୃତିକ ଇତିହାସ (୩ୟ ଭାଗ)

ଓଡ଼ିଆ ସମାଲୋଚନା ସାହିତ୍ୟ ।

ସନ୍ଥକବି ଭୀମଭୋଇ ।

କବି ବୈକୁଣ୍ଠନାଥ ପଟ୍ଟନାୟକ ।

୧୦

ଉଦିତ ନାରାୟଣ ରଚନାବଳୀ (ପୁନର୍ମୁଦ୍ରଣ) ।

 

***

 

Unknown

ସଂପାଦକୀୟ

ମହାଯାତ୍ରୀ ମହତାବଙ୍କ ସ୍ମୃତିରେ :

 

୧୯୮୭ ତା’ ସାଥିରେ ଆଣିଥିଲା - ଆମ ରାଜ୍ୟପାଇଁ ଏକ ଦୁର୍ଦ୍ଦିନ - ଜାନୁଆରୀ ୨ ତାରିଖ । ଭାରତ ମୁକ୍ତିସଂଗ୍ରାମର ଜଣେ ସେନାପତି, ପ୍ରଖ୍ୟାତ ରାଜନୀତିଜ୍ଞ ନେତା, ବିଶାଳ ଉତ୍କଳର ନିର୍ମାତା ଓ କବି-ସାହିତ୍ୟିକ ଶ୍ରୀ ହରେକୃଷ୍ଣ ମହତାବ ପୂର୍ବାହ୍ନ ୧୧ଘଣ୍ଟା ୧୦ମିନିଟ୍‌ରେ ଇହଲୀଳା ସାଙ୍ଗ କରି ଆମମାନଙ୍କଠାରୁ ଚିରକାଳ ପାଇଁ ବିଦାୟ ନେଇଗଲେ । ସେତେବେଳକୁ ତାଙ୍କୁ ୮୮ ବର୍ଷ-ସଂପୂର୍ଣ୍ଣ ପରିଣତ ବୟସ । ତଥାପି ଆମ ପକ୍ଷରେ ସେ ପ୍ରୟାଣର ଆଘାତ ଅତ୍ୟନ୍ତ ଦୁଃସହ ଓ ଦାରୁଣ ।

 

ତାଙ୍କର ବିୟୋଗରେ ରାଜ୍ୟସାରା ଖେଳିଯାଇଥିଲା ଗଭୀର ଶୋକର ଏକ ଗହନ ଛାୟା-

 

ତା’ପୂର୍ବରୁ କିଛିଦିନ ହେଲା-ଶ୍ରୀ ମହତାବ ତାଙ୍କର ଏକାମ୍ର ନିବାସରେ ପୀଡ଼ିତ ହୋଇ ଚିକିତ୍ସିତ ହେଉଥିଲେ । ଆଶାନୁରୂପ ଆରୋଗ୍ୟ ନହେବାରୁ ତା’ ପୂର୍ବ ରାତ୍ରିରେ ତାଙ୍କୁ ରାଜଧାନୀ ହସପିଟାଲର ନର୍ସିଂହୋମ୍‌କୁ ନିଆଯାଇଥିଲା । ସେଇଠି ସମବେତ ଓ ଉତ୍ସୁକ ଦେଖଣାହାରୀଙ୍କ ସମ୍ମୁଖରେ ଶେଷନିଃଶ୍ୱାସ ତ୍ୟାଗ କଲେ ।

 

ଚିରଦିନ ପାଇଁ ଚକ୍ଷୁ ମୁଦ୍ରିତ କରିଦେଲା ପରେ ତାଙ୍କୁ ତାଙ୍କର ଏକାମ୍ର ନିବାସକୁ ନିଆଯାଇ ସେଇଠି ସର୍ବସାଧାରଣଙ୍କର ଶେଷଦର୍ଶନ ପାଇଁ ରଖାଯାଇଥିଲା ।

 

ଆମ ଦେଶର ରାଜ୍ୟପାଳ ଶ୍ରୀ ବିଶ୍ୱମ୍ବରନାଥ ପାଣ୍ଡେ, ମୁଖ୍ୟମନ୍ତ୍ରୀ ଶ୍ରୀ ଜାନକୀବଲ୍ଲଭ ପଟ୍ଟନାୟକ, ବିରୋଧୀଦଳ ନେତା ଶ୍ରୀ ବିଜୁ ପଟ୍ଟନାୟକ, ଶ୍ରୀ ନୀଳମଣି ରାଉତରାୟ, ରାଜ୍ୟ ମନ୍ତ୍ରୀମଣ୍ଡଳର ବହୁ ସଦସ୍ୟ, ବହୁ ବିଧାୟକ, କବି ଓ ସାହିତ୍ୟିକ, ସାମ୍ବାଦିକ , ଉଚ୍ଚପଦସ୍ଥ ଅଫିସର, ବୁଦ୍ଧିଜୀବୀ, ସାଧାରଣ ଜନତା ବହୁ ସଂଖ୍ୟାରେ ଏକାମ୍ର ନିବାସକୁ ଯାଇ, ଅଶ୍ରୁ ଓ ପୁଷ୍ପଅର୍ଘ୍ୟ ଦେଇ ଶେଷଦର୍ଶନ କରିଥିଲେ ।

 

କଟକରେ ପଟୁଆରର ଆଗେ ଆଗେ ଲୋକସଂପର୍କ ବିଭାଗ ପକ୍ଷରୁ ଏକ ଜିପ୍‌ରେ ଡାକବାଜି ଯନ୍ତ୍ର ଯୋଗେ ରାମଧୂନ୍‌ ପ୍ରଚାର ହୋଇଥିଲା ।

 

ବାରବାଟି ଷ୍ଟାଡିୟମ ପାଖରେ ପୋଲିସ ପକ୍ଷରୁ ତୋପଧ୍ୱନି ମଧ୍ୟରେ ତାଙ୍କୁ ଅନ୍ତିମ ସମ୍ମାନ ଦିଆଯାଇଥିଲା ।

 

ମହାଯାତ୍ରାର ଗରିମା ଓ ଗାମ୍ଭୀର୍ଯ୍ୟ ଦେଖି ମନେହେଉଥିଲା ଜୀବନଯାତ୍ରାରେ ଯାତ୍ରୀଙ୍କର କି ମହତ୍ତ୍ୱ ଓ ଗରିମା ଥିଲା !

 

ଯଦିଓ ଶ୍ରୀଯୁକ୍ତ ମହତାବ ଶ୍ରୀ କୃଷ୍ଣ ଚରଣ ଦାସଙ୍କର ପୁତ୍ର ଭାବରେ ପୃଥିବୀକୁ ଆସିଥିଲେ, ପରେ ଅଗରପଡ଼ାର ଜମିଦାର ତାଙ୍କର ଅଜା ଶ୍ରୀ ଜଗନ୍ନାଥ ମହତାବଙ୍କର ପୋଷ୍ୟପୁତ୍ର ହୋଇ ଅଗରପଡ଼ାର ଦାୟିତ୍ୱ ଗ୍ରହଣ କରିଥିଲେ । ମାତ୍ର ବିଧିନିର୍ଦ୍ଦିଷ୍ଟ ଥିଲା ଭିନ୍ନ । ଶ୍ରୀ ମହତାବ କେବଳ ଅଗରପଡ଼ା ନୁହେଁ, ଓଡ଼ିଶା ନୁହେଁ, ଭାରତର ଦାୟିତ୍ୱ ଗ୍ରହଣ କରିଥିଲେ ।

 

ରେଭେନ୍‌ସା କଲେଜରେ ବି. ଏ.ର ଶେଷ କ୍ଳାସରେ ପଢ଼ିଲାବେଳକୁ ଦେଶରେ ଜାଗି ଉଠିଥିଲା ସ୍ୱାଧୀନତାର ଆନ୍ଦୋଳନ, ମୁକ୍ତିର ସଂଗ୍ରାମ । ପାଠପଢ଼ାରେ ଜଳାଞ୍ଜଳି ଦେଇ ଶ୍ରୀ ମହତାବ ଦେଶସେବାରେ, ମୁକ୍ତିସଂଗ୍ରାମରେ ଲମ୍ପ ଦେଲେ ।

 

୧୯୨୪ରୁ ୧୯୨୮ ପର୍ଯ୍ୟନ୍ତ ସେ ବାଲେଶ୍ୱର ଜିଲ୍ଲା ବୋର୍ଡ଼ର ଚେୟାରମ୍ୟାନ ହୋଇଥିଲେ । ୧୯୨୪ରେ ବିହାର ଓଡ଼ିଶା ବିଧାନସଭାର ସଭ୍ୟରୂପେ ନିର୍ବାଚିତ ହୋଇଥିଲେ ।

 

ସେହି ସମୟରେ ତାଙ୍କରି ଉଦ୍ୟମରେ ବାଲେଶ୍ୱରରୁ ସାପ୍ତାହିକ ପ୍ରଜାତନ୍ତ୍ର ପ୍ରକାଶିତ ହୋଇଥିଲା ।

 

ସେଦିନ ମୋ ପକ୍ଷରେ ଆଉ ଏକ ଦୁର୍ଦ୍ଦିନ ଥିଲା । ମୋ’ର ସବା ସାନ ଭଉଣୀ ଚାରୁଲତା ୧୦ଦିନ ତଳେ ଶେଷ ନିଃଶ୍ୱାସ ତ୍ୟାଗ କରିଥିଲା - ଆଜି ତା’ର ଏକାଦଶାହ, ଶୁଦ୍ଧି ଦିବସ, କାର୍ଯ୍ୟ ବଢ଼ାଇ ଦିନ ୧୨ ଟା ପରେ ମୁଁ ଏକାମ୍ର ନିବାସରେ ଉପସ୍ଥିତ ହୋଇ ପୁଷ୍ପାଞ୍ଜଳି ଦେଇ ଶ୍ରୀ ମହତାବଙ୍କ ଶେଷ ଦର୍ଶନ କରିଥିଲି । ସଂପୂର୍ଣ୍ଣ ଶୋକସନ୍ତପ୍ତ ପ୍ରାଣରେ ।

 

ସେତେବେଳକୁ ଏକାମ୍ର ନିବାସ ଜନତାର ସ୍ରୋତରେ ଭରପୂର । ସଂଳାପ, କୋଳାହଳ, ମହତାବ ଜୀ ଅମର ରହେ ଧ୍ୱନୀରେ ଗୃହପ୍ରାଙ୍ଗଣ, ପଥପ୍ରାନ୍ତର ଉଚ୍ଛ୍ଵସିତ ଓ ମୁଖରିତ ।

 

ତା’ ପରଦିନ ତାଙ୍କର ମରଶରୀରକୁ କଟକ ସହରକୁ ନିଆଗଲା । ନାନା ଧ୍ୱନୀ ମଧ୍ୟରେ ପ୍ରଜାତନ୍ତ୍ର ପ୍ରେସ, ସ୍ୱରାଜ ଆଶ୍ରମ, କଳାବିକାଶ କେନ୍ଦ୍ର, ଗୋପବନ୍ଧୁ ଭବନ, ଗୋପବନ୍ଧୁବାଗ, କଲେଜ ଛକ, ଫ୍ଳାଇ ଓଭର ରାସ୍ତାରେ, ଓ. ଏମ. ପି. ଛକବାଟେ ଆଗେଇଲା ଭଦ୍ରଖ ଅଭିମୁଖରେ ।

 

ସେଠାରୁ ଅଗରପଡ଼ା । ଭାରତର, ଓଡ଼ିଶାର ବିଶିଷ୍ଟ ନେତା ହେଲେ ମଧ୍ୟ ଅଗରପଡ଼ା ଶ୍ରୀ ମହତାବଙ୍କର ଜମିଦାରୀ, ଗାଦି । ସେଇଠି ଅନ୍ତିମ ଶଯ୍ୟା, ଅନ୍ତିମ ଚିତା ନେଲେ ସିଏ । ତାଙ୍କର ପୋଷ୍ୟପୁତ୍ର ଶ୍ରୀ ଭର୍ତ୍ତୃହରି ମହତାବ ତାଙ୍କୁ ମୁଖାଗ୍ନି ଦେଇଥିଲେ ।

 

ଶ୍ରୀମତୀ ସୁଭଦ୍ରା ମହତାବ ତାଙ୍କର ସହଧର୍ମିଣୀ । ଜୀବନରେ ସେ ମହତାବଙ୍କର ଅନୁସରଣ କରି ସ୍ୱାଧୀନତା ସଂଗ୍ରାମରେ ଝାସ ଦେଇ କାରାବରଣ କରିଥିଲେ; ମାତ୍ର ସେ ଆଗରୁ ଆରପୁରକୁ ଯାଇଥିଲେ । ସେ ନିଶ୍ଚିତ ଭାବରେ ତାଙ୍କର ପତିଦେବତାଙ୍କୁ ସେଠି ପାଛୋଟି ନେଇଥିବେ ।

 

ମହତାବଜୀଙ୍କ ପ୍ରତି ଗଭୀର ସମ୍ମାନ ପ୍ରଦର୍ଶନ କରି ରାଜ୍ୟ ସରକାର ତିନିଦିନ ପାଇଁ ସରକାରୀ ଶୋକଦିବସ ପାଳନ କରିଥିଲେ ।

 

୧୯୨୧,୧୯୩୦, ୧୯୩୨ ଓ ୧୯୪୨ରେ ଭାରତଛାଡ଼ ଅନ୍ଦୋଳନରେ ଯୋଗଦେଇ କାରାବରଣ କରିଥିଲେ । ସେତିକିବେଳେ ସେ ଗିରଫ ହୋଇ ଅହମ୍ମଦନଗର ପୋର୍ଟରେ ପଣ୍ଡିତ ନେହୁରୁ, ସର୍ଦ୍ଦାର ପଟେଲ୍‌ ଓ ଆଚାର୍ଯ୍ୟ କୃପାଳିନୀଙ୍କ ସହିତ ଅଢ଼େଇ ବର୍ଷ କାଳ ବନ୍ଦୀଜୀବନ କଟାଇଥିଲେ ।

 

୧୯୩୦ରୁ ୧୯୪୦ ପର୍ଯ୍ୟନ୍ତ ସେ ଉତ୍କଳ କଂଗ୍ରେସ କମିଟିର ସଭାପତି ହୋଇଥିଲେ ।

 

୧୯୪୬ରୁ ୫୦ ଯାଏ ଶ୍ର ମହତାବ ଓଡ଼ିଶାର ପ୍ରଧାନମନ୍ତ୍ରୀ ବା ମୁଖ୍ୟମନ୍ତ୍ରୀ, ୧୯୫୦ରୁ ୫୨ କେନ୍ଦ୍ର ଶିଳ୍ପ ଓ ବାଣିଜ୍ୟ ବିଭାଗର କ୍ୟାବିନେଟ ମନ୍ତ୍ରୀ, ୧୯୫୦ରୁ ୧୯୫୪ ପର୍ଯ୍ୟନ୍ତ କଂଗ୍ରେସ ପାର୍ଲାମେଣ୍ଟାରୀ ଦଳର ସେକ୍ରେଟେରୀ ଜେନେରାଲ ରୂପେ କାର୍ଯ୍ୟ କରିଥିଲେ ।

 

୧୯୫୫ରୁ ୧୯୫୬ ପର୍ଯ୍ୟନ୍ତ ଅବିଭକ୍ତ ବମ୍ବେ ପ୍ରଦେଶର ରାଜ୍ୟପାଳ ହୋଇଥିଲେ ।

 

୧୯୫୭ରୁ ୧୯୬୧ ପର୍ଯ୍ୟନ୍ତ ପୁନର୍ବାର ଓଡ଼ିଶାର ମୁଖ୍ୟମନ୍ତ୍ରୀ, ୧୯୬୧ରୁ ୧୯୬୭ ପର୍ଯ୍ୟନ୍ତ ଲୋକସଭାର ସଭ୍ୟ ଥିଲେ ।

 

କେନ୍ଦ୍ରରେ କ୍ୟାବିନେଟ୍‌ ମନ୍ତ୍ରୀ ଥିଲା ବେଳେ ସେ ଲଣ୍ଡନରେ କମନ୍‌ ୱେଲଥ୍‌ ବୈଠକରେ ଯୋଗଦେଇଥିବା ଭାରତୀୟ ପ୍ରତିନିଧି ଦଳର ନେତୃତ୍ୱ ଗ୍ରହଣ କରିଥିଲେ ।

 

୧୯୫୨ରେ ସେ ପାର୍ଲାମେଣ୍ଟକୁ ଯାଇଥିବା ସମୟରେ ବ୍ରିଟେନ୍‌, ଫ୍ରାନ୍‌ସ, ଆମେରିକା ଓ ଜାପାନ ପ୍ରଭୃତି ଦେଶଭ୍ରମଣରେ ଯାଇଥିଲେ ।

 

୧୯୬୨ରେ ପାର୍ଲାମେଣ୍ଟ ସଭ୍ୟ ଥିଲାବେଳେ ଦଳର ଉପନେତା ଥିଲେ ଓ ଆଫ୍ରିକା ଗସ୍ତରେ ଯାଇଥିଲେ ।

 

ଓଡ଼ିଆ ସାହିତ୍ୟର ବହୁ ବିଭାବରେ ଶ୍ରୀ ମହତାବଙ୍କର ଦାନ ଓ ଅବଦାନ ରହିଅଛି । ମୁକ୍ତି-ସଂଗ୍ରାମରେ ଯୋଗ ଦେଲାବେଳେ ତାଙ୍କର ବୟସ ଥିଲା ତରୁଣ - ସେତେବେଳେ ସେ କ୍ରାନ୍ତି ଓ ବିଦ୍ରୋହର କାବ୍ୟ ଲେଖିଥିଲେ–“ପଲାସି ଅବସାନେ” ।

 

ବ୍ରିଟିଶ ସରକାର ସେତେବେଳେ ତାହା ବାଜ୍ୟାପ୍ତ କରିଦେଇଥିଲେ ।

 

ତାଙ୍କର “କବିତା ସଞ୍ଚୟନ’’ର ନାମ “ଆନନ୍ଦ ସନ୍ଧାନ’’

 

ଏକାଙ୍କିକା ସଂକଳନର ଶୀର୍ଷକ-“ଯୁଗସଂକେତ’’

 

କାବ୍ୟନାଟିକା-ଚାରିଚକ୍ଷୁ, ଶେଷଅଶ୍ରୁ

 

ତାଙ୍କର ଉପନ୍ୟାସ–

 

(୧) ଟାଉଟର

(୨) ଅବ୍ୟାପାର

(୩) ପ୍ରତିଭା

(୪) ତୃତୀୟ ପର୍ବ (୧୯୭୫)

 

ସେ ଆତ୍ମଜୀବନୀ ଲେଖିଯାଇଛନ୍ତି–“ସାଧନାର ପଥେ’’

 

ଓଡ଼ିଶାର ଦିଗ୍‌ବଳୟକୁ ଦେଖି ସେ ଲେଖିଯାଇଛନ୍ତି ତା’ର ଇତିହାସ, “ଓଡ଼ିଶା ଇତିହାସ’’ ଇଂରେଜୀରେ ଲେଖନୀ ଚାଳନା କରିଛନ୍ତି ।

 

(1) Gandhi, the poltical leader.

(2) While serving my nation;

Recollections of a congress man.

 

ଓଡ଼ିଆରେ ଲେଖିଛନ୍ତି “ଗାନ୍ଧିଜୀ ଓ ଓଡ଼ିଶା”

 

କନିକା ଇଷ୍ଟେଟ୍‌ରେ ପ୍ରଜାମାନଙ୍କ ଉପରେ ରାଜାଙ୍କର ଅତ୍ୟାଚାର ଓ ନୀଳଗିରିରେ ସେଇଥିପାଇଁ ପ୍ରଜାମାନଙ୍କ ମଧ୍ୟରେ ରାଜା ବିରୁଦ୍ଧରେ ଆନ୍ଦୋଳନ ସେତେବେଳେ ଏତେ ଭୟଙ୍କର ହୋଇଥିଲା ଯେ, ଶ୍ରୀ ମହତାବ ତାହା ତାଙ୍କର ପ୍ରଜାତନ୍ତ୍ରରେ ତୀବ୍ର ଭାବରେ ଆଲୋଚନା କରିଥିଲେ । ରଣପୁର ପ୍ରଜାଆନ୍ଦୋଳନରେ ହସ୍ତକ୍ଷେପ କରିଥିଲେ । ରଣପୁରରେ ବେଜଲଗେଟ୍‌ ହତ୍ୟାକାଣ୍ଡରେ ମହତାବଙ୍କୁ ସଂପୃକ୍ତ କରାଯାଇଥିଲା, ମାତ୍ର ମାହାତ୍ମାଗାନ୍ଧୀ ତହିଁରେ ହସ୍ତକ୍ଷେପ କରି ନ ଥିଲେ, ସେ ନିଶ୍ଚୟ ଫାଶୀ ପାଇଥାନ୍ତେ ।

 

ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ସାହଚର୍ଯ୍ୟରେ ଶ୍ରୀ ମହତାବ ଓଡ଼ିଶାର ଗଡ଼ଜାତମାନଙ୍କୁ ଓଡ଼ିଶା ପ୍ରଦେଶରେ ମିଶାଇବାକୁ ସକ୍ଷମ ହୋଇଥିଲେ । ତାଙ୍କର ବହୁଦିନର ସ୍ୱପ୍ନ ସଫଳ ହୋଇଥିଲା । ବିଶାଳ ଉତ୍କଳର ନିର୍ମାତା ଭାବରେ ସେ ଲୋକ ଦୃଷ୍ଟିରେ ବିବେଚିତ ହୋଇଥିଲେ ।

 

ଅଗରପଡ଼ା ଜମିଦାର ଭାବରେ ଶ୍ରୀ ମହତାବ ଲକ୍ଷ୍ମୀଙ୍କର ଆଶୀର୍ବାଦ ଲାଭ କରିଥିଲେ, ମାତ୍ର ସେ ତାହା ଜୀବନରେ ଏଡ଼ିଦେଇ ବରଣ କରିନେଇଥିଲେ ବାଣୀ ଓ ଶକ୍ତିଙ୍କର ସାଧନା । ରାଜନୀତିର ସାଥିରେ ସାହିତ୍ୟ ଓ ସାହିତ୍ୟ ସାଥିରେ ରାଜନୀତିର ଉପାସନାରେ ବ୍ରତୀ ହୋଇଥିଲେ-

 

ସାହିତ୍ୟ ଓ ରାଜନୀତି ମଧ୍ୟରେ ଖାଦ୍ୟ ଓ ଖାଦକର ସଂପର୍କ ବୋଲି ପାଶ୍ଚାତ୍ୟ ଜଗତର ଜଣେ ସମୀକ୍ଷକ କହିଯାଇଛନ୍ତି–“The Literature of today, like the young lady of Riga, Who want for a ride on a tiger. Politics is the tiger and two should ever prove good friends.

 

But after an hour the tiger came back with a smile on its face. The lady was in the stomach of the tiger.”

 

ଆଉ ଜଣେ ପାଶ୍ଚାତ୍ୟ କବି ସେଇ ଭାବକୁ କବିତା ମାଧ୍ୟମରେ ପରିବେଷଣ କରିଛନ୍ତି–

 

“There was a young lady from niger,

Who smiled as she rode on a tiger.

They came back from the ride,

with lady inside

And the smile on the face of the tiger.”

 

ମାତ୍ର ଆମ ଓଡ଼ିଶା ମାଟିରେ ଡକ୍ଟର ମହତାବଙ୍କଠାରେ ରାଜନୀତି ସାହିତ୍ୟର ପ୍ରତିକୂଳ ନ ଥିଲା, ପରିପନ୍ଥୀ ନ ଥିଲା, ଉଭୟ ଉଭୟଙ୍କ ପରିପୂରକ । Two should ever prove good friends. ଉଭୟେ Good friend ହୋଇପାରିଥିଲେ ।

 

ଶ୍ରୀଯୁକ୍ତ ମହତାବ ରାଜନୀତିର ଅଭିଯାନ ସହିତ ସାହିତ୍ୟର ଅଭିପ୍ରାୟ ଉତ୍ତମ ରୂପେ ହୃଦୟଙ୍ଗମ କରିଥିଲେ । ତେଣୁ ଆମ ଓଡ଼ିଶାରେ ସେ ପ୍ରତିଷ୍ଠିତ କରିଥିଲେ ସାହିତ୍ୟର ଏକ ମହାନ୍‌ ଅନୁଷ୍ଠାନ ପ୍ରଜାତନ୍ତ୍ର ପ୍ରଚାର ସମିତି,-ସେଥିରୁ ପ୍ରକାଶ କରୁଥିଲେ ପ୍ରଜାତନ୍ତ୍ର, ଦୈନିକ ସମ୍ବାଦପତ୍ର, ଝଙ୍କାର, ମାସିକ ସାହିତ୍ୟ ପତ୍ର, ମୀନାବଜାର, ଶିଶୁପତ୍ରିକା, ରବିବାସରୀୟ ପ୍ରଜାତନ୍ତ୍ରରେ କବିତା ଓ ନିବନ୍ଧ, ସାହିତ୍ୟ ଆଲୋଚନାର ସ୍ଥାନ ରଖାଇଥିଲେ ।

 

କେନ୍ଦ୍ର ସାହିତ୍ୟ ଏକାଡେମୀର ସେ ଥିଲେ ସଭ୍ୟ; କାର୍ଯ୍ୟକାରୀ ସମିତିର ସଦସ୍ୟ । ଆମ ଓଡ଼ିଶା ସାହିତ୍ୟ ଏକାଡେମୀ ସେ ପ୍ରତିଷ୍ଠିତ କରିଥିଲେ । ତେଣୁ ବହୁବର୍ଷ ଧରି ଆମ “ଓଡ଼ିଶା ସାହିତ୍ୟ ଏକାଡେମୀ”ର ସେ ଥିଲେ ସଭାପତି ।

 

ଗାଁ ମଜଲିସ୍‌–ଦେଶରେ ରାଜନୀତିର ହାଲଚାଲ, ପ୍ରଜାତନ୍ତ୍ରରେ ନିୟମିତ ଭାବରେ ଲେଖୁଥିଲେ । ତା’ର ୫ ଭାଗ ପ୍ରକାଶ ଲାଭ କରିସାରିଚି । “ଗାଁ ମଜଲିସ୍‌” ପାଇଁ ଶ୍ରୀ ମହତାବ ୧୯୮୩ର ଭାରତୀୟ କେନ୍ଦ୍ର ସାହିତ୍ୟ ଏକାଡେମୀର ଉପାୟନ ଲାଭ କରିଥିଲେ ।

 

ଆନ୍ଧ୍ର ବିଶ୍ୱବିଦ୍ୟାଳୟ ଶ୍ରୀଯୁ‌କ୍ତ ମହତାବଙ୍କୁ ଡକ୍ଟରେଟ୍‌ ଉପାଧି ପ୍ରଦାନ କରିଥିଲା । ପରେ ପରେ “ଉତ୍କଳ ବିଶ୍ୱବିଦ୍ୟାଳୟ” ଓ “ସାଗର ବିଶ୍ୱବିଦ୍ୟାଳୟ” “ଡକ୍ଟରେଟ୍‌” ଉପାଧିରେ ତାଙ୍କୁ ଭୂଷିତ କରିଥିଲେ ।

 

ସେଇ ମହାନ୍‌ ବ୍ୟକ୍ତିତ୍ୱର ସମ୍ପର୍କରେ ଆସିବା ଯେକୌଣସି ବ୍ୟକ୍ତି ପକ୍ଷରେ ନିଶ୍ଚିତ ଭାବରେ ଆତ୍ମପ୍ରସାଦ ବୋଲି କହିବାକୁ ହେବ । ଦେଶର ସ୍ୱାଧୀନତା ସଂଗ୍ରାମରେ ମୁଁ ଯୋଗଦେଇଥିଲି ୧୯୨୯ରେ । କାବ୍ୟ କବିତା ଓ ଆଲୋଚନା ଲେଖି ବାଣୀସେବା କରୁଥିଲି । ତେଣୁ ଶ୍ରୀ ମହତାବଙ୍କର ଦୃଷ୍ଟିକି ଆସିପାରିଥିଲି ।

 

ବହୁ କ୍ଷେତ୍ରରେ ତାଙ୍କ ସହିତ ଯୋଗାଯୋଗ, ତାଙ୍କର ଅନେକ ପତ୍ର ମୋ ନିକଟରେ ଗଚ୍ଛିତ ଅଛି । ବର୍ତ୍ତମାନ ତହିଁରୁ କେତେକ ଉପସ୍ଥାପନା କରିବାର ଇଚ୍ଛା, ମାତ୍ର ହାତପାଆନ୍ତାରେ ଏଇ ଖଣ୍ଡିକ ସୁଲଭ । ଲୋଭ ସମ୍ବରଣ କରି ନ ପାରି ତାହା ଏଇଠି ଦେଉଛି-

 

JHANKAR

Chief Editor

Dr. Harekrushna Mahtab

Editor

Saroj Ranjan Mohanty

Ref. No BM / CK / 13

A Leading Oriya Monthly

Prajatantra Buildings

Cuttack-753002

Date 19-3-76

 

ମହାଶୟ,

ଆସନ୍ତା ଏପ୍ରିଲ ୧୧ ତାରିଖଠାରୁ ୧୩ ତାରିଖ ପର୍ଯ୍ୟନ୍ତ ପ୍ରଜାତନ୍ତ୍ର ପରିସରରେ ‘ଝଙ୍କାର’ର ଜନ୍ମଜୟନ୍ତୀ ଉପଲକ୍ଷରେ ସପ୍ତବିଂଶ ବିଷୁବ ମିଳନ ଅନୁଷ୍ଠିତ ହେବ ।

 

ଏହି ଅବସରରେ ଏପ୍ରିଲ ୧୧ ତାରିଖ ରବିବାର ସନ୍ଧ୍ୟା ୭ଟା ୩୦ ମି.ରେ ଏକ ସାହିତ୍ୟ ସଭାର ଆୟୋଜନ କରାଯାଇଛି । ଏଥିରେ ଆଲୋଚନା ପାଇଁ ମନୋନୀତ ବିଷୟ ରୂପେ “ସାମାଜିକ ଚେତନା ସୃଷ୍ଟି ପାଇଁ ସାହିତ୍ୟର ଭୂମିକା” ରଖାଯାଇଛି ।

 

ଆପଣ ଏହି ସାହିତ୍ୟ ସଭାରେ ମୁଖ୍ୟଅତିଥି ରୂପେ ଯୋଗଦେବା ପାଇଁ ଆପଣଙ୍କୁ ଅନୁରୋଧ କରୁଛି । ଶୀଘ୍ର ଆପଣଙ୍କ ସଦୟ ସ୍ୱୀକୃତି ପାଇଲେ ପ୍ରୀତ ହେବି ।

 

 

ଆପଣଙ୍କର

ସ୍ୱା/ହରେକୃଷ୍ଣ ମହତାବ

ଶ୍ରୀଯୁକ୍ତ ରାଧାମୋହନ ଗଡ଼ନାୟକ

କଲଣ୍ଡାପାଳ, ଅନଗୁଳ

ଜିଲ୍ଲା-ଢେଙାନାଳ

 

 

ଆଲୋଚନାରେ ଯୋଗ ଦେଇଥିଲି ।

 

ଆଉ ଥରେ ତାଙ୍କରି ଅନୁରୋଧରେ ବିଷୁବ ମିଳନର କବିତା ପାଠୋତ୍ସବରେ ମୁଁ ସଭାପତିତ୍ୱ କରିଥିଲି ।

 

୧୯୫୬ ବୋଧହୁଏ । ଶ୍ରୀଯୁକ୍ତ ମହତାବ ସେତେବେଳେ ବମ୍ବେର ରାଜ୍ୟପାଳ । ତାଙ୍କର ବିଷୁବ ମିଳନ ସାହିତ୍ୟୋତ୍ସବକୁ ଆସିଥାନ୍ତି । ମୁଁ ବିଷୁବ ମିଳନରେ ଯୋଗଦେଇ ତାଙ୍କୁ ସାକ୍ଷାତ୍‌ କଲି-। ସେ ସାଙ୍ଗେ ସାଙ୍ଗେ କହିଲେ-“ଝଙ୍କାରର ଏଇ ସଂଖ୍ୟାରେ ପ୍ରକାଶିତ ଆପଣଙ୍କର କବିତାଟି ଭାରି ଭଲ ହୋଇଛି ।”

 

ମୁଁ ସନ୍ତର୍ପଣରେ ଜଣାଇଲି–“କବିତାଟି ଆପଣମାନଙ୍କ ଲକ୍ଷ୍ୟରେ ଲେଖିଛି । ଯଦି ଆପଣ ଭାରି ଭଲ ହୋଇଚି ବୋଲି କହୁଛନ୍ତି, ତେବେ ମୋର ଲକ୍ଷ୍ୟ ସଫଳ ହେଲା ଜାଣିଲି ।”

 

‘‘କଅଣ ଆମ ଲକ୍ଷ୍ୟ ରେ ?’’

ମୁଁ ଆବୃତ୍ତି କଲି –

“ଦେଶର ଦେବତା ବୋଲି ପୂଜା ପାଉଅଛି ଯିଏ

ସେ ଜଳର ପାତ୍ରେ,

ପୁଲକିତ ପାତ୍ରେ ।

ଅମୃତ ପରଷଇ ଭଗବାନ ଆପେ ସାଜି ମୋହିନୀ,

ଆଇନ୍‌ ହୋଇଚି ଜାରି ଅମୃତ ଆମପାଇଁ ହୋଇନି ।

ବଞ୍ଚିତ ଆମେମାନେ,

ଆଇନ୍‌ ତ ଆମପାଇଁ ବକ୍ର,

ରାହୁ ପାଇଁ ଯେଉଁଭଳି ଚକ୍ର ।

ସଖି ମୋର, କର ନାହିଁ ଡେରି ଗୋ

ପାନ-ପାତ୍ରରେ ମୋର ଗରମ ଗରମ ଟିକେ

ଚା’ ଦିଅ ଭରି ଗୋ ।”

ସେ ପୁଣି କହିଲେ–“ମୁଁ ଯାହା କହିଥିଲି ତାହା ଠିକ୍‌ ।’’

 

ଆଉ ଗୋଟିଏ ସନ୍ଧ୍ୟା-୩୧-୧୨-୮୧ର ସନ୍ଧ୍ୟା । ଭଦ୍ରଖରେ ସାହିତ୍ୟ ସଭା । ଉଦ୍‌ଘାଟକ ଡକ୍ଟର ହରେକୃଷ୍ଣ ମହତାବ, ମୁଖ୍ୟବକ୍ତା ଶ୍ରୀ ନିତ୍ୟାନନ୍ଦ ମହାପାତ୍ର, ମୁଖ୍ୟଅତିଥି ମୁଁ । ସଭାରେ ପୌରୋହିତ୍ୟ କରୁଥିଲେ ଡକ୍ଟର ଗଙ୍ଗାଧର ବଳ ।

 

ସେଦିନ ଅପରାହ୍ନରେ ମୁଁ ଭଦ୍ରଖରେ ଉପସ୍ଥିତ ହୋଇ ଶୁଣିଲି ଶ୍ରୀଯୁକ୍ତ ମହତାବ ଭୁବନେଶ୍ୱରରୁ ଆସି ସେଠି ତାଙ୍କ ନିଜ ଘରେ ପହଞ୍ଚିଗଲେଣି । ସଭା ଗୃହରେ ସାକ୍ଷାତ୍‌ ହୋଇଥା’ନ୍ତା, ମାତ୍ର ତାଙ୍କ ଘରେ ଦେଖାକରି ଆନନ୍ଦ ଲାଭ କରିବାକୁ ମନ ଉତ୍ସୁକ ହେଲା । ସେଠିକି ଗଲି, ସାକ୍ଷାତ୍‌ କରି ତାଙ୍କ ଗହଣରେ ବସିରହିଲି, ତାଙ୍କର ଅନୁଜ ଶ୍ରୀ ଗୋପିନାଥ ଦାସଙ୍କ ସହିତ ଭଦ୍ରଖର ବହୁ ବରିଷ୍ଠ ବ୍ୟକ୍ତି ସେଠି ସମବେତ ହୋଇଥିଲେ । ଆଳାପ ଆଲୋଚନାରତ ଶ୍ରୀ ମହତାବଙ୍କ ହସ୍ତରେ ଲକ୍ଷ୍ୟ କଲି କଅଣ ଖଣ୍ଡିଏ ନୂତନ ପୁସ୍ତକ । ହସ୍ତ ପ୍ରସାରିତ କରି ମୁଁ ପଚାରିଲି–“କି ବହି ଧରିଛନ୍ତି ଆଜ୍ଞା ?”

 

ଉତ୍ତର ମିଳିଲା–“ଆପଣଙ୍କୁ ଦିଆହେବ ନାହିଁ ।”

 

ଶୁଣିଲା ପରେ ମନରେ ଭରିଉଠିଲା ଗଭୀର ଗ୍ଳାନି ।

 

ତାଙ୍କରି ଗହଣରେ ତାଙ୍କରି ଗାଡ଼ିରେ ସଭାସ୍ଥଳକୁ ଗଲୁ । ସଭାକାର୍ଯ୍ୟ ଆରମ୍ଭ ହେଲା । ଡକ୍ଟର ମହତାବ ସାହିତ୍ୟ ଉତ୍ସବ ଉଦ୍‌ଘାଟନ କଲେ । ଯେଉଁ ନୂତନ ବହିଖଣ୍ଡି ସେ ହାତରେ ଧରିଥିଲେ, ତାହାର ନାମ “ଆନନ୍ଦ ସନ୍ଧାନ”-ତାଙ୍କର ନବପ୍ରକାଶିତ ଏକ କବିତା ସଂକଳନ । ସେଥିରୁ ଗୋଟିଏ କବିତା ସଭାରେ ପାଠ କଲେ :-

 

ତହିଁରୁ କେତୋଟି ପଂକ୍ତି :-

“ଅନୁକମ୍ପା, ସମ୍ବେଦନା ତଥା ଅନୁଭବ

ଏହାର ପ୍ରଭାବେ ଥିଲା କବିତା ସମ୍ଭବ ।

ହୃଦୟର ଗ୍ରନ୍ଥି ଆଜି ହେଲାଣି କଠିନ,

ମନଟା ହେଲାଣି ଏବେ ଆବେଗ ବିହୀନ ।

ନବ ଯୁଗେ ପୁରାତନ ହେଲାଣି ଅତୀତ,

ନୂତନ ଚେହେରା ସବୁ, ମନ ବିପରୀତ ।।

 

କବିତାଟି ପଢ଼ିସାରି ଶ୍ରୀଯୁକ୍ତ ମହତାବ ପ୍ରକାଶ କଲେ–“ଏ କବିତା ବହିଟି କବି ଗଡ଼ନାୟକଙ୍କୁ ଉପହାର ଦେବାକୁ ଆଣିଥିଲି, ବର୍ତ୍ତମାନ ତାଙ୍କୁ ଦେଉଚି, ସେ ଗ୍ରହଣ କରନ୍ତୁ ।”

 

ତାଙ୍କ ହସ୍ତରୁ ବହିଟି ଆଣି ମୁଁ ସ୍ୱସ୍ତି ଲାଭ କଲି । ଏତେବେଳକୁ ଜାଣିଲି, ସେ କାହିଁକି ମତେ ସେତେବେଳେ ଦେବାକୁ ନାହିଁ କରିଥିଲେ ।

 

ମୁଖ୍ୟଅତିଥି ଭାବରେ ମୋର ବକ୍ତବ୍ୟରେ ମୁଁ ତାଙ୍କର ପଠିତ କବିତା ସମ୍ପର୍କରେ ପଦେଅଧେ କହିଲି; କଥା ପ୍ରସଙ୍ଗରେ ତାଙ୍କର ବହୁଦିନର ବିସ୍ତୃତି କେତୋଟି ପଦ ‘ପଲାସି ଅବସାନେ’ରୁ ଉଦ୍ଧାର କଲି ।

 

ଶେଷରେ କ୍ଳାଇବ ଆତ୍ମହତ୍ୟା କରିଚି :-

ଗାଉ ଯେତେ ଇଂଲଣ୍ଡ ମୋ କୀରତି ନିକର,

ଲେଖୁ ଯେତେ ଇତିହାସ ଗରିମା ମୋହର ।

ଉଠୁ ପଛେ ଜୟଗାନ ଆକାଶ ଅବଧି

ଚୌଦିଗେ ବିସ୍ତାରି ଜନପଦ ବା ଜଳଧି ।

ବାଜୁ ପଛେ ଉଚ୍ଚେ ମୋର ବିରତ୍ୱ ଡିଣ୍ଡିମ,

ଶୁଣାଇ ଜଗତେ ମୋର କୃତିତ୍ୱ ଅସୀମ ।

ହୋଇଥାଉ ପଛେ ମୂଳଦୁଆ ମୋର କାର୍ଯ୍ୟ,

ଗଠନେ ବିଶାଳ ଏକ ବ୍ରିଟିଶ ସାମ୍ରାଜ୍ୟ ।

ପାଇଥାଉ ପଛେ ଶତନିଧି ମୋର ଜାତି,

ହିନ୍ଦୁସ୍ଥାନ ଅଧିକାରେ ସ୍ୱର୍ଗ ସୁଖ ଶାନ୍ତି ।

ନ ବୁଝିବ ପରିତୃପ୍ତ ଆତ୍ମା ମୋର ଆଉ,

ଦହି ହୃଦ ସାଧୁଥିବ ଅନୁତାପ ଦାଉ ।

କି କୁକାର୍ଯ୍ୟ ନ କରିଛି, ମୁହିଁ ହିନ୍ଦୁସ୍ଥାନେ,

କି ପାପ ନକଲି ମୁହିଁ ଏ ନୀଚ ପରାଣେ ।

ଷଡ଼ଯନ୍ତ୍ର ପ୍ରବଞ୍ଚନା ଥିଲା ମୋ ସମ୍ବଳ,

ନଥିଲା ବୀରତ୍ୱ ଅବା ଆଉ କିଛି ବଳ ।

ମିଥ୍ୟା ଜାଲ ଥିଲା ମୋର ଚିର ସହଚର ।

ସରଳତା ହାରିଗଲା ସିନା ଭାରତର ।

କି ସରଳ ଲୋକେ ସେହି ବିଚିତ୍ର ଦେଶର,

ଅତିଥି ହିସାବେ କଲେ କେତେ ସେ ଆଦର ।

ଶିଷ୍ଟାଚାର ଉପକାର ଦେଖାଇ ମହତ୍ୱ,

ପ୍ରତିଫଳେ ପାଇଲେ ସେ ଅଧମ ଦାସତ୍ୱ ।

 

“ପଲାସି ଅବସାନେ’’ର କେତୋଟି ପଦ ଶୁଣି ଶ୍ରୀଯୁକ୍ତ ମହତାବ ଖୁବ୍‌ ପ୍ରୀତ ହେଲେ,ମୋର ସ୍ମୃତି ପାଇଁ ମୋତେ ପ୍ରଶଂସା କଲେ ।

 

ପୁନଶ୍ଚ ଆଉ ଗୋଟିଏ ଦିନ- ୨୫।୮।୧୯୮୩, ମୋର ଜନ୍ମତିଥି । ଭୁବନେଶ୍ୱରରେ ମୋର ସରକାରୀ ବାସଭବନରେ ମୁଁ କେତେକ କବି ସାହିତ୍ୟିକ ବନ୍ଧୁଙ୍କୁ ନିମନ୍ତ୍ରଣ କରିଥିଲି ।

 

ଅଧିକନ୍ତୁ ଶ୍ରୀଯୁକ୍ତ ମହତାବଙ୍କୁ ମଧ୍ୟ । ମୋର ଜନ୍ମଦିନରେ ସେ ମୋର ବାସଭବନରେ ଉପସ୍ଥିତ ହେବାକୁ ସଦୟ ସମ୍ମତି ଦେଇଥିଲେ ।

 

ସେଇ ସନ୍ଧ୍ୟାରେ ମୋର ସନ୍ଦେହ ହେଲା । ସମବେତ ବନ୍ଧୁମାନଙ୍କର ମଧ୍ୟ । ମୁଁ ଉପର ଫ୍ଳାଟ୍‌ରେ ରହେ । ଶ୍ରୀ ମହତାବ ୟା’ ଉପରକୁ ଉଠିପାରିବେ ନାହିଁ । ତେଣୁ ବନ୍ଧୁମାନେ ଅପେକ୍ଷାରେ ରହିଲେ । ଗୋଟାଏ ଗାଡ଼ିରେ ମୁଁ ଏକାମ୍ର ଭବନ ଚାଲିଗଲି-ତାଙ୍କ ପାଖକୁ ଯାଇ ତାଙ୍କ ପାଖରୁ ଆଶୀର୍ବାଦ ନେଇ ଆସିବାକୁ । ମାତ୍ର ତାଙ୍କୁ ସେଠି ଭେଟିଲି ନାହିଁ । ଶୁଣିଲି, ପ୍ରଜାତନ୍ତ୍ରକୁ ସେ ଯାଇଚନ୍ତି । ସେଇଠୁ ସେ ମୋ ଘରକୁ ଯିବେ ।

 

ଫେରିଯାଇ ଦେଖିଲି, ଶ୍ରୀଯୁକ୍ତ ମହତାବ ମୋ ଘରେ ବସିଚନ୍ତି-ପାହାଚରେ ନିଜେ ଉଠି ଯାଇଚନ୍ତି, ଜାଣିଲି । ବିସ୍ମିତ ହେଲି । ମୋତେ ସେ ପଚାରିଲେ–“ଆପଣ କାହିଁକି ଏକ୍ଷଣି ମୋ’ ଘରକୁ ଯାଇଥିଲେ ?”

 

ଉତ୍ତର ଦେଲି–“ଆପଣଙ୍କୁ କଷ୍ଟ ଦେବାକୁ ଇଚ୍ଛା ହେଲା ନାହିଁ, ଆପଣଙ୍କ ପାଖକୁ ଯାଇ ଆପଣଙ୍କଠାରୁ ଆଶୀର୍ବାଦ ନେଇ ଆସିବାକୁ ଯାଇଥିଲି ।”

 

ହସି ହସି ସେ କହିଲେ–“କଷ୍ଟ କଅଣ । ମୁଁ ପରା ଆପଣଙ୍କୁ ବଚନ ଦେଇଥିଲି । ଆପଣଙ୍କ ଶୁଭ ଜନ୍ମ ଦିନରେ ଉପସ୍ଥିତ ହେବା କଅଣ ମୋର ଆନନ୍ଦ ନୁହେଁ ?”

 

ଦୀର୍ଘ ଅଢ଼େଇ ଘଣ୍ଟା ସେଇ ମେଳରେ ରହିଲେ । ଭାଷଣରେ ମୋର ପ୍ରଭୂତ ମଙ୍ଗଳ କାମନା କରି କାବ୍ୟ କବିତା ସାହିତ୍ୟ ଉପରେ ତାଙ୍କର ବକ୍ତବ୍ୟ ଦେଇ ବିଦାୟ ନେଲେ ।

 

ଚିରଦିନ ପାଇଁ ସେ ବିଦାୟ ନେଇ ଚାଲିଯାଇଛନ୍ତି-ଆମର ଏଇ ପୃଥିବୀରେ କିମ୍ବା ଆମର ଜୀବନ ପଥରେ ଆଉ ସେ ଆତ୍ମାର ସାକ୍ଷାତ ମିଳିବ ନାହିଁ ।

 

ସାକ୍ଷାତ ମିଳିବ କେବଳ ମନରେ, କେବଳ ସ୍ମୃତିରେ । ଯେଣୁ ତାଙ୍କର ସ୍ମୃତି ମୃତ୍ୟୁଜୟୀ ।

 

***

 

କବି ଶ୍ରୀ ସୌଭାଗ୍ୟ କୁମାର ମିଶ୍ର

କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର

 

୧୯୮୬ର କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପାଇଚନ୍ତି କବି ଶ୍ରୀ ସୌଭାଗ୍ୟ କୁମାର ମିଶ୍ର ତାଙ୍କର “ଦ୍ୱାସୁପର୍ଣ୍ଣା’’ କାବ୍ୟ ସଞ୍ଚୟନ ପାଇଁ । ‘କୋଣାର୍କ’ର ସମ୍ପାଦକ ଭାବରେ ମୁଁ ଓଡ଼ିଶା ସାହିତ୍ୟ ଏକାଡେମୀ ପକ୍ଷରୁ ତାଙ୍କୁ ହାର୍ଦ୍ଦିକ ସମ୍ବର୍ଦ୍ଧନା ଜଣାଉଚି ।

 

ଆତ୍ମନେପଦୀ (୧୯୬୧), ମଧ୍ୟପଦ ଲୋପୀ (୧୯୭୦), ନଈ ପହଁରା (୧୯୭୩), ଅନ୍ଧ ମହୁମାଛି (୧୯୭୭,୧୯୮୦) ଓ ବଜ୍ରଜାନ (୧୯୮୧,୧୯୮୩)ର ରଚୟିତା ଭାବରେ ସେ ଓଡ଼ିଶାର ସାରସ୍ୱତ କ୍ଷେତ୍ରରେ ସୁନାମ ଅର୍ଜନ କରିପାରିଥିଲେ । ବର୍ତ୍ତମାନ “ଦ୍ୱା ସୁପର୍ଣ୍ଣା’’ ତାଙ୍କର ସେଇ ସୁନାମକୁ ପୁଷ୍ପଳତର ଓ ଉଜ୍ଜ୍ଵଳତର କରିଅଛି ।

 

ଦୁଇଟି ପକ୍ଷୀ (ଦ୍ୱା ସୁପର୍ଣ୍ଣା)ର ଦୃଷ୍ଟାନ୍ତ ଦେଇ ଆତ୍ମା ଓ ପରମାତ୍ମାର କଥା ବେଦରେ ଆଲୋଚିତ ହୋଇଚି । ଜୀବାତ୍ମା ସୁଖଦୁଃଖର ପିପ୍‌ପଳ ଫଳ ଆସ୍ୱାଦନ କରୁଛି, ମାତ୍ର ଅନ୍ୟଟି ଅର୍ଥାତ୍‌ ପରମାତ୍ମା ନିର୍ଲିପ୍ତ ଭାବରେ ସେଇ ଫଳକୁ ଅନାଇ ରହିଚି । ବେଦର ସେଇ ମନ୍ତ୍ରଟି ଯେଉଁ “ଦ୍ୱା ସୁପର୍ଣ୍ଣା”ରେ ଅୟମାରମ୍ଭ, ଶ୍ରୀ ମିଶ୍ର ସେଇ ଦୁଇଟି ଶବ୍ଦଚୟନ କରି ନିଜ କବିତା ସଞ୍ଚୟନର ନାମକରଣ କରିଚନ୍ତି ।

 

ପାଶ୍ଚାତ୍ୟ କବି T. S. Eliotଙ୍କର Waste landର what the thunder said (ବଜ୍ରବାଣୀ)ରେ ବୃହଦାରଣ୍ୟକ ଉପନିଷଦର ଦ, ଦାମ୍ୟତ, ଦତ୍ତ ଓ ଦୟଧ୍ଵ କଥା ମନରେ ସ୍ୱତଃ ଜାଗିଉଠେ ।

 

ଡକ୍ଟର ମିଶ୍ର ବର୍ତ୍ତମାନ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟରେ ଇଂରେଜୀ ବିଭାଗର ପ୍ରାଧ୍ୟାପକ । ରେଭେନ୍‌ସା କଲେଜରୁ ଇଂରେଜୀ ଏମ. ଏ. ପ୍ରଥମ ଶ୍ରେଣୀରେ ପ୍ରଥମ ହୋଇ ପାଶ୍‌ କଲାପରେ ସେ ଅଧ୍ୟାପନା ଆରମ୍ଭ କରିଛନ୍ତି । ଛାତ୍ର ଜୀବନର ପ୍ରାରମ୍ଭରୁ ସେ ତାଙ୍କର ମେଧାର ପରିଚୟ ଦେଇ ଆସିଛନ୍ତି । ଛାତ୍ରାବସ୍ଥାରୁ ମଧ୍ୟ କବିତା ଲେଖାର ସାଧନା କରିଛନ୍ତି ।

 

ଶ୍ରୀଯୁକ୍ତ ମିଶ୍ର ପିତା ଶ୍ରୀ ଦାମୋଦର ମିଶ୍ର ଓ ମାତା ଶ୍ରୀମତୀ ସାବିତ୍ରୀ ଦେବୀଙ୍କର ପୁତ୍ରସନ୍ତାନ ଭାବରେ ୧୯୪୧ ରେ ବ୍ରହ୍ମପୁରଠାରେ ଜନ୍ମଲାଭ କରିଛନ୍ତି । ସେ ବିବାହ କରିଚନ୍ତି କଟକ ଜିଲ୍ଲାର ଆଠଗଡ଼ ଟାଉନ୍‌ରେ ମୋର ବନ୍ଧୁ ଶ୍ରୀ ରଘୁରାମ ମିଶ୍ରଙ୍କର ଏକ କନ୍ୟାଙ୍କ ସହିତ ।

 

ଡକ୍ଟର ମିଶ୍ର ତାଙ୍କର ନିଜର କବିତାକୁ ଇଂରେଜୀରେ ଅନୁବାଦ କରିଚନ୍ତି–ସେ ପୁସ୍ତକଦ୍ଵୟ ଯଥାକ୍ରମେ–

 

୧ Counter Measures, 1973

୨ Down Points, 1985

 

ଅନ୍ୟାନ୍ୟ ପୁସ୍ତକ ଗୁଡ଼ିକ–

ଇଂରେଜୀରେ ଓ ଓଡ଼ିଆରେ ସମାଲୋଚନା ବିଶ୍ୱ ସାହିତ୍ୟ କୋଷ ଓ ଅନ୍ୟ ସଂକଳନ ।

 

କାଫ୍‌କାଙ୍କର The Castle ଉପନ୍ୟାସର ଓଡ଼ିଆ ଅନୁବାଦ ଦୁର୍ଗ । ତାହା ଆମ ଓଡ଼ିଶା ସାହିତ୍ୟ ଏକାଡେମୀର ପ୍ରକାଶନ ।

 

ଶ୍ରୀ ମିଶ୍ର ବହୁ ସାଂସ୍କୃତିକ ଅନୁଷ୍ଠାନ ସହିତ ସଂପୃକ୍ତ । ବିଶେଷତଃ ଓଡ଼ିଶା ସାହିତ୍ୟ ଏକାଡେମୀର କାର୍ଯ୍ୟକାରୀ ସମିତିର ସଭ୍ୟ । National Book Trust, Indiaର Advisory Boardର ସଦସ୍ୟ ।

 

“ଦ୍ୱା ସୁପର୍ଣ୍ଣା” ପାଇଁ କେନ୍ଦ୍ର ସାହିତ୍ୟ ଏକାଡେମୀର ପୁରସ୍କାର ପାଇବା ପୂର୍ବରୁ ସେ ଅନ୍ୟାନ୍ୟ ପୁରସ୍କାରର ଅଧିକାରୀ ହୋଇଥିଲେ ।

 

୧୯୭୫ରେ ପ୍ରଜାତନ୍ତ୍ରରୁ ବିଷୁବ ପୁରସ୍କାର

 

୧୯୭୬ରେ ଜୀବନରଙ୍ଗରୁ ମାନପତ୍ର

 

୧୯୭୮ରେ ଓଡ଼ିଶା ସାହିତ୍ୟ ଏକାଡେମୀରୁ ପୁରସ୍କାର, ତାଙ୍କର ‘ଅନ୍ଧ ମହୁମାଛି’ ପାଇଁ ।

 

ସେ ଅନେକ ଜାତୀୟ ଓ ଆନ୍ତର୍ଜାତିକ ସମ୍ମିଳନୀରେ ଯୋଗଦେଇଚନ୍ତି । ୧୯୮୩ରେ ଆମେରିକା ସରକାରଙ୍କ ନିମନ୍ତ୍ରଣ କ୍ରମେ ସେ ଆୟୋୱା ବିଶ୍ୱବିଦ୍ୟାଳୟର ଆନ୍ତର୍ଜାତିକ ଲେଖକ ପ୍ରକଳ୍ପରେ ତିନିମାସ ପାଇଁ ଯୋଗଦେଇଥିଲେ । ଏଯାବତ୍‌ ସେଥିପାଇଁ ସେ ଓଡ଼ିଶାର ଏକମାତ୍ର ସାହିତ୍ୟିକ ।

 

ସେଇବର୍ଷ ଆକାଶବାଣୀର ଜାତୀୟ କବି ସମ୍ମିଳନୀରେ ଓଡ଼ିଶାର ପ୍ରତିନିଧିତ୍ୱ କରିଥିଲେ-

 

୧୯୮୪ରେ ଦିଲ୍ଲୀଠାରେ ଅନୁଷ୍ଠିତ ବାଲ୍ମୀକି ବିଶ୍ୱକବି ସମ୍ମିଳନୀରେ ମଧ୍ୟ ସେ ଓଡ଼ିଶା ତଥା ଭାରତର ପ୍ରତିନିଧିତ୍ୱ କରିଚନ୍ତି ।

 

ପ୍ରାୟ ତିନି ଦଶକ ହେଲା ସେ କବିତା ରଚନାରେ ବ୍ରତୀ ହୋଇଚନ୍ତି । ଓଡ଼ିଶାର ଅତ୍ୟାଧୁନିକ କବିମାନଙ୍କ ମଧ୍ୟରେ ତାଙ୍କର ସ୍ଥାନ ସୁନିର୍ଦ୍ଦିଷ୍ଟ ।

 

ରାଧାମୋହନ ଗଡ଼ନାୟକ

ସମ୍ପାଦକ, କୋଣାର୍କ

***

 

ଓଡ଼ିଶା ସାହିତ୍ୟ ଏକାଡେମୀର ପ୍ରମୁଖ କାର୍ଯ୍ୟକ୍ରମ

 

 

***

 

ଓଡ଼ିଶା ସାହିତ୍ୟ ଏକାଡେମୀ

ସଦ୍ୟ ପ୍ରକାଶିତ ପୁସ୍ତକାବଳୀ

 

ଜଳନ୍ଧରଦେବ ରଚନାବଳୀ

ସଂକଳକ : ଶ୍ରୀ ରାମଚନ୍ଦ୍ର ବ୍ରହ୍ମା

ଟ ୪୫-୦୦

ବ୍ରଜବିହାରୀ ରଚନାବଳୀ

ସଂକଳକ : ଡକ୍ଟର ଶରତ ଚନ୍ଦ୍ର ପ୍ରଧାନ

ଟ ୫୩-୦୦

ଓଡ଼ିଶାର ସାଂସ୍କୃତିକ ଇତିହାସ (୪ର୍ଥ ଭାଗ)

(ଗଙ୍ଗ ଓ ଗଜପତି ରାଜତ୍ୱରେ ଓଡ଼ିଶାର ସଂସ୍କୃତି)

ଡକ୍ଟର ସତ୍ୟନାରାୟଣ ରାଜଗୁରୁ,

ଶ୍ରୀ ରବିନାରାୟଣ ଦାଶ

ଟ ୨୩-୦୦

ଭରତମୁନିପ୍ରଣୀତମ୍‌ ନାଟ୍ୟଶାସ୍ତ୍ରମ୍‌

(ଦ୍ୱିତୀୟ ସଂସ୍କରଣ)

ଅନୁବାଦକ : ପଣ୍ଡିତ ବାନାମ୍ବର ଆଚାର୍ଯ୍ୟ

ଟ ୩୫.୦୦

ସାହିତ୍ୟ ଦର୍ପଣ (ଦ୍ୱିତୀୟ ସଂସ୍କରଣ)

ଅନୁବାଦକ : ପଣ୍ଡିତ ନାରାୟଣ ମହାପାତ୍ର

ଟ ୯୯.୦୦

କାବ୍ୟ–ପ୍ରକାଶ (ଦ୍ୱିତୀୟ ସଂସ୍କରଣ)

ଅନୁବାଦକ : ପଣ୍ଡିତ ନାରାୟଣ ମହାପାତ୍ର

ଟ ୯୧.୦୦

ଭାରତୀୟ ଦର୍ଶନ (ଦ୍ୱିତୀୟ ସଂସ୍କରଣ)

ଅନୁବାଦକ : ପଣ୍ଡିତ ଗୋବିନ୍ଦ ଚନ୍ଦ୍ର ମିଶ୍ର

ଟ ୫୬.୦୦

ଚରିତ-ଚିନ୍ତାମଣି (ଦ୍ୱିତୀୟ ସଂସ୍କରଣ)

(ପୌରାଣିକ ଶବ୍ଦକୋଷ) ସଂକଳକ

ପଣ୍ଡିତ ନୀଳକଣ୍ଠ ରଥ

ଟ ୬୧.୦୦

ଆଧୁନିକ ଓଡ଼ିଆ ସାହିତ୍ୟର ଭୂମି ଓ ଭୂମିକା

(ତୃତୀୟ ସଂସ୍କରଣ)

ସଂକଳକ : ଡକ୍ଟର କୁଞ୍ଜବିହାରୀ ଦାଶ

ଟ ୨୮.୦୦

 

 

***